Unknown

 

 

 

 

 

 

 

 

 

 

 

ଫଳଂ ଫଳେ ଫଳାନି

ଶ୍ରୀ ଗୋରାଚାନ୍ଦ ମିଶ୍ର

 

ମୁଖବନ୍ଧ

 

‘ମୁଖ ବନ୍ଧ’ କହିଲେ ମୁଁ ବୁଝେ ପାଠକଙ୍କ ‘ମୁଖ ବନ୍ଦ’ କହିବାଲାଗି ଗୋଟାଏ ପାରଂପରିକ କଟକଣା । ତଥାପି ଲେଖିବାକୁ ପଡ଼ୁଛି ।

ଏ ବହିରେ କେତୋଟି ଗଳ୍ପ ଅଛି, କେତେ ପୃଷ୍ଠା ହେଇଚି, ଅନ୍ତତଃ ଏଇତକ ଲେଖିଲାବେଳେ, ଜାଣିନି । ମୁଁ ନିଜେ ପ୍ରୁଫ୍ ଦେଖେନି, ବନ୍ଧୁ ମହେଶ୍ୱର ମୂଳିଆଙ୍କୁ ବଢ଼େଇ ଦିଏ, ସେ ପ୍ରୁଫ୍ ସଂଶୋଧନ କଲାବେଳେ ଗଳ୍ପର ଗୋଟିଏ ଗୋଟିଏ ଅଂଶ ପଢ଼ୁ ପଢ଼ୁ ସେ କି ରସ ଆସ୍ୱାଦନ କରେ କେଜାଣି, ମୋ ମୁହଁକୁ ଅନେଇ ମୁରୁକି ହସା ଦିଏ । ସେ ଗଳ୍ପରୁ ରସ ଗ୍ରହଣ କରେ, ମୁଁ ତାର ହସରୁ ରସ ପାଏ ।

ଏଥିରୁ ପାଞ୍ଚ, ଛଅଟି ଗଳ୍ପ ଆଗରୁ ଆସନ୍ତାକାଲି, ତରଣୀ, ପ୍ରଜାତନ୍ତ୍ର, ମୌସୁମୀ ଆଦିରେ ପ୍ରକାଶ ପାଇଥିଲା । କେତୋଟି ଗଳ୍ପ ରେଡ଼ିଓ ଷ୍ଟେସନରେ ପଢ଼ା ଯାଇଥିଲା । କିନ୍ତୁ ଶେଷ ଗଳ୍ପ ତିନି ଚାରୋଟି ସଂପୂର୍ଣ୍ଣ ନୂଆ... ।

କେଉଁଟି ଭଲ କେଉଁଟି ଖରାପ, ଆଗେ ଯେଉଁ ଗଳ୍ପଟି ଦିଆଯାଇଚି ସେଇଟି ଅନ୍ୟ ଗଳ୍ପ ଅପେକ୍ଷା ନିଶ୍ଚୟ ଭଲ ହେଇଥିବ ଏ ଧାରଣା କରିବା ଭୁଲ । ସେଇଥିପାଇଁ ମୁଁ ପରଂପରାକୁ ଭାଙ୍ଗିବା ଲାଗି ପଛ ଗଳ୍ପଟିର ନାଁ ଅନୁଯାୟୀ ବହିଟିର ନାମ କରଣ କରିଚି ।

ଲେଖକ

Image

 

 

 

 

 

 

 

 

 

 

 

 

 

ଡକ୍ଟର ହରିଶଙ୍କର ତାରାସିଆଙ୍କ ହାତରେ

 

ସୂଚୀପତ୍ର

 

୧.

ଦାର୍ଜିଲିଂ ରୋମାନ୍‌ସ

୨.

କୁମାରୀ ହେମାନାହାକ

୩.

ତ୍ରୀବେଣୀ

୪.

ଛନ୍ଦାର ଛନ୍ଦ

୫.

ତୃତୀୟ ପୁରୁଷ

୬.

ଲତା ଓ ଗୀତା

୭.

ନୀଳିମା

୮.

ରଙ୍ଗବତୀର ସୁଡ଼ଙ୍ଗ

୯.

ଲୀଳା ଦେବୀଙ୍କ କଳା

୧୦.

କୁମାରୀ ନିଶି ଦେବୀଙ୍କ ଭାଷା

୧୧.

ପୁରୀର ଭୂତକୋଠି

୧୨.

ହ୍ୱାଇଟ ଅଏଲ୍

୧୩.

ମୁଁ ତାକୁ ଡାକେ ଆରତିନାନୀ

୧୪.

ଫଳଂ ଫଳେ ଫଳାନି

Image

 

ଦାର୍ଜିଲିଂ ରୋମାନ୍‌ସ

 

ଦାର୍ଜିଲିଂ ।

 

ଡିସେମ୍ବର, ତୁଷାରପାତର ଆରମ୍ଭ । କିନ୍ତୁ ସେଦିନ ଆକାଶ ସ୍ୱଚ୍ଛ ନିର୍ମଳ ।

 

ଅବସର ବିନୋଦନ ଲାଗି ଆସିଥାଏ ବିନୋଦ । ବିନୋଦ ଶ୍ରୀଚନ୍ଦନ । ଗଲାବେଳେ ପଚାରିଥିଲି—କିରେ, କିଏ ସିନା ଦାର୍ଜିଲିଂ ଖରାଦିନେ ଯାଏ, ତୋର ଶୀତଦିନିଆଁ ସଫର କାହିଁକି ?

 

ଉତ୍ତର ମିଳିଥିଲା ଖରାଦିନିଆଁ ରୋମାନ୍‌ସ ଜୀବନରେ ବହୁତ କରିଚି; କିନ୍ତୁ ଶୀତଦିନିଆ ରୋମାନ୍‌ସ... । ରୋମାନ୍‌ସ କଟକ କିମ୍ବା ପୁରୀରେ ହୁଏନା, କରିବାକୁ ଥିଲେ, ଆସ ସିମଲା ନଚେତ୍ ଦାର୍ଜିଲିଂ । ହାତରେ ବେଶୀ ପଇସା ଥିଲେ ଚାଲ ଡେରାଡୁନ୍ ।

 

ବିନୋଦ ଦାର୍ଜିଲିଂରୁ ଫେରିଲା । କ’ଣ ରୋମାନ୍‌ସର ଆସ୍ୱାଦାନ ପାଇଲା କେଜାଣି ଘରକୁ ଆସି ମତେ ଦେଖା ଦେବାକୁ ସେ ଲୁଚେ ।

 

ଥରେ ହିନ୍ଦ୍ ସିନେମା ପାଖରେ ପଛରୁ ପକଡ଼ି ନେଲି ବିନୋଦକୁ—କିରେ ! ରୋମାନ୍‌ସର କାହାଣୀ କ’ଣ ଶୁଣାଇଲୁ ନାହିଁ ଯେ…ସିନେମା ଦେଖା ବନ୍ଦ ରହିଲା । ଯୋବ୍ରା ପୋଲ ଉପରେ ବସି ସେ କହିଗଲା ଏକ ନୂତନ ସିନେମା ।

 

ହୋଟେଲର କୋଠରୀ । ଦରଜା ଖୋଲି ମୁଁ ବସିଥାଏ, ହାତରେ ଖବର କାଗଜ । ଦୂରର ସବୁଜ କିଶଳୟ, ପାହାଡ଼ର ସାରୀ ସାରୀ କ୍ଷେତ ଆଖି ଆଗରେ ଭାସି ଆସେ । ଆଗରେ ବୋଇଲେ ଏକବାରେ ସାମନାରେ ଗୋଟିଏ ଛୋଟକାଟିଆ କୋଠାଘର । ଘରର କବାଟ ଝରକା ଖୋଲା । କେବଳ ପରଦା ଝୁଲୁଥାଏ । ମୋ ଘରେ ମଧ୍ୟ ପରଦା । ପରଦା ଥରେ ପବନରେ ଉଡ଼ି ଉପରକୁ ଉଠେ, ପୁଣି ତଳକୁ ଖସେ ।

 

ହଠାତ୍ ଦେଖିଲି ଆଗ ଘରର ପରଦା ଖୋଲିଲା । ପ୍ରଥମେ ଗୋଟାଏ ହାତ ଦେଖାଗଲା । ଗୋରା ଗୋରା ଏକ ନରମା ହାତ । ପରେ ସଂପୂର୍ଣ୍ଣ ଏକ ଚେହେରା । ମତେ ଚାହିଁ ରହିଲା ବହୁତ ସମୟ ଧରି । ମୁଁ କଣ ଛାଡ଼େ, ମୁଁ ମଧ୍ୟ ଅନେଇ ରହିଲି ବୁଭୁକ୍ଷୁ ଭଳି । କିଛି ସମୟ ପରେ ଆଖିମଳି ଦେଖେତ ଚେହେରା କୁଆଡ଼େ ଶୁଖି ଗଲାଣି । ଖାଲି ଗୋଟାଏ ପରଦା ଉଠୁଛି ପଡ଼ୁଛି । ମୋ ଆଖିରେ ସୁନ୍ଦରର ଚମକ । ମୁଁ କିନ୍ତୁ ସେମିତି ଅନେଇ ରହିଚି ବହୁକ୍ଷଣ ଧରି ।

 

ଝିଅଟି ପୁଣିଥରେ ଅବତୀର୍ଣ୍ଣ ହୁଏ, ହାତରେ ଚାହାକପ୍ ।

 

ଆକାଶ ପୂର୍ବପରି ନିର୍ମଳ । ତଳେ ସଡ଼କରେ ପିଲାମାନଙ୍କ ଖେଳ କୁଦର ଆବାଜ । ଯାତ୍ରୀ ଟାକ୍‌ସିର ଆବାଜ । ହୋଟେଲରେ ଥାଳି ଠଣ୍ ଠାଣ୍ ଶବ୍ଦ, କିନ୍ତୁ ଆମେ ଦୁହେଁ ଦୁହିଁକି ରହିଚୁ ଅପଲକ ଚକ୍ଷୁରେ ।

 

ପ୍ରତିଦିନ ସକାଳେ ଏହି ଚେହେରାଟି ଏହି ଦୁଆର, ବାରଣ୍ଡା, ଝରକା ତଳକୁ ଆସେ, ମତେ ଅନାଏଁ ଇମିତି ଘଣ୍ଟାଏ କାଳ ତାପରେ ଦିନଯାକ ଗାଏବ । ଆଉ ଦେଖା ମିଳେନା ।

 

ରାତିରେ ସହର ତମାମ ବିଜୁଳି ଆଲୁଅ ଜଳି ଉଠିଲେ, ଏହି ଚେହେରାଟି ବିଜୁଳି ଭଳି ପୁଣି ଝଟକି ଉଠେ ଝରକା ପାଖରେ । କିମିତି କାହିଁକି ଗୋଟାଏ ଆକର୍ଷଣ ଲାଗିଗଲା ମୋ ପ୍ରାଣରେ । ଚେହେରାଟା ଦେଖିବାକୁ ଠିକ୍ କଟକର ସେଇ ଝିଅଟା ଭଳି ଆମେ ଯା’କୁ କଲେଜରେ ନର୍ଗିସ ବୋଲି କହୁଁ । ଛୋଟ ଛୋଟ ଦିଇଟା ଆଖି, ପତଳା ପତଳା ଓଠ, ମୁଣ୍ଡରେ ଗୁଡ଼ିଏ ବାଳ କିନ୍ତୁ ମୁହଁରୁ ମନେହେଉଥିଲା ଯେମିତି ଗୁଡ଼ାଏ ବିଷର୍ଣ୍ଣତା, ଅବସାଦ ମେଳାବାନ୍ଧି ରହିଛି । ଝରକା ପାଖରେ ଗୋଟାଏ ପଲଙ୍କ, ରାତିରେ ହୋଟେଲରୁ ଏ ପଲଙ୍କଟି ବେଶ୍ ନଜରକୁ ଆସୁଥିଲା । ଅଧିଘଣ୍ଟାଏ, ଘଣ୍ଟାଏ ଭିତରେ ଝିଅଟି କେତେବେଳେ ଶୋଉଥିଲା ପୁଣି ଉଠୁଥିଲା ଝରକା ପାଖରେ ଠିଆହୋଇ ମୋରି ଆଡ଼ିକି ଅନାଇ ଥିଲା । କେବେ କେବେ ଗୋଟାଏ ଅଇନା ଆଣି ମୁହଁକୁ ଦେଖୁଥିଲା, ବାଳଗୁଡ଼ିକୁ ସଜାଡ଼ୁ ଥିଲା ଯତ୍ନ ସହକାରେ । ସବୁ ସାଜସଜ୍ଜା ସାରି ଯେତେବେଳେ ମୋ ଆଡ଼ିକି ଅନାଏ ମୁଁ ଭାବୁଥାଏ ଗୋଟାଏ ପଥର ମୂର୍ତ୍ତି ଯେମିତି କିଏ ଆଣି ଝରକା ପାଖରେ ସୋ କେଶ ଦିହରେ ସଜେଇ ରଖିଚି ।

 

ମନେ ମନେ ପଚାରୁଥିଲି—ଝିଅଟି କ’ଣ ଚାହେଁ ? କଣ ମୋହବତ୍ କରିବାକୁ ତାର ଇଚ୍ଛା ? ମୋହବତ୍, ରୋମାନ୍ସ ! ସେ କଥା ଭାବିଲା ବେଳେ ମୋ ମନରେ ଯେ ପୁଲକ ଆସୁଥିଲା ତତେ କ’ଣ କହିବି ? ଅନୁଭବୀ ହେଲେ ଯାଇ ଜାଣିବୁ ।

 

କିଛି ନଜାଣି ମୁଁ ମୁଣ୍ଡକୁ ହଲାଏ । ଜବାବ ମିଳେନି, ରାଗରେ ଆସି ମୁଁ ଖଟ ଉପରେ ଛେଚି ହୋଇ ପଡ଼ିଯାଏ । ଫେରି ଆସିଲା ବେଳକୁ ଦେଖେ ଲଡ଼କୀ ଅନ୍ତର୍ଦ୍ଧାନ ।

 

ତା ଆରଦିନ ମୁଁ ବାଲକନି ଉପରେ ଠିଆ ହୋଇଥାଏ, ଦେଖିଲି ସେଇ ଝିଅଟି ଚାଲିଚି ତଳ ସଡ଼କ ଉପରେ । ଦେହରେ ଗୋଟାଏ ସ୍କର୍ଟ ଆଉ କୋଟ, ଚେହେରାରେ ଗମ୍ଭୀରତା, ଚାଲିଚିତ ଚାଲିଚି, ପଛକୁ ବାଁ କିବା ଡାହାଣକୁ ଦୃଷ୍ଟି ନାହିଁ । ଆଖି ଦିଇଟାରେ ଖାଲି ସିଧା ରାସ୍ତା । ମୁଁ ଗୋଟାଏ ଗଳା ଖଙ୍କାର ଛାଡ଼ିଲି, ଝିଅଟା ଉପରକୁ ଚାହିଁ ଦେଖିଲା ମୁଁ । ଇଚ୍ଛା, ହେଲା ଯାଇ ପଚାରିବି—କିନ୍ତୁ… ।

 

ଦିନେ ସେଇ ସକାଳେ ମୁଁ ତାର ଠିକ୍ ପିଛା କରି ଚାଲିଲି, ସେ ବି ଜାଣେ ମୁ ତାର ପିଛା ଧରିଚି, କିନ୍ତୁ ତିଳେ ହେଲେ ଆସକ୍ତିର ସୂଚନା ନାହିଁ, ବିରକ୍ତି ନାହିଁ । ଥରେ ଥରେ ସେ ପଛକୁ ଚାହେଁ ପୁଣି ଆଗକୁ ଚାଲେ ।

 

ସେ ଚାଲିଚି, ମୁଁ ବି ଚାଲିଚି । ଇମିତି ବହୁତ ବାଟ ଚାଲିଲୁଣି । ବହୁତ ଉଠାଣି ଏ ବାଟ ସବୁ । ଚାଲିବାରେ ସେ ସିନା ଅଭ୍ୟସ୍ତ । ମୁଁ କିନ୍ତୁ ନାକେଦମ । ଡାକିବି ଡାକିବି ବୋଲି ଡାକିଲି—ହଲୋ !

 

ଝିଅଟିର ଆଖିରେ କ୍ରୋଧ ଦେଖିବାକୁ ପାଇଲି; କିନ୍ତୁ କିଛିକ୍ଷଣ ପରେ ଯାହାକୁ ହିନ୍ଦିରେ କହନ୍ତି ମୁସ୍କରାହାଟ—ଅର୍ଥାତ୍ ମୁରୁକି ହସା, ସେଇଥିରୁ ଗୋଟାଏ, ମୋ ମନରେ ଦମ୍ଭ ଆସିଲା ।

 

ପୁଣି ପଚାରିଲି—କୁଆଡ଼େ ଯିବେ ଆପଣ ?

 

ଝିଅଟି ନିରୁତ୍ତର, ସେଇ ଗମ୍ଭୀରତା, କିନ୍ତୁ ଆଖିରେ ଅସାଧାରଣ ଏକ ଚମକ ।

 

‘ଆପଣଙ୍କର ଡେରି ହୋଇ ଯାଉନି ତ ?’ ମୁଁ ପଚାରିଲି ।

—ନାଁ ପନ୍ଦର ମିନିଟି ସମୟ ଦେଇପାରେ ।

 

—ତେବେ ମୋ ସାଥିରେ ଟିକିଏ ଆସି ପାରିବେ । ସେ ଆସିଲା । ଦୁହେଁଯାକ ଏକ ରେଷ୍ଟୁରାଣ୍ଟକୁ ଯାଇ ଗୋଟିଏ ଫ୍ୟାମିଲ ରୁମ୍ ଦଖଲକରି ନେଲୁ ।

 

ପଚାରିଲି—ଆପଣଙ୍କ ନାଁ—

 

—ରୁବି ! ଏତିକି କହି ବେଶ ଚୁପ୍‌ଚାପ୍ ।

 

ପୁଣି ପଚାରିଲି—ଆପଣ କଣ ପିଅନ୍ତି, ଚାହା ନା କଫି ?

 

—ଟଫି ଖାଏ—

 

—ବୟ ! ଚାର୍‌ ଟଫି ଔର ଏକ କଫି ଲାଓ ।

 

ଦୁହେଁ ଚୁପ୍‍ ରହିଥାଉ । ମୁଁ ଖାଲି ଚାହିଁ ରହିଥାଏ, ରୁବିର ମୁଖମଣ୍ଡଳକୁ । ବୟସ ସତରରୁ ଅଧିକ ହେବନି । ଦେଖିଥିଲି କିନ୍ତୁ ଏ ଚେହେରାକୁ, ଏତେ ନିକଟରେ କେବେ ଦେଖି ନଥିଲି । ସେ ସତରେ ଖୁବ୍ କମ ବୟସର । ମୁଁ ଭାବୁଥାଏ, ତାଠୁ ତ ମୁଁ ବୟସରେ ୧୫ ବର୍ଷରୁ ଅଧିକ । ତା ଦେହର କୌଣସି ଅଙ୍ଗରେ ମୋ ପ୍ରତି ଆକର୍ଷଣର ସୂଚନା ନପାଇ ମୁଁ ନିଜକୁ ବଡ଼ ଲଜ୍ଜିତ ବୋଧ କରିଥିଲି । ମନେ ହେଉଥିଲା ଯେମିତି ତାର ଏହି ଉତ୍‍ଥଳ ଯୌବନ ଚାରିପଟେ ଆଇରନ କର୍ଟନ୍ ଘେରା ହୋଇ ରହିଛି । ଚେଷ୍ଟା କଲି ଏହି ଲୌହ ପରଦାକୁ ଭାଙ୍ଗିବା ପାଇଁ ।

 

ସେ ନ ପଚାରିଲେ ମଧ୍ୟ ମୁଁ ମୋ ମନକୁ କହିଲି—ମୁଁ ସେଇ ଆପଣଙ୍କ ସାମନା ହୋଟେଲରେ ରହେ । ବହୁ ସମୟ ଆପଣଙ୍କୁ ଆପଣଙ୍କ ଘର ଝରକା ପାଖରେ ଦେଖେ ।

 

କିନ୍ତୁ ସେମିତି ଚୁପ୍‍ଚାପ୍, ସେ ଅନ୍ୟ ଆଡ଼ିକି ଅନେଇ ରହିଥାଏ । ମୁଁ ତାର ତନୁର ତନିମାରେ ପ୍ରଲୁବ୍ଧ ହୋଇ ଚାହିଁ ରହିଥାଏ ।

 

ମୁଁ ହଠାତ୍ ଉଠିବାକୁ ଆରମ୍ଭ କରିଚି, ଝିଅଟି ମୋ ହାତକୁ ଧରିପକାଇ କହିଲା—ଅରୁଣ ଦା ! ମୁଁ ତ ଝରକା ଦେହରେ ତମୁକୁହିଁ ଦେଖୁଥିଲି ବୋଧହୁଏ ?

 

ମୁଁ ଅବାକ୍ ! ସବୁ କହିଲି ସେତେବେଳେ କାହିଁକି ଚୁପ୍ ଚାପ୍ ରହିଥିଲା ସେ ?

 

ମୁଁ କହିଲି ମୋ ନା ଅରୁଣ ନୁହେଁ, ବିନୋଦ !

 

ନା, ନା ତୁମେ ଅରୁଣଦା । ତୁମ ଚେହେରାତ ଅରୁଣଦାର ଚେହେରା ଭଳି । ସତେ ମୁଁ ପଣ କରିଥିଲି ତୁମେ ଆଗେ ମତେ ଡାକିବ । ମୋ ପ୍ରତି ତମର କ’ଣ ତିଳେହେଲେ ସ୍ନେହ ନାହିଁ, କଣ ସବୁ ଭୁଲିଗଲ ? ଘର ପାଖରେ ଅଥଚ ତୁମେ ହୋଟେଲରେ ?

 

ମୁଁ କହିଲି—ହଁ ମୁଁ ତୁମକୁ ସ୍ନେହକରେ, ସେଥିପାଇଁ ତ ଗଲା ଦୁଇ ଦିନ ହେଲା ଚାହିଁ ରହିଥିଲି ପରଦା ଅନ୍ତରାଳକୁ; କିନ୍ତୁ ମତେ ଅରୁଣ ବୋଲି ସମ୍ବୋଧନ କରୁଚ ଯେ ! ମୁଁ ତ ବିନୋଦ-

 

ନା, ନା ତୁମେ ଅରୁଣଦା ମତେ ଭୁଲଉଚ, ମିଛ କହୁଛ, ରାଗକରିଚ । ଏହି ରାଗରେ ତୁମେ ଘର ଛାଡ଼ି ଚାଲିଗଲ, ବାବା, ମା ସମସ୍ତେ ତୁମଲାଗି କେତେ ଯେ କାନ୍ଦୁଛନ୍ତି ଜାଣନା । ମୁଁ ଜାଣୁଚି ହୋଟେଲ ଝରକା ପାଖରେ ବସି ମତେ ତୁମେ ଚାହୁଁଚ, ଲୁହ ଗଡ଼ଉଚ, ତୁମର ନିଶ୍ଚୟ ଇଚ୍ଛା ହେଉଥିବ ମତେ ଡାକିବାପାଇଁ । ସେତେବେଳେ ତୁମେ ଥିଲ ଯୁବକ ଏବେ ଟିକିଏ ବୟସ ହୋଇଗଲାଣି ।

 

ଏତିକି କହୁ କହୁ, କହିବି କ’ଣ ଝିଅଟା ମତେ ଯିମିତି କୁଣ୍ଢେଇ ପକାଇଲା । ମୁଁ ହାତ ଟାଣି ନେବାକୁ ବହୁତ ଚେଷ୍ଟା କଲି ସତ କିନ୍ତୁ ସେ ଆସିଲାନି । ଭାରିଟାଣୁଆ । ଖାଲିତ ଚିତ୍କାର କଲା ଅରୁଣଦା, ଅରୁଣଦା ।

 

ମୁଁ ଚାଲି ଆସିଲି ବହୁ କଷ୍ଟରେ । ସେ କିନ୍ତୁ ମୋ ପଛରେ ଗୋଡ଼େଇ ଥାଏ । ହଠାତ୍ ପଛରୁ କିଏ ଡାକିଲା ରୁବି, ରୁବି !

 

—ବାବା ! ଡାକନା, ଅରୁଣଦା ଚାଲିଯାଉଚି ।

 

ବୁଢ଼ା ମତେ ଦେଖିଲା । ମୁଁ ବୁଢ଼ାଜଣକୁ ଦେଖିଲି, ତାଙ୍କ ଆଖିରୁ ଦୁଇଧାର ଲୁହ । ବୁଢ଼ା ଜଣକ କହିଲେ—କ୍ଷମା କରିବ ବାପ । ସାତ ବର୍ଷ ତଳେ ଅରୁଣ ରେଲ ଲାଇନରେ କଟି ଯାଇଚି । ସେତେବେଳେ ରୁବିର ବୟସ ବାର । ସେଇ ଦିନଠୁ ସେ ଏକରକମ ପାଗଳି ହୋଇଯାଇଚି । ସେ ଖାଲି ତାର ଭାଇ ଅରୁଣକୁ ମନେ ମନେ ଖୋଜି ଚାଲିଚି । ଭୋକ ଶୋଷ ତାକୁ ବାଧେନା ଯେତେବେଳେ ଅରୁଣ କଥା ମନେ ପଡ଼େ ।

 

ମୋ ଆଖିରୁ ମଧ୍ୟ ଲୁହ ଗଡ଼ି ଆସିଥିଲା । ତା ଆରଦିନ ଦେଖିଲି ରୁବି ଆଉ ଝରକା ପାଖକୁ ଆସୁନି । ହୁଏତ ସେ ଖାଲି ଶୋଇ ରହିଚି ଖଟ ଉପରେ । ଦାର୍ଜିଲିଂ ରୋମାନ୍‌ସର ପରିଣତି ଏୟା ଶୁଣିଲୁ ।’’

Image

 

କୁମାରୀ ହେମା ନାହାକ

 

କୁମାରୀ ହେମା ନାହାକ । କଟକ, ପୁରୀ, ଓଡ଼ିଶାର କିମ୍ବା ଭାରତର ନୁହେଁ ରାଙ୍ଗୁନର । ମୁଁ ଯେମିତି ଜାଣେ, ତାକୁ ଯୋଗୀଭାଇ, ରଘୁ ଭାଇଙ୍କଠାରୁ ଆରମ୍ଭ କରି “ସୀମନ୍ତ” ପ୍ରେସ୍‍ର ଗଛପତ୍ରଗୁଡ଼ାକ ସେମିତି ଜାଣନ୍ତି । ହେମାର ଗଳ୍ପ ଡିଟେକ୍‌ଟିଭ ଗଳ୍ପ ଭଳି ଭାରି ରହସ୍ୟମୟ, ରୋମାଞ୍ଚକର । ସେଇ ନାତିଦୀର୍ଘ ଦେହଟା, ଲମ୍ବା ଲମ୍ବା ଦୁଇଟା ବେଣୀ, ପ୍ରଣୟ ବିଧୁରା ଦୁଇଟି ଛୋଟ ଛୋଟ ଆଖି, ହସିଲା ବେଳେ ତା ଗାଲ ଭିତରର ଦୁଇଟାଖାଲ, ଟେବୁଲ ତଳେ ତାର ଗୋଡ଼ ଆଙ୍ଗୁଠିର ଇଙ୍ଗିତ...ତାର ପାଣି ପିଇବା ଢଙ୍ଗ…., ସବୁଗୁଡ଼ାକ ଯେଭଳି ଅଦ୍ଭୁତ ସେମିତି ଚମତ୍କାର ।

 

“ସୀମନ୍ତ” ପ୍ରେସ୍‍-ରେ ଥାଏ ସହସମ୍ପାଦକ; କିନ୍ତୁ ସମସ୍ତ ଦାୟିତ୍ୱ ଥାଏ ମୋ ଉପରେ । ମେନେଜର ଥାଆନ୍ତି ବର୍ତ୍ତମାନ ଦୀପକ ପ୍ରେସ୍‍ର ମାଲିକ ପଣ୍ଡିତେ । ବଡ଼ ମଜାଦାର ଲୋକ । ତାଙ୍କର ତୁନି ତୁନି କଥାର ଶବ୍ଦ ଏତେବଡ଼ ଯେ ଲୋକେ ରୁଣ୍ଡ ହୁଅନ୍ତି ଆସି ପ୍ରେସ୍‍ ଦୁଆରେ—କ’ଣ କିଛି ଗୋଳମାଳ ହେଲା କି ?

 

ସେ ଦିନ ଭୋର ସକାଳ । ଏକ୍ସପ୍ରେସ ଗାଡ଼ିରୁ ଓହ୍ଲେଇ ହେମା ଆସି ପହଞ୍ଚିଲା ପଣ୍ଡିତଙ୍କ ପାଖରେ । ସାଙ୍ଗରେ ତାର ବାପା । ମୁଁ ଭିତରେ ମୋର ଅସ୍ଥି କଂକାଳମୟ ଦେହଟାକୁ ଖୋଲିଦେଇ ସମ୍ପାଦକୀୟ ଲେଖିବାରେ ବ୍ୟସ୍ତ । ମୁହଁକୁ ଟେକି ପ୍ରେସ୍‍ ଭିତରକୁ ଅନାଇଁ ଦେଖିଲି ଟୋକା କମ୍ପୋଜିଟରଗୁଡ଼ାକ ଠିକ୍ ଖରାରେ ବାଳିହା ପିଟିଲା ପରି ହେଉଛନ୍ତି ।

 

ପିଅନ ଆସି ଡାକିଲା—କିଏ ଜଣେ ଡାକୁଛନ୍ତି ।

 

କହି ଦେ ଭିତରକୁ ଆସିବ ।

 

ହେମା ଭିତରକୁ ଆସିଲା । ଦେଖିଲି, ପ୍ରାଣରେ ପୁଲକ ଖେଳାଇଲାଭଳି ବେଶ୍ ଗୋଟାଏ ସୁସଜ୍ଜିତ ତନୁ । ଶାଢ଼ି ଗୋଟିକର ଦାମ୍ ଶହେ ଟଙ୍କାରୁ କମ୍ ହେବନି । ଆଖିରେ ଚଷମା-। ଓଠରେ ଲିପିଷ୍ଟିକ୍ । ହାତରେ ଭ୍ୟାନିଟ୍ ବ୍ୟାଗ । ଗଳାରେ ତିନି ଚାରି ଭରି ସୁନାର ଗୋଟାଏ ହାର-। ରିଷ୍ଟୱ୍ୟାଚ । ଗୋଟିଏ ମହିଳାର ଜୀବନର ପରିପୂର୍ଣ୍ଣତା ଲାଗି ଯାହା ଦରକାର, ସବୁଥିଲା-। ସଙ୍ଗେ ସଙ୍ଗେ ରିକ୍ସାରୁ ବୁହା ହୋଇ ଆସିଲା, ନାନା ଜିନିଷ । ଗୋଟାଏ ଟାଇପ୍‌ରାଇଟର, ଉଷା ହାଣ୍ଡ ସିଲେଇ ମେସିନ, ଲୁଗାପଟା ଭର୍ତ୍ତି ଗୋଟାଏ ବଡ଼ ଚମଡ଼ା ସୁଟ୍‌କେଶ-। ହେମାର ପ୍ରଥମ କଥା–‘ସିଏ’ ଏଇଠି ରହନ୍ତି, ଏଇ ଠିକଣା ଦେଇଥିଲେ, ସେଇଥିପାଇଁ ଆସିଚି-। ଚିଠିଟି ଚାହିଁବାରୁ, ସଙ୍ଗେ ସଙ୍ଗେ ବଢ଼େଇ ଦେଲା । ଅକ୍ଷର ଦେଖି ଜାଣି ପାରିଲି—ସେ ଜଣକ କିଏ-। ହେମା ନ କହୁଣୁ ମୁଁ ଠଉରେଇ ନେଲି, ୟା ସହିତ ସମ୍ପର୍କ ହେଲା କିମିତି । ରାଂଗୁନକୁ କୌଣସି ଏକ ସମ୍ମିଳନୀରେ ଯୋଗଦେବାପାଇଁ ଚାନ୍ଦା ଉଠେଇ ଯାଇଥିଲେ “ସେ” ଜଣକ । ସମ୍ମିଳନୀରେ ଯୋଗଦେବେ କ’ଣ–‘ସେ’ ସେଇଠି ବୁଲୁଥିଲେ କନ୍ୟା ଅନ୍ୱେଷଣରେ । ସମ୍ମିଳନୀ ସରିଲା, ଏ ବାବୁଙ୍କର ଟଙ୍କା ସରିଲା । ହେମାଘର ହେଲା ତାଙ୍କର ଆଶ୍ରୟସ୍ଥଳି, ତାଙ୍କରି ଟଙ୍କାରେ ଉଡ଼ାଜାହାଜରେ ବସି ସେ କଟକ ଫେରିଲେ । ଫେରିଆସିଲାବେଳେ ଗୋଟାଏ କିଛି ମସ୍ତବଡ଼ ପ୍ରତିଶ୍ରୁତି ଦେଇ ଆସିଥିଲେ, ସମୟର କଣ୍ଟ ବି ଦେଇ ଆସିଥିଲେ ଯେ ହେମା କାର୍ତ୍ତିକ ମାସରେ କଟକ ଆସିବ ।

 

ହେମା ଠିକ୍ ପିଛାଧରିଛି । ବାପା ବି ଜଣକୁ ଧରେଇଦେଲେ ସେ ନିଶ୍ଚିନ୍ତ ହେବେ ବୋଲି ଟଙ୍କା ଖର୍ଚ୍ଚ କରି ଚାଲିଛନ୍ତି ତାଙ୍କ ପରିକଳ୍ପିତ ଯୌତୁକର ସୀମା ଭିତରେ ।

 

ବାପା ଓଡ଼ିଆ । ଶୁଦ୍ରବଂଶୀୟ । ହେମାର ମାଆ ବି ଓଡ଼ିଆଣୀ କିନ୍ତୁ ବ୍ରାହ୍ମଣୀ । ଘର ଗଞ୍ଜାମ । ସମ୍ଭବତଃ ବଡ଼ଖେମୁଣ୍ଡି । ବାପା ସିନ୍ଧୁ ନାହାକ ସେତେବେଳେ ଥିଲେ କୁଲି ସର୍ଦ୍ଦାର । କୁଲିଙ୍କୁ ଠୁଳ କରି ବର୍ମା ଧରି ଯିବା ଥିଲା ତାଙ୍କର କାମ । ପଇସାକୁ ଦେଖି, ହେମାର ମା’ ଚାଲି ଯାଇଥିଲା ବର୍ମାକୁ । ସେଇଦିନଠୁ ସିନ୍ଧୁ ନାହାକର ରକ୍ଷିତା ସେ । କିନ୍ତୁ ସିନ୍ଧୁ ନାହାକର ନିଜ ଗାଁରେ ସ୍ତ୍ରୀ ପିଲାପିଲି ସମସ୍ତେ ଅଛନ୍ତି । ସେଦିନ ମୋ ଘର ଗଞ୍ଜାମ ଜାଣି ସିନ୍ଧୁ ନାହାକର ଯେ ଆନନ୍ଦ କହିଲେ ନ ସରେ । ସେ ଅତି ଉତ୍ସାହିତ ହୋଇ ଉଠିଥିଲା—ଯେପରିକି ସେ ତାର ସଂଯୁକ୍ତାକୁ ଏଇଲାଗେ ସମର୍ପି ଦେବାକୁ ପ୍ରସ୍ତୁତ ଏହି ପୃଥ୍ୱୀରାଜ ହାତରେ ।

 

‘ସେ’ର ଅନୁସନ୍ଧାନରେ ମୁଁ ବାହାରି ପଡ଼ିଲି, ହେମା ବସା ବାନ୍ଧିଲା ମୋରି ବସାରେ । ପ୍ରତ୍ୟେକ ଦିନ ନିଜେ ରିକ୍ସା କରିଯିବ କଟକ ହୋଟେଲକୁ ଦିଓଳିଯାକ । ଖାଇବ ଆସିବ ଇମିତି ଦୁଇଦିନ ବିତିଯିବା ପରେ ଦିନେ ଅଧରାତିରେ ବାପ ଝିଅ ବାହାରିଲେ—କ’ଣ ନା ଆମେ ଚାଲିଯିବୁ । କୁଆଡ଼େ ? ଗାଁକୁ—ବଡ଼ଖେମୁଣ୍ଡି । ଦୁହେ ଗାଁକୁ ଗଲେ । ଦି’ଦିନ ବାଦେ ହେମା ଏକା ଫେରି ଆସିଲା । ମୋତେ ଆସି କହିଲା ଯେ ବାପା ମତେ ହାଣି ପକାଇବା ପାଇଁ ଧମକ ଦେଉଚି, ରକ୍ଷାକର । ଅଳଙ୍କାର, ଜିନିଷ ପତ୍ର ମୋ ସୁଟକେଶ୍‍ ଭିତରେ ଭର୍ତ୍ତି କରି କହିଲା, ମୁଁ ଯାଉଚି । ହେମା ଆସୁଚି, ଯାଉଚି, ତା ମନଇଚ୍ଛା ଯାହା କିଛି କରି ଯାଉଚି, ଆମେ ପ୍ରେସ୍‍ ଗୋଟାକଯାକ ଲୋକ ଖାଲି ତାଜୁବ ହୋଇ ଅନେଇ ରହିଚୁ ।

 

ବୁଝିଲି ସିନ୍ଧୁ ନାହାକ ପ୍ରକୃତରେ ତାକୁ ହାଣି ଦେବା ପାଇଁ କହିଚି । ଗାଁକୁ ଯିବା ମାତ୍ରେ ଗାଁ ଲୋକେ ତାକୁ ଉଷକେଇଲେ—ତୋ ପିଲାଗୁଡ଼ାକ ଏଠି ବରଦାଣ୍ଡ ସୁଣ୍ଢିପିଣ୍ଡା ହୋଇ ଭିକ ମାଗୁଚନ୍ତି—ତୁ ଏଇ ଝିଅଟାକୁ ଦେବୀ କରି ସଜେଇଚୁ—ଲାଜ ମାଡ଼ୁନି ! ଏହି ଗାଳି ଗୁଲଜରେ ସିନ୍ଧୁର ହୃଦୟ ସିନ୍ଧୁ ପାଲଟି ଯାଇଚି । କ୍ରୋଧ ତାର ଜିଙ୍ଘାସୁ ହୋଇ ଉଠିଚି । କିନ୍ତୁ ହେମା ଯେ ଆରେକ୍ । ସୁରାକ ପାଇ ଧାଇଁ ଆସିଚି କଟକ ।

 

ତା ଆରଦିନ ଜଣକ ହାତରେ ହେମା ଚିଠି ଲେଖି ପଠାଇଲା ଯେ ସେ ତାରି “ସେ” କୁ ଖୋଜି ପାଇଚି । ବର୍ତ୍ତମାନ ଆଉ ଜଣକ ଘରେ । ତାର ଜିନିଷପତ୍ରତକ ଧରି ଗଲି । ଦେଖିଲି ‘ସେ’ ଆଉ ହେମା ଦୁହେଁ ଏକବାରେ ଘନିଷ୍ଠ । କଥା ବହୁ ଦୂର ଆଗେଇଲାଣି । ଖାଲି ରେଜିଷ୍ଟ୍ରେସନ ମ୍ୟାରେଜ ହେବ । ମୁଁ ହେବି ସାକ୍ଷୀ । ହଁ କଲି, ସେଇଠି ଆମର ସମ୍ବନ୍ଧ ହେଲା ଯେ, ମୁଁ ହେବି ହେମାର ଭାଇ ଆଉ ‘ସେ’ ହେବ ତାର ବର ! ହେମା ବିବାହ ପରେ ପାଠ ପଢ଼ିବ ।

 

ତା ଆରଦିନ ସିନ୍ଧୁ ନାହାକ ଆସି ପହଞ୍ଚିଲା ପ୍ରେସ୍‍ ରେ । ହାତରେ ଗୋଟାଏ ବଡ଼ ଜକ୍ ଜକ୍ ତୀକ୍ଷ୍ଣ କଟୁରୀ । ଲାଲ ଲାଲ ଆଖି ! ନିଶ୍ୱାସ ଜୋରରେ ଯାଉଚି ଆସୁଚି, ଖାଲି ଗୋଟିଏ ପ୍ରଶ୍ନ ଝିଅଟା କୁଆଡ଼େ ଗଲା । ଦେଖିଲେ ଟିକ୍‍ଟିକ୍‍ କରି ପକାନ୍ତି ।

 

ଠିକ୍ ଏଇ ସମୟରେ ହେମା ଆସି ପହଞ୍ଚିଥାଏ । ସଙ୍ଗେ ସଙ୍ଗେ ସିନ୍ଧୁ ନାହାକର ଭାବାନ୍ତର । କଟୁରୀ ତଳକୁ ଖସି ପଡ଼ିଲା । ହେମା ବୋଲି କୁଣ୍ଢେଇ ପକାଇଲା ଅତି ସ୍ନେହରେ । ‘ସେ’ ଆସି ପହଞ୍ଚିଲେ । ବୈଠକ ବସିଲା । କଥା ହେଲା ବିବାହ ତ ହେବ, ଆଗ ହେମାର ନାଁ ଲେଖାଯାଉ ସ୍କୁଲରେ । ସେ ଓଡ଼ିଆ ପଢ଼ିବ । (ହେମା ଇଂରାଜୀ, ବର୍ମିଜ, ତାମିଲ, ବଙ୍ଗଳା, ହିନ୍ଦୀ, ସ୍ପଷ୍ଟ କହିପାରେ, ଲେଖି ପାରେ, ଓଡ଼ିଆ ବି ଲେଖି ପଢ଼େ ) । ଗାର୍ଲ ସ୍କୁଲରେ ଜାଗା ହେଲା ନି ନାଁ । ଲେଖା ହେଲା ଷ୍ଟୁଆର୍ଟ ସ୍କୁଲରେ । ଟଙ୍କା ପଇସା ସବୁ ବନ୍ଧା ଗଲା । ଦିନେ ଦୁଇଦିନ ରହିଚି କି ନାହିଁ, ପୁଣି ଆସି ମୋ ପାଖରେ ହାଜର । କଥା କ’ଣ ନା, ହଷ୍ଟେଲରେ ରହିବିନି—ଏଇଠି ରହିବି ।

 

ଇତିମଧ୍ୟରେ ମୋ ଅଫିସବାଲା ସବୁ ଖବର ପାଇ ଯାଇଥାଆନ୍ତି । ମତେ ନୋଟିସ ହୋଇଥାଏ, ଏଥର ଆସିଲେ, ଜବରଦସ୍ତି ତାକୁ ଧୋକଡ଼ିବା ପାଇଁ । ଆସିବା ମାତ୍ରେ କେଳୁ ଦାସ ଦପ୍ତରି କୁକୁର ଭୁକିଲା ଭଳି ଇମିତି ପାଟିକଲା ଯେ ହେମା ମୁହୂର୍ତ୍ତେ ସୁଦ୍ଧା ଅପେକ୍ଷା ନ କରି ବାଟ କାଟିଲା ଅନ୍ୟ ଏକ ଜାଗାକୁ । ଗଲା ବେଳେ କହିଗଲା—ରଇଥ କକେଇକୁ ଡକେଇ ପଠେଇଚି । ତୁମକୁ ସବୁ ସଜିଲି କରି ଦେବ ଯେ ! କିଏ ସେ କକେଇ କେଜାଣି ।

 

ଇତି ମଧ୍ୟରେ ହେମାର ବିଶ୍ୱାସ ସବୁ ଲିଭି ଲିଭି ଗଲାଣି ‘ସେ’ ଉପରୁ । ହେମା ଯାଇ ତାପରେ ରହିଲା ‘ବୀଣା’ ପ୍ରେସ୍‍ ରେ । ତା ବାପାଙ୍କ ପରିଚିତ ଜଣେ ଆଇ. ଏନ୍. ଏ. କର୍ମୀଙ୍କ ଘରେ-। ‘ସେ’ ଆସି ମୋରି ପାଖରେ ପହଁଞ୍ଚେ । ଖାଲି କହେ ରେଜିଷ୍ଟ୍ରେସନ ମ୍ୟାରେଜ କଥା କେତେ ଦୂର ଗଲା ! ମତେ ଭାରି ହସ ମାଡ଼େ ।

 

ଦିନେ ଭାରି ସନ୍ତର୍ପଣରେ ପ୍ରେମ ଭିକ୍ଷା କରିବାକୁ ‘ସେ’ ଜଣକ ଯାଇ ଥାଆନ୍ତି ‘ବୀଣା’ ପ୍ରେସ୍‍କୁ । ଫେରିଲେ ମୁଣ୍ଡରେ ଗୁଡ଼ାଏ ଅଳିଆ ଧରି, ଦେହରେ ଲେଣ୍ଡା ଲେଣ୍ଡା ଛେପ । ବିବାହ ନିଶା ତୁଟିଗଲା । ସେ ଲାଗିଲେ ପ୍ରତିଶୋଧ ନେବାପାଇଁ । ନେତାଙ୍କ ଭିତରେ ଆଲୋଚନା ଚାଲିଲା-। ବୀଣା ପ୍ରେସ୍‍ର ମାଲିକଙ୍କୁ ଡାକି କୁହାଗଲା, ଆଜି ବାପ, ଝିଅ ଦୁହେଁ ସନ୍ଧ୍ୟା ଜନତା ଗାଡ଼ିରେ କଟକ ଛାଡ଼, ନଚେତ ଭୀଷଣ ଆଞ୍ଚ ଆସିବ ।

 

ଏଇ ଟିକକ ଧମକରେ ସିନ୍ଧୁ ନାହାକଙ୍କ ଛାତି ଧଡ଼ ଧଡ଼ । ସେଦିନ ଜନତା ଯିବାବେଳେ ଆମେ କେତେଜଣ ଟୋକା ଯାଉଥାଉ ହେମାକୁ ଶେଷ ଥର ଦେଖିବା ପାଇଁ । ଗାଡ଼ି ଆସି ଯାଇଥାଏ । ହେମା ଓ ତା ବାପା ଗୋଟିଏ ବଖରାରେ ବସି ଥାଆନ୍ତି । ଡବା ଉପରକୁ ଉଠି ଯାଇ ଦେଖିଲୁ—ହେମା ପାଖରେ ସେଇ ‘ସେ’ ଜଣକ । ସେହିଭଳି ଘନିଷ୍ଠ କଥାବାର୍ତ୍ତା । ହେମା ପୁଣି ତାଙ୍କୁ ଭରସା ଦେଇ ଚାଲିଚି । ରେଜିଷ୍ଟ୍ରେସନ ମ୍ୟାରେଜ ସିନା କଟକରେ ହୋଇପାରିଲା ନାହିଁ, କଲିକତା ଚାଲ, ସେଇଠି ହେବ । ଛେପ ଲେଣ୍ଡା ଲେଣ୍ଡା, ଅଳିଆ ଫୋପଡ଼ା କଥା କୁଆଡ଼େ ଲିଭିଗଲା ।

 

ଧନ୍ୟ ତୁ ହେମା କହି ଆମେ ଫେରି ଆସିଲୁ—ହେମା ବୟସରେ ଛୋଟ ହେଲେ କ’ଣ ହେଲା, ତା କାର୍ଯ୍ୟକଳାପ ବଡ଼ ବିଚିତ୍ର ।

 

× X ×

 

ମାସକପରେ ଖବର ପାଇଲି ହେମା ‘ସେ’ କୁ ବିବାହ ନ କରି ବିବାହ କରିଚି ଆଉ ଜଣେ ଯୁବକକୁ । ସେ କୁଆଡ଼େ ଜଣେ ଡାକ୍ତର । ବର୍ଷେ କଟିଲା । ହେମାର ପୁଅଟିଏ ହେଲା । ଏବର୍ଷ କଲିକତା ଗଲାବେଳେ ହେମାର ତଥାକଥିତ କକେଇଙ୍କଠୁ ଶୁଣିଲି—ଡାଇଭର୍ସ କରି ହେମା ଫେରି ଗଲାଣି ରାଙ୍ଗୁନ ।

 

ଏଇ ହେଲା କୁମାରୀ ଓ ଶ୍ରୀମତୀ ହେମା ନାହାକ କାହାଣୀ । ଶୁଣିଚି,ଏଇ କଟକରେ ଇମିତି କେତେ ଘଟଣା ଘଟିଚି—ତାକୁ କେନ୍ଦ୍ରକରି ସିଏ ଗୋଟିଏ ଗୋଟିଏ ଗଳ୍ପ ।

Image

 

ତ୍ରୀବେଣୀ

 

ଠିକ ନାଁଟା କ’ଣ ଜାଣେନା । ନାୟିକାଟିକୁ କ’ଣ ବୋଲି ଡାକିବି ସେ ଗୋଟାଏ ସମସ୍ୟା ।

 

ସହଗାମିନୀ, ସହଯାତ୍ରିଣୀ ? ନାଁ, ଏଗୁଡ଼ାକ ନିହାତି ପୁରୁଣା ନାଁ । ଅଭିଧାନର ଘସରା ଗୁଡ଼ାଏ ଶବ୍ଦ । ଛାଡ଼ ତାକୁ ।

 

ଆଛା ଡକାଯାଉ “ତ୍ରିବେଣୀ” । ଗଙ୍ଗା, ଯମୁନା, ସ୍ୱରସ୍ୱତୀର ସଙ୍ଗମକୁ କୁହାଯାଏ ତ୍ରିବେଣୀ । ତିନୋଟି ଧାରା—ଗୋଟିଏ କୃଷ୍ଣ, ଆରଟି ପୀତ, ଅନ୍ୟଟି ଶୁଭ୍ର । ଇଏବି ଗୋଟିଏ ସଙ୍ଗମ । ମୁଣ୍ଡ ବା ମଥାଟି ହେଉଚି ଏଇ ପବିତ୍ରପୀଠ । ମଥାର ପଛ ପଟକୁ ତିନୋଟି ବେଣୀ । ଦୁଇଟି ତଳେ ଝୁଲୁଥାଏ, ଆଉ ଗୋଟିଏ ସାପ ଚେକା ଖେଳିଲାଭଳି ଲେସି ରହିଥାଏ ।

 

କଟକ ରେଲୱେ ଷ୍ଟେସନର ଇନ୍‍କ୍ୱାରୀ ଅଫିସ । ରାତି ପ୍ରାୟ ଦଶଟା । ଏକ୍ସପ୍ରେସ୍‍ ଗାଡ଼ି ଛାଡ଼ିବ । ତ୍ରିବେଣୀ ଆସି ପଚାରିଲେ, ସ୍ଲିପିଂ କୋଚରେ ଜାଗା ଅଛି ? ସେ ଯାହାକୁ ପଚାରିଲେ, ମୁଁ ଜାଣେ, ସେ ନାହିଁ କରିବେ । ତେଣୁ ସେ ଉତ୍ତର ନ ଦେଉଣୁ ମୁଁ କହିଲି, ଖାଲି ଛି । କିନ୍ତୁ ସ୍ଲିପିଂ କୋଚ ଆସିବନି । ଚା ବଦଳରେ ଗୋଟିଏ ସାଧାରଣ ଡବା ଆସିବ, ଯେଉଁ ଥିରେ କି ଡନଲପ୍ ଗଦି ନ ଥିବ ଶୋଇବାପାଇଁ । ଖାଲି ପଟା । ଆପଣ ଯାଇ ପାରିବେତ ? ତ୍ରିବେଣୀ ମତେ ଚାହିଁଲେ, ଟିକେ ହସିଲେ । ଏ’ ହସିବା ଭିତରେ ମୋ ଦେହର ଲମ୍ବା କେତେ, ଚଉଡ଼ା କେତେ ହୁଏତ ସେ ମାପି ନେଇଥିଲେ, କହିଲେ…

 

“ଯଦି କିଛି ଅସୁବିଧା ହେବନି, ଉପକୃତ ହୁଅନ୍ତି, ଆପଣଙ୍କ ସାଙ୍ଗରେ ଯଦି… ।’’

 

ମୁଁ ହଁ କହିବାକୁ ଯାଉଥିଲି, ଧୀର ମୋ ମୁହଁକୁ ଚାହିଁ ଏମିତି ବିରିକିଟିଆ ମୁହଁ କଲା ଯେ, ଦେଖିଲା ମାତ୍ରେ ମୁଁ ହଁ କହି ପାରିଲିନି କି ନା କହି ପାରିଲି ନି, ଚୁପ୍‍ ରହିଲି । ଗାଡ଼ି ଆସିଗଲା । ଧୀର ଆଗ ମୋ ବେଡିଂଟାକୁ ବିଛେଇ ଦେଇ କହିଲା—ଆବେ ଶୋ…..ତା’ ପରେ ଦେଖାଯିବ ।

 

ନିଦ ଆସୁ ନଥାଏ, ଛଳନା କରି ଆଖି ଦିଇଟାକୁ ବୁଜି ଦେଇ ମୁଁ ପଡ଼ିଗଲି । ଧୀର ଉପର ସିଟରେ ତାର ଭୀମସେନ ହନୁମାନ ଦେହଟାକୁ ଲମ୍ବେଇ ଦେଇ ଆରମ୍ଭ କଲା ତା’ର ମେଘ ମହ୍ଲାର । ପନ୍ଦର ମିନିଟ ବାଦେ ମତେ ନିଦ ଆସିଲା, ଶୋଇ ପଡ଼ିଲି ।

 

ଯାଜପୁର ରୋଡରେ ହଠାତ୍ ଜଣଙ୍କର କଅଁଳ ହାତ ଗୋଟିଏ ଆସି ମୋ ମୁଣ୍ଡ ପାଖରେ ବାଜିଲା । ମୁଁ ଚମକି ପଡ଼ି ଦେଖେତ ସେଇ ତ୍ରୀବେଣୀ । ମୁଁ ତାକୁ ଚାହିଁଲି, ବିସ୍ମିତ ହେଲି । ଇଚ୍ଛା ହେଲା, କେତେବେଳେ ସେ ପଶିଲେ ଜାଣିବା ପାଇଁ । ମନେ ପଡ଼ୁନି, କ’ଣ ଗୋଟାଏ ପଚାରିବାକୁ ଯାଉଥିଲି, ତ୍ରିବେଣୀ କହିଲେ, ନିଅନ୍ତୁ ଏଇ ଟଙ୍କାଟା । ଆପଣଙ୍କର, ଖସିପଡ଼ିଥିଲା ।

 

ମୁଁ ଠିକ୍ ଜାଣିଥିଲି, ମୋ ପକେଟରେ ପଇସେ ସୁଦ୍ଧା ନଥିଲା । ତଥାପି ସେ ଏମିତି ଅନୁନୟ ଭରା କଣ୍ଠରେ କହିଲେ, ଭାବିଲି, ନନେଲେ ହୁଏତ ସେ କ’ଣ ଭାବିବେ । ନେଲି ।

 

ତା ପରେ ସେକେଣ୍ଡ ଷ୍ଟପେଜ ଭଦ୍ରକ । ପୁଣି ସେଇ ତ୍ରିବେଣୀ । ପୁଣି ସେମିତି ଗୋଟାଏ ଶବ୍ଦ । ଏଇ ଟଙ୍କାଟା ଖସି ପଡ଼ିଥିଲା । ନିଅନ୍ତୁ ।

 

ଥାର୍ଡ଼ ଷ୍ଟପେଜ ବାଲେଶ୍ୱର । ପୁଣି ଆଉ ଗୋଟିଏ ଟଙ୍କା । ଫୋର୍ଥ ଷ୍ଟପେଜ ଖଡ଼ଗପୁର-

ଏଥର ଟଙ୍କେ ନୁହେଁ, ଗୋଟିଏ ଟଙ୍କା ଆଉ ଗୋଟିଏ ଆଠଣୀ ।

ଶେଷରେ ହାୱାଡ଼ା ।

ସକାଳ ପାହି ଆସିଥାଏ । ଏଥର ବାସ୍ତବିକ ଜାଣିଶୁଣି, ସେ ଦେଇଥିବା ଟଙ୍କା ଭିତରୁ ଗୋଟିଏ ଖସେଇ ଦେଲି । ତଳେ ଠଣକରି ପଡ଼ିବାମାତ୍ରେ, ତ୍ରିବେଣୀ ଚିଲଭଳି ମାଡ଼ି ବସିଲେ, ଝଟକିନି । କହିଲେ, ଏ ଟଙ୍କାଟା କିନ୍ତୁ ମୋର ।

ପାଖରେ ବସିଥିବା ଜଣେ ଭଦ୍ରଲୋକ ପ୍ରତିବାଦ ଜଣେଇ କହିଲେ, ନାଇଁ ସେ ଟଙ୍କାଟା ତାଙ୍କର । ମୁଁ ନିଜେ ଦେଖିଚି, ସେ ଟଙ୍କାଟା ତାଙ୍କରି ହାତରୁ ଖସିଚି ।

ମୁଁ ତୁନି ରହିଥାଏ ।

ଭଦ୍ରଲୋକଙ୍କ ସହିତ ବେଶ ଗୋଟାଏ ଝଗଡ଼ା ଜମିଗଲା ତାଙ୍କର । ହଠାତ୍ ତ୍ରୀବେଣୀ କହିଲେ, ମୋ ପକେଟରୁ ସାଢ଼େ ଚାରିଟଙ୍କା ହଜି ଯାଇଚି ।

ପାଖରେ ଥିବା ସମସ୍ତ ଯାତ୍ରୀ ହସି ଉଠିଲେ, ବୋଧହୁଏ ମୋ ଛଡ଼ା ।

ଇଏ ଏତିକିରେ ରହିଲା ।

+ + +

ଦିନ ନ’ଟାରେ ମୁଁ ନାଗପୁର ଏକ୍ସପ୍ରେସ, ଧରିଲି ରାଉରକେଲା ଯିବା କଥା । ଠିକ୍ ଗାଡ଼ି ଛାଡ଼ିଲା ବେଳକୁ ତ୍ରୀବେଣୀ ପଶି ଆସିଲେ ଆମ ଡବା ଭିତରକୁ । ସେ ଡବା ବଡ଼ ନୀରସ ବୋଧ ହେଉଥିଲା । ଲମ୍ବା ସଫରରେ ଅନ୍ତତପକ୍ଷେ ତ୍ରିବେଣୀ ଭଳି ଜଣେ ଦରକାର । କଥାବାର୍ତ୍ତା ନହେଉ ପଛକେ, ଚାହିଁବାରେ ଟିକିଏତ ଆନନ୍ଦ ମିଳିବ । ତ୍ରିବେଣୀଙ୍କି ଦେଖି, ଅନେକ ଲୋକ ଜାଗା ଛାଡ଼ିଦେଲାଭଳି ଛଳନା କଲେ । କିନ୍ତୁ ମୁଁ ସେ ଛଳନା କରି ନଥାଏ । କାରଣ ମୋର ଯାହା ଚାନ୍ଦା ଦେବାକଥା, ଦେଇଚି କଟକରୁ ହାୱାଡ଼ା ଆସିବା ଭିତରେ ମୋ ଗୋଡ଼ ତଳକୁ ଯାହା ଜାଗା ବଞ୍ଚିଥିଲା, ସେତକରୁ ସୁବିଧା ସେ ଆପେ ଆପେ କରେଇ ନେଇଥିଲେ । ଗୋଡ଼କୁ ଭାଙ୍ଗିଦେଇ ଆଉ ଦୁଇ ଚାଖଣ୍ଡ ହେବ ଜାଗା ତାଙ୍କୁ ଦାନ ସାଙ୍ଗକୁ ଦକ୍ଷିଣା ସ୍ୱରୂପ ମଧ୍ୟ ଦେଇଥିଲି । ସେତକ ଜାଗା ରେଳଡ଼ିବା ଭିତରେ ଦି ଏକରରୁ ନିଶ୍ଚୟ ବେଶୀ ।

ହଁ, ମନେ ଅଛି ସେ ଭିତରକୁ ପଶି ଆସିଲା ମାତ୍ରେ ମୁଁ ତାଙ୍କୁ ଚାହିଁଥିଲି । ଆଖିରେ କେଡ଼େ ସୁନ୍ଦର ସଂକେତ ଦେଇ ଜାଗା ଅଛି କି ବୋଲି ପଚାରିଲେ । ମୁଁ ମଧ୍ୟ ତାଙ୍କୁ ସୁନ୍ଦର ଭାବରେ ମନା କରି ଦେଇଥିଲି, ନାହିଁ ବୋଲି ।

ଜଣେ ପଞ୍ଜାବୀ ଯୁବକ ବସିଥାଆନ୍ତି ମୋ ପାଖରେ । ସେ ଟିକିଏ ଯଦି ଆଡ଼େଇ ହୋଇ ଯାଆନ୍ତେ, ତ୍ରିବେଣୀ ବେଶ ଆରାମରେ ବସି ଯାଇ ପାରିବେ । ପଞ୍ଜାବୀ ଭଦ୍ରଲୋକବି ଚାହିଁଥିଲେ ତ୍ରିବେଣୀ ଏଇଠି ଆସି ବସିଲେ ଭାରି ଭଲ ହୁଅନ୍ତା, କାରଣ ତ୍ରିବେଣୀଙ୍କ ରୂପ ତାଙ୍କୁ ଟାଣୁଥିଲା । ଶେଷରେ ଟାଣି ଆଣିଲେ, ବାଜି ଜିତିଲେ । ଜଣଙ୍କର ‘ହଁ’ ଜଣଙ୍କର ‘ନାହିଁ’ ଏଇ ଟଣା ଓଟରା ଭିତରେ ତ୍ରିବେଣୀଙ୍କ ଆସ୍ଥାନ ବେଶ ଜମିଗଲା । ପ୍ରକୃତରେ ବଡ଼ ଭୟ ଲାଗୁଥିଲା ତ୍ରିବେଣୀଙ୍କୁ । ଏକେତ ସମସ୍ତଙ୍କ ବେଣୀ ବନ୍ଧାଠାରୁ ତାଙ୍କ ବେଣୀ ବନ୍ଧାର ବ୍ୟତିକ୍ରମ । ଦ୍ୱିତୀୟରେ ଟଙ୍କା ପଡ଼ିବ, ଉଠିବ । ହୁଏତ ଶେଷରେ ମୁଁ ଯିମିତି ତାଙ୍କର ସ୍ୱାମୀ, ସେଇ ଭଳିଆ ବ୍ୟବହାର କରିବେ । ମୁଁ ଆଡ଼ମନା ହେଲେ, ହୁଏତ ଅନ୍ୟ ଯାତ୍ରୀଗୁଡ଼ାକ ଟିପ୍ପଣୀ କରିବେ, ଏଡ଼େ ସୁନ୍ଦରୀ ସ୍ତ୍ରୀକୁ ପାଇ ଏଇଟା କରଛଡ଼ା ଦେଉଛି । ବୋକାଟାଏ, ବୁଦ୍ଦୁଟାଏ ।

ଇମିତି ଗୋଟିଏ ନାଗକନ୍ୟା ହାବୁଡ଼ରେ ଥରେ ମାନ୍ଦ୍ରାଜରେ ପଡ଼ିଥିଲି । ଅନୁଭୂତିଟା ପ୍ରଥମେ ପ୍ରଥମେ ଭାରି ମଧୁର ହୋଇଥିଲା; କିନ୍ତୁ ଶେଷରେ ଇମିତି ତିକ୍ତ ହୋଇ ଉଠିଲା ଯେ, ପୁଲିସ ଡାକିବାକୁ ବାଧ୍ୟ ହୋଇଥିଲି ।

କିନ୍ତୁ, ଦେଖିଲି, ତ୍ରିବେଣୀ ଏଥର ତିନିବେଣୀ ନୁହନ୍ତି, ଦିବେଣୀ । ହୁଏତ କଟକ ହାୱାଡ଼ା ଭିତରେ, ଗୋଟାଏ ବେଣୀ କଟିଯାଇଚି । ସେ ପ୍ରଥମେ ପ୍ରଥମେ ପଞ୍ଜାବୀ ଯୁବକଙ୍କ ସହିତ, କଥାବାର୍ତ୍ତା ହେଉଥିଲେ, ମୁହଁକୁ ବୁଲେଇ ମୋ ସଙ୍ଗେ ଆରମ୍ଭ କଲେ ।

କେତେ କଥା—ସେ ଥରେ ଦିଲ୍ଲୀ ଯାଉଥିଲେ, ତାଙ୍କର କୁଆଡ଼େ ଅଧଘଣ୍ଟାକ ଭିତରେ ପାଞ୍ଚବର୍ଷର କଂଟ୍ରାକ୍ଟ ମ୍ୟାରେଜ ହୋଇ ଯାଇଥିଲା ଜଣେ ବଡ଼ ଅଫିସରଙ୍କ ସାଙ୍ଗରେ । ବଡ଼ […….]

ନାହିଁ ତ ।

କିନ୍ତୁ ତୁମକୁ ସେ ଚିହ୍ନନ୍ତି ।

କିମିତି ?

ତୁମେ ତାଙ୍କ ବିଗତ ସ୍ୱାମୀଙ୍କର ବନ୍ଧୁ ପୁତ୍ର ।

ତ୍ରିବେଣୀ ସେତେବେଳକୁ ଆମଠୁ ଟିକିଏ ଦୂରରେ ।

ତ୍ରିବେଣୀ ବନ୍ଧୁଙ୍କୁ ଚିହ୍ନନ୍ତି କିନ୍ତୁ, ବନ୍ଧୁ ତ୍ରିବେଣୀଙ୍କୁ ଚିହ୍ନନ୍ତି ନି ।

ନ ଚିହ୍ନିବାଟା ଯେମିତି ଗୋଟାଏ ମସ୍ତ ଅପରାଧ ତାଙ୍କର, ସେମିତି ମନେ କଲେ ବନ୍ଧୁ ଜଣକ । ପରିଚିତ ହେବା ଲାଗି ସେ ଅତି ବ୍ୟଗ୍ର ହୋଇ ଉଠିଲେ, ଠିକ୍ ଇମିତି ବ୍ୟଗ୍ରହୋଇ ଉଠିଥିଲେ, ସେଇ ପଞ୍ଜାବୀ ଭଦ୍ରଲୋକ ଜଣଙ୍କ ଟିକିଏ ଜାଗା ଛାଡ଼ିଦେବା ପାଇଁ ।

ବନ୍ଧୁ ମତେ ଟାଣି ନେଇଗଲେ ତ୍ରିବେଣୀଙ୍କ ପାଖକୁ । ଠିକ୍ ସେତିକି ବେଳକୁ ତ୍ରିବେଣୀ ପଚାରୁଥିଲେ, ଜଣେ ଟିକେଟ କଲେକ୍ଟରଙ୍କୁ,

“ଆଚ୍ଛା ହାୱାଡ଼ା ଫିରନେକେଲିଏ ଗାଡ଼ି କିତ୍‍ନେ ବଜେ ?’’

—ଅବ୍‍ବି ମିଲ ଜାଏଗା

ବନ୍ଧୁ ନିରାଶ ହୋଇ ଫେରି ଆସିଲେ ।

ତ୍ରିବେଣୀ ପରେ ପରେ ମୋ ପାଖକୁ ଆସି ପାଞ୍ଚଟି ଟଙ୍କା ଧାର ମାଗିଲେ । ମୋ ଠିକଣା ଟିପିଲେ, ନମସ୍ତେ କହି ପଶି ଗଲେ ମହିଳା ପ୍ରତୀକ୍ଷାଳୟ ଭିତରେ ।

ଷ୍ଟେସନରେ ସେଦିନ ସେତିକି ବେଳେ ମୋର ଅନ୍ୟ ଜଣେ ଘନିଷ୍ଠ ବନ୍ଧୁଙ୍କ ସହିତ ଦେଖାହେଲା । ତାକୁ ତ୍ରିବେଣୀଙ୍କ କାହାଣୀ କହିଲା ମାତ୍ରେ, ସେ କହିଲା, ଚାଲିବୁଟି ମତେ ଦେଖେଇ ଦେବୁ ।

ତାକୁ ଦେଖେଇ ଦେଇ ଆସିଲି । ସେ ଦେଖୁ ଦେଖୁ ହଲୋ ମିସ୍ ଚାଟାର୍ଜୀ କହି ଭିତରକୁ ପଶିଗଲା ।

ମୁଁ ଫେରି ଆସିବା ପରେ ବନ୍ଧୁକୁ ପଚାରିଲି, ତୁ ତାହା ହେଲେ ମୋଠୁ ବେଶୀ ଜାଣୁ ?

ସେ କହିଲେ, କେତେ ଲୋକ ଅଛନ୍ତି ଯେଉଁମାନେ ମୋଠୁ ବି ବେଶୀ ଜାଣନ୍ତି; ବେଶୀ ଜାଣିବାକୁ ହେଲେ ତମକୁ ପଇସା ଖର୍ଚ୍ଚ କରିବାକୁ ପଡ଼ିବନି, ତୋର ଏଇ ତ୍ରିବେଣୀ ନିଜକୁ ଜଣେଇବା ପାଇଁ ବେଶ ୧୦।୫ ଖର୍ଚ୍ଚ କରିବେ କିନ୍ତୁ ଏ ମେରୁଠାରୁ ସେମେରୁ ପର୍ଯ୍ୟନ୍ତ ରେଲ୍ ଗାଡ଼ିରେ ହେଉ ବା ଉଡ଼ାଜାହାଜରେ ହେଉ ଯାତ୍ରା କରିବାକୁ ପଡ଼ିବ ଏବଂ ତାଙ୍କରି ପାଖରେ ବସି ରହିବାକୁ ହେବ ।

ବିଗତ-ଗତ-ସ୍ୱାମୀ ହରା ସଧବା କୁମାରୀ ଚାଟାର୍ଜୀ କିଛି ଚାହାଁନ୍ତି ନି, ଖାଲି ଦୀର୍ଘ ସାନ୍ନିଧ୍ୟର ଉତ୍ତେଜନା ଚାହାନ୍ତି । ପାଖେ ପାଖେ ବସି ସେ ପୁରୁଷ ମଣିଷର ଗନ୍ଧକୁ ଆଘ୍ରାଣ କରନ୍ତି । ସେତିକିରେ ତାଙ୍କର ଆନନ୍ଦ ।

Image

 

ଛନ୍ଦାର ଛନ୍ଦ

 

ଛନ୍ଦାର ବାହାଦୁରୀ ରୂପରେ ନୁହେଁ, ରୂପଠୁ ବଳି ଆଉ ଗୋଟାଏ କିଛି । ସେକିଛିଟା ହେଉଛି, ସେ ସହଜେ କଲେଜ ଟୋକାଗୁଡ଼ାଙ୍କୁ ଛନ୍ଦି ଦେଇପାରେ । ଫାଶ ନାହିଁ, ଆଙ୍କୁଶ ନାହିଁ, ସେ ଗୋଟାଏ ଅଦ୍‍ଭୁତ ଉପାୟ ।

 

ସେ ଯାଇ ଖାଲି ପଚାରେ, ଭାଇ ପେନସିଲଟା ଦେଇ ପାରିବେ ? ତା ଆରଦିନ ନୋଟ ଖାତାଟି ଦେଇ ପାରିବେ ? ଏତକ ହେଲା ଛନ୍ଦାର ଛନ୍ଦ ।

 

ସେଦିନ କଲେଜ ଗାର୍ଲସ୍ କମନରୁମରେ ଅଳକା ପଚାରିଲା, ଆଚ୍ଛା ଛନ୍ଦା, ତୁ ତ ସମସ୍ତଙ୍କୁ ଅକ୍ତିଆର କରି ଦେଇପାରୁ କିନ୍ତୁ ନିମେଇଁକୁ ପାରୁନୁ କାହିଁ କି ?

 

ସିଏ ଟିକିଏ ସାଇ, ଲାଜୁକୁଳା ।

 

ନିମେଇଁ କ୍ଲାସରେ ପ୍ରଥମ ହୁଏ, ପ୍ରଫେସର ଯାହା ଜାଣନ୍ତିନି, ତାଠୁ ସେ ବେଶୀ ଜାଣେ-। ତାର ନୋଟଖାତାଟା ଭାରି ମୂଲ୍ୟବାନ ।

 

ଛନ୍ଦା କହିଲା, ଗୋଟିଏ ମାତ୍ର ସର୍ତ୍ତ । ତୁ ଯଦି ତାକୁ ବାହା ହେବାକୁ ରାଜି ହେବୁ, କହ । ଏହିକ୍ଷଣି ନିମେଇକୁ ଆଣି ଠିଆ କରେଇ ଦେବି ।

 

ଅଳକା ଟିକିଏ ହସିଲା । ଆଚ୍ଛା, ମୁଁ ଆଜି ରାତିକ ଟିକିଏ ଭାବେ । ଚିନ୍ତା କରି ନିଏଁ । ତତେ କାଲିକି କହିବି । ଲଭ୍ କରିବାଟା ଯିମିତି ସହଜ, ଗୋପନୀୟ ବିବାହ କରିବାଟା ସେମିତି ସହଜ ନୁହେଁ । ପାଞ୍ଚଜଣ ଜାଣିବେ । ଲଭ୍ କରିବାକୁ ଥିଲେ, ହୁଏତ ବାପାଙ୍କୁ କହି ସିନେମା ଯାଉଛି ଛଳନା କରି ସମୁଦ୍ର କୂଳକୁ ବୁଲିଯିବି, ତୁ ହୁଏତ ନିମେଇଁକୁ ଡାକି ଆଣିବୁ । ଅନ୍ଧାର ହୋଇ ଆସିଥିବ, ଏହି ମୁହୂର୍ତ୍ତଟା ହେଲା ଲଭ୍, କିନ୍ତୁ ବିବାହ ଟିକିଏ ଖୋଲାଖୋଲି । ସ୍ୱାମୀ ସ୍ତ୍ରୀ ହୋଇ ଘର ବନ୍ଧିବାକୁ ପଡ଼ିବ ।

 

ଛନ୍ଦା କହିଲା, ତାହାହେଲେ ତୁ ନିମେଇଁର ନୋଟ ଖାତାଟା ପାଇବା ଲାଗି ଲଭ୍ କରିବାପାଇଁ ପ୍ରସ୍ତୁତ । ଖାଲି ନିମେଇଁକୁ ପାଇବାପାଇଁ ବିବାହ । ଏୟା ତ ?

 

ଅଳକା ଡାକ୍ତରଙ୍କ ଝିଅ । ସେ ଔଷଧ କ’ଣ ଜାଣେ ।

 

ଛନ୍ଦା ଡି.ଏସ.ପିଙ୍କ ଝିଅ । ସେ ଛନ୍ଦ ବାନ୍ଧିବା ଜାଣେ ।

 

ପନ୍ଦର ଦିନ ବାଦେ ଅଳକା ଯାଉଥିଲା, ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଗାଡ଼ିରେ । ଲେଡ଼ିଜ୍ କମ୍ପାଟମେଣ୍ଟ ଭିତରେ ପନ୍ଦର କୋଡ଼ିଏ ଜଣ ଆଧୁନିକା । ଅଳକା ବସିଥାଏ ଗୋଟିଏ କଣରେ ।

 

ଆରେ ପାସୋରି ଗଲିତ ।

 

ଅଳକାସହିତ ଛନ୍ଦାର ଯେଉଁଦିନ ଏହି ଲଭ୍ ଲାଭ ବିବାହ ଫିବାହ କଥାଗୁଡ଼ାକ ହୋଇଥିଲା, ଠିକ୍ ତା ଆରଦିନ ସକାଳେ ଛନ୍ଦା ଯାଇ ପହଚେଁ, ନିମେଇଁ ଘରେ । ଛନ୍ଦା ମୁହଁରୁ ଅଳକା ତା ନୋଟ ଖାତା ଚାହେଁ ଏଇତକ ଶୁଣୁ ଶୁଣୁ ନିମେଇଁ ଭାରି ଖୁସି ହୋଇ ପଡ଼ିଥିଲା । କିନ୍ତୁ ଛନ୍ଦା ନିମେଇଁକୁ କହିଥିଲା, କ’ଣ କରାଯିବ ନିମେଇଁ ବାବୁ, ବିଚାରି ଆଜି ଗାଁକୁ ଚାଲି ଯାଉଛି । ସେଠି ପଢ଼ାପଢ଼ି କରି ଆସି ପରୀକ୍ଷା ଦେବ ।

 

ଗାଡ଼ି ଛାଡ଼ିବାକୁ ଆଉ ୨୦ ମିନିଟ୍‍ ବାକି । ରିକ୍‍ସାଟିଏ କରି ନୋଟ ଖାତାଟି ଯଦି ଦେଇ ଆସି ପାରନ୍ତି…..

ନିମେଇଁ ସଙ୍ଗେ ସଙ୍ଗେ ଦୌଡ଼ିଚି ଷ୍ଟେସନକୁ । ଗାଡ଼ି ଛାଡ଼ିବାକୁ ଆଉ ଦୁଇମିନିଟ ବାକି । ଧାଇଁ ଯାଇ ପଶି ଆସିଲା, ଲେଡ଼ିଜ କମ୍ପାର୍ଟମେଣ୍ଟ ଭିତରେ । ଗୋଟିଏ ଗୋଡ଼ ଉପର ପାହାଚ ଉପରେ ନାରୀଙ୍କ ଭିତରେ ନରଙ୍କ ଆବିର୍ଭାବ । ଭୀଷଣ ପାଟିତୁଣ୍ଡ । ଓହ୍ଲାଇ ପଡ଼ିଲା । ଅଳକା ମଧ୍ୟ ଭିତରେ ରହି ସେମିତି କହି ଚାଲିଥାଏ । ଦିଅ ଠେଲିଦିଅ ।

 

ଗାଡ଼ି ଚାଲିଚି, ସ୍ପିଡ଼ ବଢ଼ିଚି ।

 

ଠେଲା ଖାଇ ନିମେଇଁ ତଳେ ପଡ଼ିଲା । ସଙ୍ଗେ ସଙ୍ଗେ ମୃତ୍ୟୁ ହାତରୁ ନୋଟ ଖାତାଟା ଖସି ପଡ଼ିଚି ।

 

ଅଳକା ଆସି ଦେଖିଲା । କିଛି ସମୟ ପରେ, ନଦୀ ପୋଲ ଉପରେ ଗାଡ଼ି ଚାଲିଲା, ଅଳକା ବି ଡେଇଁ ପଡ଼ିଲା ତଳକୁ ।

 

ଏ ପ୍ରେମ ଗୋପନୀୟ, କିନ୍ତୁ ମୃତ୍ୟୁ ଖୋଲାଖୋଲି ।

 

(ଗୋଟିଏ ସତ୍ୟ ଘଟଣାର ଅବଲମ୍ବନରେ)

Image

 

ତୃତୀୟ ପୁରୁଷ

 

ହଠାତ୍ ଚିଠିଟି ପାଇଲି । ନାଁ ଠିକଣା ପଢ଼ି ଓଲଟା ପାଲଟ କରି ଦେଖିଲି—ଗୁଡ଼ିଏ ଅକ୍ଷର ଚିଠି……

 

ପ୍ରିୟ ଗାଳ୍ପିକ;

 

ପରିଚୟର ଦାମ ନେଇ ପତ୍ର ଲେଖା ଚଳେନା । ସେ ଭଳି କୌଣସି ଦୁର୍ବଳତା ମଧ୍ୟ ମୋର ନାହିଁ । ତଥାପି ଲେଖିବାକୁ ପଡ଼ିଲା । କିଛି ମନେ କରିବେ ନାହିଁ । ଏକାନ୍ତ ନିକଟରେ ପାଇ ଯେଉଁ କଥା କେବେହେଲେ ଜଣେଇ ପାରିନି, ଆଜି ସେଇ କଥାହିଁ ଜଣାଇବା ଆବଶ୍ୟକ ମନେ କରୁଛି । ଏ ଭିତରେ ମୋର ସ୍ମୃତି ଟିକକ ମନରୁ ଲିଭି ଯାଇ ନ ଥିବ ତୁମର । ଏହି ସ୍ମୃତି ଟିକକହିଁ ମୋର ଭରସା । ଏହି ମୁହୂର୍ତ୍ତରେ ତୁମେ ମୋର ନିତାନ୍ତ ପ୍ରୟୋଜନୀୟ ।

 

ପ୍ରଥମ ପରିଚୟ ତୁମର ମନେ ଥିବ ନିଶ୍ଚୟ । ସେହି ହସ୍ପିଟାଲର ଲାଲ କଙ୍କରମୟ ପଥରେ ତୁମ ସହିତ ମୋର ଦେଖା, ପ୍ରଥମ ଆଳାପ । ତା’ପରେ କିପରି ଗଭୀର ହୋଇ ଉଠିଲା ଆମ ଦୁହିଁଙ୍କର ସଂପର୍କ । ଆଚ୍ଛା ସେ ଦିନଟି କଥା ମନେ ଅଛି ? ସେହି ସେଦିନ ପକ୍ଷୀର କାକଳି ଶୁଣିବା ଛଳନା କରି କାଠଯୋଡ଼ି ବ୍ରିଜ୍‍ର ପାଖେ ପାଖେ ଚାଲୁ ଚାଲୁ ହଠାତ୍ ପ୍ରଶ୍ନ କରିଥିଲି—

 

ଭଲ ଲାଗିବା ଓ ଭଲପାଇବା ଭିତରେ ତଫାତ୍ କ’ଣ ? ପ୍ରଥମେ ଅବାକ ହୋଇ ଉଠିଥିଲ ତୁମେ ପ୍ରଶ୍ନଟି ଶୁଣି । ତା ପରେ ଟିକିଏ ଚୁପ୍‍ ରହି ପୁଣି କହି ଉଠିଥିଲ— “ବୋଧହୁଏ ପ୍ରଥମଟି ଦୂରରୁ ମୋହ ଜଗାଏ, ଅନ୍ୟଟି ପାଖକୁ ଟାଣିଆଣି ଜୀବନକୁ ଭରିଦିଏ ବ୍ୟର୍ଥତାରେ ।

 

ମୁଁ କିନ୍ତୁ ମାନି ନଥିଲି ତୁମର ଏ ଯୁକ୍ତିକି । ମନେଅଛି, ମୁଁ ଖୁବ୍ ଟାଣ ଗଳାରେ କହିଥିଲି–କଦାପି ନୁହେଁ—ଭଲ ଲାଗିବା ଭଲ ପାଇବାର “ଗେଟୱେ ।’’

 

ଟିକିଏ ଚୁପ୍ ! ତୁମେ କହିଥିଲ, ଗୋଟାଏ ବିଶେଷ ମୁହୂର୍ତ୍ତ ଯେଭଳି ପୂର୍ଣ୍ଣାଙ୍ଗ ଜୀବନ ନୁହେଁ ସେଭଳି ଭଲଲାଗିବା ଭଲପାଇବା ନୁହେଁ । ହୁଏତ ଏ ଦୁଇଟା ଭିତରେ କୌଣସି ମିଳନ ନାହିଁ ।

 

ଭାରି ଅଶ୍ୱସ୍ତି ଓ ଦୁଃଖ ଅନୁଭବ କରିଥିଲି ସେଦିନ । ଆଜି କିନ୍ତୁ ବୁଝିଚି ତୁମ କଥାହିଁ ଠିକ୍‍ । କିନ୍ତୁ ଗୋଟାଏ ପ୍ରଶ୍ନର ଉତ୍ତର ଆଜି ସୁଦ୍ଧା ପାଇ ପାରିଲି ନାହିଁ । ଆଚ୍ଛା କହିପାର ଜୀବନଟା ଏତେ ଛୋଟ କାହିଁକି ? ତୁମେ ହୁଏତ ରହସ୍ୟ କରି କହିବ ଜୀବନ ନୁହେଁ, ଛୋଟ ଯୌବନ । ସତେ କ’ଣ ଏୟା ? ମୋର ମନେହୁଏ ଏହା କଦାପି ନୁହେଁ । ନଇଲେ ମୋର ସେହି ଛାଡ଼ି ଆସିବା ଦିନ ଓ ଯୌବନ ବିନିମୟରେ କ’ଣ ବା ପାଇଲି ?

 

ହସ୍ପିଟାଲର ପରିଧି ଛାଡ଼ି ଯେଉଁଦିନ ନବୀନର ହାତ ଧରି ଠିଆ ହେଲି, ଭାବିଲି ପୃଥିବୀଟାଭଳି ଜୀବନଟା ମଧ୍ୟ ଛୋଟ ନୁହେଁ । ଜୀବନର ଗୋଟାଏ ଅଂଶ ବୋଧହୁଏ ଫୋପାଡ଼ି ଦେଇ ଆସିଚି ପଛରେ । ମନେ ମନେ ପ୍ରତିଜ୍ଞା କଲି ନୂତନ କରି ତୋଳି ଧରିବି ନିଜକୁ ।

 

ନବୀନକୁ ନେଇ ସଂସାର କଲି । ବଞ୍ଚିବାକୁ ଚାହେଁ ମୁଁ । ଯେଉଁ ଦୁଃଖର ତାଡ଼ନାରେ ମୁଁ ଜଳି ମରିଚି, ତାକୁ ଭୁଲିବାକୁ ଚାହେଁ ଏଥର । କିନ୍ତୁ ଦୁର୍ଭାଗ୍ୟ ! ନବୀନ ମତେ ବଞ୍ଚିତ କଲା । ଧର୍ମକୁ ସାକ୍ଷୀ ରଖି ତାଙ୍କ ଉପରେ ନିର୍ଭର କରି ରହିଥିଲି । କିନ୍ତୁ ବିନିମୟରେ ପାଇଲି ଘୃଣା ଆଉ ଅବିଶ୍ୱାସ-। ସେତେବେଳେ କୋଳରେ ମୋର ତିନି ମାସର ସନ୍ତାନ । ପୁଣି ବୁକୁଭିତରେ ସେଇ ସର୍ବନାଶିଆ ରୋଗ । ଚିକିତ୍ସା କରି ମଧ୍ୟ ଏହାର ଉପଶମ ନାହିଁ । ସୁସ୍ଥ ମନ ମଧ୍ୟ ନାହିଁ ।

 

ସେଇଥିଲାଗି ତୁମକୁ ଏକାନ୍ତ ପ୍ରୟୋଜନ ମନେ କରୁଚି ଆଜି । ଏ ଚିଠି ପାଇବାମାତ୍ରେ ମୋ ପାଖକୁ ଆସ । ଉତ୍କଣ୍ଠାରେ ଦିନ କାଟୁଚି । ତୁମେ ନ ଆସିଲେ ମୁଁ ମରି ପାରିବିନି । ଇତି ।

 

ତୁମର

ଚାରୁ ।

 

ଚିଠିଟି ଶେଷ କରି ଦେଖିଲି ବଡ଼ ଆଶ୍ଚର୍ଯ୍ୟ ଭାବରେ—ମୁଁ ବଡ଼ ଦୁର୍ବଳ ହୋଇପଡ଼ିଛି ଇତିମଧ୍ୟରେ । ଅନେକ ଖୋଜାଖୋଜି ପରେ ରାସ୍ତା ପାଇଲି । ସଂକୀର୍ଣ୍ଣ ଗୋଟାଏ ଗଳି । ଅନ୍ଧକାର-। ଦିଆସିଲି ଜାଳି ମିଳେଇ ଦେଖିଲି ଠିକଣାଟା—ଏଇତ ସେଇ ଘର ନୀରବ ନିସ୍ତବ୍ଧତାର ଏକ ଭୟାଳୁ ପରିବେଶ । ଭାବିଲି ଫେରିଯିବି । ପାରିଲି ନାହିଁ । ଚାରୁର ମୁହଁଟା ନାଚି ଉଠିଲା ଆଖି ଆଗରେ-। ମନେ ହେଲା, ହୁଏତ ସତରେ ଅକଣ୍ଠ ଉତ୍କଣ୍ଠା ନେଇ ଅପେକ୍ଷା କରି ରହିଚି ମତେ । ଦୁଆର ବାଡ଼େଇଲି ଉତ୍ତର ନାହିଁ । ହଠାତ୍ ଠକ୍ କରି ଆବାଜ ଶୁଣାଗଲା । ଗୋଟାଏ ଡିବିର ମ୍ଳାନ ଆଲୋକ ଭିତରୁ କିଏ ଜଣେ ଭଙ୍ଗା ସ୍ୱରରେ ପଚାରିଲା—କିଏ ?

 

ଏଠାରେ କିଏ ଚାରୁ ଦେବୀ ରହନ୍ତି ?

 

ହଠାତ୍ ଏକ ଅନାହତ ସ୍ୱର ଶୁଣାଗଲା ଭିତରକୁ ଆସନ୍ତୁ ।

ଘର ଭିତରକୁ ପଶି ଯେଭଳି ଲୁପ୍ତ ହୋଇ ପଡ଼ିଲି । ବାହାରେ ନିଶ୍ୱାସ ନେବାଭଳି ଯେଉଁ ଟିକକ ବାୟୁ ଥିଲା; ଏଠାରେ ସେଇ ଟିକକ ମଧ୍ୟ ବନ୍ଦ । ଘରର ଗୋଟିଏ କୋଣରେ କେତୋଟି ଫଳ ଔଷଧ ଶିଶି । ଚାରିଆଡ଼େ ଚାହିଁ ରହିଥାଏ ଅବାକ୍, ନିସ୍ପନ୍ଦ ।

 

ପୁଣି ସେଇ ସ୍ୱର—ଜାଣେ ତୁମେ ନିଶ୍ଚୟ ଆସିବ ।

 

ସତରେ ଭାରି ଭୟଭୀତ ହୋଇ ଉଠିଥିଲି, ସେ ଅନ୍ଧାକାର ଭିତରେ ମଝି ମଝିରେ ଏଭଳି କ୍ଷୀଣ ଶବ୍ଦ ଶୁଣି ।

 

‘କାହିଁକି ବସୁନା ଯେ’ । ସ୍ପଷ୍ଟ ନାରୀ କଣ୍ଠ, କିନ୍ତୁ ଭାବି ପାରି ନ ଥିଲି ଏ ନାରୀ କିଏ—ଚାରୁ ? ହସ୍ପିଟାଲର ସେଇ ରୋଗିଣୀ ।

 

ପୁଣି କିଛିଟା ଖିଲି ଖିଲି ହସ—ଆରେ ଭାବୁଚ କ’ଣ ? ଚିହ୍ନି ପାରୁନା, ମୁଁ ପରା ସେଇ ଚାରୁ ।

 

ବସିବି ବା କ’ଣ ? ନିଜକୁ ଯେମିତି ବିଶ୍ୱାସ ହେଉନି ଏହି ମୁହୂର୍ତ୍ତରେ, ଇଏ କଣ ସେଇ-? ଯେଉଁ ଚାରୁର ଗର୍ବଥିଲା ରୂପ ଲାଗି, ଦମ୍ଭ ଥିଲା, ଜିଦ୍ ଥିଲା ଯୌବନକୁ ଚିର ପୁଷ୍ପିତ କରି ରଖିବା ଲାଗି । ଯେମିତି ମୋର ଭୁଲ ହେଉଛି ବୁଝିବାରେ ।

 

ଅସହ୍ୟ ମନେ ହେଉଛି ଏ ପରିବେଶ । କଂପିତ ଶରୀର । ମନେ ହେଲା ଯେମିତି କବରରୁ କାଢ଼ି ଅଣା ହୋଇ ଶୁଆଇ ଦିଆ ହୋଇଛି, ଏଇ ସଜୀବ ଛାୟାଟିକି ।

 

ହଠାତ୍ ଚାଦର ଭିତରୁ ବାହାରି ଆସିଲା ଏକ କଂକାଳସାର ହାତ । ମୋ ହାତକୁ ଧରି କହିଲା—ବସନା । ନହିଲେ ବଡ଼ ଦୁଃଖ ଲାଗିବ ।

 

ସମଗ୍ର ଦେହଟା ଏକବାର ଶିହରି ଉଠିଲା । ଅସ୍ପଷ୍ଟ ସ୍ୱରରେ କହିଲା ଚାରୁ—ରୋଜ ଭାବେ ଏଇ ତୁମେ ଆସିଲ । ପୁଣି କେବେ ଭାବେ, ନା ତୁମେ ଆସିବନି । ବହୁତ କଥା ଶୁଣାଇବାକୁ ଅଛି ତୁମକୁ । ଆଉ ତ ସମୟ ପାଇବିନି ଡାକ ଆସିଲାଣି ଉପରୁ । ଚାରୁକୁ କ’ଣ ତୁମର ଭଲ କରି ମନେ ପଡ଼ୁନି । ଏତେ ଗଭୀର ତୁମର ଘୃଣା !

 

ହସି ହସି କହିଲି—ମନେ ପଡ଼େ ବୋଲି ତ ଏତେ ରାତିରେ ଆସିଲି । ଘୃଣା କରି କ’ଣ ମଣିଷ ମନକୁ ଏଡ଼େଇ ଦେଇପାରେ ?

 

“ତେବେ ଶୁଣ” କହି ଉଠିଲା ଚାରୁ । ବାପ ମା ଛେଉଣ୍ଡ ଝିଅ ମୁଁ । ଯେଉଁ ଘରେ ବସିଚ, ଏ ଘର ମୋର ନୁହେଁ । ଯିଏ ଦୁଆର ଫିଟାଇଲା ସେଇ ବୁଢ଼ୀର । ଏହି ଧାଈ ବୁଢ଼ୀ ଯତ୍ନରେହିଁ ମୁଁ ମଣିଷ । ମନେପଡ଼େ ସେଇ ଦିନଗୁଡ଼ିକର କଥା । ସେଇ ହସ୍ପିଟାଲ । ସେଇ ନବୀନ । ସେଇ ସ୍ୱପ୍ନ ଦେଖା ସାଜସଜ୍ଜା । ବିବାହ କରିଥିଲି—ଭାବିଲି ଆନନ୍ଦରେ କଟିଯିବ ଜୀବନଟା । କିନ୍ତୁ ଗୋଟାଏ ବର୍ଷ ମଧ୍ୟ ପାରିଲି ନାହିଁ । ଅପୁଷ୍ଟିକର ଖାଦ୍ୟ ଖାଇ ଅସୁଖରେ ପଡ଼ିଲି । ଜ୍ୱର ଆଉ କାଶ । ଥରେ ମୁଣ୍ଡ ବୁଲେଇ ହେଲା—ତାପରେ ଗଳ ଗଳ କରି ଭିତରୁ ଗୁଡ଼ାଏ ରକ୍ତ ।

 

ଏହି ରକ୍ତର ସୁଯୋଗ ନେଇଥିଲେ ନବୀନ ବାବୁ । କେତେ ସାହାଯ୍ୟ, କେତେ ପରିଶ୍ରମ-। ଡାକ୍ତରଖାନାକୁ ବୋହି ନେଇଥିଲେ ସେ । ବଞ୍ଚି ଉଠିଲି । ନବୀନ ମୋ ମନ ଭିତରେ ଯେମିତି ଗୋଟାଏ ଘର ବାନ୍ଧି ରହିଥିଲେ । ଶୁଣିଲି ମୋର ନିଜ ଅପଦାର୍ଥ ସ୍ୱାମୀ ବିବାହ କରିଛନ୍ତି ଆଉ ଜଣକୁ । ରାଗରେ ଥରି ଉଠିଥିଲା ଦେହ ସାରା । ନବୀନର ହାତ ଧରି କହି ଉଠିଥିଲି–ତୁମେ ତ ସବୁ କଥା ଜାଣ, କରିଛ ବି ଅନେକ । ଜୀବନଟା ଯେତେବେଳେ ଫେରି ପାଇଚି–ପରିପୂର୍ଣ୍ଣ ଉପଭୋଗ କରିବାକୁ ଚାହେଁ ତାକୁ ।

 

ନବୀନ ମୁହଁରେ ଦେଖା ଦେଇଥିଲା ଗୋଟାଏ ମ୍ଳାନ, ଅଭିସନ୍ଧିର ହସ । କହି ନଥିଲା ପଦେ ହେଲେ ! ଟାଣି ନେଇ ଯାଇଥିଲା କୋଳକୁ । ଭାବିଥିଲି—ଏଇଥିରେହିଁ ଜୀବନର ସମସ୍ତ ସାର୍ଥକତା । କିନ୍ତୁ ଅତି ପାଖରେ ରହି ସେ ଭୁଲ ଭାଙ୍ଗି ଯାଇଥିଲା ମୋର ।

 

ଭାବିଲି ବଂଚି ରହିବା ଲାଗି ଖାଲି ନିର୍ଭର କରି କିଛି ଲାଭ ନାହିଁ । ନିଜକୁ ସମର୍ପଣ ନକରିଲେ ଆନନ୍ଦ ନାହିଁ । ମନ କଥା ଖୋଲି କହିଥିଲି ତାକୁ । ପୁଣି ସେଇ ହସ ! କହିଲେ—ନିଜକୁ ଅନ୍ୟ ପାଖରେ ଧରାଦେବାର ଆନନ୍ଦ ମୋର କମ ନାହିଁ । କିନ୍ତୁ ସମାଜ ରହିଛି ଅନୁଶାସନ ରହିଛି ପଛରେ । କିନ୍ତୁ ନବୀନ ଉତ୍ତର ଦେଇଥିଲା ପରେ—ବେଶ ତୁମେ ଯଦି ସୁଖୀ ହେବ, ମୋର କୌଣସି ଆପତ୍ତି ନାହିଁ ।

 

ଏତେଦିନ ଧରି ନିର୍ଭର କରି ରହିଥିଲି, ଏଥର ବିଶ୍ୱାସ କରି ଶିଖିଲି ନବୀନକୁ । ଅତି ନିକଟରେ ହେଲୁ ଦୁଇଜଣ । ଘର ବାନ୍ଧିଲୁ ନୂତନ କରି ।

 

ଚୁପ୍ କରେ ଚାରୁ । ଯେଭଳି ନିଃସଙ୍ଗ ମନେ ହେଲା ନିଜକୁ । ଯେଉଁ କଥା ନଶୁଣିବା ଲାଗି ଅନଭ୍ୟସ୍ତ କାନ ଦୁଇଟା ଟିକକ ଆଗରୁ ବିଦ୍ରୋହ କରି ଉଠିଥିଲା, ସେଇ କଥାହିଁ ଯେମିତି ଟାଣି ନେଉଚି କ୍ରମଶଃ ଶେଷ ପରିଣତି ଦିଗରେ । ଚାରୁ ହାତରେ ହାତ ରଖି କହିଲି—ତାପରେ ?

 

“ତାପରେ ସବୁ କିଛି ବଡ଼ ଆଶ୍ଚର୍ଯ୍ୟ । ପ୍ରାୟ ଗୋଟାଏ ବର୍ଷର କଥା କହୁଚି । ଚମକି ଉଠିଲା ହଠାତ୍ ଦିନେ । ଧରାପଡ଼ି ଗଲି ନିଜ ପାଖରେ । ଦେହର ପ୍ରତି ରେଖାରେ ସ୍ପଷ୍ଟ ହୋଇ ଉଠୁଥାଏ ପ୍ରାଣର ଅଙ୍କୁର । କିନ୍ତୁ ଆନନ୍ଦ କାହିଁ ? ମା ହେବାର ଇଚ୍ଛା ଝିଅମାନଙ୍କର ରକ୍ତର ସଂପର୍କ-। ମା ନହେଲେ କ’ଣ ଜୀବନ ସାର୍ଥକ ହୁଏ ? କିନ୍ତୁ ମୋ ମୁହଁରେ ସେ ସାର୍ଥକତାର ହସ ନଥିଲା, ଥିଲା କେବଳ କାନ୍ଦ, ଅଶ୍ରୁ । ନବୀନକୁ ବିଶ୍ୱାସ କରିଚି, ନିର୍ଭର କରିଚି ତା ଉପରେ-। କିନ୍ତୁ ତା ସଂପର୍କକୁ ବରଦାସ୍ତ କରି ପାରିନି କୌଣସି ଦିନ । ହସ୍ପିଟାଲର ବେଡରେ ଶୋଇ ଦିନେ କପାଳର ସିନ୍ଦୂର ବିନ୍ଦୁକୁ ଲିଭେଇ ପକାଇଥିଲି ନିର୍ମମ ଭାବରେ । ଯେଉଁ ସ୍ୱାମୀ ଆଶ୍ରୟ ଦେଇନି, ଆଶ୍ୱାସ ଦେଇନି, କି ପ୍ରୟୋଜନ ତା ଲାଗି କଲ୍ୟାଣ ବିନ୍ଦୁ ଧାରଣକରି ? ନବୀନକୁ ପ୍ରଶ୍ରୟ ଦେବା ଚଳେ-। କିନ୍ତୁ ତାର ପରିଚୟ ମୋ ରକ୍ତର ସଂପର୍କକୁ ସ୍ୱୀକାର କରି ନପାରେ । କିନ୍ତୁ କେଉଁଥିରେ କିଛି ହେଲା-? କୋଳରେ ଫୁଟି ଉଠିଲା ସନ୍ତାନ ।

 

ହଠାତ୍ ଅଟକିଗଲା ଚାରୁ । ମୁହଁରୁ କଥା ବାହାରି ନଥିଲା ଅନେକକ୍ଷଣ ଧରି । ଚାହିଁ ଦେଖିଲି—ଆଖି କୋଣ ଦୁଇଟି ଅତି ନରମ । ବିରାଗ ତ ଥିଲା, ମୋର ମାୟା ହେଉଥିଲା ଏ ଅବସ୍ଥା ଦେଖି ।

 

ଚାରୁକୁ କୌଣସି ଦିନ ପ୍ରଶ୍ରୟ ଦେଇନି ମୁଁ । ଏଭଳିକି ଗଭୀର ହେବା ଭଳି ଅବକାଶ ବି ନାହିଁ । କୌଣସି ମୁହୂର୍ତ୍ତର ଦୁର୍ବଳତାରେ, ଗଳ୍ପ ଲେଖେ ବୋଲି ପରିଚୟ । ବିଶ୍ୱାସ ମଧ୍ୟ କରିନି । କରିନି ଦମ୍ଭ ଆଉ ଉଗ୍ରତା ଲାଗି । ଆଜି କିନ୍ତୁ ବ୍ୟତିକ୍ରମ ।

 

“ତାପରେ କିମିତି କ’ଣ ହୋଇଗଲା ନବୀନ । ବନ୍ଧନ ଯେମିତି ଫାଟି ଫାଟି ଆସିଲା । ନବୀନ ମୁହଁରେ କେବେ ରାଗ ଦେଖିନି ।

 

ସେଦିନ ମଧ୍ୟ ଦେଖି ନଥିଲି । ଭୀଷଣ ଗାଳି ଦେଇଥିଲି ବଡ଼ କର୍କଶ ଗଳାରେ । ଚପ୍ କରି ନବୀନ ବାହାରି ଯାଇଥିଲା ଘରୁ । କିନ୍ତୁ ସେଇ ଯେ ଗଲା, ଆଉ ଫେରିନି । ଆଖି ଆଗରେ ଦୋହଲି ଉଠିଲା ସମଗ୍ର ପୃଥିବୀଟା । ଭାବିଲି, ପଥର ପରିଚୟକୁ ପଥରେହିଁ ରଖି ଦେଇଗଲା ନବୀନ ।’’

 

କାନ୍ଦର ବେଗ ଯେମିତି ବଢ଼ି ଉଠିଲା ଚାରୁର । ଆଉ ବିଶେଷ କିଛି କହିପାରିନଥିଲା ସେ । ମନେ ହେଲା—ପ୍ରଚଣ୍ଡ ଗୋଟାଏ ବିସ୍ଫୋରଣରେ ରସାତଳେ ବିଲୀନ ହୋଇଯିବ ଦୁନିଆଁଟା–ଠିକ୍ ମୋ ଆଖି ଆଗରେ । କ୍ରମଶଃ ଚାରୁର ମୁହଁଟା ବିବର୍ଣ୍ଣ ହୋଇ ଉଠୁଥିଲା । ଅତି ବିଭତ୍ସ-। ଚାରୁ ଯେମିତି ମତେ ଟାଣି ନେଉଚି ବହୁତ ଦୂରକୁ, କେଉଁ ଅତଳ ପ୍ରଦେଶକୁ ।

 

କହି ଉଠିଲା ସେ—ସେହି ଦିନଠୁ କେବଳ ପରିଚୟ ଖୋଜି ବୁଲୁଚି ମୁଁ । ଗୋଟାଏ ମଣିଷ । କେବଳ ଜଣେ ପୁରୁଷର ପରିଚୟ ଚାହେଁ ଜୀବନରେ । ଯିଏ ପ୍ରଶ୍ରୟ ଦେବନି, ବିଶ୍ୱାସ କରିବନି ଅଥଚ ମାନିନେବ ମତେ । ସେ ଭଳି ଗୋଟାଏ ପରିଚୟ । —ଦମ ଟାଣେ ଚାରୁ । ଉତ୍ତେଜନା ଭିତରେ ସେ ଯେମିତି ଉନ୍ମାଦ ହୋଇ ଉଠିଚି ।

 

କ୍ରମଶଃ ଜଡ଼େଇ ଉଠିଲି ମୁଁ । ମନ ଯେମିତି ବିଦ୍ରୋହ କରିବାକୁ ଚାହେଁ । ଭାବିଲି—ଚାଲିଯାଏଁ । ଦୁଇ ହାତରେ ସବୁକିଛିକୁ ଠେଲି ପେଲି ବାହାରି ଯାଏଁ ଚାରୁର କ୍ଷୁଧାର ଅର୍ଗଳ ଭିତରୁ-

 

ହାତୁଟା ବିଚ୍ଛିନ୍ନ ହୋଇପଡ଼ିଥିଲା । ପୁଣି ସେଇ ଆକର୍ଷଣ । ବୁକୁ ଭିତରେ ଝଡ଼ର ସଂକେତ ।

 

ବିଭତ୍ସ ଗୋଟାଏ ହସ…..

 

—ନା କିଛି ନାହିଁ—ଏଇତ ଆଜି ତୁମକୁ ପାଇଚି । ଆଚ୍ଛା ଗୋଟାଏ କଥା ରଖି ପାରିବ-?

 

ଗଳାର ସ୍ୱର ଅଟକି ଯାଇଥିଲା । ଢୋକ ଗଳି ପଚାରିଲି—କୁହ ।

 

କୁହ ନୁହେଁ—ରଖିବାକୁ ପଡ଼ିବ । ଏଇ ତୁମ ହାତ ଧରିଚି । କୋଳର ଛୁଆଟିକି ତୋଳି ଦେଇଚି ଶିଶୁ-ମଙ୍ଗଳ ହାତରେ । ହୁଏତ ତା ବୁକୁରେ ଏହି ରୋଗ ବସା ବାନ୍ଧି ପାରେ । କିନ୍ତୁ ତାର ପରିଚୟ ଟିକକ ଦେଇ ପାରିବି ସ୍ପଷ୍ଟ କରି । ଏମାନେ ସଂଦେହ କରନ୍ତି, ଭୟ ଦେଖାନ୍ତି । ମୁଁ ତ ଆଉ ବଂଚିବିନି କିନ୍ତୁ……

 

ଏଇ ଦେଖ—ଏଇ ଯେଉଁ ଫରୁଆଟା–ତାରି ଭିତରୁ ଗୋଟାଏ ବିନ୍ଦୁ ମାତ୍ର ତୁମ ହାତରେ ଲେପି ଦିଅ ଏହି ହୀନ କପାଳଟା ଉପରେ ।

 

ଚମକି ଉଠିଲି ମୁଁ । ଚାରୁରୁ ଆଖି ଦିଇଟାକୁ ଚାହିଁ ରହିଲି । ବିସ୍ଫାରିତ, ଅତି ତୀକ୍ଷ୍ଣ ଦୁଇଟାଆଖି ।

 

ଆଉ ଠିଆହୋଇ ପାରିଲିନି । ଲମ୍ବା ଲମ୍ବା ପାଦ ବଢ଼େଇ ଚାଲି ଆସିଲି ବାହାରକୁ ।

 

ଚାରୁ କାନ୍ଦୁଚି । ଠିକ୍ କାନ୍ଦ ନୁହେଁ, ମନେହେଲା କାହା କବର ଉପରେ ବସି ମୁଣ୍ଡ ବାଡ଼ଉଚି ଚାରୁ । କାନ୍ଦ ନୁହେଁ ଆର୍ତ୍ତନାଦ, ବିଳାପ ନୁହେଁ ଅଭିଶାପ ।

 

ହଠାତ୍ ଲିଭି ଉଠିଲା ଯେମିତି ସବୁଗୁଡ଼ାକ ଆଲୋକ । ଘୂର୍ଣ୍ଣିବାତ୍ୟା ଭଳି ଦେହଟାକୁ ଘୂରେଇ ନଇଁ ଆସିଲି ରାଜପଥ ଉପରେ । ଚାରୁ କାନ୍ଦୁଚି—କାନ୍ଦୁ ।

Image

 

ଲତା ଓ ଗୀତା

(୧)

 

ମୁଁ ସେଦିନ ଡିନରରୁ ଫେରୁ ଫେରୁ ରାତି ବାର ।

 

ଘରକୁ ଆସି ଦେଖିଲି, ଲତା ଶୋଇନି । ଗୋଟାଏ କ’ଣ ବହି ପଢ଼ାରେ ବ୍ୟସ୍ତ । ମୁଁ ଶୋଇଲି, ଲତାକୁ କହିଲି ବହି ପଢ଼ା ବନ୍ଦ କର । ଶୋଇପଡ଼ । ଲାଇଟ୍ ଲିଭିଲା । ଲତାର ବହି ପଢ଼ା ଆପେ ଆପେ ବନ୍ଦ ହୋଇ ଆସିଲା । ଲତା କିନ୍ତୁ ଭାରି ବ୍ୟସ୍ତ । ତା ଆଖିକି ନିଦ ଆସୁନି । ସେ ଭାବିଥିଲା ବହି ପଢ଼ୁ ପଢ଼ୁ ହୁଏତ ନିଦ ମାଡ଼ି ଆସିବ । ମୁଁ ପଚାରିଲି, ତାହାହେଲେ ନିଦର ଉପାୟ କ’ଣ ?

 

—ଯଦି ଗପଟିଏ କୁହ ।

 

ମୁଁ ବୁଢ଼ୀମାନଙ୍କ ଭଳି କହିଲି, ସତ କହିବି ନା ମିଛ କହିବି, ନା ଯାହା ଅଙ୍ଗେ ନିଭେଇଛି ତାହା କହିବି ।

 

—ସତ ମିଛରେ ମୋର ଯାଏ ଆସେ କେତେ ? କୁହନା, ଯାହା ଅଙ୍ଗେ ନିଭେଇଚ ତାକୁଇ କୁହ ।

 

ମୁଁ ମୋର ଅଙ୍ଗେ ନିଭେଇବା ଗପ କହୁଚି, ଲତା ଶୁଣୁଚି । ମଝି ମଝିରେ ଖାଲି ହୁଁ ହୁଁ ।

 

(୨)

 

ବହୁତ ଦିନ ତଳର କଥା । ଗୋଟିଏ ରାଜ୍ୟରେ ଜଣେ ରଜା ଥିଲେ । ଏଇ ରାଜାଙ୍କ ନାତିର ନାତି ହେଲେ ଅଷ୍ଟାଦଶ ଶତାବ୍ଦୀରେ ଜଣେ ଜମିଦାର ଜମିଦାରଙ୍କ ପୋଷ୍ୟପୁତ୍ର ହେଲେ ଜମି ମାଲିକ । ଜମି ମାଲିକଙ୍କ ପୁଅ ପାଠ ପଢ଼ିଲେ । ତାଙ୍କ ପାଖରେ ଆଉ ଜମି ରହିଲା ନାହିଁ । ଚାକିରି ବି କଲେନି । ଶେଷରେ କଂଗ୍ରେସ ରାଜୁତିରେ ସେ ହେଲେ ଜଣେ କଣ୍ଟ୍ରାକ୍ଟର । କଣ୍ଟ୍ରାକ୍ଟର ଶ୍ରୀ ପର୍ଶୁରାମ ଶ୍ରୀଚନ୍ଦନ । ସେ ବିବାହ କରିଥିଲେ କଲିକତାରେ, ଜଣେ ବଙ୍ଗାଳୁଣୀଙ୍କୁ । ପର୍ଶୁରାମ ବାବୁଙ୍କ ଚାରିପୁଅ, ଗୋଟିଏ ଝିଅ ଛନ୍ଦା, ଡାକ ନାଁ ଗୀତା । ରୂପ ଲାବଣ୍ୟରେ ଝଟକି ଉଠୁଥିଲା ତା’ ଦେହ । ପ୍ରକୃତରେ ଯାହାକୁ କହନ୍ତି ଅନିନ୍ଦ୍ୟ ସୁନ୍ଦରୀ, ରୂପବତୀ !

 

(୩)

 

ଯେତେବେଳେ ତା’ ସହିତ ମୋର ପ୍ରଥମ ସାକ୍ଷାତ, ସେ ଥିଲା ଛୋଟ ପିଲା । ବୟସ ଦଶ କି ଏଗାର । ମୁଣ୍ଡରେ ଚିକ୍କଣିଆଗୁଡ଼ିଏ ବାଳ । ମତେ ଦେଖିଲେ ଦିନୁଭାଇ କହି ଧାଇଁ ଆସେ । ମୁଁ ତା ଗାଲରେ ଚୁମାଟିଏ ଦିଏ । ସେ ହସେ । ଧାଇଁଯାଏ ସେ ବଗିଚା ଭିତରକୁ । ଗୋଟିଏ ଗୋଲାପ ଫୁଲ ଆଣି ମୋ କୋଟ ପକେଟରେ ଖୋସିଦିଏ । ତା’ର ଧାଇଁବାରେ ଗୋଟାଏ କିମିତି ମାଦକତା ରହିଥିଲା । ବାପରେ, ସେ କି ହସ ! ସେ ଗୋଲାପ ଫୁଲଟି ଧରି ଧାଇଁ ଧାଇଁ ଆସୁ ଆସୁ ମୁଁ କହେ—ଗୀତା ଟିକିଏ ଚାହଁତ ।

 

—କର୍‍ରର ଠକ ।

 

ମୁଁ ଫଟୋ ଉଠେଇଲେ ଗୀତା ମନରେ ବଡ଼ ଆନନ୍ଦ । ଏକବାରେ ଉଲ୍ଲସିତ ହୋଇ ଉଠେ ତାର ସର୍ବାଙ୍ଗ । କହେ ଦିନୁଭାଇ ଏହାର ପଜେଟିଭଗୁଡ଼ାକ ଏଥର ଆସିବା ବେଳେ ଆଣିବାକୁ ଯେମିତି ଭୁଲି ନ ଯାଅ ।

 

—ଆମ ଘରେ ଯେଉଁ ନେଗେଟିଭଗୁଡ଼ିକ ଅଛି, ସେଥିରୁ ଗୀତାର କେତୋଟି ଜାଣ ?

 

ଲତା କହେ—ନା ତ !

 

(୪)

 

ଗୀତା ରହେ ମଫସଲରେ । କିନ୍ତୁ ମଫସଲ ଲୋକଙ୍କ ସହିତ ଏମାନଙ୍କ ସମ୍ପର୍କ କମ । ବାପାଙ୍କ ସମ୍ପର୍କ ବଣର କାଠ ବାଉଁଶ ସହିତ । କାଠ କଣ୍ଟ୍ରାକ୍ଟର ସେ । ବଣର କିଛି ଦୂରରେ ଗୋଟାଏ ବିରାଟ ବଙ୍ଗଲୋ ଟାଇପ୍ ଘର, ମଝିରେ ଗୋଟାଏ ଛୋଟ ପୋଖରୀ । ଆଉ ଗୋଟିଏ ନଳ କୂଅ । ବଗିଚାରେ ପନି ପରିବା ଚାଷ ହୁଏ । ଦୁଆର ମୁହଁରୁ ଲମ୍ବିଚି ଧାଡ଼ି ଧାଡ଼ି ରଜନୀଗନ୍ଧାର ଫୁଲ କୁଣ୍ଡ; ପ୍ରାୟ ୫୦ଗଜ ଧରି । ତଡ଼େ ତଡ଼େ ଗୁଡ଼ିଏ ଛୋଟ ଛୋଟ ନଡ଼ିଆ ଗଛ । ଗେଟ ଉପରେ ମଧୁମାଳତୀର ନିକୁଞ୍ଜ । ବାରଣ୍ଡାରେ ସବୁବେଳେ ଭୋ ଭୋ ଭୁକୁଥାଏ ଆଲସେସିୟାନ କୁକୁର । ଗେଟ୍ ଆଗରେ—ସତର୍କବାଣୀର ଏକ ସାଇନବୋର୍ଡ— ‘ସାବଧାନ କୁକୁର କାମୁଡ଼ିବ ।’ ଏହି ଅଞ୍ଚଳର ଲୋକେ କହନ୍ତି ଇଏ ଗୋଟାଏ ବଙ୍ଗାଳୀ ଘର । ଗୀତା ବାପାଙ୍କୁ ଲୋକେ ଡାକନ୍ତି ବଙ୍ଗାଳୀବାବୁ । କିନ୍ତୁ ଘରେ ଓଡ଼ିଆ ଭାଷାରେ କଥାବାର୍ତ୍ତା । ପୂଜା ପର୍ବ ପ୍ରାୟ ବଙ୍ଗାଳୀ ପାଞ୍ଜି ଅନୁଯାୟୀ । ରନ୍ଧା ବଢ଼ା ମଧ୍ୟ ସେମିତି ।

 

ଏହି ସମ୍ଭ୍ରାନ୍ତ ବିଭବଶାଳୀ ପରିବାରଟି ସହିତ ମୋର ପ୍ରଥମ ପରିଚୟ କିମିତି ଘଟିଲା, ସେ ଆଉ ଅନ୍ୟ ଏକ ଦୀର୍ଘ କାହାଣୀ ।

 

(୫)

 

ଗୀତାକୁ ମୁଁ ଭାରି ଭଲ ପାଉଥିଲି । ଗୋଟାଏ ଅଜ୍ଞାତ ଆକର୍ଷଣ ଥିଲା ତା ପ୍ରତି । ସେ ଯାହା କହେ ମୁଁ ତା ପାଇଁ କଟକରୁ ପଠାଏ । ଚିଠି ଆସେ—ନାଲି ଛିଟ ସିଲକେନ କନା ଚାରିଗଜ-। ଚିଠିର ଉତ୍ତର ଯାଏ ସଙ୍ଗେ ସଙ୍ଗେ ପାର୍ଶଲରେ । ମା ଲେଖନ୍ତି—ଦିନୁ ଏଥର ଆସିଲାବେଳେ, କଣ୍ଟ ପଠେଇଲି, ଗୀତା ହାତକୁ ମାପି ଚାରିପଟ ବ୍ରଞ୍ଜଚୁଡ଼ି ଆଣି ଥିବୁ । ପକେଟରେ ଲେଥା ଲେଥା ନୋଟ, ପରୁଆ ଲେଦୁ । ସଙ୍ଗେ ସଙ୍ଗେ କିଣାଯାଏ, ଚାରିପଟ କାହିଁକି, ଏକାଥରକେ ଆଠ ପଟ-। ବାପା ଲେଖନ୍ତି, କଣ୍ଟ ପଠେଇଲି ଆସିଲା ବେଳେ, ହଳେ ବାଟା ଯୋତା ନେଇ ଆସିବୁ ।

 

(୬)

 

ଶନିବାର ଦିନ ରାତିରେ ଗାଡ଼ି ଧରେ । ରବିବାର ସକାଳେ ପହଞ୍ଚେ ଗୀତା ଘରେ । ଇମିତି ପ୍ରତି ସପ୍ତାହରେ । ହଁ, ମନେ ପଡ଼ୁଛି, ଦିନେ ସେ ଦେହରୁ ଫ୍ରକ୍‍ ଖୋଲୁ ଖୋଲୁ, ଭାରି ଲାଜ କରିଥିଲା ମୋ ଉପସ୍ଥିତିରେ । କହିଥିଲି, ମେଞ୍ଚଡ଼ ପିଲାଟାର ଏତେ ଲାଜ ! ସେ ଯୋଉ ହସ । ଦିନେ ଗାଧୁଆ ଘରେ ଅଚାନକ ଭାବରେ ପଶୁ ପଶୁ ଦେଖିଲି ଗୀତା ଗାଧୋଉଚି । ଦେହରେ ପ୍ୟାଣ୍ଟ ନାହିଁ କି ଫ୍ରକ୍‍ ନାହିଁ । ଏକାବେଳକେ ଅନାବୃତ । ଅପ୍ରସ୍ତୁତ ହୋଇ ପଛକୁ ହଟି ଆସିଥିଲି କିନ୍ତୁ ସେ ଗାଧୁଆ ଘର ଭିତରୁ ଉତ୍ତର ଦେଇଥିଲା—ମୁଁ ତ ମେଞ୍ଚଡ଼ ପିଲାଟାଏ, ଏତେ ଲାଜ କାହିଁକି ? ମନେ ପଡ଼ୁଚି ଗାଧୁଆ ଘର ଭିତରୁ ବାହାରି ମତେ ତୁନି ତୁନି ପଚାରିଲା—ଦିନୁଭାଇ ! ମତେ ସତରେ କଣ ଭଲପାଅ ? କହିଥିଲି ହଁ ମୁଁ ପ୍ରକୃତରେ ତତେ ଭଲ ପାଏ । ପଚାରିଥିଲା—କିମିତି ?

 

ମୁଁ ଉତ୍ତର ଦେଇ ପାରି ନଥିଲି ।

 

 

(୭)

 

ଇମିତି ପ୍ରତି ସପ୍ତାହରେ ଯିବା ଭିତରେ କେତେ ଯେ ସପ୍ତାହ ବିତିଗଲାଣି, ଜାଣେ ନା । ମୁଁ ଖାଲି ଜାଣେ ମୁଁ ଆସୁଚି, ଗୀତାକୁ ଦେଖୁଚି, ପୁଣି ଫେରି ଯାଉଚି କଟକ । ଦିନେ ହଠାତ୍ ଦୂରରୁ ଦେଖିଲି ଗୀତା ଲୁଗା ପିନ୍ଧିଚି । କିନ୍ତୁ ମୋ ପାଖକୁ ଧାଇଁ ଆସୁନି, ଫୁଲ ବି ଦେଉନି । ସେ ଦୁଆର ଖୋଲି ଅନାଏଁ, ପୁଣି ଲୁଚିଯାଏ । ମୁଁ ସବୁଥର ଭଳି କହେ, ଗୀତା ଚାହାଁତ । ଗୀତା ମଉଳି ଯାଏ । ମୋର କ୍ୟାମେରା ଫିଲ୍ମ ନଷ୍ଟ ହୁଏ । ତା ଆର ଦିନ ନିର୍ଜନରେ ତାର ଲୁଗାକୁ ଟାଣି ପଚାରିଲି—

 

ଇମିତି ଅଲଗା ଅଲଗା କାହିଁକି ?

 

ମା କହିଚି, ଏଣିକି ବାହାରେ ଲସର ପସର ହନା । ତୁମେ କ’ଣ ଜାଣନା, କାହିଁକି ?

 

ମୁଁ ସେଦିନ ନିର୍ଲିପ୍ତ ଭାବରେ ଚାହିଁ ରହିଥିଲି, ଗୀତାର ସର୍ବାଙ୍ଗଟାକୁ । ସତରେ ଗୋଟାଏ ବିରାଟ ପରିବର୍ତ୍ତନ । କାଲିର ସେ ଆଖି ଆଜି ନାହିଁ । ଆଖିର ଦୁଇଟା ମଣି କି ଉଜ୍ଜଳ ! ଭ୍ରୂଲତାଗୁଡ଼ାକ ଗାଢ଼ ଗାଢ଼ । ଯେପରି ପ୍ରାଣ ରକ୍ତରେ ଖେଳି ଉଠୁଛି ଏକ ନୂତନ ରୂପର ତରଙ୍ଗରେ-। ମୁଁ ପ୍ରଥମେ ଅନୁଭବ କଲି ଝିଅମାନଙ୍କ ଯୌବନ କାହାକୁ କହନ୍ତି ।

 

(୮)

 

ଗୀତା ତାନପୁରା ଧରି ଗୀତ ବୋଲେ । ଗୀତର ଝଙ୍କାର ଭିତରେ ମୁଁ ଗୋଟିଏ କ୍ଷୀଣ ସ୍ୱର ଶୁଣିବାକୁ ପାଏ— “ଦିନୁଭାଇ, ମୁଁ ପରା ଗୀତା ଡାକୁଚି । କେହି ନାହାଁନ୍ତି, ତୁମେ ଧୀରେ ଧୀରେ ଆସ, ମୁଁ ଖାଲି ତମ କାନରେ ପଦେ କଥା କହିବି, ଶୁଣି ଯିବ ।’’

 

ମୁଁ ମୋ ବେଡ୍‍ ରୁମରେ ବହି ଧରି ବସିଥାଏ । ଏହି କ୍ଷୀଣ ସ୍ୱରର ସଂକେତରେ ମୋ ପ୍ରାଣ ଉଦବେଳିତ ହୋଇ ଉଠେ । ଠିକ୍ ଏହି ସମୟକୁ ବର୍ଷା ପଡ଼େ । ଗୀତ ଆଉ ଶୁଭେନା…

 

ମୁଁ ଶୋଇପଡ଼େ, ସ୍ୱପ୍ନ ଦେଖେ ଗୀତାକୁ । ଗୀତା ଧୀର ମନ୍ଥରଗତିରେ ଆସୁଛି ସାଥିରେ ତାର ରକ୍ତାଭ ଯୌବନ । ଓଠରେ ପୀୟୁଷ, ଆଖିରେ କଟାକ୍ଷ, ପ୍ରାଣରେ ସ୍ପନ୍ଦନ । ସେ ଆସି ମତେ ଡାକେ—କ’ଣ ଆସୁ ଆସୁ ଶୋଇ ପଡ଼ିଲଣି ? ମୁଁ ନିଘୋଡ଼ ନିଦରେ ଶୋଇଚି । ସେ ଆଉ ମତେ ହଲାଏ ନା । ଧୀରେ ମୁଣ୍ଡକୁ ନୁଆଇଁ ଆଣେ । ତା ଓଠରେ ମୋ ଓଠକୁ ମିଶାଏ । ଠିକ୍ ଏତିକି ବେଳକୁ ସକାଳ ପାହି ଆସେ । ମୋ ନିଦ ଭାଙ୍ଗିଯାଏ, ଦେଖେ ଗୀତା ନାହିଁ, ଲତା ଓଠରେ ମୋ ଓଠ । ମୁହଁକୁ କାଢ଼ି ନେଇ ମୁଁ ମନେ ମନେ କାନ୍ଦେ…..କିନ୍ତୁ ଲତା ହସେ ।

 

ଲତା ମୋ ସ୍ତ୍ରୀ ଅଙ୍କଶାୟିନୀ ।

Image

 

Unknown

ନୀଳିମା

 

ଗୋଟିଏ ଛୋଟ ଟୁଲ୍ । ଆଉ ଗୋଟିଏ ଚମଡ଼ା ଖାତା । ଖାତାରେ ଦସ୍ତଖତ ବା ସନ୍ତକ ଧାଡ଼ିକି ଧାଡ଼ି ଲମ୍ବେ । ଟୁଲ୍‍ଟି ମଧ୍ୟ ଆଗକୁ ଘୁଂଚିଯାଏ ।

 

ଯୁବକ କଣ୍ଡକ୍ଟର ନିରଞ୍ଜନ ପ୍ରଥମେ ପ୍ରଥମେ କିଛି ବୁଝି ପାରୁନଥିଲା । ଷ୍ଟେସନ ଷ୍ଟେପେଜ ଦେଖି ବା ବାଟରେ ଯାତ୍ରୀର ଡାକରା ପାଇ ପଛଆଡ଼ୁ ଲମ୍ବିଥିବା ଦଉଡ଼ିଟା ଝିଙ୍କିଲାଭଳି ସବୁଦିନେ ଖାତାଟା ଉପରେ ଦସ୍ତଖତ କରିବା—ତାର ଯେମିତି ଗୋଟାଏ ଆଭ୍ୟାସରେ ପଡ଼ିଯାଇଛି ।

 

ଟୁଲ୍‍ଟା ଗତକାଲି କୁଉଠି ଥିଲା—ହାତେ ଆଗକୁ ଯାଇଛି କି ପଛକୁ ଘୁଞ୍ଚିଛି ଭାବିବାର ସମୟ କାହିଁ ! ଇମିତି ମଟର ଚାଲିଥିବ, କଥା ଜମିଥିବ, ସିଏ ଭଲ । ଯାତ୍ରୀ ନ ଓହ୍ଲେଇଲେ ବି ଖାଲି ଖାଲି ଗୋଟାଏ ଦସ୍ତଖତ କରିବାଲାଗି ଗାଡ଼ିଟାକୁ ଅଟକେଇ ଝଟକିନି ଆସିବା କାମଟାକୁ ସେ ବଡ଼ ଘୃଣା କରେ । ବଡ଼ ବିରକ୍ତ ଲାଗେ । ତେଣୁ ଟୁଲ୍‍ର ଆଗକୁ ପଛକୁ ଯିବାର କାରଣଟା କଥା ସେ କେବେ ଭାବି ନ ଥିଲା ।

 

ପ୍ରଥମେ ଯେଉଁ ଦିନ ତାଙ୍କ ଦାଣ୍ଡ ଉପରେ ଆସି ପୁଲିସ ଖାତାଟା ଥୋଇ ଦେଇଗଲା, ସେ ଦିନକୁ ବୋଧହୁଏ ନୀଳିମାର ବୟସ ହୋଇଥିଲା ତେର କି ଚଉଦ । ଶାଢ଼ି ପିନ୍ଧି ଜାଣି ନଥିଲା, ଫ୍ରକ ପିନ୍ଧୁଥିଲା । ବେଣୀ ବାନ୍ଧିବା ବା ଯୁଡ଼ା ବାନ୍ଧିବା ଲାଗି ବାଳ ଛାଡ଼ି ନଥିଲା । ମୁଣ୍ଡରେ ଥିଲା ବାବୁରୀ ବାଳ ଭଳି ଗଣ୍ଡିଏ ବାଳ ।

 

ଖୁବ୍ କଡ଼ା ସ୍ଵରରେ ପୁଲିସ୍‍କି କହିଥିଲା, କାହିଁକି ଥାନା କ’ଣ ନାହିଁ, ଆମରି ଦାଣ୍ଡ ଦୁଆରେ ଆଣି ଟୁଲ୍‍ଟା ଏଇ ଖାତାଟା ଥୁଆ ହେବ । ସବୁଦିନେ ବସ୍ ଯାତ୍ରୀମାନେ ଆସି ଜମାହେବେ । ବାଲି ଧୂଳି ଉଡ଼ିବ ! ବସ୍‍ର ଯୋଉ ଗନ୍ଧନା ! ନାଁ ବାପା, ମନା କରିଦିଅ—ଆପତ୍ତି କରି ସେ ବାପାଙ୍କୁ ଗୁହାରି କରିଥିଲା ।

 

ବାପା ଅବସରପ୍ରାପ୍ତ ଜଣେ ପୋଲିସ ଅଫିସର, ମନା କରିନଥିଲେ, ବରଂ ଆଗ୍ରହରେ ପୋଲିସବାଲାଙ୍କୁ କହିଥିଲେ, ଏଇଠି ରଖ । ବସ୍‍ଟା ଦାଣ୍ଡଦୁଆରେ ରହିବ, ସୁବିଧା ତ ଟିକିଏ ହେବ-। ଡ୍ରାଇଭର ପଇସା ଦେଲେ ରମ୍ଭାରୁ ମାଛ ଆସି ପାରିବ, ହାତରେ ଚିଠିପତ୍ର ମଧ୍ୟ ଦିଆନିଆ ହୋଇ ପାରିବ, କେତେ ସୁବିଧା । ପୋଲିସ ଅଫିସର, ପୁଣି ବ୍ରିଟିଶ ବେଳର । କେତେ ଅକଲ ମାଲୁମ-

 

କେତେ ମଟରର କେତେ କଣ୍ଡକ୍ଟର ବଦଳୁଛନ୍ତି, କିନ୍ତୁ ଏଇ ବସ୍‍ଟାର କଣ୍ଡକ୍ଟର ଟ୍ରାନ୍ସପୋର୍ଟ କମ୍ପାନୀର ଜନ୍ମବେଳୁ ସେମିତି ରହିଛି । ସେଇ ପୁରୁଣା ଚମଡ଼ା ବ୍ୟାଗଟା, ହାତରେ ସେଇ ଛୋଟ ଲେଡ଼ିଜ୍ ୱାଚଟା, ବୟସ ଚବିଶ କି ପଚିଶ, ବଳିଷ୍ଠ ଚେହେରା । କଣ୍ଡକ୍ଟର ୟୁନିଫର୍ମ ଡ୍ରେସଟାକୁ ଝାଙ୍କି ଝୁଙ୍କି ପିନ୍ଧି ଯେତେବେଳେ ସେ ବାହାରି ପଡ଼େ ନା, ଦେଖାଯାଏ ଠିକ କମାଣ୍ଡର ନାନାବତୀ ଭଳି ।

 

ପ୍ରତିଦିନ ଦସ୍ତଖତ କରି ବସ୍‍କୁ ଫେରିବାବେଳକୁ ବିଗତ ପୁଲିସ ଅଫିସରଙ୍କ ଡାକପଡ଼େ, ବାବୁ ନିରଞ୍ଜନ, ଏ ଦିନେ ରମ୍ଭାରେ ଭଲ କଙ୍କଡ଼ା ମିଳେ । ପଇସା ନେଇଥାକି, କାଆଲି ଆସିଲାବେଳେ ଆଣିଦେବୁ । ନିରଞ୍ଜନ ନାହିଁ କରି ପାରେନା ।

 

ଇମିତି ମାସକେ ୧୫ ଦିନ ପଇସା ମିଳେ କିନ୍ତୁ ପ୍ରତିଦିନ ବାଲୁଗାଁ, ରମ୍ଭା ବା କଟକରୁ କିଛି ନା କିଛି ଆସେ । ପଇସା ନଦେଲେ ବାକି ପନ୍ଦରଦିନ ବିଗତ ହାକିମସାହେବ କହିଦେଇ ଥାଆନ୍ତି, ବାବା, ତୁଆଣିଦେଇଥିବୁ କି ଏଇଠି ପଇସା ଦେଇଦେବି । ଜିନିଷ ଆଣି ହାଜର କଲାବେଳେକୁ ହାକିମ ଘରେ ଥାଇ ମଧ୍ୟ ନଥାନ୍ତି । ଚାକର କେବଳ ଗୋଟିଏ ଭାଷା ଶିଖିଥାଏ, ‘ବାବୁ ନାହାନ୍ତି ।’

 

ଦିନେ ନୀଳିମାର ପାଳିପଡ଼ିଲା ଏଇତକ୍ କହିବା ପାଇଁ । ସେଦିନ ଡାଇଭର ପରିହାସ କରି ବାଲୁଗାଁଠି କହିଥିଲା, କିରେ ନିରଞ୍ଜନ, ଭଲ ଆଖୁ ମିଳୁଛି । ଥୋଡ଼ା କିଣ । ହାକିମଙ୍କୁ ଦେବୁ ।

 

ନିରଞ୍ଜନ ଉତ୍ତର ଦେଇଥିଲା, ଥଟ୍ଟା କରନା ଭାଇ ! ଆଜିକି ପନ୍ଦର ଦିନ ହେଲା ପଇସା ପତ୍ର କିଛି ନାହିଁ । କିନ୍ତୁ ପ୍ରତିଦିନ ଚାକର ହାତରେ ଚିଠା ହାଜର କରାଯାଉଛି । ଆଜି ଗୁଡ଼ାଖୁତ କାଲି ପିଆଜ, ଆଳୁ, କୋବି । ଆଜି ଆଉ କିଛି ହେବନି ।

 

ବସ୍ ଆସି ଦୁଆରେ ପହଞ୍ଚିଲା । ନିରଞ୍ଜନ ଗଲା ସନ୍ତକ କରିବା ପାଇଁ । ତଳମହଲାରେ ହାକିମ ଯେଉଁଠି ଆରାମ ଚଉକିରେ ଗୋଡ଼ ଲମ୍ବେଇ ମୁହଁକୁ ଲୁଚେଇ ବସି ଥାଆନ୍ତି, ଠିକ୍‍ ସେଇ ଆଡ଼କି ଗୋଟାଏ ତୀବ୍ରଦୃଷ୍ଟି ନିକ୍ଷେପ କରି ଫେରି ଆସୁ ଆସୁ ଉପର ଛାତରୁ ଶୁଣାଗଲା, କଣ୍ଡକ୍ଟର ବାବୁ, ବାପା ନାହାନ୍ତି ।

 

କିନ୍ତୁ ମୋର ପଇସା କେବେ ମିଳିବ ?

 

ପଇସା ? ନୀଳିମା ଆଶ୍ଚର୍ଯ୍ୟ । ବାପା ତାହାହେଲେ ପଇସା ଦେବାକୁ ପଡ଼ିବ ବୋଲି ଘରେ ରହି ସୁଦ୍ଧା ନରହିଲା ଭଳି ବାହାନା କରୁଛନ୍ତି ।

 

ପୁଲିସ ଓ ଡାକ୍ତର ପରିବାରରେ ବାବୁ ଥିଲେବି ନାହିଁ କରି ପଠେଇବାଟା ଗୋଟାଏ ପୁଣ୍ୟକାମ । ଅଭ୍ୟାସଗତ ପେଶା । ତେଣୁ ନୀଳିମା ମୁହଁରେ ‘ନାହାନ୍ତି’ କହିବା ଭାଷାଟା ନୂଆ ନୁହେଁ । ପିଲାଟିଦିନୁ ସେ ଦରୋଟି କଥା କହି କହି ଏଇ ଶବ୍ଦଟାକୁ ଯେମିତି ଆୟତ୍ତ କରି ନେଇଛି । ଯେଉଁଠି ଚାରି ପଇସାର ଆଶା ନାହିଁ ସେଠି ରୁହନ୍ତୁ, ଅପେକ୍ଷା କରନ୍ତୁ, ଆଜି ହେବନି, କାଲିକି ଆସିବେ—ଇମିତି ଗୁଡ଼ାଏ ଅଭିଧାନରେ ନଥିବା କଥା ଶୁଣିବାକୁ ମିଳେ । ପଇସା ଦେଲାବାଲାର ତୁଣ୍ଡ ଶୁଣିଲା ମାତ୍ରେ ବାବୁ ଖାଇବା ଥାଳି ଛାଡ଼ି ମଧ୍ୟ ହାଜର ହୁଅନ୍ତି—ଏଇଠି ଭାଷା ବାହାରେ—ଆଜ୍ଞା କହିବା ହୁଅନ୍ତୁ ।

 

ଏଇମିତି କାରବାରରେ ନୀଳିମା ନାହାନ୍ତି ଶବ୍ଦଠାକୁ ପ୍ରୟୋଗ କରିବାକୁ କୁଣ୍ଠାବୋଧ କରେନା । କିନ୍ତୁ ବାପା ଯେ ଜଣଙ୍କ ସରଳତାରୁ ସୁଯୋଗ ଉଠେଇବା କାମରେ ଲାଗି ପଡ଼ିଛନ୍ତି ଏତେଦିନ ଧରି ସେ ବୁଝିପାରି ନଥିଲା ।

 

କଣ୍ଡକ୍ଟର ନିରଞ୍ଜନ ସେଦିନ ଦ୍ୱିତୀୟଥର ପାଇଁ ଦେଖିଲା ନୀଳିମାକୁ । ନୀଳ ନାଇଲନ୍ ଶାଢ଼ିଭଳି ଏକ ସ୍ନିଗ୍ଧ ଶୀତଳ ଚେହେରା । ପ୍ରଥମେ ଯେଉଁଦିନ ସେ ଖାତା ଦିହରେ ପ୍ରଥମ ସନ୍ତକ କରିଥିଲା, ସେତେବେଳେ ଦେଖିଥିଲା ନୀଳିମା ଥିଲା କିଶୋରୀ, କିନ୍ତୁ ଭାରି ଉଗ୍ର । ବାପାଙ୍କୁ ଧମକେଇ ସେ ପଟାଲ ପଟାଲ ଗୁଡ଼ାଏ କ’ଣ କହିଗଲା—କିଛି ବୁଝିନପାରି ସେ ଖାଲି ହସି ଦେଇ ଚଢ଼ିଯାଇଥିଲା ବସ୍ ଉପରକୁ । କିନ୍ତୁ ଆଜିର ନୀଳିମା ସେଇ ଆଠ ବର୍ଷ ତଳର ସେଇ ଛୋଟ ବୟସର ନୀଳିମା ନୁହେଁ । କୈଶୋରର ନୀଳିମା ପଛକୁ ପଛ ହଟି ଯାଉଛି, ଯୌବନର ନୀଳିମା ତା ଦେହ, ଆଖିପତା ଚାରିଆଡ଼େ ଯେମିତି ବିଞ୍ଚି ହୋଇ ପଡ଼ିଛି ।

 

ନୀଳିମା ପଚାରିଲା—ପଇସା, କେତେ ପଇସା ?

 

ନିରଞ୍ଜନ ନିର୍ବାକ । ନିଷ୍ପଦ । ଡ୍ରାଇଭରର ଥଟ୍ଟା ଚୁଗିଲି ଏପରିକି କ୍ଲିନରଟାର ମୁରୁକି ମୁରୁକି ହସରେ ବ୍ୟତିବ୍ୟସ୍ତ ହୋଇ ନିରଞ୍ଜନ ମନେ ମନେ ଭାବିଥିଲା—ଆଜି ପଇସା ମାଗିବ । ୧୨ ତାରିଖରୁ ଆଜି ଆସି ହେଲା ୨୭ ତାରିଖ । ପ୍ରତିଦିନ ଦୁଇତିନି ଟଙ୍କାର ଉପଢୌକନ । ହାରାହାରି ହିସାବ କଲେ, ୩୦ ଟଙ୍କାରୁ କମ୍‍ ହେବନି । ଛୋଟ ଭାଣିଜୀଟା ସେଦିନ କେତେ ଅଝଟ ଲଗେଇ କହିଥିଲା—ମାମୁଁ ମୋ ପାଇଁ କଟକରୁ ରିବନ୍ ପାଞ୍ଚ ଗଜ ଆଣି ଦେବ । କ’ଣ ଆଣି ପାରୁଛି ? ମନେ ବା ପଡ଼ୁଛି କେତେବେଳେ ? ରାତି ୧୨ରେ ଯାଇ ବସ୍‍ ପହଞ୍ଚିବ, ପୁଣି ସକାଳ ୬ରୁ ଡିଉଟି ।

 

କାହାରି କଥା ମନେପଡ଼ୁନି, କିନ୍ତୁ ହାକିମ୍‍ଙ୍କ ଜିନିଷଗୁଡ଼ାକ ଆଣିଲା ବେଳକୁ ଠିକ୍ ମନେପଡ଼ି ଯାଉଚି ।

 

ନୀଳିମା କେତେ ନମ୍ରସ୍ୱରେରେ ପଚାରିଥିଲା । ନିରଞ୍ଜନର ଇଚ୍ଛା ଥିଲା, କିଛି ଉତ୍ତର ନ ଦେଇ ଖାଲି ନିଷ୍ପଲକ ନେତ୍ରରେ ଚାହିଁ ରହି ଥାଆନ୍ତା । କିନ୍ତୁ ପଦେହେଲେ କଥା କହି ପାରିଲାନି କି ମନ ଭରି କ୍ଷଣେ କାଳ ମଧ୍ୟ ଚାହିଁ ପାରିଲା ନାହିଁ ।

 

ଡ୍ରାଇଭର ଦୂରରୁ ହର୍ଣ୍ଣ ଦେଲା—ବସ ଭିତରେ ଯାତ୍ରୀଙ୍କ କୋଳାହଳ ଗାଳି, ଗୁଲଜ, ଡାକ ପଡ଼ିଥାଏ—କଣ୍ଡକ୍ଟରବାବୁ, ବାବୁ ଶୀଘ୍ର ଆସ । କିଏ କହୁଚି, ଏତେ ଲେଟ୍ ! ମାଛଗୁଡ଼ାକ ଆଣିଲି ସିନା, ଗଲାବେଳକୁ ଆଉ କ’ଣ ଥିବ ? ଏକାବେଳକେ ପଚି ଗଲାଣି । ଏଯୋ ଖରାନା, ଦଣ୍ଡକୁ ପଚିପାଚି ଏକାବେଳକେ ନଷ୍ଟ । ବସ୍ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ଲାଗି ଆଉ ସାତ ଆଠ ମାଇଲ ବାଟ । ସବୁ ଭୁଲି ଯାଇଚି ନିରଞ୍ଜନ । ତା ଆଖିରେ ସେଇ ଗୋଟିଏ କ୍ଷଣିକର ସ୍ମୃତି । ମନରେ କେତେ କଳ୍ପନା । ଭାବେ, ତାହାହେଲେ ଟୁଲ୍‍ଟା ଏଥିପାଇଁ ଆଗକୁ ଘୁଞ୍ଚେ । ଯୁଗ କେତେ ବଦଳି ଯାଇଚି । କ’ଣ ସମ୍ଭବ ନୁହେଁ ? ସବୁ ସମ୍ଭବ । କନ୍ଦର୍ପ ପରି ପିଲା ତ ପୁଣି ଗୁଣ ଦେଖି ବିବର୍ଣ୍ଣ ଚେହେରାର ପିଲାକୁ ଭଲ ପାଏ, ରଜାଝିଅତ ପୁଣି ସର୍ବହରା ଦୀନ ଦରିଦ୍ର ଯୁବକର ପାଣିଗ୍ରହଣ କରେ । ଇତିହାସର କେତେ ରୂପକଥା, କେତେ ସିନେମାର କେତେ କାହାଣୀ ତା ମନରେ ଢେଉ ଭାଙ୍ଗେ ।

 

ଇମିତି ମଟର ଯାଉଛି, ଆସୁଛି ।

 

ନିରଞ୍ଜନ ଏତେତଦିନେ ବୁଝି ପାରିଲା ଟୁଲ୍‍ଟା ଆଗକୁ ଆଗକୁ କାହିଁକି ଘୁଞ୍ଚେ ପ୍ରଥମେ ଟୁଲ୍‍ଟା ଥିଲା ଘର ବାରଣ୍ଡାର ତିନି ଗଜ ଦୂରରେ । ଦୁଇ ବର୍ଷ ପରେ ସେ ଦେଖିଲା ହଠାତ୍ ଯାଇ ପଡ଼ିଛି ବାରଣ୍ଡା ଉପରେ ।

 

ସେଦିନଠୁ ନିରଞ୍ଜନ ମନଟା କାହିଁକି କେଜାଣି ଏକବାରେ ଉଦବେଳ, ଆଉ ଚାକରହାତରୁ ଚିଠା ମିଳେନା, ହାକିମଙ୍କଠୁ ବରାଦ ଆସେନା । ଏତେ ବଡ଼ କୋଳାହଳଟା ଯେମିତି ହଠାତ୍ ନିଶୂନ, ଫୁଲଷ୍ଟପ୍ । କିନ୍ତୁ ନିରଞ୍ଜନର ପୂର୍ବ ଅଭ୍ୟାସର ମାତ୍ରା ବଢ଼ିଲା ସିନା, କମିଲା ନାହିଁ । ପରିବା ବ୍ୟାଗର ଓଜନ ବଢ଼େ । ଦସ୍ତଖତ କରିସାରି, କବାଟ କୁଣେ ବ୍ୟାଗଟା ରଖି ଦେଇ ଆସେ ।

 

ଆଖି ଦିଇଟା ତାର ବହୁତ ଖୋଜେ । ନିରାଜ ହୋଇ ଫେରି ଆସିଲା ବେଳକୁ ଝରକା ଫାଙ୍କ ଦିହରେ ଦେଖେ ସେହି ନୀଳିମାର ନୀଳ ନୀଳ ଦୁଇଟି ଆଖି । ଆଖିରେ ଆଖି ପଡ଼ିବାମାତ୍ରେ ଝରକା ବନ୍ଦ ହୋଇ ଆସେ । ସୂର୍ଯ୍ୟାସ୍ତର ଶେଷ କିରଣ ଭଳି ନୀଳିମା ମୁହଁରେ ଖାଲି ଗୋଟାଏ ମୁରୁକି ହସ ।

 

ଉଲ୍ଲାସରେ ଉଲ୍ଲସିତ ହୋଇ ଉଠେ ତାର ଅଣଓସାରିଆ ବୁକୁତଳଟା । ମଟରର ହର୍ଣ୍ଣ ତା କାନକୁ ଶୁଭେନି । ଖାଲି ସେମିତି ଚାହିଁରହିଥାଏ, ଝରକାଟା ଆଉ କ’ଣ ଖୋଲିବନି ? ଖୋଲେନି, କିନ୍ତୁ ଗୋଟିଏ ସରୁଗଳାରୁ କ୍ଷୀଣ ସ୍ୱର ଶୁଣିବାକୁ ପାଏ—ପଇସା ନେବେନି ?

 

ନିରଞ୍ଜନ ମୁହଁଟା ଗମ୍ଭୀର ହୋଇ ଆସେ, କିଛି କହେନା । ମନେହୁଏ ତାର ସବୁ ହିସାବ ଯେମିତି ଏ ଗୋଟିକ ପ୍ରଶ୍ନରେ ଏକାବେଳକେ ତୁଟି ଯାଇଛି ।

 

ଥରେ ଥରେ ଖାତାରେ ଦସ୍ତଖତ କଲାବେଳେ ନିରଞ୍ଜନ ଭାବେ ଦୁଇଧାଡ଼ି ଲେଖିଦେଇ ଯାଆନ୍ତା ସେ—କିନ୍ତୁ କ’ଣ ଯେ ଲେଖନ୍ତା ସେ ଭାବି ପାରେନା ।

 

ପ୍ରତିଦିନ ଟୁଲ୍‍ଟା ଇଞ୍ଚେ ଦୁଇଇଞ୍ଚ କରି ଘର ଭିତର ଆଡ଼ିକ ଘୁଞ୍ଚିଚାଲେ । ଟୁଲ୍‍ଟା ଯେତିକି ଘୁଞ୍ଚି ଆସେ, ନୀଳିମାର ସାନିଧ୍ୟ ପାଇଁ ନିରଞ୍ଜନର ବ୍ୟାକୁଳତା ସେତିକି ବଢ଼େ ।

 

କିନ୍ତୁ ଯେଉଁଦିନ ଟୁଲ୍‍ଟା ଏକାବେଳକେ ଘର ଭିତରକୁ ଘୁଞ୍ଚି ଆସିଥିଲା, ସେଦିନ କରି ଦୁର୍ଭାଗ୍ୟବସତଃ ନିରଞ୍ଜନ ଅନୁପସ୍ଥିତ । ଅନ୍ୟ ଏକ ରୁଟରେ ତା ପାଳି ପଡ଼ିଥାଏ । ସେଦିନ ସେଘରେ ପେହେଁକାଳି ବାଜିଥିଲା, ଭୋଜି ଭାତ ହୋଇଥିଲା, ବହୁଲୋକଙ୍କ ସମାଗମ ହୋଇଥିଲା-। ଡ୍ରାଇଭର ଏସବୁ ଦେଖି ନିରଞ୍ଜନ ଲାଗି ଦୁଇଟୋପା ଲୁହ ଗଡ଼େଇ ଦେଇ ସେଇଠୁ ସଙ୍ଗେ ସଙ୍ଗେ ଗାଡ଼ି ଛାଡ଼ି ଦେଇଥିଲା । ଅନ୍ୟ କଣ୍ଡକ୍ଟର ସାଥିରେ ଦାଣ୍ଡଦୁଆରକୁ ଯାଇ ସେ ଲକ୍ଷ୍ୟ କରି ଆସିଥିଲା ଝରକା ଫାଙ୍କରେ ସେଇ ଦିଇଟା ଆଖି ।

 

ଡ୍ରାଇଭରଙ୍କୁ ଦେଖି ନୀଳିମା ସେଇ ସରୁ କ୍ଷୀଣସ୍ୱରରେ ପଚାରିଥିଲା, କଣ୍ଡକ୍ଟର ନିରଞ୍ଜନ-?

 

ଆପସେଣ୍ଟ ।

 

ନୀଳିମାର ବିବାହ ଆଜି ଶେଷ ହେଲା ଜଣେ ବଡ଼ ଇଞ୍ଜିନିୟରଙ୍କ ସହିତ । ଆଉ ତିନିଦିନ ବାଦେ ସେମାନେ ଚାଲିଯିବେ ହାଇଦରାବାଦ ।

 

ଡ୍ରାଇଭରଙ୍କଠୁ ଖବର ଶୁଣି ତା ଆରଦିନ ବାତୁଳଙ୍କ ଭଳି ଧାଇଁ ଆସିଥିଲା ନିରଞ୍ଜନ । ଦେଖିଲା ପୂର୍ବପରି ଟୁଲ୍‍ଟା ଆସି ଥୁଆ ହୋଇଛି ଦାଣ୍ଡ ପିଣ୍ଡାରୁ ଚାରି ପାଞ୍ଚ ଗଜ ଦୂରରେ

 

ନୀଳିମାର ନୀଳଆଖି ଦିଇଟା ସେ ଝରକା ଫାଙ୍କ ଆଡ଼ୁ ଦେଖାଯାଉନି । ସବୁ ଯେମିତି ଖାପଛଡ଼ା । ହାକିମ ହାକିମାଣୀଙ୍କ ସ୍ୱର ଶବ୍ଦ ନାହିଁ । କୁକୁର ଭୁକୁନି । ଦାଣ୍ଡବଗିଚାର ଫୁଲଗୁଡ଼ିକ ଦେହରୁ ବାସନା ଛୁଟୁନି । ହସ ଲିଭି ଯାଇଚି ।

 

ଚାକର ଆଣି ଦେଲା, ଏଇ ଦେଈଙ୍କ ଚିଠି ।

 

ବଡ଼ ଗୋଟାଏ ଲଫାଫା । ଅଫିସମାନଙ୍କରୁ ଆଦେଶନାମା, ଡିସ୍‍ମିସ ଅର୍ଡର ଆସିଲେ ଏଇମିତି ଲଫାଫା ଦେହରେ ଆସିଥାଏ ।

 

ନିରଞ୍ଜନ ଚିଠି ଚିରି ଦେଖିଲା, ଗୋଟାଏ ଲମ୍ବା ତାଲିକା । ସେ ଯେଉଁ ଦିନଠୁ ଯାହା ଆଣି ଘରେ ଦେଇ ଯାଇଛି ତାର ଟିକିନିଖି ହିସାବ, ତା ସାଙ୍ଗରେ ଗୁଡ଼ାଏ ନୋଟ । ଏକଶହ ଚଉତିରିଶ ଟଙ୍କା ଆଠଣା । ଶେଷରେ ଗୋଟାଏ ବେଦନାବିଦଗ୍ଧ ଧନ୍ୟବାଦ ।

 

ଖଣ୍ଡିଏ ମାତ୍ର ଚିଠି ।

 

ନିରଞ୍ଜନ ବାବୁ, ତୁମ ବସ୍‍ର ଯାତ୍ରୀ ହେବି ବୋଲି ମୁଁ କେବେ ଚିନ୍ତା ସୁଦ୍ଧା କରିନଥିଲି । ତୁମ ଆଗରୁ ମୁଁ ଟିକଟ କାଟି ସାରିଥିଲି ହାଇଦ୍ରାବାଦ ବସରେ । ତୁମେ ଯେଉଁଦିନ ମୋର ସାମନା ସାମନି ହୋଇ ଥାଆନ୍ତ, ସେହିଦିନ ଏଇ ନୋଟ ତକ ଆଉ ଏଇ ହିସାବଟା ଦେଇ ତୁମକୁ ବିଦାୟ କରିଦେଇଥାଆନ୍ତି । କିନ୍ତୁ ତୁମେ ସେହିଦିନ କରି ଅନୁପସ୍ଥିତ ରହିଲ । ଏଇ ତୁମର ହିସାବ ଓ ଟଙ୍କା-। ଜୀବନରେ ଆଉ କେବେ ଏମିତି ଭୟରେ କିମ୍ବା ପ୍ରଲୋଭନରେ ପଡ଼ି ନିଜକୁ ନିଜେ ଠକେଇବନି-। ଇତି ।

 

ନୀଳିମା

Image

 

ରଙ୍ଗବତୀର ସୁଡ଼ଙ୍ଗ

 

ସନିଆ ରିକ୍ସା ଟାଣେ । ରାତି ସାରା । ସନ୍ଧ୍ୟା ସାତରୁ ସକାଳେ ପାଞ୍ଚ ଯାଏ । ସେ ଦିନ ରାତି ବାର । ସେକେଣ୍ଡ ସୋ ସିନେମା ଭାଙ୍ଗିଲା । ହିନ୍ଦ୍ ସିନେମା । ଜଣେ ଯୁବକ ଆସି ପଚାରିଲେ ‘ରିକ୍ସା ଯାଏଗା’ ?

 

‘ହଁ ବାବୁ, ଯାଏଗା’…ହିନ୍ଦିରେ ଉତ୍ତର ଦେଲା ସନିଆ । ସେ ଦେଖିଲା ସାଙ୍ଗରେ ଜଣେ ସୁନ୍ଦରୀ ବାଳିକା । ସେ ବି ଯିବେ ତା ରିକ୍ସାରେ । ଭଡ଼ା ନ ଛିଡ଼େଇ ସେ କହିଲା, ‘ବାବୁ ବୈଠୋ’ ।

 

ସନିଆର ରିକ୍ସା ଛୁଟିଛି—ଯୋବ୍ରା ପାର ହୋଇ ପେୟାରୱେଦର ରୋଡ଼ରେ, ମହାନଦୀର ଶୀତଳ ପବନ ଶୀରି ଶୀରି ବହି ଚାଲିଛି । ସନିଆ ସମୟେ ସମୟେ ଚାହୁଁଛି ପଛକୁ । ତାର ଇଚ୍ଛା ଜହ୍ନ ରାତିରେ ଝିଅଟି ମୁହଁ କେମିତି ଦିଶୁଚି ଦେଖିବ । ପଛରେ ଲାଇଟ ଲିଭିଚିକି ଜଳୁଚି ଦେଖିବାର ଛଳନା କରେ ସନିଆ । ମଠେଇ ମଠେଇ ରିକ୍ସା ଟାଣେ । ମହାନଦୀ ପାର ହୋଇ ଚଉଦ୍ୱାରରେ ସେ ଛାଡ଼ି ଆସିବ—ଆହୁରି ବହୁତ ବାଟ । ଦୂରତା ଲାଗି ତା ମନରେ ବିରକ୍ତି କିମ୍ବା କ୍ଳାନ୍ତି ନାହିଁ । ପେଡ଼ଲ୍‍କୁ ଘୂରାଇ ଘୂରାଇ ସେ ମଝିରେ ମଝିରେ ମନ ମତାଣିଆ ଗୀତଗାଉଛି ‘ରମାୟା ଓ୍ୱସ୍ତା ୟା ।’

 

ନଦୀ ପାରହେବାକୁ କିଛିବାଟ ଅଛି, ସନିଆ ପଛକୁ ମୁହଁ ଫେରାଇ ଚାହିଁଲା—ଝିଅଟି କ୍ରମେ କ୍ରମେ ଢଳି ଆସୁଚି ଯୁବକଟିର କୋଳକୁ, ଯୁବକଟିର ଆଙ୍ଗୁଠି ପହଁରି ଯାଉଛି ଝିଅଟିର ସ୍ନିଗ୍ଧ ବାଳ କେରାକ ଉପରେ ।

 

ମନଟା ଉଲ୍ଲସି ଉଠିଲା ସନିଆର । ଦେହଟା ଯାକରେ ଶିହରଣ । ପେଡାଲ ଉପରୁ ଗୋଡ଼ଟା ଖସି ଖସି ଯାଉଛି । ତାର ଇଚ୍ଛା ଥରକୁଥର ସେ ଚାହାଁନ୍ତା । ପ୍ରତି ମୁହୂର୍ତ୍ତରେ ସେ ଦେଖନ୍ତା ଏହି ଲଜ୍ଜାହୀନ ଉନ୍ମୁକ୍ତ ପ୍ରେମକୁ । ଯୁବକ ସେ । ବିବାହ କରିଛି । ଘରେ ତାର ସ୍ତ୍ରୀ ରଙ୍ଗବତୀ । ଏକାକିନୀ । ସ୍ତ୍ରୀ ସାଥିରେ ରାତିରେ ଘଡ଼ିଏ କଥାବାର୍ତ୍ତା କରିବାକୁ ତାକୁ ସମୟ ମିଳେନା । ପେଟକୁ ମୁଠାଏ ପାଇଁ ରାତିସାରା ସେ ଅନିଦ୍ରା ରହେ । ଯାତ୍ରୀ ନମିଳିଲେ ବି ଗଳିର ଛକମୁଣ୍ଡରେ ସେ ଗାମୁଛା ଘୋଡ଼େଇ ହୋଇ ରିକ୍ସା ଉପରେ ଶୋଇ ରହେ । ଆଗରେ ଘର । ଛକକୁ ଦି’ ପାହୁଣ୍ଡ ବାଟ । ତଥାପି ରଙ୍ଗବତୀକୁ ଶୋଇଥାଏ ଏକୁଟିଆ । ସନିଆ ରିକ୍ସା ଉପରେ ରଙ୍ଗବତୀକୁ କେବଳ ସ୍ୱପ୍ନ ଦେଖି—ବାଉଳି ହୁଏ । ଯାତ୍ରୀ ଡାକିଲେ ତାର ନିଦଭାଙ୍ଗେ—ପେଡ଼ାଲ ଉପରେ ଗୋଡ଼ଦିଏ । ତା ଆଖିରେ ଖାଲି ବାଟ ବାଟ । ପିଚୁରାସ୍ତା—ଗଳିର କାଦୁଅ ରାସ୍ତା—ଏ ଛକ, ସେ ଛକ, ଏଗଳି, ସେଗଳି । ରୋଜଗାର ଦଶ’ଣା କି ବାର’ଣା । ଭଡ଼ାକେ ଟଙ୍କାକରୁ ଅଧିକ କେବେ ସେ ପାଇନି ।

 

ରିକ୍ସା ଗଡ଼ି ଚାଲିଚି । ରିକ୍ସାରେ ତାର ମଧୁଶଯ୍ୟା । ଏହି ମଧୁପ୍ରଣୟର ଦୃଶ୍ୟ ଦେଖି ସନିଆ ମନରେ ଈର୍ଷା ହେଉଛି । ସେ ଚାହୁଁଚି ଏମିତି ଗୋଟିଏ ଧନବତୀ, ରୂପବତୀ ଝିଅ ତା ବୁକୁ ଉପରେ ଢଳି ଯାଆନ୍ତାକି ! ସେ ଖୋଜୁଛି ତା ରଙ୍ଗବତୀ ତା ପାଖରେ ଆଜି ଏ ଜୋତ୍ସ୍ନାତାରକିତ ରାତିରେ ଏଇ ନଈପଠାରେ ଥାଆନ୍ତି କି !

 

ହଠାତ୍ ରିକ୍ସା ଯାଇଁ ଧକ୍କା ଖାଇଲା ପଥର କାନ୍ଥି ଦେହରେ । ସାଙ୍ଗେ ସାଙ୍ଗେ ଗାଲରେ ଶକ୍ତ ଚାପୁଡ଼ା । ହଁ, ସେ ଦୋଷ କରିଛି—ଦୁଇଟି ପ୍ରାଣୀଙ୍କ ସ୍ୱର୍ଗୀୟ ପ୍ରେମରେ ବାଧା ଦେଇଛି—ମନେ ମନେ ମାନିନେଲା ସନିଆ । ଦେଖିଲା ରିକ୍ସାଟା ଠିକ୍ ଅଛି । ଧକ୍କା ଖାଇଲା ତା ମନ, ରିକ୍ସା ନୁହେଁ ।

 

ଫେରିଲାବେଳେ ମହାନଦୀର ସେଇ ସଡ଼କ ଉପରେ ସନିଆ ଭାବୁଚି ରିକ୍ସାରେ ତାର ଯେମିତି ଦୁଇଟି ଯୁବକ ଯୁବତୀ ବସିଛନ୍ତି । ପରସ୍ପର ଉପରକୁ ଢଳି ପଡ଼ୁଛନ୍ତି । ନିଶା ଘାରିଚି । ସନିଆ ଆଖିରେ ପୂର୍ବର ସ୍ୱପ୍ନ । ରିକ୍ସା ଖାଲି କିନ୍ତୁ ତାକୁ ଓଜନିଆଁ ଲାଗୁଚି ।

 

ଥାଉ ଆଜିକ ଭଡ଼ା—ଏଇ ତ ଦେଢ଼ଟଙ୍କା ହେଲାଣି !!

 

ରଙ୍ଗବତୀ ତା ଆଖିରେ ନାଚୁଛି । ସେ ଫେରିଲା ।

 

ରାତି ଦୁଇ—ଆକାଶରେ ଖଣ୍ଡି ଖଣ୍ଡିକିଆ ବଉଦ । ଭିତରେ ଚନ୍ଦ୍ର । ସନିଆ ଦୁଆର ଠକ୍ ଠକ୍ କଲା ।

 

“ରଙ୍ଗ ଦୁଆର ଫିଟା….”

 

ନିଶବଦ ରାତି—ସବୁ ଶୂନଶାନ୍ ।

 

କିଛି ଉତ୍ତର ମିଳିଲାନାହିଁ । ବୋଧହୁଏ ରଙ୍ଗ ନିଘୋଡ଼ ନିଦରେ ଶୋଇଚି । ବିଡ଼ିରୁ ପୁଳାଏ ଧୂଆଁ ଶୋଷିନେଇ ଜୋରରେ କବାଟ ବାଡ଼େଇଲା ସନିଆ ।

 

ଘର ଭିତରେ କଣ ଶବଦ ଶୁଭିଲା । ତା ପରେ ରଙ୍ଗର ପାଟି “କିଏ ?’’ ରସିକତାକରି ସନିଆ କହିଲା, “ଡିବି ଲଗାଇ ଦେଖ’ ତ ଜହ୍ନ ଆଲୁଅରେ ଦେଖାଯିବନି”

 

ଦୁଆର ଖୋଲିବାକୁ କାହିଁକି କେଜାଣି ଡେରିହେଲା । ଡେରିରେ ଡିବି ଲଗାଇ ଦୁଆର ଖୋଲିଲା ରଙ୍ଗବତୀ । ଭିତରେ ପଶି ସନିଆ କହିଲା, “ଆଜି ଆଉ ଭଡ଼ା ନାହିଁ । ତୁ ଜହ୍ନ ଆଲୁଅରେ ରିକ୍ସାରେ ବସ କି ମୁଁ ତତେ ବୁଲାଇ ନେବି ମହାନଦୀ ଆରପାରିକି ।’’

 

ହାତରୁ ଡିବିଟା ପଡ଼ି ନିଭିଗଲା । ସନିଆ ଲକ୍ଷ୍ୟକଲା ଗୋଟାଏ ଲୋକ ଦୁଆରବାଟେ ବାହାରିଗଲା । ରାତିର ଝାପ୍ସା ଆଲୁଅରେ ସନିଆ ଦେଖିଲା ଖାଲି ଗୋଟାଏ ମଣିଷର ଛାଇ ପାଦର ଦପ୍ ଦପ୍ ଶବ୍ଦ । ସେ ପଚାରିଲା, “କିଏ କିଏ ସେ ଗଲା ?’’

 

ରଙ୍ଗବତୀ ପଚାରିଲା, “କାହିଁ କିଏ ମ ?’’

 

“ଏଇ ଯେ ଏଇ ବାଟେ ଦଉଡ଼ି ପଳାଇଲା ।’’

 

“ତମ ମୁଣ୍ଡ ଭରମ ଖାଉଚିନା କଣ ମ ? କାଉ ପକ୍ଷୀ ଖଡ଼ି ଖଡ଼କଲେ ତମର ଭୟ !’’

 

ଆଉ ଶୁଣିଲା ନାହିଁ ରଙ୍ଗବତୀ । ଆଲୁଅ ଜଳିଲା । ପୁଣି ନିଭିଲା । ଆଦର ସିନିହରେ ରଙ୍ଗବତୀ ଟାଣି ନେଲା ସନିଆକୁ, କହିଲା, “ଶୁଅ ମ ! । ରାତି ଅଧ ହେଲାଣି । ଏତେ ଦିନକେ ଗୋଟାଏ ରାତି ଯେ ।’’

 

ଶେଯ ଉପରେ ଲମ୍ବ ହୋଇ ସନିଆ ପଡ଼ିଚି । ରଙ୍ଗବତୀକୁ କୋଳକୁ ଟାଣି ଆଣିବାକୁ ଇଚ୍ଛା ହେଉନି । ଖାଲି ଗୋଟାଏ କଥା—ସେ ଲୋକଟା କିଏ ? ରଙ୍ଗବତୀ ହାତରୁ ଡିବିଟା ପଡ଼ିଗଲା କାହିଁକି ? ସନିଆ ମନରେ ଖାଲି ସନ୍ଦେହ—ସେ ରାତିରେ ଆସୁନି ବୋଲି କଣ ରଙ୍ଗବତୀ ଏଇ କାରବାର କରୁଛି ! ! ରଙ୍ଗବତୀର ସବୁ ସ୍ନେହ କଣ ମିଛ !

 

+ + +

 

ସକାଳ ପାଇଲା । ଭୋଦୁଅ ସକାଳ । ସନିଆ ଦୁଆର ମୁହଁକୁ ଆସି ଦେଖିଲା ଖରା ପଡ଼ିଲାଣି । କିନ୍ତୁ ବଇଷମ ଆସିନି ରିକ୍ସା ନେବାକୁ । ତାର ରାତି, ଆଉ ବଇଷମର ଦିନ ରିକ୍ସା । ଦୁଇଜଣଙ୍କ ଭାଗ । ବଇଷମ ତାଠୁଁ ଛୋଟ । ଏକ ଗାଁର । ବଇଷମଠି ରଙ୍ଗବତୀର ଭାରି ଶରଧା । ଭେଣ୍ଡିଆ ଯୁଆନ । ଧୋବ ଶିରି ଶିରି ଦେହ । ଫୁଲୁକା ଫୁଲୁକା ଗାଲ । ରଙ୍ଗବତୀର ସେରନ୍ତା ଦିଅର ସେ । ଏକା ରକ୍ତର ନ ହେଲେ ବି ଏକା ଗାଁର—ୟାଙ୍କ ଲାଉଡଙ୍କ ତାଙ୍କ ଚାଳରେ ମାଡ଼େ । ଫଳ ଖା’ନ୍ତି ଦି ଘରଯାକ । ବଇଷମର ମା’ ମଲାବେଳେ କହି ଯାଇଥିଲା—ପର ବୋଲି ଭାବିବୁଜି ବଇଷମକୁ ରଙ୍ଗ—ସେ ତତେ ଲାଗିଲା ।

 

ସନିଆ ସାଥିରେ ବଇଷମ ରିକ୍ସା ଟାଣି ଆସିଥିଲା ସହରକୁ । ସନିଆ ଘରକୁ ଟଙ୍କା ପଠାଏ । ରଙ୍ଗବତୀ ଗାଁରେ ଏକୁଟିଆ । ଦିନେ ବଇଷମ ଜିଦ୍ କଲା, “ସନିଆଇ ! ନୂଆଉକୁ ନେଇଆ । ଏକାଠି ରହିବା । ଗଳିରେ ମୁଁ ଖଣ୍ଡେ ଘର ଦେଖିଚି ।’’

 

ବାରମ୍ବାର କହି ନିଜେ ଯାଇ ବଇଷମ ନେଇ ଆସିଥିଲା ରଙ୍ଗକୁ । ସନିଆ ତାକୁ ମା’ ପେଟର ଭାଇ ଭଳି ସ୍ନେହକରେ ।

 

ଗଲା ତିନି ବର୍ଷ ହେଲା ଏକାଠି ଖାଉଥିଲେ । ଦିନେ ସେ ଆସି କହିଲା, ‘ସନିଆଇ ମୁଁ ବାହାରେ ଖାଇବି ।’

 

ସନିଆ ପ୍ରତିବାଦ କଲାନି କିନ୍ତୁ ବଇଷମ ପ୍ରତିଦିନ ତା ଘରକୁ ଆସେ । ନୂଆ ବୋଉଠୁଁ ବିରି ଚକୁଳି ଖାଇଯାଏ । ନୂଆ ବୋଉ ପାଇଁ ଅଳତା, ରିବନ୍ ଆଣି ଦେଇଯାଏ । ରଙ୍ଗ ସାଙ୍ଗରେ ଲଗାଏ ଇସ୍କୁଲ ଝିଅଙ୍କ ଭଳି ଦୁଇଟା ବେଣୀ ଛାଡ଼ିବାକୁ । ଭାରି ଅଝଟ ତାର । ସବୁ ଆଖିରେ ଦେଖୁଚି ସନିଆ । ପିଲାଟିଏ ବୋଲି କୋଉଥିରେ ହେଲେ ବାଧା ଦେଇନି । ଏମିତି ଚାରି ପାଞ୍ଚ ବର୍ଷ କଟି ଗଲାଣି । କିନ୍ତୁ ବଇଷମ ଆଜି ଗଲା କୁଆଡ଼େ ? ରାତିରେ ସେ ସାମନା ଚୋଧୁରୀଘର ବାରଣ୍ଡାରେ ଶୁଏ । କାହିଁ ସେଠି ନାହିଁ ତ !

 

ରଙ୍ଗବତୀକୁ ପଚାରିଲା । ରଙ୍ଗବତୀ କହିଲା, ମୁଁ ତ କାଲି ରାତିରୁ ତାକୁ ଦେଖିନି । ସିନେମା ଯାଇ କୁଉଠି ଶୋଇଥିବ ଆସିବ ଯେ !’’

 

କିନ୍ତୁ ଦିନ ଆସି ନଟା ହେଲାଣି, ତାର ଦେଖା ନାହିଁ । ମନ ବ୍ୟସ୍ତରେ ସନିଆ ଉଠିଲା । ଦେହପା, ତାର ଅସୁଖ ହେଲାନି ତ ! ବାପ ମାଆ ଛେଉଣ୍ଡ ପିଲାଟା ।

 

ରିକ୍ସା ଖଣ୍ଡକ ଧରି ଖୋଜି ବୁଲିଲା ବଇଷମକୁ । ଯାତ୍ରୀ ଡାକିଲେ କହିଜ୍ଞା, “ନାଇଁ ବାବୁ–ନାହିଁ ଜାଏଗା ।’’ ଗୋଟାଏ ପାନ ଦୋକାନରେ ଦେଖିଲା ବଇଷମ ବିଡ଼ି ଫୁଙ୍କୁଚି । ତାକୁ ଦେଖି ଲୁଚିଗଲା ମୁତନଳାରେ । କିଛି ବୁଝି ପାରିଲାନି ସନିଆ ତାକୁ ସେ ଡରୁଚି କାହିଁକି ?

 

ପାନ ଦୋକାନ କୋଣରେ ଯାଇ ଦେଖିଲା ବୈଷମ ତାକୁ ଦେଖି ଭିତରେ ଲୁଚି ଯାଉଛି-। ବଡ଼ ପାଟିରେ ନା’ଧରି ଡାକିଲାରୁ ଶୁଣିଲାନି—ଗଳିରେ ଦୌଡ଼ି ଚାଲିଗଲା ।

 

ରିକ୍ସା ଫେରାଇ ଭାବିଲା ସନିଆ ବୈଷମ ତ ତାକୁ କେବେ ଡରେନି । ଆଜି ଡର କାହିଁକି ? କଣ ଦୋଷ କରିଛି କି ! କାଲି ରାତି କଥା ମନେ ପଡ଼ିଲା । ଡିବି ଜଳିଲା ଆଉ ପଡ଼ିଯାଇ ନିଭିଗଲା । ଗୋଟାଏ ମଣିଷର ଛାଇ ଆଉ ପାଦ ଶବଦ ।

 

ହଁ, ଏଇ ବଇଷମ ଛଡ଼ା ଆଉ କେହି ନୁହେଁ । ରାଗରେ ଜଳି ଉଠିଲା ସନିଆ । ସାମନାରେ ପଡ଼ନ୍ତା କି କାତିରେ ଟିକି ଟିକି କରି ଦିଅନ୍ତା, ଦଳି ଦିଅନ୍ତା ତାର ଦିଅର ପଣିଆକୁ ।

 

ଇମିତି ଚାରିଟି ଦିନ ବିତି ଗଣିଲା । ବୈଷମ ଆଉ ଦେଖା ଦେଉନି । ରାତିଦିନ ରିକ୍ସା ଟାଣୁଛି ସନିଆ । ଆଗରୁ ସେ ଧାଉଁଥିଲା ପଇସା ସଞ୍ଚୟ ପାଇଁକି । ରଙ୍ଗବତୀ କୋଡ଼ରେ ପିଲା ହେବ । ସେଥିଲାଗି ପଇସା ଦରକାର । କିନ୍ତୁ ଏଇ ଚାରି ଦିନ ହେଲା ସେ ଭାଙ୍ଗି ପଡ଼ିଛି । ସେ ଖାଲି ବଇଷମକୁ ଖୋଜୁଛି । ରଙ୍ଗବତୀ ଉପରେ ତାର ବେଶୀ ରାଗନାହିଁ । ତାର ଧାରଣା ସବୁ ମାଇକିନିଆଗୁଡ଼ାକଙ୍କର ବୋଧହୁଏ ହେଉଛି ଗୋଟାଏ ବଡ଼ ଦୁର୍ଗୁଣ, ପାପ ।

 

କରିଡର ଟ୍ରେନ ଆସି ପହଞ୍ଚିଲା—ଠିକ୍ ସଂଧ୍ୟାବେଳେ । ବାକ୍‍ସ, ପେଟେରା—ଲୋକ ଗହଳି—ସବୁ ଦେଖୁଚି କିନ୍ତୁ କାହାକୁ ଡାକୁନି । ଦୁଇ ତିନି ଜଣ ଡାକି ଗଲେଣି । କିନ୍ତୁ ସେ କହି ଚାଲିଚି–ନେହିଁ ଜାଏଗା !

 

ପାଖରୁ ସବୁ ରିକ୍ସା ଖାଲି—ଏକା ସନିଆ । ଆଉ ଯାତ୍ରୀ ନାହାଁନ୍ତି । ଟ୍ରେନ ନାହିଁ । ପେଟ, ଅଣ୍ଟା ସବୁ ଖାଲି । ମନରେ ଗୁଡ଼ାଏ ପ୍ରଶ୍ନ । ବଇଷମକୁ ଦେଖନ୍ତା କି !

 

ରାତି ଗୋଟାଏ—ବିବର୍ଣ୍ଣ ଆକାଶ । ବାତୁଳ ହୋଇ ଚାଲିଚି ସନିଆ । କାଠଯୋଡ଼ୀ ପାର ହୋଇ ଭୁବନେଶ୍ୱର ରାସ୍ତାରେ । ତାର ଇଚ୍ଛା ସମସ୍ତଙ୍କୁ ଛାଡ଼ି ବହୁଦୂର ସେ ଚାଲିଯିବ । ରଙ୍ଗବତୀ ମୁହଁ ଦେଖିବ ନାହିଁ ।

 

ହଠାତ୍ ପେଡାଲ୍ ଜୋରରେ ଘୂରିଲା । ତୀବ୍ର ଗତି ରିକ୍ସାର । ତାର ମନେ ହେଲା ବଇଷମ ତା ଆଗେ ଆଗେ ଧାଇଁଛି—ସଡ଼କ ମଝିରେ ମଝିରେ । ପଛରେ ଗୋଡ଼େଇଛି ସନିଆ—ହାତରେ କାତି—ରାଗରେ ଦେହ ଜଳି ଉଠୁଛି ।

 

ହଁ ତ—ଏଇ ତ ବୈଷ୍ଣବ । ପାଖେଇ ଗଲା ସନିଆ । କିନ୍ତୁ ଧରି ପାରିଲା ନାହିଁ ତାକୁ । ନିଜେ ଢଳି ପଡ଼ିଲା ସଡ଼କର ଗୋଟିଏ ଧାରରେ । ମଟର ଧକ୍କାରେ ତା ରିକ୍ସା ଖଣ୍ଡ ଖଣ୍ଡ ହୋଇ ଯାଇଛି । କିନ୍ତୁ ମଟର ମଧ୍ୟ ପାଖରେ ପଡ଼ିଚି ଅଚଳ ହୋଇ ।

 

ତା’ ଆରଦିନ ଖବରକାଗଜ କାଟ୍‍ତି ବଢ଼ୁଛି । ଘର ଗଳି କନ୍ଦିରେ ସବୁର ହାତରେ ଖବରକାଗଜ । ଦୁଇଟି ଯୁବକ ଯୁବତୀଙ୍କ ଫଟୋ । ଗୋଟିଏ କୁମାରୀ ବାଳିକାର ହରଣଚାଳ କେଶ୍-। ରାତି ଅଧର ଗୋପନ ପ୍ରଣୟ ପାଇଁ ଛୁଟିଥିଲେ ଭୁବନେଶ୍ୱର ରାସ୍ତାରେ—ହୁଏତ କେଦାରଗୌରୀ ମନ୍ଦିର ପାଖକୁ । ସନିଆ ମରି ଯାଇଛି କିନ୍ତୁ ଧରା ପକେଇ ଦେଇ ଯାଇଛି ଦୁନିଆ ଆଗରେ ଏହି ଅବୈଧ ଦୁଃସାହସିକ ପାପ ପ୍ରଣୟକୁ । ସେ ମଲା, କେହି ଜାଣିଲେନି ସେ କାହିଁକି ମଲା-। ତା’ନା ଖବରକାଗଜରେ ବାହାରିଲା ନାହିଁ । ତା ଘର କେଉଁଠି ଖୋଜା ହେଲାନି । ସେ ମଲା ପରେ ତା ସ୍ତ୍ରୀ ସଧବା ରହିଲା କି ବିଧବା ହେଲା କେହି ଦେଖିଲେ ନାହିଁ ।

 

ସନିଆ ବଇଷମ ପଛରେ ଗୋଡ଼େଇଛି । ହାତରେ କଟୁରୀ—ମନରେ ସନ୍ଦେହ । !

Image

 

ଲୀଳାଦେବୀଙ୍କ କଳା

 

ସାହିତ୍ୟ ସଭାର ଅଧିବେଶନ, ଶିଳ୍ପ ଓ ଶିଳ୍ପୀ ସମ୍ବନ୍ଧରେ ଆଲୋଚନା ଚାଲିଛି । କେହି ବୈଜ୍ଞାନିକ, କେହି ବା ଦାର୍ଶନିକ । ତତ୍ତ୍ୱ ଓ ରହସ୍ୟ ଉଦ୍‍ଘାଟନ କରି ଚାଲିଛନ୍ତି । କୁମାରୀକାଠାରୁ କାମରୂପ—ଆଲୋଚନାର ଅଶ୍ୱ ବଲ୍‍ଗାହୀନ ହୋଇ ଯେମିତି ଦୌଡ଼ୁଚି । ପୋଥିଗତ ପାଣ୍ଡିତ୍ୟର ପୁଞ୍ଜି ସରିଯିବା ପରେ ସମସ୍ତେ ନିରୂପାୟ । ସବୁ କଥା ଶେଷ ହୋଇଗଲେ ମଧ୍ୟ ମନେ ହେଉଚି ଯେପରି ଶେଷ କଥାଟି କୁହାଯାଇନି । ହଠାତ୍ କେହି ଜଣେ କହି ଉଠିଲା—ଲୀଳାଦେବୀ, ଏଥର ଆପଣ କିଛି କୁହନ୍ତୁ ।

 

ସଭାର କଳରବ ମଝିରେ ଲୀଳାଦେବୀ ନୀରବ । ଏପରି ଅତର୍କିତ ଆକ୍ରମଣ ଲାଗି ସେ ଆଦୌ ପ୍ରସ୍ତୁତ ନ ଥିଲେ ।

 

ପୁଣି ସେଇ ଅନୁରୋଧ—କିଛି କୁହନ୍ତୁ ।

 

ଲୀଳାଦେବୀ ସମସ୍ତଙ୍କର ନିକଟବର୍ତ୍ତୀ ସତ କିନ୍ତୁ ସେ ବହୁତ ଦୂରର ମଣିଷ । ସଭାର ପ୍ରତ୍ୟେକ ଅଧିବେଶନରେ ସେ ଯୋଗ ଦେଇଥାଆନ୍ତି । ସାହିତ୍ୟ ରସର ତୃଷ୍ଣା ତାଙ୍କର ଅପରିମେୟ-। ଅନ୍ୟ ପାଞ୍ଚଜଣ ମହିଳାଙ୍କପରି ସେ ଶାଢ଼ି, ଗାଡ଼ି, ଗହଣା ଓ ବିଚିତ୍ର ଭ୍ୟାନିଟୀ ବ୍ୟାଗର ଚଳନ୍ତା ବିଜ୍ଞାପନର ଜୀବନ୍ତ ପ୍ରତୀକ ନୁହଁନ୍ତି । ସେ କାହାର କନ୍ୟା, କାହାର, ବଧୂ, କା’ର ମାତା, କା’ର ଭଗ୍ନୀ କେହି ଜାଣନ୍ତି ନାହିଁ । ତାଙ୍କ ପାଦ, ଆଖି, ସୀମନ୍ତ କେଉଁଠି ହେଲେ ଅଳତା, ଶଙ୍ଖା ବା ସିନ୍ଦୁରର ପରିଚୟ ନାହିଁ । କେଶ ବାସ କେଉଁଥିରେ ହେଲେ ନାହିଁ ପ୍ରସାଧାନର ପ୍ରଗଲ୍‍ଭତା-। ସୋ ଶ୍ରାବଣ ପୂର୍ଣ୍ଣିମାର ନିଶୀଥ ଜ୍ୟୋତ୍ସ୍ନାର ନିଃସଙ୍ଗ ରଜନୀଗନ୍ଧା, ଚମ୍ପା, ବକୁଳ, ଗୋଲାପ ନୁହନ୍ତି–ଖାଲି ଲୀଳାଦେବୀ । ଲୀଳାଦେବୀ ଲଜ୍ଜାଜଡ଼ିତ କଣ୍ଠରେ କହିଲେ, ମୁଁ ବା କ’ଣ ଜାଣେ ? ଆପଣମାନେ ଯାହା କହିଲେ, ତାଠୁ ବେଶୀ କହିବା ଅତିଶୟୋକ୍ତି ।

 

ଜଣେ କିଏ ଟିପ୍ପଣୀ କରି କହିଲା—ଯାହାହେଉ କହିବାକୁହିଁ ପଡ଼ିବ ।

 

ଲୀଳାଦେବୀ ଡୁବିଗଲେ ଚିନ୍ତାରେ । ଅନେକ ଦିନର ପୁରାତନ ପାତାଳଗର୍ଭରେ ଗୁପ୍ତଧନ ଥିଲାପରି, ମନେ ହେଲା ଲୀଳାଦେବୀଙ୍କ ଭିତରେ ସେମିତି କିଛି ଲୁକ୍କାୟତ ହୋଇ ରହିଛି-। ଲୀଳାଦେବୀ କହିବାକୁ ଆରମ୍ଭ କଲେ—

 

“ଖାଲି କଥା, ରୂପ ନାହିଁ, ତେଣୁ ମନେହେବ ରୂପ, କଥା—ଅଧ୍ୟାପକ ବିନୟ ବାବୁଙ୍କ ଇତିହାସ । ବିଶ୍ୱବିଦ୍ୟାଳୟର କୃତୀଛାତ୍ର ଥିଲେ ସେ । ତାଙ୍କର ବାପା ଥିଲେ ନୈଷ୍ଠିକ ହିନ୍ଦୁ । କିନ୍ତୁ ବାପା ହଠାତ୍ ବିଚଳିତ ହୋଇ ଉଠରେ ଗୋଟିଏ ସମ୍ବାଦରେ । ଶୁଣିଲେ ବିନୁ ଗୋଟିଏ ଖ୍ରୀଷ୍ଟାନ୍ ପରିବାର ସହିତ ଘନିଷ୍ଠ ଭାବରେ ସଂପୃକ୍ତ । ସମ୍ପର୍କଟା ଗୋଟିଏ ଝିଅ ସହିତ । ଏହି ସମ୍ବାଦ ପାଇବା ଦିନଠୁ ବାପାଙ୍କର ଆଖିରେ ନିଦ ନାହିଁ । କୁଳ, ମର୍ଯ୍ୟଦା ସବୁ ଯିବ । ଯଦି ବିନୁ ହଠାତ୍ ଏ ଝିଅଟିକି ବିବାହ କରେ ସର୍ବନାଶ । ବାପ କେବେ କେବେ ସ୍ୱପ୍ନ ଦେଖନ୍ତି । ପୁଅ ବିନୁ କ୍ରମେ କ୍ରମେ ଗୁଡ଼େଇ ହୋଇ ଯାଉଛି, ନାଗିଣୀର ନାଗଫାଶରେ ।

 

ତିନିମାସ ପରେ ବାପା ଚିଠି ଲେଖିଲେ— ‘ବିନୁ ତୋର ପରୀକ୍ଷା ସରିଲାଣି—ଏଣିକି ସହରରୁ ଚାଲିଆ ।’

 

ବିନୁ ଉତ୍ତର ଦିଏ—“ଆଉ କିଛି ଦିନ ପରେ ଯିବି । ବର୍ତ୍ତମାନ ଆହୁରି ବହୁତ କାମ ବାକି ଅଛି ।’’

 

ମାସକ ପରେ ପୁଣି ପୈତୃକ ପତ୍ରାଘାତ “ଖବର କାଗଜରେ ତ ତୋ ନାଁ ବାହାରି ଗଲାଣି—ଏଥର ଚାଲିଆ ।’’

 

ଉତ୍ତର ଗଲା, “ଭଉଣୀର ନାଁ ଏ ପର୍ଯ୍ୟନ୍ତ ବାହାରିନି ।’’ ଲଫାଫା ଖୋଲୁ ଖୋଲୁ ବାପା ଦେଖିଲେ ଚିଠି ନୁହେ—ଚିଠି ଭିତରେ କେତୋଟି ଅଗ୍ନିକଣା । ପଚାରିଲେ “ତୋର ଭଉଣୀ ? ତୋ ମା’ର ଝିଅ ତ ନାହିଁ କିବା ଆଉ ହେବାର ଆଶା ନାହିଁ । କାହା ସହିତ ତୋର ଭଉଣୀ ସମ୍ପର୍କ ?’’ ପୁଣି ବାପାଙ୍କର ପ୍ରଶ୍ନ । ଉତ୍ତର ମିଳିଲା— “ମାର ଝିଅ ନୁହେଁ, ମାଉସୀର ଝିଅ ସମ୍ବନ୍ଧ, ଆନ୍ତରିକ ।’’

 

ଏହା ପରେ ଆସିଲା ଚରମ ପତ୍ର, “ତୋର ବିବାହ ଅମୁକର ଝିଅ ସଙ୍ଗେ । ସବାନ୍ଧବେ ଆଗମନ କରନ୍ତୁ ଇତ୍ୟାଦି ।’’

 

ଅବାକ୍ ବିନୟ ବାବୁ । ଏମ୍. ଏ. ପାସ୍ କରି ଖ୍ୟାତିସମ୍ପନ୍ନ ଲୋକ ସେ । ଇଂରାଜୀ ସାହିତ୍ୟର ପ୍ରଥମ ଶ୍ରେଣୀରେ ପ୍ରଥମ । ତାର ମତ ନ ନେଇ ବିବାହ ? ଅସମ୍ଭବ । ବର୍ବର ଯୁଗ—ବାପା ଆଧୁନିକ ନୁହଁନ୍ତି, ମରହଟ୍ଟୀ । ପୁଅ ବୋଲି କ’ଣ ତାଙ୍କର ବ୍ୟକ୍ତିତ୍ୱ ରହିବ ନି ? ମାନସୀ ନିର୍ବାଚନରେ ଯୌବନର ଅଧିକାର, ଚିରନ୍ତନ । ଅନ୍ତର୍ଜାତିକ ଆକାଶ । ସେ ହେଲିକେପ୍ଟରରେ ଉଡ଼ିବୁଲିବାକୁ ଚାହେଁ । ବାପା ବସି ରହିଥାଆନ୍ତୁ ସେହି ବଳଦ ଗାଡ଼ିରେ—ସେହି ପିତୃ-ଭୂମିର ଗ୍ରାମପଥରେ ।

 

ପୁଣି ଟେଲିଗ୍ରାମ ଆସିଲା— “ଶୀଘ୍ର ଆ—ଲଗ୍ନ ଗୋଧୂଳିରେ ବରାନୁଗମନ……”

 

ଉତ୍ତର ଗଲା ଏକ ବଡ଼ ଲଫାପାରେ ରେଜିଷ୍ଟ୍ରୀର ମ୍ୟାରେଜର ଦଲିଲ—ରେଜିଷ୍ଟ୍ରୀଡାକରେ ।

 

ପିତାଙ୍କର ଶେଷ ପତ୍ରରେ ଲେଖାଥିଲା, “ ଯାହାକୁ ଭଉଣୀ ବୋଲି କହୁଥିଲୁ—ତାକୁଇ ବିବାହ କଲୁ ?’’

 

ବିନୟ ବାବୁଙ୍କ ଉତ୍ତର—‘ଆଚ୍ଛା, ବାପା ! ଯାହା ସହିତ ବିବାହ ଦେବାକୁ ଚାହୁଁଥିଲେ, ତାକୁ ବର୍ତ୍ତମାନ ଭଉଣୀ ବୋଲି ଡାକିଲେ କ’ଣ ଖରାପ ହେବ ?’

 

ବାପା ଏତିକିରେ ସାବାଡ଼ । ସମ୍ପର୍କ ତୁଟିଲା ପିତ୍ରାଳୟରୁ । ବାପା ଏହି ଜବାବ କଥା ଭାବି ଭାବି ଶେଷରେ ସଂସାରରୁ ବିଦାୟ ନେଇଗଲେ ।

 

ବିନୟ ଓ ସୁଲତାର ଜୀବନ କିନ୍ତୁ ସୁଖମୟ ହୋଇ ରହିଲା ନାହିଁ । ସେତେବେଳେ ଖାଲି ଚାଲିବା ହିଁ ସାର ଥିଲା । ଚାଲୁ ଚାଲୁ କେଉଁ ଗୋଧୂଳି ଲଗ୍ନରେ ସ୍ୱପ୍ନପରୀର ପ୍ରାସାଦଦ୍ୱାରରେ ଯାଇ ପହଞ୍ଚିବେ—ତା’ର ଠିକଣା ନ ଥିଲା ବୋଲି ସମ୍ମୋହନ ହେଲା ଦୁର୍ଜୟ, ଆକର୍ଷଣ ଦୁର୍ବାର । କିନ୍ତୁ ଯେତେବେଳେ ସେସବୁ ଶେଷ ହୋଇଗଲା; ଦୁହେଁ ପରସ୍ପରକୁ ମୁଖା ମୁଖି ହେବା ମାତ୍ରେ ଶିହରି ଉଠିଲା ଆତଙ୍କ । କାଲି ଯେଉଁ ପ୍ରେମ ଅମରତ୍ୱର ଦାବି ନେଇ ବିପ୍ଳବ ସୃଷ୍ଟି କରିଥିଲା ଆଜି ତାର ସକରୁଣ ଆକସ୍ମିକ ଅପଘାତ ମୃତ୍ୟୁ !

 

ବିନୟର ସ୍ୱପ୍ନ ଭାଙ୍ଗିଲା । ଭୁଲ୍ କରିଚି ସେ । ସୁଲତା ଭିତରେ ସେ ଯେଉଁ ସୌନ୍ଦର୍ଯ୍ୟର ଧ୍ୟାନ କରିଥିଲେ ତାର ଆବିର୍ଭାବ ଅସମ୍ଭବ । ନିରୂପାୟ ହୋଇ ନିଜର ସମାଧି ରଚନା କରକି ଚାଲିଛନ୍ତି—ଦର୍ଶନ, ଲଳିତକଳା ଓ ଇତିହାସର ସ୍ତୂପ ତଳେ । ସେଦିନ ସାଇପଡ଼ିଶା କୌଣସିଟି ସ୍ୱରଶବ୍ଦ ସୁଦ୍ଧା ନାହିଁ । ନୀରବ ନିଶୀଥ । ବିନୟ ବାବୁ ଖୋଲି ବସିଛନ୍ତି ଇତାଲି ଦାର୍ଶନିକଙ୍କ ବହି “ନନ୍ଦନ ତତ୍ୱ ।’’ ପୃଷ୍ଠା ପରେ ପୃଷ୍ଠା ଓଲଟା ଚାଲିଚି । ସୌନ୍ଦର୍ଯ୍ୟ କ’ଣ ? ଶିଳ୍ପ କ’ଣ, ଏହି ଜିଜ୍ଞାସା ନେଇ ଚାଲିଚି ପାଣ୍ଡିତ୍ୟର ଅଖଣ୍ଡ ଯୁକ୍ତି ଯୁଦ୍ଧ । ସବୁ ମନେ ମନେ । ହଠାତ୍ ଛିଣ୍ଡିପଡ଼ିଲା ଚିନ୍ତାର ଜାଲ । ଦୁଆର ପାଖରେ ଠିଆ ହୋଇଚି ସୁଲତା—କହିଲା, “ଆଉ କେତେ ପଢ଼ିବ ? ବହୁତ ରାତି ହେଲାଣି । ଶୋଇବାକୁ ଆସ ।’’ ଚମକି ଉଠିଲା ବିନୟ । ସୁଲତାର ସର୍ବାଙ୍ଗରେ ରୂପସଜ୍ଜା । ବେଣୀର ଭଙ୍ଗୀ, ଚକ୍ଷୁର ଇଙ୍ଗିତ, କଥାର ସଙ୍ଗୀତରେ ଗୋଟିଏ ଆହ୍ୱାନ ପ୍ରଥମ ନାରୀ ପୁରୁଷକୁ ଯେଉଁ ଆହ୍ୱାନ କରିଥିଲା ନନ୍ଦନ କାନନରେ ସେହି ଆହ୍ୱାନ । “ନନ୍ଦନ ତତ୍ତ୍ୱ”ରେ ଏହାର ସ୍ଥାନ ନାହିଁ-

 

ବିନୟ ବାବୁଙ୍କ ସମଗ୍ର ଶରୀର ବିତୃଷ୍ଣାରେ ସଙ୍କୁଚିତ ହୋଇ ଉଠିଲା । ରୂପରାଗର ଅପମୃତ୍ୟୁ କ’ଣ ଘଟେ ନା ରତିରେ ?

 

ବିନୟ ବାବୁ ହେବେ ରତିସୁଖ ବିମୁଖ ପ୍ରଜାପତି । ଯେଉଁ ଫୁଲଶଯ୍ୟା ପଥରେ ଫୁଟି ଉଠିବେ, ସେହି ଫୁଲ ଉପରେ ପକ୍ଷ ବିସ୍ତାରି ସେ କରିବେ ନିଶ୍ଚିନ୍ତ ବିଶ୍ରାମ । ନିଶୀଥର ନୀଳପଦ ସେ ।

 

କିନ୍ତୁ ସୁଲତା—ରକ୍ତ ଓ ମାଂସର କନ୍ୟା ତାର କ୍ଷୁଧା ସନ୍ତାନ ଲାଗି ।

 

ଅଧ୍ୟାପକ ନୀରସ କଠୋର ସ୍ୱରରେ କହିଲେ, “ବିରକ୍ତ କରନା ସୁଲତା ! ମୁଁ ବର୍ତ୍ତମାନ ବ୍ୟସ୍ତ-।”

 

କାନ୍ଦକୁ ଚାପିଦେଇ ସୁଲତା ମିନତି ଜଣାଇଲା, “ତୁମର ଦେହ ଖରାପ ହୋଇଯିବ ।’’

 

ବିନୟ ବାବୁ ରାଗି ଉଠିଲେ, “ଦେହକୁ ଯଦି କେହି ସ୍ନେହ କରୁଥାଏ, ଆପତ୍ତି ନାହିଁ କିନ୍ତୁ ମୁଁ ଚାହେଁ ଆତ୍ମା ।’’

 

“ତାହାହେଲେ ବିବାହର ମିଥ୍ୟା ବିଡ଼ମ୍ବନା କାହିଁକି ?’’ ସୌମ୍ୟ ଶାନ୍ତ ସ୍ୱରରେ ବିନୟ ବାବୁ କହିଲେ, “ସୁଲତା ! ମୁଁ ଅମୃତ ଲାଗି କ୍ଷୁଧିତ ! ମତେ ମାଫ୍‍କର ।’’

 

ପାଖଘରେ ସୁଲତା ହତାଶ କ୍ଷୋଭରେ ବିକ୍ଷୁବ୍ଧ ହୋଇ କାନ୍ଦେ, ଆଖି ଲୁହରେ ଶେଯ ଭିଜିଯାଏ । ତାର ସମଗ୍ର ଅନ୍ତର ହାହାକାର କରି ଉଠେ । ବିଶ୍ୱର ଚରମ ଅଭିଶାପ ପ୍ରତିଭା ପ୍ରେମ, ତାରି ଉପରେ ଆସି ଲଦା ହୋଇଛି ।

 

ଭାବି ଭାବି କାନ୍ଦେ ସୁଲତା ।

 

କଲେଜର ଶ୍ରୀକାନ୍ତ ରାୟ ଥିଲା ତାର ଶ୍ରେଣୀର ଛାତ୍ର । ଇଣ୍ଟରମିଡ଼ିୟଟ୍ ପାସ୍ କରି ଯେତେବେଳେ ସେ ତୃତୀୟ ଶ୍ରେଣୀରେ ଆସି ବସେ—ତା ଆଗରେ ଦେଖାଗଲା ବୀଥିକା । ଶ୍ରୀକାନ୍ତ ତାର ଚିରାଚରିତ ଅହଙ୍କାର ନେଇ ଉପେକ୍ଷା କରିଥାଏ ବୀଥିକାକୁ । ତା ମନରେ ବୀଥିକା ଖାଲି ଜଣେ ଝିଅ । ତାଠାରୁ ଅଧିକ କିଛି ନୁହେ । କିନ୍ତୁ ତାର ଏ ଭୁଲ୍ ଭାଙ୍ଗିଲା ଯେତେବେଳେ ସେ ଅଧ୍ୟାପକମାନଙ୍କ ମୁହଁରୁ ଶୁଣିଲା ବୀଥିକାର ଉଚ୍ଛ୍ୱସିତ ପ୍ରଶଂସା ।

 

ଅଧ୍ୟାପକ ବିନୟବାବୁ ବୀଥିକାକୁ ଟିଉସନ କରନ୍ତି । ବୀଥିକା ଆସେ ବିନୟ ବାବୁଙ୍କ ଘରକୁ ପଢ଼ିବାପାଇଁ । ଦିନେ ସୁଲତା ଭାରି ବ୍ୟସ୍ତ ହୋଇ ଉଠିଲା, ସେ ଜାଣିପାରିଲା ବିନୟ ବାବୁ ବୀଥିକା ଲାଗି ଭାରି ବ୍ୟସ୍ତ । ଦିନ ପରେ ଦିନ, ଘଣ୍ଟା ପରେ ଘଣ୍ଟା ଗୋଟିଏ ନିର୍ଜନ ଘରେ ଗୁରୁଶିଷ୍ୟାଙ୍କ ମଧ୍ୟରେ କାବ୍ୟସାହିତ୍ୟ ଆଲୋଚନାର ଅନ୍ତରାଳରେ ଖାଲି କ’ଣ ଜ୍ଞାନର ପ୍ରଦୀପ ଜଳୁଚି ? ତାର କ’ଣ ଆଉ କୌଣସି ଶିକ୍ଷା ନାହିଁ ? ସଂଶୟ ଓ ଈର୍ଷାରେ ସୁଲତାର ବଞ୍ଚିତ ବୁଭୁକ୍ଷିତ ନାରୀ-ହୃଦୟ ବିଷାକ୍ତ ହୋଇ ଉଠିଲା । ଦିନେ ସେ କହି ପକାଇଲା, “ନା—ଝିଅ ପିଲାଙ୍କୁ ନେଇ ଏତେ ପଢ଼ାଶୁଣା ଭଲ ନୁହେଁ ।’’

 

ବିନୟବାବୁ ଅବାକ; “ବୁଝିପାରୁନା ସୁଲତା !’’

 

ସୁଲତା ବିରକ୍ତ ହୋଇ କହିଲା,–“ଛାତ୍ରୀ ହେଉ ବା ଯେ କିଏ ହେଉ–ବୟସ୍କା ଝିଅ-ବିବାହ କରିନି । ତୁମ ସହିତ ଏକାକିନୀ ଗୋଟିଏ ଘରେ ଖୋଲା ଖୋଲି କବିତାର ଚର୍ଚ୍ଚା କରିବାକୁ ମୁଁ କଦାପି ଦେବିନି ।’’

 

ବିନୟ ବାବୁ ହସି ହସି କହିଲେ, “ତୁମେ ଜାଣ ନା ସୁଲତା—ବୀଥିକା କିଏ ?’’

 

“ହଁ, ଜାଣେ ନା କାହିଁକି, ଭଲକରି ଜାଣେ, ଚତୁର୍ଥ ବାର୍ଷିକ ଶ୍ରେଣୀର ଛାତ୍ରୀ । ସୁନ୍ଦରୀ, ତରୁଣୀ—ସମସ୍ତେ ତା’ରି କଥା ଚର୍ଚ୍ଚା କରନ୍ତି—”

 

“ସମସ୍ତେ ବୋଇଲେ ?’’

 

“ଏହି ଶ୍ରୀକାନ୍ତ—ଆହୁରି ଅନେକ ।’’

 

“କ’ଣ କହନ୍ତି ?’’

 

“କହନ୍ତି….ନା—ତୁଣ୍ଡରେ ଧରି ହେବ ନି ।’’

 

“ସେମାନେ ବୀଥିକୁ ଜାଣନ୍ତି ନାହିଁ, ବୋଧହୁଏ, ବୀଥି ମୋ ପାଖରେ ଖାଲି ଝିଅ ନୁହେଁ–ରକ୍ତ ମାଂସର ଭକ୍ତମାନେ ତାକୁ ଯେଉଁ ଦୃଷ୍ଟିରେ ଦେଖନ୍ତୁ ପଛେ, ସେ ମୋର ଅନ୍ୱେଷଣର ଅବସାନ-।’’

 

“ସତେ ?’’

 

“ଜାଣ—ସେ ଅଯୋନି ସମ୍ଭବା କନ୍ୟା । ପ୍ରକାଶ ହିଁ ତାର ପରିଚୟ, ଅନ୍ୟ କୌଣସି ଉଦ୍ଦେଶ୍ୟ ନାହିଁ ।’’

 

ମୁଣ୍ଡରେ ହାତ ଦେଇ ସୁଲତା କହେ, “ହାୟ-ଶେଷରେ ତୁମେ ଯିବ ମନର ଚିକିତ୍ସା ଲାଗି-?’’

 

ସକରୁଣ ହସ ହସି—ବିନୟ ବାବୁ ଜବାବ୍ ଦିଅନ୍ତି—“ମହାଭାରତର କବି, କୋଣାର୍କର ଶିଳ୍ପୀ, ଏଲୋରାର ଭାସ୍କର—ସମସ୍ତଙ୍କର ଧ୍ୟାନ ଏହି ବୀଥିକାଉପରେ । ତାର ସୌନ୍ଦର୍ଯ୍ୟରେ କଳଙ୍କ ନାହିଁ । ତାକୁ ଭଲ ପାଇ କେହି ମାଟିର ଘର ବାନ୍ଧି ପାରେନା—ହେବାକୁ ପଡ଼ିବ ସର୍ବତ୍ୟାଗୀ—ସନ୍ନ୍ୟାସୀ ।’’

 

ମୁହଁରେ ଲୁଗାକାନି ଦେଇ ସୁଲତା କହେ, “ଏହାଠୁଁ ବଳି ଆଉ କଳଙ୍କ କ’ଣ ଥାଇପାରେ-? ଧିକ୍ ତୁମର ଶିକ୍ଷାକୁ !’’

 

ଏହାର କିଛିଦିନ ପରେ ଆରମ୍ଭ ହୋଇଗଲା—ଅଧ୍ୟୟନ ଓ ଅଧ୍ୟାପନାର ନୂତନ ଅଧ୍ୟାୟ-

 

ବୀଥିକାର ବିରାଟ ପରିବର୍ତ୍ତନ ହୋଇ ଯାଇଛି । ତା ରୂପରେ ଜମି ଉଠିଚି ସ୍ନିଗ୍ଧ ଶୁଭ୍ର ଜ୍ୟୋତି । ବୀଥିକା, ବିକଶିତା—ଅନନ୍ୟା ।

 

ଗୋଟିଏ ଅବସନ୍ନ ଅପରାହ୍ନ । ହଠାତ୍ ଦୁଆର ମୁହଁରେ ଦେଖାଦେଲା ଶ୍ରୀକାନ୍ତ । ସୁଲତା ତାକୁ ଜଣାଇଲା ସାଦର ଅଭ୍ୟର୍ଥନା ।

 

ଶ୍ରୀକାନ୍ତ ପଚାରିଲା; “ସାର୍ କିମିତି ଅଛନ୍ତି ? କ’ଣ ଦେହ ଖରାପ ହୋଇଛି, କଲେଜକୁ ଯାଉନାହାଁନ୍ତି ଯେ ?’’

 

ବିଦ୍ରୂପ ମୁହଁରେ ସୁଲତା କହିଲା— “ସୁଖର ମାତ୍ରା ବଢ଼ି ଯାଇଛି ଶ୍ରୀକାନ୍ତ । ଆଚ୍ଛା ଶ୍ରୀକାନ୍ତ ! ତୁ ତ ଯୁବକ, ଗୋଟିଏ ମହତ୍ ବ୍ରତ ଉଦ୍‍ଯାପନ କରି ପାରିବୁ ? ଦେଶଲାଗି ତୁମେମାନେ ହିଁ ଫାଶୀ କାଠରେ ଝୁଲୁଚ—ମରୁଚ ଦ୍ୱୀପାନ୍ତରରେ—ଉନ୍ମାଦ ହୋଇ ମୁଣ୍ଡ ବାଡ଼ଉଚ ନିର୍ଜ୍ଜନ କାରାଗୃହରେ ? ଆଉ ଗୋଟିଏ ପୁଣ୍ୟ କାମ କରି ପାରିବ ନାହିଁ ?’’

 

“କଣ କୁହ ତ ?’’

 

“ମୁକ୍ତି ! ବନ୍ଦିନୀ ନାରୀର ମୁକ୍ତି । ମଧ୍ୟଯୁଗର ନାଇଟ୍ ଭଳି ଏକ ଦୈତ୍ୟପୁରୀର ନିର୍ଯ୍ୟାତିତା ରାଜକନ୍ୟାର ଉଦ୍ଧାର—”

 

ଶ୍ରୀକାନ୍ତକୁ ଭାରି ଭଲ ଲାଗେ, କିନ୍ତୁ ଭୟ କରେ ସେ । ଧୀରେ ଧୀରେ କହେ, ‘ରାଜପୁତ୍ର ତ ନାହିଁ । ରାଜପ୍ରସାଦ ? ସେ ବି ନାହିଁ—ରାଜ କନ୍ୟାକୁ ମଧ୍ୟ ଚିହ୍ନିନି । ସମସ୍ୟାଟା କ’ଣ-? କ’ଣ କରିବାକୁ ପଡ଼ିବ ?’

 

“ହତିଆର ନେଇ ଆ—ଠିକ୍ କାଲି ।’’

 

ତା ଆରଦିନ ।

 

ଶ୍ରୀକାନ୍ତ ଜାଣେ ନା ତାକୁ କ’ଣ କରିବାକୁ ପଡ଼ିବ । କେବଳ ଜାଣେ ସମ୍ମୁଖରେ ଗୋଟାଏ କିଛି ସଂକଟ । ସେହି ସଂକଟର ଆବର୍ତ୍ତ ଭିତରୁ ହୁଏ ତ ଦେଖା ଦେବ ମୃତ୍ୟୁ—ନଚେତ୍ ନୂତନ ଜୀବନ । କଳ୍ପନା ସୁଦ୍ଧା ସେ କରିପାରେ ନା ।

 

ଦୁଆର ମୁହଁରେ ଠିଆ ହୋଇଚି ସୁଲତା । କବରୀରେ ରକ୍ତମନ୍ଦାର । ଶ୍ରୀକାନ୍ତକୁ ଘରଭିତରକୁ ଡାକିନେଇ ଚୁପ୍‍ ଚୁପ୍‍ କହିଲା—“ପ୍ରସ୍ତୁତ ?’’

 

ବିନିତ ବାଳକଟି ଭଳି ସେ ଜବାବ୍ ଦେଲା—“ହଁ”

 

“ତେବେ ଆ ।’’

 

ବିନୟବାବୁଙ୍କ ପଠନ କକ୍ଷ । ଭିତରେ ଆବୃତ୍ତି ଚାଲିଚି ଗାୟତ୍ରୀଗାଥା । ତା’ପରେ ଶେଲିଙ୍କ Hymn to Intellectual beauty—କାଳିଦାସଙ୍କ ଉର୍ବଶୀ । କବିତା-ଆବୃତ୍ତି ଶେଷରେ ବିନୟ ବାବୁ କହନ୍ତି, “ତୁ ରକ୍ତ ନୋହୁଁ—ମାଂସ ବି ନୋହୁ, ତୁ ନିତ୍ୟ ପୁରୁଷର ମନ ଓ ହୃଦୟରେ ବିପୁଳ ଆଲୋଡ଼ନ । ତୁ କନ୍ୟା—ଅଯୋନି-ସମ୍ଭବା ! ଇତିହାସର ପ୍ରତି ପୃଷ୍ଠାରେ ତୋର ପଦ-ଚିହ୍ନ ।’’

 

ତା’ପରେ ? ସେ ସ୍ୱର ଅଗ୍ନିଶିଖାଭଳି ଥରିଥରି କୁଆଡ଼େ ନିଭିଗଲା…. ।

 

ଆସ୍ତେ ଆସ୍ତେ ଦୁଆରର କବାଟଖୋଲି ପର୍ଦାକୁ ଆଡ଼େଇ ସୁଲତା ଶ୍ରୀକାନ୍ତକୁ ଡାକିଲା, ଦେଖିବାପାଇଁ । ଦେଖାଗଲା—ବିନୟ ବାବୁ ତୁଳିନେଇ ଛବି ଆଙ୍କୁଛନ୍ତି । ସମ୍ମୁଖରେ ବିଥିକା, ଲଜ୍ଜା ନାହିଁ—ସଜ୍ଜା ନାହିଁ—ହୁଏ ତ ବାହ୍ୟଜ୍ଞାନ ବି ନାହିଁ ।

 

ସୁଲତା ଶ୍ରୀକାନ୍ତକୁ କହିଲା—“ଦେଖ, ଶ୍ରୀକାନ୍ତ ! ଋଷି ଏବଂ ଉର୍ବଶୀଙ୍କୁ ଦେଖ ।’’

 

ଶ୍ରୀକାନ୍ତର ରକ୍ତ ଭିତରେ ସୃଷ୍ଟି ହେଲା ତୋଫାନ୍ । ସେ ଚିନ୍ତା ସୁଦ୍ଧା କରି ନ ଥିଲା—ସାର୍ ଓ ବିଥିକାର ସଂପର୍କ ଏତେ ଜଘନ୍ୟ । ରିଭଲ୍‍ଭରର ଘୋଡ଼ାଟିପିଲା ଶ୍ରୀକାନ୍ତ—ଲକ୍ଷ୍ୟସ୍ଥଳ ଠିକ୍ ବିଥିକାର ବୁକୁ—ତାପରେ ସବୁ ଶେଷ ।

 

ଲୀଳାଦେବୀଙ୍କ ଭାଷଣ ସରିଲା । କିନ୍ତୁ ଶ୍ରୋତାମାନଙ୍କ ତୃପ୍ତିର ଶେଷନାହିଁ । ସମସ୍ତେ କହି ଉଠିଲେ—ତା’ପରେ ?

 

ଅନିଚ୍ଛା ସତ୍ୱେ ଲୀଳାଦେବୀ କହିଲେ, “ତାପରେ ? ମୋ ରୂପକଥାର କବର ଉପରେ କେବଳ ରହିଚି ଖବରର ଘାସ । ଅଧ୍ୟାପକ ବିନୟ ବାବୁ ଆଉ ଉଠି ନାହାଁନ୍ତି ସେଇ ନିଦ୍ରାରୁ । ଚିକିତ୍ସକମାନେ ରାୟ ଦେଲେ—ହୃତ୍‍ପିଣ୍ଡର ବିଶ୍ୱାସଘାତକତା…. । ଶ୍ରୀକାନ୍ତର ମୃତ ଶରୀର ମିଳିଲା ଏକ କୂଅଭିତରୁ । ସେ ଆତ୍ମହତ୍ୟା କରିଥିଲା । ସୁଲତା ମାସକରେ ବିବାହ କଲା ଆଡ଼ଭୋକେଟ୍ ଦାସଙ୍କୁ ।

 

“ସେ ପୁଣି କିଏ ?’’

 

“ବିଥିକାର ଜଣେ ମାମୁଁ । ଏ ବିବାହବେଳେ ବିଥିକା ମଧ୍ୟ ଉପସ୍ଥିତ ଥିଲା ।’’

 

ସମସ୍ତେ ସମସ୍ୱରରେ କହି ଉଠିଲେ, “ବିଥିକା ତ ଶ୍ରୀକାନ୍ତର ଗୁଳିରେ ମଲା—ପୁଣି ସେ-?’’

 

ଲୀଳା ମୁହଁରେ ହସ । କହିଲେ, “ନା—ଗୁଳି ଲକ୍ଷ୍ୟଭ୍ରଷ୍ଟ ହୋଇ ବାଜିଲା ଆଲମାରୀ କାଚ ଦେହରେ । ବିଥିକା କେବେ ମରିପାରେ ? ସେ ପରା ଅଯୋନିସମ୍ଭବା ?’’

 

“ସେ ବର୍ତ୍ତମାନ କେଉଁଠି ? କାହା ସହିତ ବିବାହ ହେଲା ତାର ?’’

 

“ତାର ବିବାହ ? ତାର ବିବାହ, ବିନୟ ବାବୁଙ୍କ ଆତ୍ମା ସହିତ । ପ୍ରେମିକର ପ୍ରାଣ ଚିରକାଳ ଲାଗି କାନ୍ଦି ମରେ । ବିନୟ ବାବୁଙ୍କ ସେଇ ଛବି ଚିରକାଳ ଲାଗି ଅଙ୍କା ନ ହୋଇ ରହିଗଲା— ।’’

 

ଜଣେ କିଏ କହି ଉଠିଲା “ଅଯୋନିସମ୍ଭବା କନ୍ୟା ବର୍ତ୍ତମାନ କେଉଁଠି ? ତା’ଘର କେଉଁଠି ? ଫୋନ ନମ୍ବର ?’’

 

ଦୀର୍ଘ ନିଶ୍ୱାସ ଛାଡ଼ି ସେ କହି ଉଠିଲେ, “ମୁଁ ଯଦି କହେଁ, ତାର ନାମ ଲୀଳା ଦେବୀ, ଆଶାକରେ ଆପଣମାନେ କ୍ଷମା କରିବେ । ଆଚ୍ଛା ମୁଁ ଯାଉଛି । ରାତି ବହୁତ ହୋଇଗଲାଣି । ନମସ୍କାର... ।’’

Image

 

କୁମାରୀ ନିଶିଦେବୀଙ୍କ ଭାଷା

 

ହେମନ୍ତର ଏକ ଉଲଗ୍ନ ଧ୍ୟାହ୍ନ ।

 

ମାନ୍ଦ୍ରାଜର ଚିଡ଼ିଆଖାନା । ଜଳାଶୟର କାଠବ୍ରିଜ ଉପରେ ମୋର ପ୍ରଥମ ପଦକ୍ଷେପ ହଠାତ୍ ବାଧାପ୍ରାପ୍ତ ହେଲା । ପଛରେ ଏକ କ୍ଷୀଣ କଣ୍ଠ ସ୍ୱରରେ । ପଛକୁ ଚାହିଁ ଦେଖିଲି ଜଣେ କ୍ଷୀଣାଙ୍ଗୀ ଷୋଡ଼ଶୀ । ଉତ୍‍ଥଳ ଯୌବନା । ହାତରେ ଖଣ୍ଡିଏ ଚମଡ଼ା ସୁଟକେଶ୍ । ପଛକୁ ଚାହିଁବା ଭିତରେ ଝିଅଟି ଦୁଇତିନିପଦ କହି ସାରିଥିଲା । ଭାଷା ଦୁର୍ବୋଧ୍ୟ । ତେଲୁଗୁ, ତାମିଲ କି କନ୍ନଡ଼ ଭାଷା ଜାଣେନା । ମୁଖ ଭଙ୍ଗୀରୁ ଜାଣିଲି, ମତେ ସେ କ’ଣ ପଚାରିବାକୁ ଚାହେଁ ।

 

ପ୍ରଥମେ ଅଭଦ୍ରାମି ହେବ ଭାବି କିଛି ନ ପଚାରି ନ ବୁଝିଲା ପରି ଚାହିଁରହିଲି । ଶରୀରର ପରିଧାନ, ମୁଖର ସୌଷ୍ଠବ, ଚକ୍ଷୁର ଭ୍ରୂଲତା ମତେ ଭାରି ଭଲ ଲାଗୁଥିଲା । ପରିଚୟ ପାଇବାପାଇଁ ମନରେ ବ୍ୟଗ୍ରତା ଅପେକ୍ଷା କୌତୂହଳ ଥିଲା ଅଧିକ । ଭାବିଲି ନାଁ ପଚାରିବା ଭୁଲ ହେବ । ମାନ୍ଦ୍ରାଜ ସହର । ଭଦ୍ରଘର ଝିଅ ହୋଇଥିଲେ ପରିଚୟ ବଦଳରେ ହୁଏତ ମତେ ଗାଳି ଶୁଣିବାକୁ ପଡ଼ିପାରେ, ନଚେତ ଚାପୁଡ଼ା ।

 

କିଛି ନ ପଚାରି ଆଗକୁ ଚାଲିଲି । ପୁଣି ସେଇ ବାଧା । ଅଭିସାରିକା ରାଧାପରି ସେ ମୋର ଅନୁଗାମିନୀ । ବ୍ରିଜର ଆରପଟକୁ ପାରି ନ ହେଉଣୁ ହଠାତ୍ ଅନୁଭବକଲି ମୋ ଡାହାଣ ହାତ ଉପରେ ତା ହାତ ।

 

ପ୍ରଥମେ ପଚାରିଲି ଇଂରେଜୀରେ, “କ’ଣ ଚାହଁ ?’

 

ମଥା ହଲେଇ ଝିଅଟି କହିଲା, “କିଛି ନୁହେଁ ।’’

 

“ତେବେ ?’’

 

“ମୁଁ ଖାଲି ତୁମର ପଛରେ ଯିବାକୁ ଚାହେଁ… ତୁମେ ଯୁଆଡ଼େ ଯିବ । କିନ୍ତୁ ତୁମେ ଏତେ ଜଲ୍‍ଦି….”

 

“ମୁଁ କଟକ ଯିବି ?’’

 

“କଟକ ?’’

 

“ହଁ କଟକ, ଓଡ଼ିଶାର ଲୋକ ମୁଁ’’

 

ପରେ ପରେ ଝିଅଟି ସ୍ପଷ୍ଟ ଓଡ଼ିଆରେ କହିବା ଆରମ୍ଭ କଲା । ଅବାକ୍ ହୋଇପଡ଼ିଲି । ମନେହେଲା କିଛି ଏକ ଅଦ୍ଭୁତ ଘଟଣା ଏହା ପଛରେ ରହିଛି । ସେ ମୋର ହାତଟାଣି ଏକ ଘାସ ପହିଆରେ ବସିବାକୁ କହିଲା । ଜଣେ ପୂର୍ଣ୍ଣ ଯୌବନା ସୁନ୍ଦରୀ ଝିଅର ସାନ୍ନିଧ୍ୟ ଓ ସ୍ପର୍ଶପାଇ ତରୁଣ ମନରେ ସ୍ୱାଭାବିକ ଯେଉଁ ପୁଲକ ଆସିବା କଥା ସେ ପର୍ଯ୍ୟନ୍ତ ମୋ ଦେହରେ ସେମିତି କିଛି ଆସି ନ ଥିଲା । ମନରେ ଆଶଙ୍କା, କୌତୂହଳ କ୍ରମଶଃ ବଢ଼ି ଉଠିଲା ।

 

ଚମଡ଼ା ସୁଟକେଶଟି ଫିଟାଇବାରେ ସେ ବ୍ୟସ୍ତ । ଦେଖିଲି ସୁଟକେଶରେ ଗୁଡ଼ିଏ ସିଲ୍‍କନ୍‍ ଶାଢ଼ି ଦର୍ପଣ, ପାନିଆଁ ଆଉ କେତେଗୁଡ଼ିଏ କାଗଜ ।

 

“ଦେଖନ୍ତୁ ତ ଏଥିରେ କ’ଣ ଲେଖା ହୋଇଛି” ସେ କହିଲେ ।

 

“ଏଇତ ଖଣ୍ଡିଏ ଚିଠି’’

 

“ଚିଠି ନୁହେଁ କେତୋଟି ମିଠା କଥା’’

 

“ତୁମ ମିଠାକଥାର ଆସ୍ୱାଦନ ମୁଁ ଚାହେଁ ନା’’

 

ବହୁ ଅନୁରୋଧ ପରେ ଚିଠିଟି ପଢ଼ିଲି । ଲେଖାଥିଲା—“ନିଶି ! ଚିଠି ପାଇବାମାତ୍ରେ ତୁ ନିଃସନ୍ଦେହ ଭାବରେ ମାନ୍ଦ୍ରାଜ ଚାଲିଆ । ମୁଁ ଏଠି ଚାକିରି ପାଇଛି । ଚିଡ଼ିଆଖାନାରେ । ଦରମା ମାସକୁ ୨୫୦ । ଏତେଦିନ ଅପେକ୍ଷା ପରେ ମୁଁ ଜାଣେ, ତୋ ମନ ଭାଙ୍ଗିଯିବଣି । ଜୀବନର ସମସ୍ତ ସୋହାଗ, ସମ୍ପଦ ତ୍ୟାଗକରି ତୁ ମତେ ଚାହିଁରହିଚୁ । ଚାରି ବର୍ଷ ତଳେ ମନେ ପଡ଼ୁଛି ସେଦିନ ଦିନାନ୍ତର ବିଦାୟ । ତୋ ଆଖିର ଲୁହ ପୋଛିବା ପାଇଁ ବହୁତ ଥର ହାତ ବଢ଼େଇଛି । କିନ୍ତୁ ହାତ ଯାଉ ନ ଥାଏ । ପାଖରେ ଥାଇ ମଧ୍ୟ ତୁ ବହୁଦୂରରେ ଥିଲୁ । ଭାବିଲି, ଖାଲିହାତରେ ଲୁହପୋଛି ହୁଏନା, ସେଥିଲାଗି ଗୁଡ଼ାଏ ନୋଟ ଦରକାର । ମନେପଡ଼ୁଛି ସ୍କୁଲରେ ପଢ଼ିବାବେଳେ ଦୁହେଁ କଳ୍ପନା କରୁଥିଲେ ଦୂର ପାହାଡ଼ର ସବୁଜ ଶଯ୍ୟାକୁ ଚାହିଁ ରହି । ଗୋଟାଏ ଘର ହୁଅନ୍ତା–ସୁନାର ଘର । ଦୁହେଁ ଏକାଠି ରହନ୍ତେ, ମୁଁ ଗୀତ ଲେଖନ୍ତି–ତୁ ସୁର ଦିଅନ୍ତୁ । ମୁଁ ବେହେଲା ବଜାନ୍ତି–ତୋର କିଂକିଣୀ ବାଜିଉଠନ୍ତା ତାଳେ ତାଳେ–ତୁ ନାଚନ୍ତୁ, ଉପଭୋଗ କରନ୍ତେ ଜୀବନକୁ ଜୀବନପରି । ପେନ୍‍ସିଲ ଧରି ଜ୍ୟାମିତି କଷୁ କଷୁ ତୁ ସେହି ସୁନାର ଘରର ନକ୍ସା ଆଙ୍କୁଥିଲୁ । ମୁଁ ତୁଳି ଦେହରେ ତୋର ସେହି କ୍ଷୀଣ ରେଖାକୁ ମୋଟେଇ ଦେଉଥିଲି ।

 

“ମୋର ବୟସ ବଢ଼ିବା ସଙ୍ଗେ ସଙ୍ଗେ ମନରେ ସେହି ଲେଖାଗୁଡ଼ାକ ଶିରା ପ୍ରଶିରାପରି ପ୍ରସରି ଯାଉଥାଏ, ଆଡ଼୍ୟାରର ପୃଥିବୀବିଖ୍ୟାତ ବଟବୃକ୍ଷର ଓହଳପରି କ୍ରମେ କ୍ରମେ ସାରା ଶରୀରରେ ବ୍ୟାପୀଗଲା । କେତେଥର ରୋଗଗ୍ରସ୍ତ ହୋଇଛି—ସେହି ଚିନ୍ତାରେ ।’’

 

“ତାପରେ…. ବିଚାରକଲି ନାଁ–ତତେ ପାଇବାପାଇଁ ଟଙ୍କା ଦରକାର । ଚାକିରି କରିବି-। ଓଡ଼ିଶାରେ ନୁହେଁ….ଓଡ଼ିଶା ବାହାରେ । ତୋଠୁ ବିଦାୟ ନେଲି ସେଥିପାଇଁ । ଏଠିକି ଆସି ଫୁଟ୍‍ପାଥରେ ବହୁତ ଦିନ ବୁଲିଚି । ସାର୍ଟିଫିକେଟ୍ ଦେଖାଇ ମନ ବିବ୍ରତ ହୋଇପଡ଼ିଛି-। ସମୁଦ୍ରକୂଳକୁ ଯାଇଛି ଆତ୍ମହତ୍ୟା କରିବାପାଇଁ । କିନ୍ତୁ ଅନନ୍ତ ବିସ୍ତୃତି ଓ ନୀଳିମା ଦେହରେ କି ମହିମା ଅଛି କେଜାଣି-କୂଳରେ ପହଞ୍ଚି ଭୁଲିଯାଏ କାହିଁକି ଆସିଛି । ବସି ବସି ଭାବେ ସବୁ ଭୁଲିଯାଏ । ପୁଣି ଫେରିଆସେ କୋଳାହଳ ଭିତରକୁ । ଅନନ୍ତ ନୀଳିମା ଭିତରେ ଯାହାକୁ ଭୁଲିଯାଏ କୋଳାହଳ ଭିତରେ ତାକୁ ଫେରିଯାଏ ।’’

 

‘‘ଏମିତି ବହୁଦିନ କଟିଗଲା । ଶେଷରେ ଚାକିରି ପାଇଲି—ପ୍ରଥମେ କଫି ହୋଟେଲରେ—ପରେ ଜଣେ ଦରଜି ପାଖରେ—ତାପରେ ଯାଇ ଏଇଠି । ପ୍ରଥମେ ମାସରେ ଯେତେବେଳେ ମୁଁ ପ୍ରଥମଥର ପାଇଁ ଦରମାଗଣ୍ଡାକ ଗଣିବସେ—ଭାବିଲି କଳ୍ପନା ନିଶ୍ଚୟ ବାସ୍ତବ ହେବ । କିନ୍ତୁ ଏତେବର୍ଷ ପରେ ନିଶି କ’ଣ ବିବାହ ନ କରି ରହିଥିବ ? ହୁଏତ କେଉଁ ଅଲିଅଳ ରାଜପୁତ୍ର କୋଳରେ ଚୁମ୍ବନର ମଧୁର ସ୍ପର୍ଶରେ ଆଜି ନିଶି ନିଶିଥର ବିଳାସ ଭୋଗୁଥିବ ।’’

 

‘‘ମୋ ଚିଠି ବୃଥା । ଖାଲି ମନର ତୃଷ୍ଣା ମେଣ୍ଟଇବା ପାଇଁ ଲେଖିଯାଇଛି, ଯଦି ପାଅ ସାନ୍ତ୍ୱନା ମିଳିବ ।’’

 

‘‘ନିଶି ! ଯଦି ତୁ ପ୍ରକୃତରେ ଅବିବାହିତା ରହିଥାଏ—ମତେ ଅପେକ୍ଷା କରିଥାଉ—ଶୀଘ୍ର ଚାଲିଆ…. । ମୋର ଆଉ ଓଡ଼ିଶାକୁ ଫେରିବା ସମ୍ଭବ ନୁହେଁ । ବାପା ମାଆଙ୍କ ତାଡ଼ନାରୁ ମୁଁ ରକ୍ଷା ପାଇ ଯାଇଛି । ଯଦି ତୁ ନ ଆସୁ ମୋ କଳ୍ପନା ସୌଧ ଟଳିଯିବ । ମୁଁ ହୁଏତ ମାନ୍ଦ୍ରାଜର ଫୁଟପାଥରେ ଝରକାବାଲାଙ୍କ ଭଳି ମାତାଲ ହୋଇ ସାମୟିକ ଆନନ୍ଦରେ ବିଭୋର ରହିବି । ନଚେତ୍ ଇମିତି ଖାଲି ଚିଠି ଲେଖି ଲେଖି ପ୍ରାଣର ଜ୍ୱଳନ୍ତ ଅଗ୍ନିକୁ ଦହସିତ କରି ରଖିବି । ଶେଷରେ ପୋଡ଼ିଯିବି ।’’

 

ତୁ କିନ୍ତୁ ଆସିବୁ ବୋଲି ମୋର ଦୃଢ଼ ବିଶ୍ୱାସ । ସ୍ନେହ ନେବୁ ।

 

ତୋର

ଅ.ବ.ନି”

 

ଉଦ୍‍ବିଗ୍ନ ହୋଇ ଚିଠିଟି ପଢ଼ୁଥିବାବେଳେ ମୁଁ ଲକ୍ଷ୍ୟ କରିଛି ବାଳିକାଟିର ଆଖିରେ ଦୁଇଧାର ଲୁହ । ମୋ ମନରେ ଖାଲି ସହାନୁଭୂତି କିନ୍ତୁ ନିରୁପାୟ ।

 

ମାନ୍ଦ୍ରାଜ କଲିକତା ମେଲ ଛାଡ଼ିବ ଠିକ୍ ରାତି ଆଠଟା ପଚିଶରେ । ଷ୍ଟେସନକୁ ଆସିବାପାଇଁ ମୁଁ ବ୍ୟସ୍ତ ହୋଇ ଉଠୁଥାଏ । କିନ୍ତୁ ବାଳିକାଟି ମୋ ପଛେ ପଛେ । ମୋ ପ୍ରତି ବହୁଲୋକଙ୍କର ବିଦ୍ରୂପ ଦୃଷ୍ଟି ପଡ଼ୁଥାଏ । ଲଜ୍ୟାଲାଗେ ମୁହଁ ଉପରକୁ ଉଠାଇବାଲାଗି । ଷ୍ଟାଡ଼ିୟମ ପାର ହୋଇ ଆସିଲି ମୁର ବଜାର ।

 

ବାଳିକାଟିର ଅନୁଗମନ ସେମିତି ଲାଗି ରହିଛି ।

 

ପ୍ରାଣରେ ଦୟାଥିଲା । କିନ୍ତୁ ମାନ୍ଦ୍ରାଜର ଦିନକର ଆୱାରା ହୋଇ ଅନ୍ୟକୁ ସାହାଯ୍ୟ କରିବା ଭଳି ଦୁଃସାହସ ମୋର ନ ଥିଲା । ଇଚ୍ଛା ହେଉଥାଏ ବାଳିକାଟି ଚାଲିଯାଆନ୍ତା କି ରକ୍ଷା ପାଇଯାଆନ୍ତି । କିନ୍ତୁ ସେ ମିଶିଯାଏ, କଥା କହେ ଅନ୍ତରଙ୍ଗ ବନ୍ଧୁଭଳି ।

 

ଷ୍ଟେସନର ଗୋଟିଏ ବେଞ୍ଚ ଉପରେ ଆମେ ଦୁଇଜଣ ବସିଲୁ—ହୁଏତ ସ୍ୱାମୀ ସ୍ତ୍ରୀ ନଚେତ୍ ଭାଇ ଭଉଣୀ ଭଳି । ବହୁତ ବୁଝାଉଥାଏ । ଏମିତି ଖଣ୍ଡିଏ ଚିଠିରେ ଭାସିଯାଇ ଓଡ଼ିଶାରୁ ମାନ୍ଦ୍ରାଜ ଚାଲିଆସିବା ତୁମର ଭୁଲ ହୋଇଚି । ଘରେ ବାପା ମା ଚାହିଁଥିବେ—ଫେରି ଯାଅ ।

 

“ନା ଆଉ ଫେରିବି ନାହିଁ । ଅବନି ନିଶ୍ଚୟ ଏହି ମାନ୍ଦ୍ରାଜରେ ଅଛି ।’’

 

“କିନ୍ତୁ ଚିଡ଼ିଆଖାନାରେ ସେ ନାହାନ୍ତି—ତେବେ କେଉଁଠି ?’’

 

“ହୁଏତ ଚିଡ଼ିଆଖାନାରୁ ଯାଇ ସେ ଅନ୍ୟ କୌଣସିଠି ଚାକିରି କରୁଛି ।’’

 

“ତମକୁ ଜଣାଇ ଥାଆନ୍ତେ ତ”

 

“ଚିଠି ଯିବାବେଳକୁ ମୁଁ ହୁଏତ ଚାଲି ଆସିଛି ।’’

 

ଯୁକ୍ତିରେ ପରାସ୍ତ ହୋଇ ମୁଁ ନୀରବରେ ବସି ରହିଥାଏ । ଏକ ବିଚିତ୍ର ପରିସ୍ଥିତିର ଇନ୍ଦ୍ରଜାଲ ଭିତରେ ପଡ଼ି ପ୍ରକୃତରେ ମୋ ମନ ବ୍ୟତିବ୍ୟସ୍ତ ହୋଇ ପଡ଼ିଥାଏ ।

 

ଗାଡ଼ି ଛାଡ଼ିବାକୁ ଆଉ ଘଣ୍ଟାଏ ବାକି !

 

ଷ୍ଟେସନର ଲେଫ୍‍ଟ ଲଗେଜରୁ ମୁଁ ମୋର ବେଡ଼ିଂ ଫେରାଇ ଆଣି ବାନ୍ଧିବାରେ ବ୍ୟସ୍ତ ।

 

ବାଳିକାଟି ଧୀର ସ୍ୱରରେ କହିଲା, “କିଛି ମନେ କରିବେ ନି ତ ?’’

 

“କ’ଣ ?’’

 

“କୋଡ଼ିଏଟି ଟଙ୍କା ଦରକାର ।’’

 

“କାହିଁକି—ତମ ପାଖରେ କିଛି ନାହିଁ ?’’

 

“ବିଲ୍‍କୁଲ୍‍ ନାହିଁ, ଚଳିବି କିମିତି ?’’

 

“ସହଜେ ଝିଅ ପିଲା–ଅଭାବରେ ତୁମେ ରହିବାକୁ କିମିତି ସାହାସ କରୁଚ ?’’ ପଚାରିଲି-

 

“ନାଁ ମୁଁ ଗୋଟିଏ ହୋଟେଲ ଠିକଣା କରିଛି, ସେଇଠି ରହିଥିବି । ଅବନୀର ଦେଖାହେଲେ, ସବୁ ବ୍ୟବସ୍ଥା ହୋଇଯିବ । ହାତ ଖର୍ଚ୍ଚ ଓ ହୋଟେଲକୁ ଅଗ୍ରୀମ ଦେବାପାଇଁ ଅତି କମରେ କୋଡ଼ିଏ ଟଙ୍କା ଦରକାର ।’’ ଝିଅଟି କହି ଚାଲିଛି ।

 

“କିନ୍ତୁ ମୋ ପାଖରେ ତ ବଳକା ଟଙ୍କା ନାହିଁ । ଟିକଟ କାଟିକା ପରେ ବାଟ ଖର୍ଚ୍ଚ ପାଇଁ ମୋଟେ ପାଞ୍ଚଟି ଟଙ୍କା ଅଛି ।’’

 

“ନାଁ ମତେ ଦେବାକୁହିଁ ପଡ଼ିବ ।’’ ଝିଅଟିର ଜିଦ୍ କହିଲେ ନସରେ ।

 

“ଥିଲେ ସିନା”

 

“ନିଶ୍ଚୟ ଅଛି, ବାଳିକାଟିର କଣ୍ଠରେ କର୍କଶ ସ୍ୱର ।

 

ଦେଖିଲି ବର୍ତ୍ତମାନ ଆଖିରେ ପୂର୍ବ ସରଳ କରୁଣ ଚାହାଁଣି ନାହିଁ । ବିକଟ ଦୃଷ୍ଟି । ଦେଖୁ ଦେଖୁ କାନ୍ଦି ଉଠିଲା—ସେ ଭୋ ଭୋ ରଡ଼ି । ସ୍ଥିର ଚିତ୍ତରେ ମୁଁ ତାକୁ ଚାହିଁ ରହିଥାଏ । ରେଳବାଇ ପୁଲିସ ଆସି ରୁଣ୍ଡ ହେଲେ । କ୍ରମଶଃ ଲୋକ ସମାଗମ ଅଧିକରୁ ଅଧିକ । ତୁନିଟି ହୋଇ ମୁଁ ଚାହିଁ ରହିଥାଏ ମାନ୍ଦ୍ରାଜର ଏହି ବିଚିତ୍ର ବିଷାକ୍ତ ନାଗକନ୍ୟାକୁ ।

 

ତାମିଲ ଭାଷାରେ ସେ ପୁଲିସକୁ କଣ କହିଲା କେଜାଣି ପୁଲିସ ମତେ ପଚାରିଲା “ଆପଣ କ’ଣ ୟାର ସ୍ୱାମୀ ?’’

 

ହସକୁ ଚପେଇ ଉତ୍ତର ଦେଲି,

 

“ଏହାକୁ ମୁଁ ଚିହ୍ନେନା ।’’

 

“ଆପଣ କେଉଁଠୁ ଆସିଲେ ?’’

 

ପୁଲିସ ପଚାରିଲା ।

 

“ତ୍ରିଚନାପଲ୍ଲିରୁ” ଟିକଟ ଦେଖାଇଲି ।

 

ପୁଲିସ ଟିକଟି ଦେଖି ବାଳିକାଟିର ଫିସାଦିକୁ ଠିକ୍ ବୁଝି ପାରିଲା । ତାକୁ ଟାଣି ନେଇଗଲେ ମୋ ପାଖରୁ । ପରେ ଜଣାଗଲା ଝିଅଟିର ଫଟୋ କ୍ରିମିନାଲ ତାଲିକା ଅନ୍ତର୍ଭୁକ୍ତ । ଘର ତାର ପଲାସା ଆଡ଼େ । ଏହି କାରବାର କରି ଗତ ପାଞ୍ଚବର୍ଷ ଧରି ସେ ଚଳି ଆସୁଚି । ଦିଲ୍ଲୀ, କଲିକତା ସବୁଆଡ଼େ ।

 

ଟ୍ରେନରେ ବସି ମୁଁ ଖାଲି ଭାବୁଥାଏ ସେ ଓଡ଼ିଆ ଚିଠିଟି କଥା । ଜଣେ ଶିକ୍ଷିତ ଲୋକ ହାତର ଗୁଡ଼ାଏ ଅକ୍ଷର । ବେଶ୍ ଗୋଲଗୋଲ—ଭାଷା କବିତାପୂର୍ଣ୍ଣ, ସକରୁଣ, ମଧୁର । ଚିଠିଟି ସଂଗ୍ରହ କଲା କିମିତି ?

 

ବିଚିତ୍ର ମାନ୍ଦ୍ରାଜ ସହରକୁ ନମସ୍କାର ଜଣାଇ ମୁଁ ଗାଡ଼ିର ଝରକା ବନ୍ଦ କରିଦେଲି ।

 

(ବେତାର କେନ୍ଦ୍ର ସୌଜନ୍ୟରୁ)

Image

 

ପୁରୀର ଭୂତକୋଠ

 

ପ୍ରଳୟ ଯେତେବେଳେ ଆସେ, ଧୀରେ ଧୀରେ ଆସେନା, ହଠାତ୍ ଆସେ, ହଠାତ୍ ସବୁ ଭିନ୍ନ ଭିନ୍ନ କରି ଚାଲିଯାଏ । ଲୋକେ କହନ୍ତି, ଇମିତି ଝଡ଼, ଶହେ ବର୍ଷ, ହଜାରେ ବର୍ଷ ହେଲା ଆସି ନ ଥିଲା । ବଢ଼ି ଆସିଲା ଯେ ପାହାଡ଼ ଉପରେ ଥିବା ଘର, ରାଜଉଆସ ମଧ୍ୟ ଭସେଇ ଦେଲା ।

 

ନିରୋଜ ଯେଉଁଦିନ ହେମନ୍ତକୁ ଇମିତି କରନ୍ତି, ଛି ବୋଲି କହି ଭିତର ଘରୁ ଦାଣ୍ଡଘରକୁ ଚାଲି ଆସିଥିଲା, ତାର ଟିକକ ପୂର୍ବରୁ ତା ଜୀବନରେ ପ୍ରଥମ ପ୍ରଳୟ ଆସିଥିଲା । ଏ ପ୍ରଳୟର ଆଉ କିଛି ନୁହେଁ ଯୌବନର ପ୍ରଳୟ ।

 

ହେମନ୍ତ ଗଡ଼ଜିଣି ଫେରିବାପରେ ରାତିସାରା ମେସ୍‍ଟାରେ ଆମକୁ ବସେଇ ତାର ଗଡ଼ଜିଣିବାର କୌଶଳ କଥା ବର୍ଣ୍ଣନା କରି ଚାଲିଥାଏ, ଆମେ ମନ ଓ ପ୍ରାଣର ଉତ୍ତେଜନା ସହିତ ତା କଥାଗୁଡ଼ାକୁ ଭାରି ଉପଭୋଗ କରୁଥିଲୁ । ହେମନ୍ତଟା ଡଂଫା ନୁହେଁ, କେବେ କେଉଁ କଥାରେ ଫୁଟାଣି କରେନା । ଯାହା କହେ ରୋକ୍ ଠୋକ୍, ଯାହା କରେ ଏକାବେଳକେ ସିଧା ସଳଖ ।

 

ହେମନ୍ତ ଥିଲା ନିରୋଦର ସାନ ଭଉଣୀ ସରୋଜାର ଟିଉଟର । କଲେଜରେ ନିରୋଦାର କ୍ଲାସମେଟ୍ । ଆମେ ବାହାରେ ଜାଣୁ ହେମନ୍ତ ସହିତ ନିରୋଦର କେବେ ପଡ଼େନା । ଏ ଭଳି ଚୁହା ଚୁହିଁ ମଧ୍ୟ ହୁଅନ୍ତିନି ।

 

ହେମନ୍ତ ଯେତେବେଳେ ସରୋଜାର ଟିଉସନ ଚାକିରି ପାଇଥିଲା ସେତେବେଳେ ପୁରୀରେ ଟିଉସନ ବଜାରଟା ବଡ଼ ମାନ୍ଦା ଥିଲା । ବିଶେଷ କରି ଝିଅପିଲା, ସେ ପୁଣି କଷି ଭୁଆଷୁଣୀ ଛାତ୍ରୀଙ୍କୁ ଧରି ପାଠ ପଢ଼େଇବା ଯୁଗଟାକୁ କେହି କଳ୍ପନା ସୁଦ୍ଧା କରି ନ ଥିଲେ । ବଡ଼ ହେଲେ ଟିଉସନ ଖଣ୍ଡେ ଦିଖଣ୍ଡ ମିଳୁଥିଲା ସେଇ ପଣ୍ଡା ସାହିରେ । ପଚାଶ ଷାଠିଏଟା ଛୁଆଙ୍କୁ ଧରି ତିନି ଚାରି ଘଣ୍ଟା ବେତ ହଲେଇଲେ ଯାଇ ଚାରଣା ଚାରଣା ହାରରେ ମାସକୁ ଦଶ ପନ୍ଦର ମିଳେ । କେହି କେହି ନଗଦ ପଇସା ନ ଦେଇ ଶଙ୍ଖୁଡ଼ି ମହାପ୍ରସାଦ ଭୋଗ ଚାରିଅଣାରେ କିଂବା ଡାଲି ଚାରିଅଣାର ଆଣି ଦରମା ଆକାରରେ ପରିଶୋଧ କରୁଥିଲେ । ଘରୁ ବାସି ମହାର୍ଦ୍ଦ କୁଡ଼ୁଆରେ ଆଣୁ ଆଣୁ ପିଲାଏ ଅଧାଅଧି ବାଟରେ ଚାଟି ପକାଉ ଥିଲେ ।

 

ହେମନ୍ତ ଭାଗ୍ୟରେ ଏ ଟ୍ୟୁସନ୍ ପ୍ରଥମେ ଜୁଟିଥିଲା—ବାଶେଳୀ ସାହିରେ । ଚାକିରି ଖୋଜି ଖୋଜି ସେ ଯେତେବେଳେ ପୁରୀରେ ପହଁଚି, ପଢ଼ିବାଲାଗି ମନସ୍ଥିର କରେ, ସେତେବେଳେ ଯାହା ବା ଜୁଟିଲା ଧରିନିଅ ଭାବି ସେ ଟ୍ୟୁସନକୁ ଧରି ନେଇଥିଲା । ସେଇ ବାଙ୍ଗରା ହେଇ ଯୋଉ ଏଲ୍.ପି. ସ୍କୁଲ ମାଷ୍ଟ୍ରଜଣଙ୍କ, ହେମନ୍ତର ନାଁ ମନେ ନାହିଁ ଆଉ, ସେଇ ଦୟାପରବଶ ହୋଇ ଏତକ ଜୁଟେଇ ଦେଇଥିଲେ । କିନ୍ତୁ ତାଙ୍କରି ଯୋଗୁହିଁ ସେ ଏ ଟ୍ୟୁସନରୁ ତ୍ରାହି ପାଇଲା । କାରଣ ମାଷ୍ଟ୍ରଜଣଙ୍କର ଇଚ୍ଛା ଥିଲା ତାଙ୍କ ଝିଅ ସହିତ ହେମନ୍ତକୁ ବାହା କରିବାପାଇଁ । ଯାହା ନାକରୁ ଶିଙ୍ଘାଣି ଧାର ଧାର ହୋଇ ବହିଯାଉଥାଏ, କାଖରେ, ଅଣ୍ଟାରେ ଦିନ ଯାକ କୁତୁରୁ କାଳି କଲେବି ଯାହା ମୁହଁରୁ ଟିକିଏ ହେଲେ ହସ ବାହାରେନି, ସେଇ ଅଷ୍ଟମ ବର୍ଷୀୟା “କୁମୁ”କୁ ବାହା ହେବାପାଇଁ ସେ ବହୁତ ଟାଉଟରୀ କଲେ, ହାରିଗଲେ । (କ୍ଷମାଦେବେ, ହୁଏତ ମାଷ୍ଟ୍ର ବଞ୍ଚିଥିଲେ, ଗାଳିଦେବେ, ସେଇଥିପାଇଁ କହିରଖେ, ତା ଡାକନାଁଟା ‘କୁମୁ’—ଭଲ ନାଁଟା କୁମୁଦିନୀ) । ହେମନ୍ତ, ଗାଲରେ ଗୋଟିଏ ସରୁ ଚାପଡ଼ା ମାରିଲା ଭଳି ମାଷ୍ଟ୍ରମୋହଦୟଙ୍କୁ ମନା କରିଦେଲା, ଏଇଟା ଗୋଟାଏ ଝିଅ, ମୁଁ ତାକୁ ବାହାହେବି । କହୁନା, ଆତ୍ମହତ୍ୟା କରବୋଲି । ବ୍ରାହ୍ମଣିଆ ମାଷ୍ଟ୍ରେ, ଉପବୀତଧାରୀ ମାଷ୍ଟ୍ରେ ଏକାବେଳକେ ଦୁର୍ବାସା । ଠିକ୍ ମନେ ଅଛି—ସେ କହିଥିଲେ—ଅର୍ବାଚିନ—ମତେ ଅପମାନ ଦେଉଚୁ—ଅଭିଶାପ ଦେଲି—ତୁ ଜୀବନ ଯାକ ଜଳି ପୋଡ଼ି ମରିବୁ । ପୁରୀରେ କେଉଁଠି ଆଉଠାବ ପାଇବୁ, ଦେଖି ।

 

ଠିକ୍ ତା’ ଆରଦିନ ହେମନ୍ତ ଦେଖିଲା ନିରୋଜାକୁ । କଲେଜରେ ନାଁ ଲେଖେଇବାକୁ ଯାଇଥାଏ ନିରୋଜା ସେଇଠି ଦେଖାହେଲା । ବୋଧହୁଏ ଆଗରୁ ଆଉ କ’ଣ କଥାବାର୍ତ୍ତା କରିଥିବେ ମୁଁ ଜାଣେନା, କିନ୍ତୁ ଏତିକି ମାତ୍ର ଜାଣେ, ନିରୋଜା ହେମନ୍ତ ଅବସ୍ଥା କଥା ଜାଣି, ପ୍ରସ୍ତାବ କରିଥିଲା, ତା ଭଉଣୀକି ସରୋଜାକୁ ଟିଉସନ କରିବା ପାଇଁ ।

 

ବୈଜ୍ଞାନିକ ଭାବରେ ଟ୍ୟୁସନ ଆରମ୍ଭ ହେଲା—ଦିଇଟା ଚୌକୀ । ମଝିରେ ଗୋଟାଏ ଟେବୁଲ । ଗୋଟିଏ ଚୌକୀରେ ଗୋଟାଏ ଯୌବନ, ଅନ୍ୟ ଏକ ସିଟରେ ଆଉ ଗୋଟାଏ କୈଶୋର ।

 

(ହଁ ଭୁଲି ଯାଇଚି, ଏହି ଟ୍ୟୁସନ ଆରମ୍ଭ ଦିନଠୁଁ ନିରଜା ହେମନ୍ତକୁ ଆଉ ହେମନ୍ତ ବୋଲି ଡାକେନା—ଡାକେ ମାଷ୍ଟ୍ରେ ବୋଲି । କ୍ଲାସରେ ମଧ୍ୟ ସେୟା) ।

 

ସରୋଜା ବିରୁଦ୍ଧରେ ମୋର କିଛି କହିବାର ନାହିଁ । ହୁଏତ ଥାଇପାରେ, ହେମନ୍ତ କିନ୍ତୁ ମତେ କିଛି କହିନି । ସେ କହେ ସରୋଜାଟା ଋଷିକୁମାରୀ । ସେତେବେଳକୁ ତାକୁ ଯୌବନ ଛୁଇଁ ଆସି ଥାଏ ସତ, କିନ୍ତୁ ସେ ଯୌବନର ଫୂର୍ତ୍ତି, ବୟସ ଗ୍ରନ୍ଥିର ସଲ୍ଲଜ୍ଜତା, ନମନୀୟତା, ଗତିଶୀଳତା ଓ ବ୍ୟଗ୍ରତାକୁ ଆହରଣ କରି ପାରି ନ ଥାଏ । ତା ହସରେ ଉତ୍ସଳତା, ଆଖିରେ କଟାକ୍ଷ, କବରୀରେ ସାଜସଜ୍ଜା ବିଲକୁଲ ନଥାଏ । ସରୋଜା ସମ୍ଭବତଃ ଧରି ନେଇଥାଏ, ଏତେ କମ ବୟସରେ କ’ଣ ଏତେଗୁଡ଼ାଏ ପରିସ୍ଫୁଟନ ସଂଭବ ? ହୁଏତ ଅଠର ଡେଇଁଲେ…. ଯାହା ହେବ, ହେବ ।

 

କିନ୍ତୁ ସରୋଜାର ଯାହା କହିବା କଥା—ତାର ପ୍ରକ୍ସି ଦିଏ ନିରୋଜା । ଥରେ ଥରେ ସରୋଜାକୁ ସିଟ୍‍ରୁ ନାନା ଅବାନ୍ତର କଥା କହି ଆଡ଼େଇ ନିଏ । ସେ ନିଜେ ଆସି ବସେ । ଗପ ସପ କରେ….

 

—ମାଷ୍ଟ୍ରେ ଆଇ. ଏସ୍. ସି. ପରେ ଆପଣ କ’ଣ ପଢ଼ିବେ—

 

—ବି. ଏସ୍. ସ ।

 

—ମୁଁ କିନ୍ତୁ କ’ଣ କରିବି କିଛି ଭାବିନି ।

 

—କାହିଁକି ଡାକ୍ତରୀ ପଢ଼ିବ ।

 

—ଶୁଣିଚି, ଡାକ୍ତରୀ ପଢ଼ିଲେ, ଝିଅଗୁଡ଼ାକ କୁଆଡ଼େ ଅସତୀ ହୋଇଯାଆନ୍ତି ।

 

—ସେଥିଲାଗି ଲାଇସେନ୍ସ ମିଳେ ବୋଲି ।

 

—ଛି ତାହାହେଲେ, ମୁଁ ସେ ପାଠ ପଢ଼ିବିନି । ମଣିଷର ବଡ଼ କଥା ହେଲା ଚରିତ୍ର । ସେଇଟା ଗଲେ…..

 

—ସ୍ୱାମୀ ପ୍ରଣବାନନ୍ଦଙ୍କ ପାଖକୁ ଚିଠି ଲେଖ, ସେ ପ୍ରାଞ୍ଜଳ ଭାବରେ ସବୁ କଥା ବୁଝାଇ ଦେଇ ପାରିବେ । ନଚେତ ସେ ଲେଖିବେ, ତାଙ୍କର ଅମୁକ ବହିରୁ ଖଣ୍ଡିଏ କିଣି ପଢ଼ ବୋଲି ।

 

(ଅନ୍ତତଃ ବହିଟାତ ବିକ୍ରୀ ହୋଇଯିବ ।)

 

—ସେ କ’ଣ ଲେଖିବେ କ’ଣ ତୁମେ ଜାଣନି ।

 

—ଜାଣେ, ସେ ଲେଖିବେ, ମୁଣ୍ଡରେ ତେଲ ଲଗାଅନି, ନାଇଲନ ଶାଢ଼ି ପିନ୍ଧିନି, ବିଳାସ ବ୍ୟସନରେ ମାତନି ।

 

ହେମନ୍ତ ସମ୍ଭବତଃ ନିରୋଜାକୁ ସେତେବେଳ ଖୁବ୍ ନିରେଖି ଚାହିଁଥିଲା ନଚେତ୍ ଏ କଥାଗୁଡ଼ାକ ନିଶ୍ଚିନ୍ତ ଭାବରେ ସେ ଏଡ଼େବେଗ କହି ପାରନ୍ତା ନାହିଁ । ନିରୋଜା ମୁଣ୍ଡର ବାସନାରେ ଘରଟା ସେତେବେଳକୁ ଚହଟି ଉଠୁଥିଲା । ନାଇଲନ ଶାଢ଼ୀ ତଳୁ ସେ ଯୌବନର ସମସ୍ତ ନକ୍ଷତ୍ରଗୁଡ଼ାକୁ ଭଲ ଭାବରେ ଦେଖି ପାରୁଥିଲା । ବର୍ତ୍ତୁଳ ନୟନାଭିରାମ ଉଦ୍ଧତ ଦୁଇଟି ବିନ୍ଦୁ । ବକ୍ଷର ମସୃଣ ସୁସ୍ନିଗ୍ଧ ପ୍ରାନ୍ତର ମଧ୍ୟରେ ସ୍ଥିର ଅଚଳ ଦୁଇଟି ପେଣ୍ଡୁ । ସୃଷ୍ଟିର କ୍ରୀଡ଼ାସାମଗ୍ରୀ । ଖେଳୁଆଡ଼ ଅଭାବରେ ଏ ଦୁଇଟିର କି ଦୂରବସ୍ଥା ! କି ଆବେଗତା, ନନ୍ଦାଙ୍ଘୁଟି ଶୃଙ୍ଗର ଆରୋହଣ ସରିଲା, ଆଗରୁ ଏଭେରେଷ୍ଟ୍ ବିଜୟ ସରିଚି, କିନ୍ତୁ ଏହାର ବିଜୟ ଏଯାଏଁ ସମ୍ଭବ ହୋଇନି । ବରଫତରଳିବ, ଗଛରୁ ପତ୍ର ଝଡ଼ିଯିବ, ଫୁଲରୁ ପାଖୁଡ଼ା ଝଡ଼ିଯିବ—ତା ପରେ ଶୃଙ୍ଗାରୋହଣର ଆୟୋଜନ ? ବୃଥା ! ପ୍ରେରଣା ନଥିବ, ଉଦ୍ଦମତା ନ ଥିବ, ସରସତା ନଥିବ, ତାରି ଭିତରେ ସ୍ଥବିର ଅଙ୍ଗରେ ଜବରଦସ୍ତି ଯୌବନର ପୁଟି ମଡ଼େଇ ଲମ୍ବା ପାଦ ପକେଇବାରେ କି ଆନନ୍ଦ । ଟିକକ ପରେ କ୍ଲାନ୍ତି ।

 

ପଣ୍ଡା ଘର ଟିଉସନରୁ ହେମନ୍ତର କିଛି ଆର୍ଥିକ ଲାଭ ହେଉ ବା ନହେଉ, ସ୍ୱାସ୍ଥ୍ୟ ବିକାଶ ଦିଗରେ ଯଥେଷ୍ଟ ଲାଭ ହୋଇଥିଲା । ବାଘ ଭଳି ଅତି ଆମିଷାଶୀ ପଣ୍ଡାଏ, ଯାତ୍ରୀମାନଙ୍କ ଆଗରେ ବଡ଼ ମଧୁର ଓ ଅଧ୍ୟାତ୍ମିକ ଭାବରେ ବଖାଣନ୍ତି ଯେ, ସେମାନେ କଟ୍ଟର ନିରାମିଷାଶୀ, କିନ୍ତୁ ଘରକୁ ଫେରିଲାବେଳେ ହାତରେ ଭାକୁର, ଇଲିସ କିଛି ନହେଲେ ମଧ୍ୟ ଗଣ୍ଡେ ଚିଙ୍ଗୁଡ଼ି ଧରି ଆସନ୍ତି । ମଧ୍ୟାହ୍ନ ଭୋଜନରେ ଏତକ ପ୍ରମାଦ ସେବନ ନ କଲେ ନ ଚଳେ । ସୁଷମ ଖାଦ୍ୟର ସର୍ବାଂଶ ଭକ୍ଷଣ କରିବା ପରେ ସ୍ୱାସ୍ଥ୍ୟଗଠନ ସହଜେ ହୋଇ ଥାଏ । ପ୍ରୋଟିନ୍, ଭିଟାମିନ୍, ଏ.ବି.ସି.ଡ଼ି ସବୁଗୁଡ଼ାକ ତାଙ୍କରି ଖାଦ୍ୟରେ । ତା’ନହୋଇ ଥିଲେ, ବାଇସ ବର୍ଷ ବୟସରେ ହେମନ୍ତର ଓଜନ ୯୩ ପାଉଣ୍ଡରୁ ବଢ଼ି ୧୪୦ ହୁଅନ୍ତା ନାହିଁ । ଗାଲ ଦିଇଟା ଫୁଲକା ଫୁଲକା, ଉଜ୍ଜ୍ୱଳ ସୁପ୍ରଭ ଦିଇଟା ଆଖି, ଲମ୍ବା ଚଉଡ଼ାଛାତି, ଗୋରା ଗୋରା ଚମଡ଼ା । ବେଶ ସୁଠମ ସୁନ୍ଦର ଦିଶୁଥିଲା ହେମନ୍ତ ।

 

ଏଇତ ଗଲା ସ୍ୱାସ୍ଥ୍ୟ ! ଅତି ପ୍ରତିଭାଶାଳୀ ଜ୍ଞାନୀ ନଥିଲା ହେମନ୍ତ । ଯାହା ପିଲାଦିନେ ସ୍କୁଲରେ ଅଲଗା ବହି କିଛିଟା ପଢ଼ିଥିଲା—ଅଧିକା ଜ୍ଞାନ ବୋଇଲେ ସେଇତକ । ହେମନ୍ତର ଅପ୍ରଶଂସା ଗାନ କରିବା ମୋର ଉଦ୍ଦେଶ୍ୟ ନୁହେଁ । ମୋର କହିବାର ଉଦ୍ଦେଶ୍ୟ ହେଉଛି, କଲେଜର ସେକେଣ୍ଡ ଇଅର ଆର୍ଟସରେ ପଢ଼ି, ମାଟ୍ରିକୁଂଲେସନ ଉତ୍ତୀର୍ଣ୍ଣ ଜଣେ ଚଞ୍ଚଳମତି ବାଳିକା ଅର୍ଥାତ୍ ସରୋଜାକୁ ପାଠ ପଢ଼େଇବା ଭଳି ବିଦ୍ୟା ତାର ନଥିଲା, କିନ୍ତୁ ସେ ଯେଉଁ ବିଚକ୍ଷଣ ବିଶେଷ ବୁଦ୍ଧିର ଅଧିକାରୀ ଥିଲା, ସେଇଟାହିଁ ତାର ଅଜ୍ଞାନତାକୁ ବେଶ ଭଲ ଭାବରେ ଘୋଡ଼ାଇ ଦେଇ ପାରୁଥିଲା-। ଏହି ବିଶେଷ ବୁଦ୍ଧିଟା ହେଉଚି ଠିକ୍ ଖବର କାଗଜର ଦୈନିକ ସଂପାଦକୀୟ ବା ଅଗ୍ରଲେଖା ବା ସମାଲୋଚନା ବହି ଲେଖିବାର ଚତୁରତା । ଟିକିଏ ବୁଝେଇଦେବା ବୋଧହୁଏ ଦରକାର ହେଉଚି-। ଅର୍ଥାତ୍ ସଂପାଦକମାନେ ଯେପରି ଦିନ ଚାରିଟାବେଳକୁ କାଗଜ ବାହାରିବାକୁ ହେଲେ, ଦିନ ତିନିଟା ବେଳେ କଂପୋଜିଟରମାନଙ୍କ ତାଗିଦା ପାଇଁ ଇଆଡ଼ୁ ସିଆଡ଼ୁ ଗୁଡ଼ାଏ ଇଂରେଜୀ ବା ହିନ୍ଦି ବହିର କୋଟେସନ ଥୋଇ ଲମ୍ବା ତିନି ଚାରି କଲମ ପାଠ ଲେଖିଦେଇ ପାରନ୍ତି ଏବଂ ସମାଲୋଚକମାନେ ଯେଭଳି କୌଣସି ମୌଳିକ ଚିନ୍ତା ନକରି ବିଭିନ୍ନ ଲେଖକଙ୍କରଗୁଡ଼ିଏ ରଚନାକୁ ଧାଡ଼ି ଧାଡ଼ି କରି ଟିପିଦେଇ ମୂଳରେ ଓ ଶେଷରେ ବସେଇ ୧୫।୨୦ ଶହ ପୃଷ୍ଠାର ବହି ଲେଖି ଦେଇ ଥାଆନ୍ତି ଏବଂ ପାଠକଙ୍କଠାରୁ “ଭୂୟସୀ ପ୍ରଶଂସା”ର ଦାବୀ କରି ବସନ୍ତି, ସେହିଭଳି ହେମନ୍ତ ଟିଉସନ କରେ । ହେମନ୍ତ ପ୍ରଗଲ୍‍ଭ କି ବାଗ୍ମୀ ଠିକ୍ ଭାବରେ କହି ପାରିବିନି, ଏତିକି ମାତ୍ର ଜାଣେ ସେ ଗଡ଼ ଗଡ଼ କରି ନାନା କଥା କହିଯାଇ ପାରେ, ଏଭ୍ରିଥିଙ୍ଗ୍‍ରୁ ସମଥିଙ୍ଗ ଜାଣେ । ଇଂଲିଶ ? ସେକ୍ସପିଅର ଠାରୁ ଆରମ୍ଭ କରି ସର୍ବାଧୁନିକ ଇଂଲିଶ କବି, ଲେଖକଙ୍କର ସମସ୍ତଙ୍କ ନାମ ସେ ସ୍ପଷ୍ଟ ଓ ଅସ୍ପଷ୍ଟ ଭାବରେ ଉଚ୍ଚାରଣ କରି ଜାଣେ । ଆଉ ସରୋଜା ସେସବୁ ନାଁରୁ କେତେଜଣକୁ ବା ଚିହ୍ନେ ? ଟେନିସନ ନ କହି ସେ ଟାବସମ ବୋଲି କହିଲେ ମଧ୍ୟ ସରୋଜା ହଁ ମାରେ । କେଉଁ ଇଂଲିଶ କବି କ’ଣ ଲେଖିଛନ୍ତି, ନଲେଖିଛନ୍ତି,ସେ ଜାଣେନା, ତେଣୁ ହେମନ୍ତ ପିଲାଦିନେ ଇଂଲିଶ କବି ହେଉ ହେଉ ହୋଉ ଯାଇପାରେ ଭାବି, ଯେଉଁ ଇଂଲିଶ କବିତାଗୁଡ଼ାଏ ଲେଖିଥିଲା, ସେଇଥିରୁ ଧାଡ଼ିମୂଳିଆ କରି ବୋଲିଯାଏ—ତାକୁ ବ୍ୟାଖ୍ୟା କରେ, ଅର୍ଥ ବୁଝାଏ । ସେଇଭଳି ଭୂଗୋଳ ଇତିହାସ ସେ ସରୋଜାକୁ ଅତି ସହଜରେ ବୁଝାଏ ।

 

ବାପା ? ଅଥବା କେତେବେଳେ ଦୁଆର ଫିଟେଇ ତଦନ୍ତ କରିବାକୁ ଆସିବାବେଳେ, ହେମନ୍ତର ଇଂରେଜୀ ବ୍ୟାଖ୍ୟାନ, ଅନର୍ଗଳ ସଭାପତୀୟ ଭାଷଣ ଶୁଣି, ହୁଏତ ଝିଅର ପଢ଼ାରେ ବାଧା ଉପୁଜିବ ସେଇ ଭୟରେ ଅଧାବାଟରୁ ଚାଲିଯାଆନ୍ତି ।

 

ସରୋଜା ସାର୍‍ଙ୍କ ମୁହଁକୁ ବଲ ବଲ କରି ଚାହିଁ ରହେ । ମନେ ମନେ ଭାବେ ବୋଧହୁଏ, ଏମ୍.ଏ ପଢ଼ିସାରି ପୁଣି ମୂଳରୁ ପାଠ ପଢ଼ିବା ଲାଗି ଆଗ୍ରହ ହେବାରୁ ପଢ଼ୁଛନ୍ତି । ନଚେତ୍ ଏଭଳି ଜ୍ଞାନ, ବିଚକ୍ଷଣ ପ୍ରତିଭା…. କୁଉଠୁ, କିମିତି ? ସାରେ ଯାହା ଯାହା କହୁଛନ୍ତି, ସବୁଗୁଡ଼ାକ ଯଦି ଭକ୍ଷଣ କରି ଜୀର୍ଣ୍ଣ କରି ପାରନ୍ତା, ତାହାହେଲେ ନିଶ୍ଚୟ ଫାଷ୍ଟକ୍ଲାସ ଫାଷ୍ଟ । ଖବର କାଗଜରେ ଫଟୋ ବାହାରନ୍ତା—ତାର ସେ ଡବଲ ବେଣୀ ଫଟୋଟା ଭାରି ସୁନ୍ଦର ଦେଖା ଯାଆନ୍ତା-। ଯଦି ନାନୀର ମନ ପାଆନ୍ତା ନାହିଁ ତାହାହେଲେ ଆଉ ଗୋଟେ ଉଠେଇ ଦିଅନ୍ତା, ସେଥିରେ କ’ଣ ଅଛି ? ନାନୀ ତ କହେ ତା ଫଟୋ ଉଠିଲେ ଫଟୋ ଦୋକାନୀ ଯାଚିଲେ ମଧ୍ୟ କୁଆଡ଼େ ପଇସା ନିଏନା । ସେ ତାର ଫଟୋ ଏନଲାର୍ଜ କରି ଫଟୋ ଦୋକାନ ଆଗରେ ବିଜ୍ଞାପନ କରିଚି ବୋଲି-!

 

ସରୋଜାର ଭବିଷ୍ୟତ ଚିନ୍ତା ସରେ, ହେମନ୍ତର ବକ୍ତୃତା ମଧ୍ୟ ସରିଯାଏ । ଭଉୟେ କ୍ଲାନ୍ତ-। ସୋରଜା ଦୀର୍ଘ ନିଃଶ୍ୱାସ ଟାଣି କହେ ସାଆରେ, ହେମନ୍ତ କହେ ସ....ରୋ.…ଜା ।

 

ସରୋଜାର ବସ୍ତାନି ବନ୍ଧା ହେଉ ହେଉ ନିରୋଜା ଘର ଭିତରକୁ ପଶି ଆସେ । ନିରୋଜାକୁ ସରୋଜାର ବଡ଼ ଭୟ । ବଡ଼ ଭଉଣୀ ବୋଲି ନୁହେଁ, ଘରର କର୍ତ୍ତ୍ରୀ ସେ । ପିଲାଦିନୁ ମା ମରି ଯାଇଥିବାରୁ ସବୁ ଦାୟିତ୍ୱ ନିରୋଜା ଉପରେ । ବାପା ଟଙ୍କା ପଇସା ଯାହା ରୋଜଗାର କରି ଆଣନ୍ତି, ନିରୋଜା ହାତକୁ ବଢ଼େଇ ଦିଅନ୍ତି । ପିଲାଙ୍କ ପୋଷାକପତ୍ର, ଚାକର ପୂଜାରୀଙ୍କୁ କାମ ଦେବାଠାରୁ ଆରମ୍ଭ କରି ଜାବତୀୟ କାମ ସବୁ ନିରୋଜାର । ଘରକାମ ସାଙ୍ଗକୁ ପଢ଼ାପଢ଼ି କାମ ମଧ୍ୟ ସେ କରିଥଏ ବୋଲି ସାଇପଡ଼ିଶା ଲୋକେ ନିରୋଜାକୁ ସାକ୍ଷାତ ଦେବୀଭଳି ମାନ୍ୟ କରିଥାଆନ୍ତି । ସମସ୍ତେ କହନ୍ତି, ଲକ୍ଷ୍ମୀ ହାତ । ପରିବାବାଲା ପ୍ରଥମେ ଆସି ଏଇ ମା’ଲକ୍ଷ୍ମୀଙ୍କଠାରୁ ବହିନି କରିଥାନ୍ତି, ବାହାରେ ସେମାନେ କୁଆଡ଼େ କହିଥାଆନ୍ତି, ମାର ହାତ ଯୋଉଦିନ ବାଜିଥିବ, ପନ୍ଦର ମିନିଟରେ ପସରା ଶେଷ । ବାଜି ନ ଥିଲେ, ଯା ବୁଲୁଥା, ସକାଳୁ ସଞ୍ଜଯାଏ, ପସରା ଯିମିତି ସିମିତି । ଗ୍ରାହକଙ୍କ ସହିତ କେତେ ଝିଙ୍କା ଓଟରା ।

 

ନିରୋଜାର କଣ୍ଠରେ ଅଭିଭାବକତ୍ୱର ଓଜନ ରହିଥାଏ । ବାପା ଯାହା କରିବା କଥା ନିରୋଜା ହେମନ୍ତ ପାଖରେ ଆସି ସେଇ ଭୂମିକାର ଅଭିନୟ ପ୍ରଦର୍ଶନ କରେ । ଆଜି କେଉଁ ବହିର କେଉଁ ଅଂଶତକ ପଢ଼େଇଲେ, ସରୋଜା ଏଥର ପରୀକ୍ଷାରେ ପାସ କରିବ କି ନାହିଁ, ତାର କେଉଁ ଦିଗରେ ଲୟ ବେଶୀ, ଆପଣଙ୍କ ଦରମାଟା ଏ ମାସରେ ଦେବାରେ ଟିକିଏ ଡେରି ହୋଇଗଲା, ଆରମାସ ପହିଲାବେଳକୁ ଏକାଠି ପାଇଯିବେ, ଯଦି ଖିଆପିଆରେ ଅସୁବିଧା ହେଉଥାଏ, ଘରେ ଆସି ଖାଇଯାଇ ପାରନ୍ତି–ଏଇ ସବୁ କଥା ପଚାରେ ।

 

ହେମନ୍ତ ସ୍କୁଲରେ ପଢ଼ିଲାବେଳେ ଶ୍ଲୋକାନ୍ତର ଲାଗି ଶଙ୍କରାଚାର୍ଯ୍ୟଙ୍କ ମୋହମୁଦ୍‍ଗରରୁ ଯେଉଁ କେତୋଟି ଶ୍ଳୋକ ଶିଖିଥାଏ, ସେଥିରୁ ଗୋଟିଏ ଦିଓଟି ଉଦ୍ଧାର କରି କହେ, ବୁଝିଲ ନିରୋଜା; ଜୀବନଟା କଛି ନୁହେଁ—ନଳିନୀ ଦଳଗତ ଜଳମପି ତରଳଂ । ସ୍ନେହ ଶର୍ଦ୍ଧା ଥିଲେ ଯଥେଷ୍ଟ । ସେଦିନ କଲେଜରେ ବହୁ ବନ୍ଧୁ ବାନ୍ଧବୀଙ୍କ ସହିତ ତ ଦେଖା ହେଲା, କିନ୍ତୁ କେହିତ ମୋ ଖବର ପଚାରି ନାହିଁ । ତୁମେ ପଚାରିଲ । ଖାଲି ତ ପଚାରି ନାହଁ, ଚାକିରି ମଧ୍ୟ କରେଇ ଦେଲ, ଅନ୍ୟ କେଉଁଠି ନୁହେ, ନିଜ ଘରେ—ଯଥେଷ୍ଟ କରିଚ ।

 

ନିରୋଜା ମାତ୍ର କୋଡ଼ିଏ ବର୍ଷ ବୟସର ଦୈହିକ ପରିସର ମଧ୍ୟରେ କୃତ୍ରିମ ପୌଢ଼ତ୍ୱକୁ ଫୁଟେଇ ଗଂଭୀର ହୋଇ ବସିରହେ । ପ୍ରଶଂସାର କାମବାଣରେ ତା ଅନ୍ତର୍ନିହିତ କାମନା ଚରିତାର୍ଥ ହୁଏ । ସେ ହସୁ ହସୁ କାନ୍ଦିପକାଏ । ହେମନ୍ତ ତା’ ଆଖିରେ ଲୁହ ଦେଖେ, ନିରୋଜା ଦେହରେ ଶୀତିକଣ୍ଟା ମାରିବାର ଦେଖେ, କିନ୍ତୁ କିଛି ବୁଝିପାରେନା । ହଁ ବୁଝିଚି ବୋଲି ମନରେ ଯେଉଁ ଜୋର୍‍ ନେଇ ସେ ଆସେ, ବାଟରେ ସେ ମନେ ମନେ ସାବ୍ୟସ୍ତ କରେ, ନା ତାର ସେ ବୁଝିବାଟା ଏକାବେଳକେ ଭୁଲ । ଫେରିଯାଇ ପୁଣି ସେ ଲୁହ, ତା ଦେହରେ ସେଇକମ୍ପନକୁ ଦେଖିବାକୁ ତା ମନ ବ୍ୟାକୁଳ ହୋଇ ପଡ଼େ । କିଛିବାଟ ପଛେଇ ଯାଏ କିନ୍ତୁ ପୁଣି ଭାବେ, ସେ ଲୁହ କମ୍ପନ କ’ଣ ଆଉ ଥିବ ? ଆର ଚୌକିଟା ଉପରେ ନିରୋଜା ଆଉ ତ ବସି ରହି ନଥିବ, ତାର ମୁକୁଳା କେଶଗୁଚ୍ଛ ତ ଚୌକୀ ପଛପଟକୁ ଝୁଲିପଡ଼ି ନଥିବ । ହୁଏତ ସେ ଗଲାବେଳକୁ ନିରୋଜା ପନିକିରେ ପିଆଜ କାଟୁଥିବ । ଆଖିରୁ ଲୁହ ବହୁଥିବ, କିନ୍ତୁ ଏ ଲୁହ ସେ ଲୁହ ନୁହେଁ ।

 

ଦୀର୍ଘ ୧୨ ବର୍ଷ ୪ ମାସ ୧୪ ଦିନ ବିତି ଗଲାଣି । ପୁରୀକି ଯାଇ ନ ଥିଲି । ଏହିବର୍ଷ ବାହୁଡ଼ା ବେଳେ ଯାଇଥିଲି, ମାତ୍ର—୧୨ଘଣ୍ଟା ୧୫ ମିନିଟ୍ ପାଇଁ । ଏହି ୧୨ ଘଣ୍ଟା ମଧ୍ୟରେ ମୁଁ ପ୍ରାୟ ଆଠଜଣଙ୍କ ଘରକୁ ନିମନ୍ତ୍ରିତ ହୋଇଯାଇଛି । ନିମନ୍ତ୍ରଣ ଯେ ପାଇବି ଏ ଆଶାରେ ମୁଁ କାହାର ଦୁଆରେ ଧାରଣା ଦେଇ ନଥିଲି । ବାଟରେ ପରିଚିତ, ପରିଚିତାଙ୍କ ସହିତ ଦେଖାହୁଏ, ସେ ଡାକି ନିଅନ୍ତି ଘରକୁ । ଏହି ଆଠଜଣଙ୍କ ମଧ୍ୟରୁ ସ୍ତ୍ରୀଲିଙ୍ଗ ପାଞ୍ଚଟି । ସମସ୍ତ ମତେ ହେମନ୍ତ କଥା ପଚାରନ୍ତି-। କିଏ ହେମନ୍ତ ଭାଇ କ’ଣ କରୁଛନ୍ତି, କୁଉଠି ଅଛନ୍ତି ପଚାରନ୍ତି । କିଏବା ହେମନ୍ତ ବାବୁ ନଚେତ୍ ଖାଲି ହେମନ୍ତ ସମ୍ବୋଧନ କରି ପଚାରନ୍ତି ।

 

ପ୍ରକୃତରେ ହେମନ୍ତ କୁଉଠି ଅଛି ମୁଁ ଜାଣେନା । ଅନେକେ କହନ୍ତି ନେତାଜୀ ସୁବାଷଙ୍କ ଜୀବନ ଯେପରି ରହସ୍ୟ ପୂର୍ଣ୍ଣ, ସେ ମରିଚନ୍ତି କି ଜିଇଁଚନ୍ତି, କେହି ଜାଣନ୍ତି ନି ସେହିଭଳି ହେମନ୍ତର ଜୀବନଟା । ଅନ୍ତରଙ୍ଗ ବନ୍ଧୁ ଭାବରେ ମୁଁ ଅନ୍ତତଃ ତାର ସଂଧାନ ନେବା କଥା, କିନ୍ତୁ କୌଣସି ସଂଧାନର ଅବକାଶ ଥିଲେ ସିନା । କୌଣସି ସୂତ୍ର ନାହିଁ କାହାକୁ ଧରି କୁଉଠି ବା ପହଂଚିପାରିବି ।

 

ମୁଁ ଜାଣେ ହେମନ୍ତ ମରିଗଲା କହିଦେଲେ ଏହି ପାଞ୍ଚଜଣଙ୍କ ମଧ୍ୟରୁ ଅନ୍ତତଃ ଜଣେ ଦିଜଣ ମୂର୍ଚ୍ଛା ମାରିଯିବେ, ଅନ୍ୟମାନେ ବାହାରେ ନହେଲେ ମଧ୍ୟ ଅନ୍ତର୍ଦାହରେ ହାହୁତାଶ ହୋଇ ମରିବେ । ତେଣୁ ମୁଁ ସେମାନଙ୍କୁ ସାନ୍ତ୍ୱନା ଦେଇ କହେ ହେମନ୍ତ ବର୍ତ୍ତମାନ କାଠମାଣ୍ଡୁରେ । କଥା ପ୍ରସଙ୍ଗରେ ଏତକ ମଧ୍ୟ କହିଥାଏ ଯାହାର ଅର୍ଥ ହେଉଛି ସେ ଅବିବାହିତ । ଆଶ୍ୱାସନା ପାଆନ୍ତି ସେମାନେ ।

 

ସବୁଠୁ ଆଶ୍ଚର୍ଯ୍ୟ ଲାଗିଲା ଗୋଟିଏ ଘରକୁ ଦେଖି । ପୁରୀରେ ମୋ ପୂର୍ବ ଅବସ୍ଥାନ କାଳ ମଧ୍ୟରେ ମୁଁ ଯେଉଁ କଥାକୁ ଭାବି ଭାବି ଆଶ୍ଚର୍ଯ୍ୟ ହୋଇ ପଡ଼େ, ସେଇ କଥା ଏବେ ବି ଦେଖିଲି । ଏ ଘରଟି ଅତି ସଂଭ୍ରାନ୍ତ ପରିବାରର ଭଳି ଦେଖାଯାଏ । ଚାଳଘର । ବେଶ୍‍ ପ୍ରଶସ୍ତ । ଯେତେବେଳେ ଯେଉଁ ମୁହୂର୍ତ୍ତରେ ଜିଦ୍ ଲଗେଇ ଗଲେ ମଧ୍ୟ ସେ ଗୋଟିଏ ଜିନିଷ ଆଖି ଆଗରେ ପଡ଼ିବ । ଜିନିଷଟି ହଉଚି ଝିଅ, ଯୁବତୀ ଝିଅ । ମୁଁ ଭାବେ, ଯୁଗଯୁଗାନ୍ତର ଧରି ଏଠି ଘିଅ ଆଉ ଝିଅ ଉଭୟର ବନ୍ୟା ଛୁଟିଥିବ, ମାତ୍ର ଗୋଟିଏ ଚଉକି ଗୋଟିଏ ଟେବୁଲ ।

 

କିନ୍ତୁ ଶୁଣିଚି, ଏଘରର କୌଣସି ଝିଅ କେବେ କେଉଁଠି ବିବାହ କରିନାହାନ୍ତି । ତାହାହେଲେ ଝିଅର ସ୍ଥାନ ପୂରଣ କରିବା ପାଇଁ ଝିଅ ଆସନ୍ତି କେଉଁଠୁ ? ଇଏତ ଲେଡ଼ିଜ୍ ହଷ୍ଟେଲ ନୁହେଁ । ଘର । ବ୍ୟକ୍ତିଗତ ଘର ।

 

ମତେ ସେଦିନ ସରୋଜା ଦେଖିଥିଲା ବଡ଼ ଦାଣ୍ଡରେ । ଡାକି ନେଇଥିଲା ଏଇ ଘରକୁ । ବାଟରେ ନାନୀ କଥା ପଚାରିଥିଲି, ବାପାଙ୍କ କଥା ପଚାରିଥିଲି, ସେ କହିଥିଲା ବାପା ଆଉ ନାହାନ୍ତି, କିଂତୁ ନାନୀ ଅଛି ପୁରୀରେ ନୁହଁ ଛତ୍ରପୁରରେ ।

 

ହେମନ୍ତ କୁଉଠି ଅଛି, ସରୋଜା ମତେ କହିଥିଲା । ଖାଲି ତ ସେଇ ଖବରଟି ଦେଇ ନ ଥିଲା, ହେମନ୍ତ ବାବୁ ଏଇଠୁଁ ଟ୍ୟୁସନ ଛାଡ଼ି ଦେଇ କାହିଁକି ଗଲେ, ତା ପର ଅବସ୍ଥା ତାଙ୍କର କଣ, ସେ କଥା ଡାଏରୀରେ ଟିପି ରଖିଲା ଭଳି ଗଡ଼ ଗଡ଼ କରି କହି ଯାଇଥିଲା ।

 

ତା କଥା ଭିତରୁ ମୁଁ ଏତିକିମାତ୍ର ଜାଣିଲି ଯେ ଦୁଇଟି ଜିନିଷର ଚାପରେ ଭିତରର ଜିନିଷଟି ମୋଡ଼ି ମାଡ଼ି ହୋଇ ଯେପରି ବାହାରକୁ ବାହାରି ଆସେ, ସେହି ଭଳି ନିରୋଜା ଓ ସରୋଜାର ଅଲଂଘନୀୟ ଆକର୍ଷଣର ସଂଘର୍ଷ ଭିତରୁ ହେମନ୍ତ ଯେତେବେଳେ ବାହାରି ଆସିଲା, ସେତେବେଳେ ତା ମୁଁହରେ ଏଡ଼େଟା ମାନ ଲମ୍ବା ଲମ୍ବା ଦାଢ଼ୀ ଗେରୁଆ ବସ୍ତ୍ର, ତାପରେ ହିମାଳୟଯାତ୍ରା !

 

ତାପରେ ସରୋଜା ସହିତ ଆଳାପ ଆଲୋଚନା ମଧ୍ୟ ଦେଇ ଏହି କୋଠିର ଅତୀତ, ବର୍ତ୍ତମାନ ଓ ଭବିଷତ୍ କଥା ଯାହା ଜାଣିଲି ସେଥିରୁ ମନେହେଲା, ଏଇଟା ପ୍ରକୃତରେ ପୁରୀର ଭୂତ କୋଠି ।

 

ଏଠି ମା’ବାପା ନ ଥାଇ ଝିଅ ପୈଦା ହୁଅନ୍ତି ବୟସ ୧୭।୧୮ରୁ ବଳି ପଡ଼ିଲା ମାତ୍ରେ ବସାର ଚିଡ଼ିଆମାନେ କୁଆଡ଼େ ଯେ ଉଡ଼ିଯାଆନ୍ତି, ତାର କୌଣସି ଠିକ୍ ଠିକଣା ନାହିଁ । ଆମେ ବାପା ବୋଲି ଯାହାକୁ ଏଠି ଖାତିର କରୁ, ସେମାନଙ୍କ ବାପାଚାକିରି ମଧ୍ୟ ହେମନ୍ତର ଟ୍ୟୁସନ ଚାକିରି ଭଳି ଅସ୍ଥାୟୀ । ପର୍ମାନେଣ୍ଟ ବୋଇଲେ କେବଳ ଏଇ ଘରଟି ।

Image

 

ହ୍ୱାଇଟ୍ ଅଏଲ

 

କଳି କତୁରୀ ନୁହେଁ, କଳ କତୁରୀ । ସେ କଥା ପରେ…..

 

ନାରାୟଣ ଡାକୁଆ ନାଁ ପରିବର୍ତ୍ତନ ହୋଇ ହୋଇଚି ନାରାୟଣ ଦାସ । ଦାସ ଏଭଳି ଏକ ସାଜ୍ଞା, ହ୍ୱାଇଟ୍ ଅଏଲ ଭଳି ଯେଉଁ ତେଲରେ ମିଶାଇବ, ତା ସାଥିରେ ନିଶ୍ଚିନ୍ତରେ ମିଶି ଯାଇପାରେ । ତେଲର ଗୁଣ ନ ବଢ଼ୁ ପଛକେ, ପରିମାଣ ବଢ଼େ, ପରିମାଣ ବଢ଼ିଲେ, ବ୍ୟବସାୟୀର ଯଥେଷ୍ଟ ଲାଭ ବି ହୁଏ ।

 

ନାରାୟଣ ଡାକୁଆ ଥିଲା ଜାତିରେ ବାରିକ, ଭଣ୍ଡାରୀ । ବର୍ତ୍ତମାନ ସେ ସମାଜରେ ବ୍ରାହ୍ମଣ, କରଣ, ଖଣ୍ଡେଇତ ସବୁ ଭାବରେ ପରିଚିତ ।

 

ନାରାୟଣ ଡାକୁଆ (ବର୍ତ୍ତମାନର ସାଜ୍ଞାଟା କହୁନି, ସେତେବେଳକାର ସାଜ୍ଞାଟା ଲଗେଇ କହୁଚି) ଥିଲା ମୋର ଅନ୍ତରଙ୍ଗ ବନ୍ଧୁ । ବାଲ୍ୟବନ୍ଧୁ । ମୋ ପରିବାରର ଲୋକେ ଭାରି ନୈଷ୍ଠିକ ତେଣୁ ଏକାଠି ଖିଆପିଆ କରୁ ନଥିଲୁ, ତା ଛଡ଼ା ଦି ଭାଇଙ୍କ ମଧ୍ୟରେ ସମ୍ବନ୍ଧ ଯାହା ଥିବା କଥା, ସବୁଥିଲା । ଏକାଠି ପଢ଼ୁ, ଏକାଠି ଗାଧୋଉ—ଯେଉଁଠି ନାରଣ ସେଇଠି ଗୌରହରି । ତା ମା’ ମତେ ଡାକୁଥିଲା ‘ଧୋବ’ ବୋଲି । କାରଣ ନାରାଣର ଜେଜପା (ଜେଜବାପ) ଙ୍କ ନାଁ ଥିଲା ଗୌରହରି ଡାକୁଆ । ଶ୍ୱଶୁରଙ୍କ ନାଁ ସହିତ ମୋ ନାଁଟାର ସାମଂଜସ୍ୟ ଥିବାରୁ ସେ ଗୌର ନ ଡାକି ‘ଧୋବ’ ଡାକୁଥିଲା । ତାଙ୍କ ଘରର ମଇନା ମଧ୍ୟ ମତେ ଏଇ ‘ଧୋବ’ ବୋଲି ସମ୍ବୋଧନ କରେ ।

 

ଆମ ଗାଁରେ ବଡ଼ ସ୍କୁଲ ହେଉଚି, ଅପରପ୍ରାଇମେରୀ ସ୍କୁଲ, ଅର୍ଥାତ୍ ପଞ୍ଚମ ଶ୍ରେଣୀ ପଢ଼ିଲେ ପାଠ ଶେଷ । ଗାଁର ଲୋକେ ନିହାତି ଅଶିକ୍ଷିତ । ବାହାର ଲୋକେ କହନ୍ତି, ଏଇଟା ଗୋଟାଏ କନ୍ଧ ଗାଁ—ଗାଁର ଚାରିଆଡ଼େ କନ୍ଧଲୋକ ବାସ କରନ୍ତି ବୋଲି,ଆମେବି ଜନଗଣନାରେ ସଂଭବତଃ ସେଇ କନ୍ଧ ଜାତିରେ ଗଣା ହେଉଥିଲୁ । କିନ୍ତୁ ଆମ ଗାଁରେ ଗୋଟିଏ ହେଲେ କନ୍ଧ ଘର ନାହିଁ । ହୁଏତ ଖ୍ରୀଷ୍ଟପୂର୍ବ ତିନି ହଜାର ବର୍ଷ ତଳେ ଏଇଠି କେହି କନ୍ଧ ରହୁଥିଲେ, ସେ ସବୁ ଇତିହାସ କହିବ ।

 

ଆମ ଗାଁର ଆଉ ଗୋଟିଏ ବିଶେଷତ୍ୱ—ଏଜେନ୍ସି ତାଲିକାରେ ୟା ନାଁ ପ୍ରଥମରେ । ଅର୍ଥାତ୍ ଏଠିକି କୌଣସି ସରକାରୀ ଚାକିରିଆ ଆସିଲେ, ଏଜେନ୍ସି ଆଲାଉନସ୍ ପାଆନ୍ତି । ବାହାର ଲୋକଙ୍କ ଧାରଣା, ଆମ ଅଞ୍ଚଳର ମଶାଗୁଡ଼ାକ ଅସରପା ଭଳି ଭାରି ବଡ଼ ବଡ଼ । ଥରେ କାମୁଡ଼ିଲେ ଲୋକଙ୍କ ‘କାଲାଜର’ ହୋଇଯାଏ, ସେ ମରିଯାଏ । ତେଣୁ ଏଇ ମରିଯିବା ଆଶଙ୍କା ଲାଗି ସରକାରଙ୍କ ଭତ୍ତା ମିଳେ ।

 

ନାରଣ ଓ ମୁଁ ଥିଲୁ କୋଡ଼ିଏ ବର୍ଷ ତଳେ ଏ ଗାଁର ଲଙ୍ଗଳା ପିଲା, ତାପରେ ହେଲୁ ପେଣ୍ଟ ପିନ୍ଧା ପିଲା ।

 

ନାରଣ ଓ ମୁଁ ଯେତେବେଳେ ଅପରପ୍ରାଇମେରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲୁ, ସେତେବେଳେ, ବିରାଡ଼ି ପିଲାର ଏକୋଇଶ ଦିନରେ ଆଖିଖୋଲିଲାଭଳି ଆମର ପାଞ୍ଚ ବର୍ଷର ପଢ଼ାରେ, ଟିକିଏ ଟିକିଏ ଆଖି ଖୋଲି ଯାଇଥିଲା । ଆମେ ଦୁହେଁ ଯାଇ ପୋଖରୀ ହୁଡ଼ାରେ ଯୁକ୍ତି କରୁ—ନାରଣ କହେ ୟାଠୁ ବେଶୀ ପାଠ ନାହିଁ । ମୁଁ କହେ, ଆମ ମାଷ୍ଟ୍ରେ ତାହାହେଲେ ଆମଠୁ କିମିତି ବେଶୀ ପଢ଼ିଲେ ? ଏତିକି ପଢ଼ି କ’ଣ ଆମେ ଆମ ମାଷ୍ଟ୍ରଙ୍କୁ ପାଠ ପଢ଼େଇ ପାରିବା ?

 

ନାରଣ ବୁଝିଗଲା ଭଳି କହେ, ଠିକ୍ ତ କହିଚୁ । ଆହୁରି ପାଠ ଅଛି ।

 

ଦିନେ ଆମ ଗାଁକୁ ଜଣେ କିଆରକୁଲୁ ଆସି ନଥାନ୍ତି । (ରେଭେନିଉ ଅଫିସରକୁ ଗଞ୍ଜାମର ଅଶିକ୍ଷିତ ଲୋକେ କିଆରକୁଲୁ କହିଥାଆନ୍ତି, ଏଇଟା କୌଣସି ଗୋଟାଏ ତେଲୁଗୁ ଶବ୍ଦର ଅପ୍ରଭଂଶ) ଗାଁର ଲୋକେ ବିଶେଷତଃ କାର୍ଯୀ, କରଣ ତାଙ୍କର ବହୁତ ସେବା କରି ଥାଆନ୍ତି । ଧନୀଲୋକେ, ତାଙ୍କ ଖଆଇବା ପିଇବାର ସମସ୍ତ ବ୍ୟବସ୍ଥା କରି ଦିଅନ୍ତି । କୁକୁଡ଼ା କଟାହୁଏ । କିଏ ଆସି ଗୋଡ଼ ମୋଡ଼େତ, କିଏ ଆସି ତାଙ୍କର ପାଚଲା ବାଳ ଉପୁଡ଼ାଏ । ସେ ତାଙ୍କ ସାଙ୍ଗରେ ଗୋଟାଏ ଚଉତା ଖଟ ଧରି ଆସିଥାଆନ୍ତି । ନାରଣ ଓ ମୁଁ ସେ ଖଟଟାକୁ ନିରୀକ୍ଷଣ କରି ଦେଖୁ । ସେ କୁଆଡ଼େ ଗସ୍ତରେ ଗଲେ ଦୁହେଁ ତାରି ଉପରେ ଶୋଇପଡ଼ୁ । ଦିନେ ଇମିତି ଶୋଉ ଶୋଉ ଆମକୁ ନିଦ ହୋଇଗଲା । ଖରାଦିନ ଦିପହରଟା । କିଆରକୁଲୁ ସାହେବ କୁଆଡ଼େ ବୁଲି ବୁଲି ଆସି ପହଁଚି ଦେଖନ୍ତି ତ ଆମେ ଦୁହେଁ ନିଘୋଡ଼ ନିଦରେ ଶୋଇଚୁ । ଚପରାଶିର ପାଟି କହିଲେ ନ ସରେ । ସେ ପାଟିରେ ଆମେ ଦୁହେଁ ଧଡ଼ପଡ଼ ହୋଇ ଉଠି ପଡ଼ିଲୁ । ବଡ଼ ଭୟ ହେଉଥିଲା, ମାଡ଼ଖାଇ ପିଠି ଫାଟି ଯିବ ବୋଲି । କିନ୍ତୁ କିଆରକୁଲୁ ସାହେବ କିଛି କହିଲେ ନାହିଁ—ସେଇ ଖଟରେ ଶୁଅ, ମୁଁ ତଳେ ଶୋଉଚି କହିଲେ ।

 

ଶୋଇଥିଲେ ବୋଧହୁଏ କିଛି କହି ନ ଥାଆନ୍ତେ, କିନ୍ତୁ ମନ ଦିଇଟା କିମିତି ଅଥବା ଅଥବା ହେଲା । ଶୋଇଲୁ ନାଇଁ, ଘରକୁ ଚାଲି ଆସିଲୁ ।

 

ସେ ଯାହାହେଉ ତାଙ୍କ ଆଦରରେ ଆମେ ସାହସ ପାଇଲୁ, ତାଙ୍କ ସହିତ କଥାବାର୍ତ୍ତା କରିବା ପାଇଁ—ଦିନେ ଦୁହେଁ ଅତି ସଂଙ୍କୁଚିତ ଭାବରେ ମନ ଭିତରର କୌତୂହଳକୁ ମେଣ୍ଟାଇବା ଲାଗି ପଚାରିଥିଲୁ, ବାବୁଜୀ—ଆମ ସ୍କୁଲଠୁ ବେଶୀ କ’ଣ କୁଠି ପାଠ ଅଛି ?

 

କିଆରକୁଲୁ ସାହେବ ଭାରି ହସି ଉଠିଥିଲେ । କହିଲେ, ପାଠ କୁଉଠି କେବେ ସରେନି-। ଯେତେ ପଢ଼ିଲେ ବି ବହୁତ ବାକି ରହିଯାଏ ପଢ଼ିବାପାଇଁ । ଅପରପ୍ରାଇମେରୀ ପରେ, ମାଇନର, ହାଇସ୍କୁଲ, ତା ପରେ କଲେଜ, କଲେଜରେ ଆଇ.ଏ, ବି.ଏ । ଏମ.ଏ ରେ ପୁଣି କେତେ ରକମର ବିଷୟ ।

 

ଆଉ ପାଠ ନାହିଁ ବାଭି, ସେତେବେଳକୁ ନାରଣ ଧରିଥାଏ ତାର ଖୁର ମୁଠି, ମୁଁ ଧରିଥାଏ ମୋର ବ୍ରାହ୍ମଣବୃତ୍ତି—ପୁରାଣ ପାଠ । ଜଣଙ୍କୁ ଖିଅର କଲେ ସେତେବେଳେ ମିଳୁଥିଲା, ପଇସେ ଦିପଇସା,ବାଳ କାଟିଲେ ଅଣାଏ । ନଗଦ ମିଳେନି । ବର୍ଷକୁ ପାଉଥିଲା ନାରଣ କାହାଘରୁ ନଉତିଏ ଧାନତ କାହାଘରୁ ଆଠ ଅଡ଼ା । (ନଉତିକ ଷୋଳ ଅଡ଼ା, କଟକୀ ସେରରେ ଆଠସେର) ଶହେ ଘରେ ଖିଅର କଲେ ନାରଣ ଘରର ତିନି ଚାରି ମାସର ଖାଉତି ଉଠୁଥିଲା । ମୋ ବ୍ରାହ୍ମଣ ବୃତ୍ତି ଅର୍ଥାତ୍ ପୁରାଣ ପଢ଼ାର ଦାମ୍‍ ଥିଲା ଅଧ୍ୟାୟେ ପଢ଼ିଲେ ଅଣାଏ କରି । ଯେଉଁଦିନ ବଡ଼ ବଡ଼ ଅଧ୍ୟାୟ ପଡ଼ି ଯାଉଥିଲା, ସେଦିନ ମୁଁ ଝାଳନାଳ ହୋଇ ପଡ଼ୁଥିଲି ।

 

ମତେ କିନ୍ତୁ ନାରଣ ମାଗଣା ଖିଅର କରୁଥିଲା । ସେ କାହାଠୁ କେଜାଣି ଶୁଣିଥିଲା, ମତେ ଦିନେ କହିଲା, ଜାଣିଲୁ ଭାଇ, ସହରକୁ ଗୋଟାଏ ନୂଆ କତୁରୀ ଆସିଚି, ତା ନାଁ କଳ କତୁରୀ-। ଏଇ ଦିଟିକିଆ ଖାଲି କତୁରୀରେ ବାଳକାଟିବାକୁ ବହୁତ ସମୟ ଲାଗୁଚି, ସେଇଥିରୁ ଗୋଟାଏ ଆଣିଲେ, ଅଧଘଣ୍ଟାକର କାମ ପାଞ୍ଚ ମିନିଟରେ ଶେଷ, ତାର ଦାମ୍‍ କୁଆଡ଼େ ପଚିଶ ଟଙ୍କା-

 

ପଚିଶ ଟଙ୍କା !

 

ହଠାତ୍ ବାଘ ହାବୁଡ଼ରେ ପଡ଼ିଲେ, ଦେହ ଯିମିତି ଚମକି ଉଠେ, ମୁଁ ସେମତି ଚମକି ଉଠିଥିଲି । ହଇରେ… କହି ମୁଁ ଅଟକି ଯାଇଥିଲି ।

 

ଦିନେ ଅତି ବିହୋଳ ହୋଇ କଳ କତୁରୀର କରାମତି ଦେଖେଇବାକୁ ଯାଇ ନାରଣ ମୋ ମୁଣ୍ଡରୁ ଖାଲି କତୁରୀରେ ପୁଳାଏ ବାଳ କାଟି ପକାଇଥିଲା । ମନ ତାର ଭାରି ବିସ୍ତାପି ହୋଇ ଉଠିଥିଲା ସେଦିନ । ମୁଁ ହୁଏତ ଭୋ ଭୋ କାନ୍ଦି ପକେଇବି, ମତେ ବହୁତ କଅଁଳେଇ ସଅଁଳେଇ ଏଇଲାଗେ ମିଶେଇ ଦେବି ବୋଲି କହିଥିଲା । ତା ମୋ ମଧ୍ୟରେ ଏଭଳି ପରିସ୍ଥିତି ବହୁତଥର ଉପୁଜେ । ସେତେବେଳେ ସେ ମୋର ବଡ଼ ଭାଇ ହୋଇଯାଏ । ପ୍ରକୃତରେ ସେ ମୋଠୁ ମାସେ ବଡ଼ ଥିଲା ।

 

ଆମ ମନରେ ଜିଦ ହେଲା ଯେ ଏଣିକି ତୁ ପଇସେ, ମୁଁ ପଇସେ ବଳେଇ ରଖିବା । ପଚିଶ ଟଙ୍କା ହୋଇଗଲେ ରସଲକୁଣ୍ଡା (ବର୍ତ୍ତମାନର ଭଞ୍ଜନଗର)କୁ ଯାଇ ଗୋଟାଏ କଳ କତୁରୀ କିଣି ନେଇ ଆସିବା ।

 

କିନ୍ତୁ ଦୁଃଖର କଥା କଳ କତୁରୀ କିଣା ପ୍ରସ୍ତାବ ସେଇମିତି ରହିଗଲା—ଠିକ୍ ଯେଉଁଦିନ ଆମର ପଚିଶ ଟଙ୍କା ପୂରଣ ହେଲା ତାର ତିନିଦିନ ପରେ ନାରଣର ବଡ଼ମାମୁଁ ତାକୁ ବୁଗୁଡ଼ା ନେଇଗଲେ କଥା କ’ଣ ନା, ତାକୁ ସେ ପାଠ ପଢ଼େଇ, ବଡ଼ ଲୋକ କରେଇବେ । ତାର ମାମୁଁ ଥିଲେ ଟିକିଏ ଥିଲାଘର ।

 

କିଛିଦିନପେର ମୁଁ ମଧ୍ୟ ଚାଲି ଆସିଲି, ପାଠ ପଢ଼ିବାପାଇଁ ।

 

ଦୁହେଁ ପରସ୍ପରଠୁ ବିଚ୍ଛିନ୍ନ ହୋଇ ପଡ଼ିଲୁ, ଏକାଠି ହେବା ପାଇଁ ସମୟ ସୁଯୋଗ କେବେହେଲେ ନ ଥିଲା ।

 

ସିଏ କ’ଣ ପଢ଼ିଲା, ମୁଁ କଣ ପଢ଼ିଲି, ଏଯାଏ କେହି ଜାଣି ନଥିଲୁ । କିନ୍ତୁ ମନେ ମନେ ପରସ୍ପରକୁ ଖୋଜୁଥିଲୁ ବହୁତ ।

 

ଇତି ମଧ୍ୟରେ ମୁଁ ଗାଁକୁ ଯାଇଚି ଦି ତିନିଥର । ନାରଣ ଘର ଯେଉଁଠି ଥିଲା, ଦେଖିଲି ସେଇଠି ତିନି ଚାରୋଟି କୃଷ୍ଣଚୂଡ଼ା ଗଛ । ଆଗେ ଏଇଠି ଜଣେ ବାପାଥିଲେ, ଜଣେ ମା ଥିଲେ, ସେମାନଙ୍କର ଘର ଦ୍ୱାର ସବୁ ଥିଲା, ନାରଣ ବୋଲି ଗୋଟିଏ ପିଲାଥିଲା, ପୋଷା ଶୁଆଟି ଗୌରକୁ ଧୋବ ଧୋବ ବୋଲି ଡାକୁଥିଲା, ଏକଥା ଏ ଘରର ଢିଅକୁ ଦେଖିଲେ, ମୋ ଛଡ଼ା ବୋଧହୁଏ କେହି କଳ୍ପନା ସୁଦ୍ଧା କରି ପାରିବେନି ।

 

ମୁଁ ଗାଁର ଲୋକଙ୍କୁ ନାରଣର ଠିକଣା ପଚାରେ, କେହି କହି ପାରନ୍ତିନି—ତାର ଦାଦା କକା ପୁଣି ଭାଇମାନେ କେହି କିଛି ଜାଣନ୍ତିନି ବୋଲି କହନ୍ତି ।

 

ତା ମାମୁଁ ଘରକୁ ଚିଠି ଦିଏ ଉତ୍ତର ମିଳେନି ।

ବହୁତ ଖୋଜିବାପରେ ନାରଣକୁ ମୁଁ ଏକ ରକମ ଭୁଲି ଯାଇଥିଲି ।

ଥରେ ହଠାତ୍ କର୍ମବ୍ୟସ୍ତତା ମଧ୍ୟରେ ଖଣ୍ଡିଏ ଚିଠି ପାଇଲି ଡେରାଡୁନ୍‍ରୁ । ସଂକ୍ଷେପରେ, ଚୁମ୍ବକରେ କେତୋଟି କଥା ଲେଖା ହୋଇଥାଏ, ତଳେ କାହା ନାଁ ଗାଁ କିଛି ନ ଥାଏ, ଖାଲି ଥାଏ, ଇତି ତୋର କଳକତୁରୀ । ଚିଠିଟି ଇଂରେଜୀ ଅକ୍ଷରରେ ।

ନାରଣର ଓଡ଼ିଆ ଅକ୍ଷର ସହିତ ପରିଚିତ ଥିଲି, ଇଂରେଜୀ ଅକ୍ଷର ସହିତ ନୁହେଁ । କାରଣ ସେ ଇଂରେଜୀ ପଢ଼ିବା ପୂର୍ବରୁ ଆମେ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲୁ । ତେଣୁ ଅକ୍ଷର ପରିଚୟର ଅବକାଶ ନ ଥିଲା ।

ସେଇ ଦି ତିନିମିନିଟ ଇଏ କାହାଚିଠି ଭାବି ଭାବି କୌଣସି କୂଳ କିନାରା ନ ପାଇ ଚିଠିଟିକି ଫାଇଲ ଭିତରେ ଗୁଞ୍ଜି ଦେଇଥିଲି । ଅବଶ୍ୟ ଇଏ ନାରଣ ଛଡ଼ା କିଏ ହୋଇନଥିବ, କିଛି ସମୟ ଭାବିଥିଲି, କିନ୍ତୁ ନାରଣ ହୋଇଥିଲେ ତା ଚିଠିରେ ତା ନିଜ ଠିକଣାଟା ନଦେଇ ରହନ୍ତା ନାହିଁ ବୋଲି ମଧ୍ୟ ଭାବିଥିଲି ।

ନାରଣ ନିଜକୁ ମୋ ପାଖରେ ଲୁଚେଇ ଏକ ସସପେନ୍‍ସ କ୍ରିଏଟ୍ କରିବାକୁ ଯେ ଚାହୁଁଥିଲା, ତା ଆଜି ଜାଣିଲି ।

ନାରଣ ଆଇ.ପି.ଏସ୍ ପଦବୀ ପାଇ ଯାଇଥିଲା ଡେରାଡୁନ୍ ଟ୍ରେନିଂ ପାଇଁ । ତା ପରେ ସେ ହୋଇଚି ପୁଲିସ ହାକିମ—କୋରାପୁଟରୁ, ଭବାନିପାଟଣା ସେଇଠୁ ସୁନ୍ଦରଗଡ଼–ସେଇଠୁ ମୟୁରଭଞ୍ଜ ।

 

‘ଓଡ଼ିଶା ଗେଜେଟ’ ହେଡ଼ିଂ ଲେଖି ତା ତଳେ “ଶ୍ରୀ ନାରଣ ଦାସ ବଦଳି ହେଲେ ଅମକ ସ୍ଥାନରୁ ଅମକକୁ’’ ଇମିତି କେତେଥର ଲେଖିଚି, କିନ୍ତୁ ଦିନେହେଲେ ବି ଲେଖିଲାବେଳେ, ଏଇ ନାରାୟଣ ଦାସଟି ଯେ ମୋର ବନ୍ଧୁ ନାରାୟଣ ଡାକୁଆ, ତାହା ଭୁଲରେ ସୁଦ୍ଧା ଭାବି ନ ଥିଲି ।

 

ନାରାୟଣ କଟକ ବଦଳି ହୋଇ ଆସିଲା—ଲୋକଙ୍କ ମୁହଁରୁ ନାନା କଥା ଶୁଣିଲି । କିଏ କହିଲା, ନିହାତି ଚୋରଟା । ଲାଂଚୁଆଟା । କେହି କେହି କହିଲେ କଡ଼ା ଅଫିସର । ମୁଁ ତା ବିଷୟରେ କିଛି ଜାଣି ନ ଥିଲେ ମଧ୍ୟ କୁହାଳିଆ ଭାବରେ ଏହି କହିବାଲୋକଙ୍କ ସହିତ ପାଳିଧରେ-

 

ସେ ଯେଉଁଦିନ କଟକକୁ ଆସିଲା ସେଇଦିନ ଅଫିସରୁ ଫେରି ଘରେ ଦେଖିଲି, ଆମ ଘରେ ତାଲାବନ୍ଦ । ପଡ଼ିଶାଘରୁ ଶୁଣିଲି, କିଏ ଜଣେ ସ୍ତ୍ରୀ ଲୋକ ଆସିଥିଲେ ମଟରରେ, ଆମ ପିଲାପିଲିଙ୍କୁ ଧରି ଯାଇଛନ୍ତି, ତାଙ୍କ ଘରକୁ ।

 

ବିରକ୍ତ ହୋଇ ଫେରିଯାଉଥିଲି, ଜଣେ ପୁଲିସ କନଷ୍ଟେବଲ୍‍ ଆସି ଖବର ଦେଲା ଏସ୍.ପିଙ୍କ ଘରକୁ ଯିବାପାଇଁ ।

 

ପୁଲିସ ହାକିମ ନାରାୟଣ ଦାସଙ୍କ ଘରକୁ ଗଲି ବଡ଼ ସନ୍ତର୍ପଣରେ । କିଛି ଖରାପ ନଥିଲେ ପୁଲିସ ଡାକରା ମିଳେନା । ପୁଲିସ ହାକିମଙ୍କ ଘରୁ ଡାକରା ଯେତେବେଳେ ଆସିଚି, ମନେ ମନେ ଭାବିଲି, ଗୋଟାଏ ଅତି ବଡ଼ ଦୋଷ କରି ପକେଇଚି ନଚେତ୍…..

 

ଦୁଆର ମୁହଁରେ ଦେଖିଲି ଜଣେ ତରୁଣୀ । ଦୂରରୁ ଦେଖି ଯେମିତି ମନେହେଲା, ପାଟିକରି ଉଠିଲେ, ଧରିଆଣ ଧରିଆଣ ବୋଲି । ପାଖକୁ ଲାଗି ଆସିବାମାତ୍ରେ ସେଇ ସ୍ତ୍ରୀ ଲୋକଟି କହିଲେ, ତୁମେ ଚିହ୍ନି ପାରିବନି, ମୁଁ କିନ୍ତୁ ତୁମକୁ ଚିହ୍ନେ, ତୁମେ ମୋର ଦିଅର ମୁଁ ତୁମ ଭାଉଜ ।

 

ଭାଉଜ ? ମନେ ମନେ ଭାବିଲି, କୋଉ ଲେଖାରେ ? ମୁଁ ତ ଆମ ଘରେ ସବୁଠୁ ବଡ଼-। ମୋଠୁ ବଡ଼ ଯଦି କେହି ଥାଆନ୍ତେ, ହୁଏତ ତାଙ୍କ ସ୍ତ୍ରୀ—

 

ଦେଖିଲି ସ୍ତ୍ରୀ ଲୋକଟି ଭାରି ମୁଖରା । ମୁଁ କୌଣସି କଥା ନ କହୁଣୁ ପଥର ଛେଚିଲାଭଳି ପନ୍ଦର କୋଡ଼ିଏଟା ବାକ୍ୟ……

 

ତଥାକଥିତ ଭାଉଜ ମୋ ହାତକୁ ଧରି ଝିଙ୍କି ନେଇଗଲେ ଭିତରକୁ ଯେଉଁଠି ନାରଣ ବସିଥିଲା ।

 

ମୁଁ ନାରଣକୁ ଦେଖିଲି ରଙ୍ଗମଞ୍ଚର ଏକ ଅଭିନେତାଭଳି । ଅତି ଖୁସିରେ ତାକୁ କୁଣ୍ଢେଇ ପକେଇଥିଲି ସେଦିନ । ପରେ ପରେ ନାରଣ ଟେବୁଲ ଉପରେ ଥୁଆ ହୋଇଥିବା ଗୋଟାଏ ଜିନିଷ ଉପରକୁ ଆଙ୍ଗୁଠି ଦେଖେଇ ଚୁପ୍‍ ରହିଯାଇଥିଲା—

 

ମୁଁ ଦେଖିଲି ଗୋଟାଏ ଟେବୁଲରେ ଗୋଟାଏ କଳ କତୁରୀ ସେଇ ପିଲାଦିନର ପଇସା ସାଇତା କଥା ମନେ ପଡ଼ିଲା ।

 

ୟା ଦାମ କେତେ ଜାଣୁକି ବୋଲି ନାରଣ ମତେ କହୁ କହୁ ଭାଉଜ ପହଞ୍ଚି ଯାଇଥିଲେ ଘର ଭିତରେ ।

 

ମୁଁ ତାଙ୍କୁ ଦେଖି କଳକତୁରୀ କଥା ଭୁଲିଯାଇ ନାରଣକୁ ପଚାରିଲି କଳ କତୁରୀର ଦାମ ତ ଯାହା ହୋଇଥିବ, ଏଇ କଳି କତୁରୀଟିକି କେତେ ଦାମ୍‍ ଦେଇ କିଣୁଚୁ, କହିପାରିବୁ ?

 

ସେତେବେଳକୁ ଭାଉଜଙ୍କ ନାକଫୁଲାକୁ ଯାହା ଦେଖିବ । ଏକାବେଳକେ…. ।

 

ନାରଣ କିନ୍ତୁ ହସି ହସି ନାକେଦମ୍ ।

 

ଠିକ ଏଇ ସମୟକୁ ଆମ ଘରଣୀଙ୍କ କଣ୍ଠ ଶୁଭିଲା ଭିତରୁ—ନାନୀ ନାନୀ କହି ଡାକି ଡାକି ଘର ଭିତରକୁ ପଶି ଆସୁଥିଲେ ସେ ।

 

ଏ ଭାଉଜ ତୁମର ନାନୀ—କିମିତି ହେଲେ ବୋଲି ପଚାରିବାରେ ଆମ ଘରଣୀ କହିଲେ— “ସିପ୍ରାନାନୀ ମୋର ନିଜ କକେଇ ଝିଅ ଭଉଣୀ’’ ।

 

ଏତେଦିନ ମୋର ଧାରଣା ଥିଲା—ହ୍ୱାଇଟ ଅୟଲ ଖାଲି ତେଲରେ ମିଶି ଯାଇପାରେ କିନ୍ତୁ ଦେଖିଲି ଖାଣ୍ଟି ଘିଅରେ ମଧ୍ୟ ବେଶ୍ ମିଶିଯାଇ ପାରୁଚି ନିର୍ଲିପ୍ତ ଭାବରେ ।

Image

 

ମୁଁ ତାକୁ ଡାକେ ଆରତି ନାନୀ

 

ସମସ୍ତେ ଡାକନ୍ତି ଆରତି ଦିଦି । ମୁଁ କିନ୍ତୁ ଡାକେ ଆରତୀ ନାନୀ । ଚୀନାବାଳିକାଙ୍କ ଭଳି ନିହାତି ଛୋଟ ଛୋଟ ଦୁଇଟି ଚିପିଲା ଚିପିଲା ପାଦ । ପିଲାଙ୍କ ଜ୍ୟାମିତି ବାକ୍ସର ସେ ଯେଉଁ ଛୋଟ ସ୍କେଲ ସେଇଥିରେ ମାପିଲେ ଚାରିଇଞ୍ଚ ଚାରିଗିରା ହେବ । ଖର୍ବ କାୟ । ଛୋଟ ଜିଭଟିଏ । କଣକୁ ‘କନ୍’ କହେ, ଆପଣକୁ ‘ଆପନ୍,ଳକୁ ଲ’ ଏମିତି ଗୁଡ଼ାଏ ଖନେଇ ଖନେଇ କଥା । ବୟସ ନିଶ୍ଚୟ ପଚିଶକି ଛବିଶ୍ ।

 

ଥରେ ଥରେ ପଚାରେ ଆରତୀ ନାନୀ ଜୀବନଟା କଣ ଏମିତି ଏମିତି କଟିଯିବ ?

 

କିଛି ଉତ୍ତର ନ ଦେଇ ତାର ଚଷମା ଘୋଡ଼ା ଆଖିଦି’ଟାରୁ ଦି ଟୋପା ଲୁହ ଗଡ଼େଇ ଦିଏ । ମୁଁ ଅଥବା ସେ ଲୁହ ଟୋପା ଦିଟାକୁ ଲକ୍ଷ୍ୟ କରିଥିବି ଏଇ ଆଶଙ୍କାରେ ସେ କଥାକୁ ବାଁରେଇ କହେ, ଚାରିଦିନ ହେଲା ଭୀଷଣ ଥଣ୍ଡା ଲାଗିଚି । ସେଇଥି ପାଇଁ ଏ ଲୁହ ।

 

ମୁଁ ଡାକ୍ତର ନୁହେଁ କିନ୍ତୁ ଭଲ ଭାବରେ ଜାଣେ ଇଏ ସାଇନୋ ସାଇଟିକ୍‍ସର ଲକ୍ଷଣ ନୁହେଁ । କିମ୍ବା ଥଣ୍ଡାର ପ୍ରତିକ୍ରିୟା ନୁହେଁ । ଅତୀତର କେତୋଟି ମୁହୂର୍ତ୍ତର ସ୍ମୃତି ଏଇ ଆଖି ଦେଇ ମଝିରେ ମଝିରେ ଝରେ ।

 

ଆରତୀ ନାନୀ ଭାବେ ମୁଁ କିଛି ଜାଣି ପାରେନା ।

 

ସେ କହେ ଭାଇ ଆଉ କନ କରିବି ? ଦୁଇ ଭଉଣୀ, ବୁଢ଼ୀମା ସେମାନଙ୍କୁ ପୋଷିବା ମୋର କର୍ତ୍ତବ୍ୟ । ତେନୁ ଘରସଂସାରର ସ୍ୱପ୍ନ ଦେଖୁ ଦେଖୁ ମୋ ନିଦ ଭାଙ୍ଗିଯାଏ । ସ୍ୱପ୍ନ ମଉଳି ଯାଏ ।

 

ଏଇ ସ୍ୱପ୍ନଟା ବଡ଼ ନିବୀଡ଼ତମ, ଜୀବନ୍ତ ଓ ଘନିଷ୍ଠ ହୋଇ ଆସେ ସେ ଯେତେବେଳେ ଅତି ଆଦରରେ ଠିକ୍ ଗୋଟିଏ ପୁଷି ଭଳି ମତେ କୋଡ଼ରେ ଧରି ଶୁଏ । ତାର ତନୁର ତନିମାରେ ଏକ ତରୁଣ ଜୀବନର ଦ୍ୟୁତି । ପ୍ରତିଦିନ ରାତ୍ରର ଅର୍ଦ୍ଧ ଯାମରେ ତା ଘରପାଖ ନିମ୍ନ ଗଛଟିକୁ ଚାହେଁ-। ଏଇ ଗଛଟା ତାକୁ ଦେଖାଯାଏ ଗୋଟାଏ ଝାଙ୍କଲା ପିଜୁଳି ଗଛ ଭଳି ।

 

ଯେତେଦୂର ମନେ ପଡ଼େ ୧୯୪୮ଖ୍ରୀଷ୍ଟାବ୍ଦ । ବିନା ରେଶନ କାର୍ଡରେ କିଛି ମିଳେନା । ଚିନି, ଗହମ, ମଇଦା, ସୁଜି ଏଇଭଳି ଗୁଡ଼ିଏ ଜିନିଷ ଉପରେ କଡ଼ା କଂଟ୍ରୋଲ ଥାଏ । ପରମିଟ୍ ପାଇଁ ଲୋକେ ସପ୍ଲାଇ ଅଫିସରେ ଧାଡ଼ି ବାନ୍ଧି ଠିଆ ହୁଅନ୍ତି । ସକାଳ ନ’ଟାରୁ ସନ୍ଧ୍ୟା ଚାରିଟା ଯାଇ ଏଇ ଧାଡ଼ି ଲାଗିଥାଏ । ପରମିଟ୍ ଦେଲା ବାଲା, ପରମିଟ୍ ଦିଆ ବନ୍ଦ କହିଲା ମାତ୍ରେ ଲୋକେ ନିରାଶରେ ଫେରି ଆସନ୍ତି । ଚିନି ଅଭାବରେ ଚାହାଖିଆ ବନ୍ଦ ହୁଏ । ଘରକୁ କିଏ ଅତିଥି ଆସିଲେ ମଣିଷ ବଡ଼ ଅଡ଼ୁଆରେ ପଡ଼େ । ଆଉ କେଉଁଠାର ଅବସ୍ଥା କଣ ଜାଣେନା । ଏଇଥିଲା ସେତେବେଳେକାର ପୁରୀର ଅବସ୍ଥା । ମୁଁ ଦୀନବନ୍ଧୁ ଏ ଅବସ୍ଥାର କେବେ ସମ୍ମୁଖୀନ ହୋଇ ନ ଥିଲି-। ଚିନି କିଣି ଘରେ ଚା’ ତିଆରି କରି ନିଜେ ପିଇବା ପାଞ୍ଚଜଣଙ୍କୁ ପିଆଇବାର ସଉକ ନ ଥିଲା-। ସମ୍ବଳ ବି ନ ଥିଲା । ୟା’ ତା’ ଘରେ ଅଭ୍ୟାଗତ ଖାଇବା ଥିଲା ମୋର ଅବସ୍ଥା ଜନିତ ସଉକ-। କିନ୍ତୁ ଏ କଂଟ୍ରୋଲ ପରମିଟ୍ ଭିତରୁ ଦିନେ ଯେ ଆରତୀ ନାନୀ ସହିତ ମୋର ଅକସ୍ମିକ ଭାବରେ ପରିଚୟ ଘଟିବ, ଏ ଚିନ୍ତା ସୁଦ୍ଧା କରି ନ ଥିଲି । ମୋର ବନ୍ଧୁ ଶିବଶଙ୍କର ଥାଏ ସପ୍ଲାଇ ଅଫିସ ପରମିଟ୍ ବିଭାଗର କିରାନୀ । ଏକାଠି ପିଲାଦିନୁ ପଢ଼ୁଥିଲୁ । ମୋର ଦୁରବସ୍ଥା ଦେଖି ଥରେ ସେ ମତେ କହିଲା, କୌଣସି ପ୍ରକାରେ କିଛି ସାହାଯ୍ୟ ଯଦି ତତେ କରି ପାରନ୍ତି, ତା ହେଲେ ମନରୁ ଗୋଟାଏ ଅବଶୋଷ ମେଣ୍ଟି ଯାଆନ୍ତା ।

 

ଶିବଶଙ୍କର ସକାଳେ କଲେଜକୁ ଆସେ । ଠିକ୍ ସାଢ଼େ ଦଶଟା ହେଲେ ପ୍ରକ୍ସି ଦାୟିତ୍ୱ ଦେଇ ଚାଲିଯାଏ ଅଫିସକି ।

 

ମତେ ଶିବଶଙ୍କର ସାହାଯ୍ୟ କରିବାର କାତରତା ଦେଖି ଦିନେ ତାକୁ କହିଥିଲି ଶିବୁ ତୋଠୁ କୌଣସି ଅର୍ଥ ଚାହେଁନି । ମାସକୁ ଚିନି, ମଇଦା ଇତ୍ୟାଦିର ତିନି ଚାରୋଟି ପରିମିଟ୍ ଯଦି ଦେଇ ପାରନ୍ତୁ, ତା ହେଲେ ମୋତେ ଯଥେଷ୍ଟ ସାହାଯ୍ୟ କଲୁ ବୋଲି ଭାବନ୍ତି ।

 

ଶିବୁ ହସିଦିଏ । କହେ, ଏଇଟା ଗୋଟେ କଥା । ପରମିଟ୍‍ର କିରାନୀ । ଦିନକୁ ଶହ ଶହ ପରମିଟ୍ ଇସୁ କରିବା ମୋର କାମ । ତୁ ଯେମିତି ପିଲା—ପରମିଟ୍ ନେଇ ପଇସା ସଂଗ୍ରହ କରିବା ତୋଦେଇ ଆଦୌ ସଂଭବ ନୁହେଁ । ଲୋକ ଅଛନ୍ତି ଆମକୁ ହାତ କରି ପରମିଟ୍ ଦି ଚାରିଖଣ୍ଡରେ ବେଶ୍ ରୋଜଗାର କରନ୍ତି । ଏପରିକି କୋଠା ବାଡ଼ି କରିବା ଆମେ ଆଖି ଆଗରେ ଦେଖିଛୁ । କିନ୍ତୁ ତୁ ପରମିଟ୍ ନେଲେ କଣ କରିବୁ ?

 

ଲଫଙ୍ଗାଙ୍କ ଭଳି ଶିବୁକୁ ଉତ୍ତର ଦେଇଥିଲି ମୋହବତ୍ କରିବି ।

 

ଶିବୁ ଚକିତ ବିଭୋଳ ଦୃଷ୍ଟିରେ ମୋର ସର୍ବାଙ୍ଗଟାକୁ ଚାହିଁ କହିଲା, ତୁ ଆଉ ମୋହବତ୍-! ଧେତ୍ ତେରି । ଦେଢ଼ ବର୍ଷ ଚାକିରି ମଧ୍ୟରେ ହିସାବ କଲେ ଦଶ ହଜାରରୁ କମ୍ ପରିମିଟ୍ କାଟି ନ ଥିବି । କାହିଁ ଦିନେ ତ କାହା ସାଙ୍ଗରେ ମୋହବତ୍ ହେଲାନି । ସବୁ ବୁଢ଼ୀ ଧୋକଡ଼ିଗୁଡ଼ାକ-। କାହା ବୟସ ପଚାଶ, କାହା ବୟସ ଷାଠିଏ ସତୁରୀ । ଗଳିତଚର୍ମ ପଳିତ କେଶ-। କରଧୃତ କଂପତି ଶୋଭିତ ଦଣ୍ଡ । ଏଇମାନଙ୍କ ସାଥିରେ ତୋର ମୋହବତ୍ !

 

ଶିବୁକୁ କିଛି ନ କହି ଖାଲି କହେ ତୁ ଦେନା ! ଦେଖେଇ ଦେବି ପରମିଟ୍ ଦ୍ୱାରା ମୁଁ କା ସହିତ ମୋହବତ୍ କରିବାକୁ ଚାହେଁ ।

 

ଶିବୁ ଜାଣେନା ! ଶିବୁ ଦେଖେନା । ମୁଁ କିନ୍ତୁ ଜାଣେ, ଦେଖେ । କାମଦାମ ସାରି ମୁଁ ଶିବୁ ଅଫିସରେ ପ୍ରାୟ ପ୍ରତ୍ୟେକ ଦିନ ହାଜର ହୁଏ ଠିକ୍ ସାଢ଼େ ତିନିଟାରେ । ଶିବୁର ଚଉକି ପାଖରେ ଚଉକି ପକେଇ ବସେ । ଶିବୁ ମୁହଁରେ ମୁଁ ସବୁବେଳେ ଶୁଣେ,ଚାଳିଶ ସେର ! ଅସମ୍ଭବ ! କୋଡ଼ିଏ ସେର ! ଇମ୍ପସିବଲ୍ । ଅତି ବେଶୀରେ ଅଢ଼େଇ ସେର । ତାଠୁ ଛଣ୍ଟାଙ୍କିଏ ଦେଇ ପାରିବିନି । ନେଲେ ନିଅ ନହେଲେ ଚାଲିଯାଅ । ଏଇଥିରୁ ଗୁଡ଼ିଏ ଭାଷା । କେହି କେହି ନିଅନ୍ତି । ଅନ୍ୟ କେତେକ ପାଟିତୁଣ୍ଡ କରି ଫେରିଯାଆନ୍ତି ।

 

ନୃତ୍ୟ ଶିକ୍ଷକ ମୁହଁରେ ତା ଥୈ… ଥୈ, ତା ତେରେକିଟା ଥୈ ବୋଲ୍ ଡାକିଲା ଭଳି ଶବୁ ସବୁଦିନ ତା ଆଗରେ ଦଣ୍ଡବତ୍ ଷ୍ଟାଣ୍ଡିଂ ଅର୍ଡରରେ କରପତ୍ରଯୋଡ଼ି ଠିଆ ହୋଇଥିବା ଲୋକଗୁଡ଼ିଙ୍କ ପାଖରେ—ଅସଂଭବ—ଅସଂବଭ, ଆଜିନାହିଁ କାଲିକି, ଦଶସେର ନୁହେଁ ପାଏ—ଇମିତି ଗୁଡ଼ାଏ ଅଭ୍ୟାସଗତ ବୋଲ୍ ଡାକେ । ମୁଁ କେବଳ ତା ମୁହଁକୁ ମୁକଙ୍କ ଭଳି ଚାହିଁ ରହିଥାଏ । ପରିମିଟ ଭିକାରୀମାନେ ତାକୁ ପାନ ସିଗାରେଟ ଆଣି ଯାଚନ୍ତି—ଶିବୁ ନିଃସଂକୋଚ ଭାବରେ ବିନା ଆପତ୍ତିରେ ଗୋଟିକ ପରେ ଗୋଟିଏ ବେଶ୍ ଆରାମରେ ନିଃଶେଷ କରିଦିଏ । କାମର ଚାପରେ ମୋଭଳି ଅନ୍ତରଙ୍ଗ ବନ୍ଧୁର ଅସ୍ଥିତ୍ୱ ସୁଦ୍ଧା ସେ ଅନୁଭବ କରି ପାରେନା । ମଝି ମଝିରେ କେବଳ ଶିବୁକୁ ମନେ ପକେଇ ଦିଏ—ଆରେ ଶିବୁ ମୁଁ ଏଠି ଅଛି । ମୋ କଥା ଟିକିଏ ବୁଝୁ । ହଁ ବୁଝୁଚି—କହି ସେ ପୁଣି କାମରେ ଲାଗିଯାଏ ।

 

ସେ ଦିନ କିନ୍ତୁ ଶିବୁର କାମ ହଠାତ୍ ବନ୍ଦହୋଇ ଆସିଲା–ହାତରେ କଲମ ବି ଚାଲିଲା ନି ।

 

ଶିବୁକୁ ଟିକିଏ ଚିମୁଟି ଦେଇ ଆଖିରେ ଇମିତି ଗୋଟାଏ ଠାର ଦେଲି—ଯେଉଁଥିରେ ତାର ଦୃଷ୍ଟିଠିକ୍ ଶର ବିନ୍ଧିଲା ଭଳି ଯାଇ ପଡ଼ିଲା ସେଇ ଝଂକା ବରଗଛ ମୂଳ ତଳକୁ ।

 

ବରଗଛ ତଳେ ଠିଆ ହୋଇଥାଏ ଆରତୀନାନୀ । ଧାଡ଼ିର ଠିକ୍ ଶେଷରେ । ପଣ୍ଡାଗୁଡ଼ାକ ଆପତ୍ତି କଲେ—ବାବୁ କଲମ ଚଳାଅ ଠାକୁରଙ୍କ ଧୂପ ବଢ଼ି ଯିବଣି ।

 

ଶିବୁର କଲମ ଚାଲେ । ବ୍ୟଗ୍ରତା ବଢ଼େ । ଧାଡ଼ିଟା ଶୀଘ୍ର ଛିଣ୍ଡି ଯାଆନ୍ତା କି । ବାଟରେ ଏତେ ଲୋକ ! କେତେବେଳେ ସରିବ । ବିରକ୍ତିରେ ଯଦି ସେ ଝିଅଟି ଚାଲିଯାଏ ସବୁ ଗଲା ।

 

ଏତେଦିନ ଏହି ନିହାତି ନିରସ ଶୋଭାଯାତ୍ରା ରେ ଏଭଳି ଏକ ଆଡ଼େ ଅନୁଢ଼ା ବାଳିକା-। ଇତିହାସରେ ପ୍ରଥମ ।

 

ସେ ଦିନ ଶିବୁ କଲମ ଛାଡ଼ି ଧର୍ମଘଟ କରି ଏତେ ସମୟ ତାକେଇ ରହିବାରେ କିଛି ଲାଭ ପାଇଲା ନି । ତାର କଲମ ଛଡ଼ା ଧର୍ମଘଟ ପରେ ପରେ ଇମିତି ପାଟିତୁଣ୍ଡ ଆରମ୍ଭ ହୋଇଗଲା ଯେ ଶେଷରେ ଡକରା ଆସିଲା ବଡ଼ ଅଫିସରଙ୍କଠାରୁ । ଶିବୁ ବଡ଼ ଅଫିସରଙ୍କ ଅଫିସକୁ ଯାଇ ଥୋଡ଼େ ଗାଳି ଶୁଣି ଫେରିଲା ବେଳକୁ ସେ ବାଳିକାଟି ସେ ଧାଡ଼ି ଛାଡ଼ି ଚାଲି ଯାଇଥାଏ । ଶିବୁ ପୁଣି ଆସି ଚାହିଁଥିଲା ଧାଡ଼ିଟିକି—ନୈରାଶ୍ୟରେ ଭାଜି ପଡ଼ିଥିଲା ତାର ଉଜୁଡ଼ା ହୃଦୟଟା ।

 

ଅଫିସ ଛୁଟି ହେଲା, ମୁଁ ସେମିତି ବସି ରହିଥାଏ ତା ପାଖରେ । ଶିବୁ ଦୀର୍ଘ ନିଶ୍ୱାସଟାଏ ଟାଣି ମତେ ବଡ଼ ବିକଳ ଭାବରେ ଅନେଇଁ କହିଲା—ଭାଇ—ଆଉ ଦଣ୍ଡେ ହେଲେ ରହିଥାଆନ୍ତା…-

 

ପଚାରିଲି, ଆଚ୍ଛା ରହିଥିଲେ କଣ କରିଥାଆନ୍ତୁ—

 

—କିଛି କହିପାରିଲା ନି ଶିବୁ ।

 

କିନ୍ତୁ ମୁଁ ପରେ ପରେ ତାକୁ କହିଥିଲି—ଯଦି ଖଣ୍ଡିଏ ପରିମିଟ୍ ଦେଇପାରିବୁ, ତାହାହେଲେ ମୋହବତ୍‍କୁ ତୋରି ପାଖରେ ହାଜର କରେଇ ଦେଇ ପାରିବି, ଯେତେବେଳେ ଚାହିଁବୁ ସେତେବେଳେ ।

 

—ଆଚ୍ଛା ତାକୁ ହାଜର କରିପାରିବୁ ?

 

—ତାକୁ କଣ ତାଭଳି ଦିଗଣ୍ଡାକୁ ଆଣି ତୋରି ଘରେ ଛାଡ଼ି ଦେଇପାରିବି । କିନ୍ତୁ ହାଜର ହେଲେ ତୋର କି ମନକାମନା ପୂର୍ଣ୍ଣ ହେବ କହିଲୁ ?

 

—ଏହାର ଉତ୍ତର ମଧ୍ୟ ଦେଇ ପାରିଲାନି ଶିବୁ । ମୁଁ ଜାଣେ ଶିବୁଟା ଝିଅଗୁଡ଼ାଙ୍କୁ ଦେଖିଲେ ଇମିତି ଅତରଛିଆ ହୋଇ ଉଠେ, କିନ୍ତୁ ଠିକ୍ ଝିଅଙ୍କ ପାଖରେ ନେଇ ତାକୁ ହାଜର କରେଇ ଦେଲେ, ଶିବୁର ଦେହ ଗୋଟାଏ ଯାକ ଏକାବେଳକେ ଥଣ୍ଡା ପାଲଟି ଯାଏ ।

 

ଅଫିସ ଛୁଟି ହେଲା, ଦୁହେଁ ଚାଲିଗଲୁ ।

 

ସେଇ ପାକୋଇ ବୁଢ଼ୀଟା କଥା ମନେପଡ଼ିଲେ ମୋ ମନରେ କାହିଁକି କେଜାଣି କିମିତି ଗୋଟାଏ ଅଦ୍ଭୁତ ଭାବ ଉଦ୍ରେକ ହୁଏ ।

 

ପୁରୀର ଠିକ୍ ଅର୍ମଷ୍ଟ୍ରଙ୍ଗ ରୋଡ଼ ମଝିରେ ଏହି ବୁଢ଼ୀର ଘର । ପୁଅମାନେ ରୁହନ୍ତି କଲିକତାରେ । ସେଠି ତାଙ୍କର ହୋମିଓପ୍ୟାଥିକ ଔଷଧ ତିଆରି କାରଖାନା । ଚକା ଡୋଳାଙ୍କ ଚରଣାମୃତ ସେବନ ଲାଗି ବୁଢ଼ୀ ଏହି ପୁରୀ ଧାମରେହିଁ ପଡ଼ିରହିଥାଏ । ମଝି ମଝିରେ ପୁଅ ବୋହୁ ନାତି ନାତୁଣୀ ଆସନ୍ତି । ବର୍ଷକଯାକ ପାଇଁ ବୁଢ଼ୀର ଯାହା ଦରକାର ଠିକ୍ ଠାକ୍ କରି ଦେଇ ଯାଆନ୍ତି-। ବୁଢ଼ୀର କଥା ବୁଝିବା ପାଇଁ ଘର ହତା ଭିତରେ ଥିବା ଗୋଟିଏ ଛୋଟ ଘରେ ପିଲାପିଲିଙ୍କୁ ନେଇ ରହେ ରାମେୟା । ଭଂଗା ଭଂଗା ଓଡ଼ିଆ ଭାଷା ତା ତୁଣ୍ଡରୁ ଶୁଣିବାକୁ ମିଳେ । ଓଡ଼ିଆ ନ ଆସିଲେ ହିନ୍ଦି କହି ପକାଏ । ସେତକ ବି ଅସ୍ପଷ୍ଟ । କିନ୍ତୁ ସ୍ପଷ୍ଟଭାବରେ କେବଳ ମୋ ନାଁ ଧରି ମତେ ଡାକିପାରେ ।

 

ମୋର ଏହି ବୁଢ଼ୀ ସହିତ ପରିଚୟ ହୁଏ—ଏହି ରାମେୟା ଜରିଆରେ ।

 

ମୁଁ କଲେଜକୁ ଗଲାବେଳେ ଏହି ଘରଟାକୁ ଅନାଏଁ । ଅନେଇଁବାର କାରଣ ଅନ୍ୟ କିଛି ନୁହେଁ—ଖୋଲା ଖୋଲି କହିବାକୁ ଗଲେ ହୁଏତ ୟା ଭିତରେ କେହି ସୁନ୍ଦରୀ ଝିଅ ଥିବେ ପରା । କ୍ଷଣିକ ପଲକର ନିଶା କଲେଜ ଛୁଆଙ୍କୁ ଯେପରି ଘାରେ ଆଉ କାହାରିକି ସେପରି ଘାରେନି ।

 

ସେଦିନ ଗଲାବେଳେ ଗୋଲାପ ଫୁଲଟିଏ ମାଗିବା ବାହାନାରେ ସେ ଘରର ଗେଟ୍ ପର୍ଯ୍ୟନ୍ତ ଚାଲି ଯାଇଥିଲି । ରାମେୟାକୁ ମାଗିବା ମାତ୍ରେ ସେ କହିଲା, ମା ନକହିଲେ ସେ ଦେଇ ପାରିବନି । ତାକୁ କହିଥିଲି, ତୁଯାକି ମାକୁ ପଚାର ହଁ କି ନାହିଁ କହୁଛନ୍ତି ବୁଝ ।

 

ମୁଁ ଗେଟ୍ ପାଖରେ ସିମିତି ଠିଆ ହୋଇଥାଏ । ରାମେୟା ଭିତରକୁ ଗଲା । ସେ କ’ଣ କହିଲା କେଜାଣି ବୁଢ଼ୀ ଖାଇବା ଭାତଥାଳୀ ଛାଡ଼ି ଧାଇଁ ଆସିଲା ଗେଟ୍ ପାଖକୁ । ମତେ ଦେଖି ତା ପ୍ରାଣ ଆନନ୍ଦରେ ବିହ୍ୱଳିତ ହୋଇ ଉଠିଲା । “ବାପା ତୁଇ ଆସିଚୁ” କହି ହାତ ଧରି ଟାଣି ନେଇ ଗଲା ଭିତରକୁ । ଭାତଖିଆ ସେତିକିରେ ରହିଲା । ମତେ ତାଙ୍କର ବୈଠକ ଘରେ ବସେଇ ଦେଇ ଡାକ ଛାଡ଼ିଲା ବୁଲୁ ଆଲୋ । ବୁଲୁ ବାୟାଣିଟା ଆ’ମ କିଏ ଆସିଚି ଦେଖ ?

 

ମୋ ପ୍ରତି ବୁଢ଼ୀର ଆଦର ଦେଖି ରାମେୟା ଏକାବେଳକେ କାବା ! ସେ ଭାବିଲା କେଡ଼େ ଭୁଲ କଲିମ । ଏ ଟୋକାଟା ବୁଢ଼ୀର ଜୁଆଇଁ ପୁଅ ବୋଲି ଜାଣିଥିଲେ କ’ଣ ଭୁଲ ହୋଇଥାନ୍ତା ! ଛାର ଗୋଟାଏ ଫୁଲ ଏତେ ନେହୁରା ହୋଇ ଟୋକାଟା ମାଗିଲା । ଦେଲି ନି । ଏଇ ଟୋକାଟାତ ଦିନକୁ ପନ୍ଦର ଥର ଏଇ ଗେଟ୍ ପାଖକୁ ଆସେ । ମୁଁ ଏ ଘରର ଜୁଆଇଁ ପୁଅ ବୋଲି କହିଦେଇଥିଲେ କଣ ତାର ମହତ ଚାଲି ଯାଇଥାନ୍ତା । ରାମେୟା ପୁଣି ଭାବିଲା । ଭୁଲ ମୋର କାହିଁକି ହେବ । ଭୁଲ ତାର, ସେଇ ଟୋକାଟାର । ଜୁଆଇଁ ହେଲେ କ’ଣ ହେବ ଭାରି ବଦମାସଟା । ଫୁଲ ଦେଇନି ଠିକ୍ କରିଚି । ଦିନକୁ ବାଲ୍ଟି ବାଲ୍ଟି ପାଣି ଦେଇ ଫୁଲ ଫୁଟେଇଚି କଣ ମୋଫତ ହୋଇଚି । ଫୁଲ ନେଇ କାନରେ ଖୋସିବ । ଫେସନ ଦେଖେଇ ଦାଣ୍ଡରେ ଲଙ୍ଗର ପଙ୍ଗର ହେବ । ମୁଁ ଠିକ୍ କରିଚି । କାଇଁ ଆମର ବୁଲୁ ମାଆଙ୍କର ଜୁଡ଼ା ନାଇଁ । ଥାଳି ପିରିକା ଏତେ ବଡ଼ ଜୁଡ଼ା । ଗୋଲାପ ଫୁଲ ଧାଡ଼ିକି ଧାଡ଼ି ଖୋସି ଯେତେବେଳେ ସେ ଚାଲନ୍ତିନା…..

 

ଠିକ୍ ଏତିକି ବେଳକୁ ବୁଢ଼ୀ ପାଟିକଲା ଆରେ ରାମା । ବଗିଚାରେ ଯେତକ ଗୋଲାପ ଫୁଲ ଅଛି ସବୁତକ ଆଣି ଫୁଲ ଦାନୀରେ ଖଞ୍ଜିଦେ ।

 

ରାମେୟା ମୁହଁକୁ ଛିଞ୍ଚାଡ଼ି ଫୁଲତକ ଛିଣ୍ଡେଇ ନେଇ ଭିତରକୁ ପଶି ଯାଏ ତ, ମୋ ପାଖରେ ଠିଆ ହୋଇଛି ବୁଲୁ ମାଆ ।

 

ରାମେୟାର ସାହସ ହେଲାନାଇଁ ଭିତରେ ପଶିବାକୁ । ବୁଲୁ ଡାକିଲା । ଆରେ ରାମେୟା ଡରୁଚୁ କାହିଁକି ? ସେ ପରା ଆମର…..

 

ମୁଁ ସିମିତି ଚୁପ୍ ହୋଇ ବସିଥାଏ । ବୁଲୁ କେତେବେଳେ ବାହାରକୁ ଯାଏ କେତେବେଳେ ଭିତରେ ପଶିଯାଏ । କେତେବେଳେ କ’ଣ କିଛି ମତେ କହେ । କିନ୍ତୁ ମୁଁ ସବୁ ଭୁଲିଯାଇ ସୁବୁବେଳେ ମନେ କରେ ବୁଲୁ ମୋରି ପାଖରେ ବସିଚି । ଅତି ପାଖରେ ଏକାବେଳକେ ଲଗା ଲଗି ହୋଇ ବସିଚି ।

 

ହଠାତ୍ ମୋର ମୁହଁ ଭାଙ୍ଗିଗଲା । ବୁଲୁ କହିଲା ମାଷ୍ଟ୍ରେ ! କିଛି ଖାଉ ନାହାନ୍ତି ତ ।

 

ଆଗକୁ ଦେଖିଲି ଠିକ୍ ମୋର ଚେୟାର ଆଗରେ ଗୋଟିଏ ଟୁଲ । ସଫା ସୁତୁରା ଗୋଟିଏ ଟେବୁଲ କ୍ଲଥ କେତୋଟି ପ୍ଲେଟରେ ଦୁଇଟି ରସଗୋଲା । ସାତ ଆଠଖଣ୍ଡି ବିସ୍କୁଟ୍, କପେ କଫି ।

 

ଖାଇବାକୁ ମନା କଲି ।

 

କ’ଣ ଲାଜ ମାଡ଼ୁଛି ?

 

ନାଁ ତ ।

 

ତେବେ ।

 

ଏଇକ୍ଷଣି ଖାଇକରି ଆସିଚି ।

 

ଘଡ଼ିକି ଦେଖିଲ ! ହସିଦେଲା ।

 

ନାଇଁ ମୋର ଖାଇବା ଟାଇମ୍ ଏଇଟା ।

 

ଖାଇବା ଟାଇମ୍‍ ? ମେସରେ ଖାଅନା ଘରେ ?

 

ଘର ନାଇଁ କି ମେସ୍ ନାଇଁ ।

 

ତେବେ କ’ଣ ମଠରେ ?

 

ହଁ ସିମିତି ଗୋଟାଏ କିଛି ।

 

ସିମିତି ବୋଇଲେ ?

 

ଯିମିତି ବୁଲି ବୁଲି ଫୁଲ ମାଗେ । ସିମିତି ବୁଲି ବୁଲି ୟା ତା ଘରେ ଖାଏ । ତେବେ ଆମ ଘରଟା ୟା’ର ନା ତାର ?

 

ହାରିଗଲି । ବୁଲୁ ହରାଇ ଦେଲା । ସେତବେଳକୁ ବୁଲୁ ହାତଟା ରସଗୋଲା ସହିତ ଠିକ୍ ମୋର ତୁଣ୍ଡ ପାଖରେ ଆସି ପହଞ୍ଚି ଯାଇଥାଏ । ମୁଁ ନାଚାର ହୋଇ ପାଟିକୁ ଆଁ କରି ଦେଲି । ସେ ଖୁଆଇ ଦେଇ କହିଲା ଏଥର ସୁନାପୁଅ । ଆସ୍ତେ ଆସ୍ତେ ପ୍ଲେଟଗୁଡ଼ିକ ପୋଛି ନେଇଗଲା ।

 

ସେତେବେଳକୁ ରାମେୟାର ପ୍ରାଣରେ କି ନିଶା ଲାଗି ଯାଇଚି କେଜାଣି, ଘର ଗୋଟିକ ଯାକ ଫୁଲରେ ମଣ୍ଡି ଦେଇ ଗଲା । ହଠାତ୍ କହି ଉଠିଲା, ବୁଲୁ ମ, ଆଉ ଆଣିବି ?

 

କ’ଣ କିରେ ?

 

କାଇଁକି ରସଗୋଲା ।

 

ପାଗଳା ।

 

ବୁଲୁକୁ ପଚାରିଲି ? ଏ ସବୁ ରସଗୋଲା ତୁମ ଘରେ ତିଆରି କର ?

 

—ଆଗେ ତିଆରି କରୁଥିଲୁ । ଚିନି କଣ୍ଟ୍ରୋଲ ହେବାଠୁଁ ଆଉ କରି ହେଉ ନାଇଁ । କାଲି ମାଆ କହିଲା, ସପ୍ଲାଇ ଅଫିସିକି ତୁ ନିଜେ ଯା ପରମିଟ ଖଣ୍ଡେ ନେଇ ଆସିବୁ । ଗଲି, ଧାଡ଼ିରେ ଠିଆ ହେଲି । ଲମ୍ବା ଧାଡ଼ି । ସକାଳ ଦଶରୁ ଠିଆ ହୋଇ ଖାଲି ହାତରେ ଫେରିଲି । ଏତେ ମର୍ଦ୍ଦଙ୍କ ଭିତରେ ସାହସ ବାନ୍ଧି ଠିଆ ହେଲି ସିନା, ନିଜକୁ ନିଜେ ସମ୍ଭାଳି ପାରିଲିନି । ଅଫିସ ଛୁଟି ହୋଇଗଲା, ପରମିଟ୍ ମିଳିଲାନି ।

 

ତାହା ହେଲେ ତୁମେ ? —ହଠାତ୍ ମୁହଁରୁ ବାହାରି ପଡ଼ିଲା ।

 

—ଧାଡ଼ିରେ ବୃଥାଟାରେ ଠିଆ ହେଲେ, ଭିତରକୁ ଚାଲି ଯାଇଥିଲେ ସହଜରେ ପାଇ ପାରିଥାନ୍ତ ? ଆଚ୍ଛା ତୁମର କେତେ ଚିନି ଦରକାର ?

 

—କାଇଁ ତୁମେ ଆଣି ଦେଇ ପାରିବ ?

 

ଚେଷ୍ଟା କରିବି ।

 

ବୁଢ଼ୀ ଘର ଭିତରକୁ ପଶିଆସି ଗୋଟିଏ ଦଶଟଙ୍କିଆ ନୋଟ ଦେଇ କହିଲା, ବାପା ତୁ ନ ଥିଲୁ ବୋଲି ଯା ହଇରାଣ ହେଲିଣି କହିଲେ ନ ସରେ । କାଲି ପରା ଝିଅଟାକୁ ପଠେଇଲି । ଦିନଯାକ ଠିଆ ହୋଇ ଖାଲି ହାତରେ ଫେରି ଆସିଲା । ଚିହ୍ନା ନାଇଁ, ପରିଚୟ ନାଇଁ, ଏ ସହରକୁ ତ ଏକାବେଳକେ ନୂଆ ।

 

ବୁଲୁ ଏଥର ଜାଣି ପାଇଲା ମୁଁ ସେଇ ପିଲାଟି । ବୁଢ଼ୀ ଯାର କଥା ଦିନରାତି ତାକୁ କହେ-

 

ତା ଆରଦିନ ଶିବୁ ପାଖକୁ ଯାଇ ବୁଲୁ କଥା କହିଲି । ସେ ସେଦିନ ଛୁଟି ନେଇ ଅଫିସିକି ଯାଇ ନ ଥାଏ । ଘରେ ଥାଏ । ଘର ନୁହେତ, ମେସ୍ । ଖଜୁରୀଆ ମଠର ଠିକ୍ ପାଖରେ ସେ ଘରଟା । ସାହିଟା ନାଁ ମନେ ପଡ଼ୁନି । ଆଗକୁ ଗୋଟିଏ ଚାଳଘର, ପଛକୁ ଲମ୍ବା ଗୋଟିଏ କୋଠରୀ । କୋଠା ଉପରେ ଗୋଟିଏ ଛୋଟ ବଖରା ଘରେ ଶିବୁ ରହେ । ଘରର ଓସାର ପ୍ରାୟ ଦେଢ଼ହାତ । ଲମ୍ବା ଛଅ ସାତ ଫୁଟରୁ ବେଶି ହେବନି । ଝରକା ନଥାଏ । ଆଗକୁ ଖାଲି ଗୋଟିଏ ହାର, ଭଙ୍ଗା କବାଟ । ଏଇ ଘରେ ସପ୍ଲାଇ ବିଭାଗର ପରମିଟ୍ ଦାତା କଲେଜର ଦ୍ୱିତୀୟ ବର୍ଷ କଳା ଛାତ୍ର ଶିବୁ, ଶ୍ରୀଯୁକ୍ତ ଶିବଶଙ୍କର ଦାସ ମହାପାତ୍ର ନରେନ୍ଦ୍ର ସିଂହ ବମ୍ମ । ଶୁଆ ବସା କରନ୍ତି । ଘରର ଗୋଟିଏ କୋଣରେ ପୁଳାଏ ଖଣ୍ଡିଏ ବିଡ଼ି ସିଗାରେଟ, ପୋଡ଼ା ଡିଆସିଲି କାଠି । ଆଉ ଗୋଟିଏ କୋଣରେ ତିନି ଚାରୋଟି ଚିଲମ । ସାତ ଆଠଖଣ୍ଡି ବହି ।

 

କାନ୍ଥରେ କଣ୍ଟା ପିଟା ହୋଇ ରାକେଟରେ ଓହଳା ହୋଇଥାଏ ଦୁଇଟି ସାର୍ଟ ଖଣ୍ଡିଏ ଫୁଲ୍‍ ପେଣ୍ଟ, ସାର୍ଟ ଦିଖଣ୍ଡି ଭିତରୁ ଖଣ୍ଡିଏ ଚିରା । ଆଉ ଗୋଟିଏ କଣ୍ଟାରେ ଓହଳା ହୋଇଥାଏ ଗୋଟିଏ ସାହେବି ଟୋପି !

 

ଶିବୁ କ’ଣ ଖାଏ, କୁଠି କେତେବେଳେ ଜଳଖିଆ କରେ ମୁଁ ଜାଣେନା କି ଦେଖିନାଇଁ । କେବେ ମଧ୍ୟ ପଚାରିନି । ତା ଘରକୁ ମଧ୍ୟ କେବେ ଆସି ନ ଥିଲି । ଆଜି ନୂଆ କରି ଆସିଚି ।

 

କିନ୍ତୁ ଶିବୁ ଘରଦ୍ଵାର ଫିଟେଇ ଦେଖିଲା ମାତ୍ରେ ମୁଁ ଏକାବେଳକେ ନିର୍ବାକ୍ । ଦେଖିଲି ଶିବୁ ଶୋଇଚି । ନିଘୋଡ଼ ନିଦରେ । ଏକବାରେ ଲମ୍ବା ଦଣ୍ଡା । ଘୁଙ୍ଗୁଡ଼ି ମାରୁଚି । ମନେ ମନେ ଶିବୁର ଜୀବନ ଗୋଟାକ ମୁଁ କଳ୍ପନା କଲି, ଅଜବ ଗୋଟାଏ ମଣିଷ ଏ ଶିବୁଟା, ଅଦ୍ଭୁତ ତାର ମନ । ବିଚିତ୍ର ତାର ଗତି । ବିଭତ୍ସ ତାର ଯୌବନ ।

 

ସହର ଗୋଟାକ ଯାକରେ ଲୋକେ ତାକୁ ଡାକନ୍ତି, ପରମିଟ୍ ବାବୁ ! ସମସ୍ତଙ୍କର ଅଭିଯୋଗ ସିଏ କୁଆଡ଼େ ବହୁତ ପଇସା ଖାଏ । ଲାଞ୍ଚ ନେଇ ନେଇ ସେ କୁଆଡ଼େ କୋଠା ବାଡ଼ୋଉଚି । କିଏ କିଏ କହନ୍ତି ତାର ଦିଟା ସ୍ତ୍ରୀ । ଗାଁରେ ଗାଟାଏ । ପୁରୀରେ ଗୋଟାଏ ।

 

ଶିବୁ ଶୋଇଚି । ବୋଧେ ଆଗରୁ ଚିଲମ ଟାଣିଥିଲା, ନିଶା ଲାଗି ଯାଇଚି ।

 

ଗଲା ଚାରି ପାଞ୍ଚ ଘଣ୍ଟା କାଳ ମୁଁ ଶିବୁକୁ ଖୋଜୁଥିଲି କି ଶିବୁର ଜୀବନଟାକୁ ଖୋଜୁ ଥିଲି-। ବୁଝି ପାରିଲି ନି । ମୁଁ କାଇଁକି ଆସିଚି ସେ କଥାବି ଭୁଲିଗଲି ।

 

ଶିବୁକୁ ବଡ଼ ପାଟିରେ ଡାକିଲିନି । ଏ ଶିବୁ ଉଠୁ ବୋଲି ତା ଦେହଟାକୁ ହଲେଇବାକୁ ମୋର ସାହସ ହେଲା ନାଇଁ । ତା ଗୋଡ଼ ତଳେ ଗୋଡ଼କୁ ଯାକିଯୁକି ବସି ରହିଥାଏ । ତା ମୁହଁକୁ ଚାହିଁ ରହିଥାଏ ।

 

ଏଇ ଶିବୁକୁ ଦିନେ ଦେଖିଥିଲି ଜେଲ ହାଜତରେ । ମତେ ଦେଖି ସେ ମୁଣ୍ଡ ତଳକୁ କରି ଦେଇଥିଲା । ବଡ଼ ଲାଜ ଲାଗିଥିଲା ତାକୁ ।

 

ଦିପହରଟା । ମୁଁ ସେତେବେଳେ ରହୁଥାଏ ପାପୁଡ଼ିଆ ମଠରେ । ଆମର ସାଙ୍ଗମାନଙ୍କର ଗୋଟିଏ କମ୍ପାନୀ ହୋଇଥାଏ । ମୁଁ ସେ କମ୍ପାନୀର ଥାଏ ଓକିଲ । ଅର୍ଥାତ୍ ମୋର କାମଥାଏ ବୁଦ୍ଧି ବତେଇବା ।

 

ଦିନେ ଶିବୁ ଘର ଭିତରକୁ ଧଇଁସଇଁ ହୋଇ ପଶିଆସିଲା, କହିଲା ଭାଇ ବୁଦ୍ଧିବତା । ମୋର ଇଚ୍ଛା ହେଉଚି ସେଇଟାକୁ ଭଲ ପାଇବି ।

 

କେଉଁଟାକୁ କିରେ ?

 

ଆରେ ସେଇଟାକୁ ମ । ସେ ଯୋ ଝିଅଟା । ମୁଁ କଣ ତା ନା ଫାଁ ଜାଣିଚି ? ସେଇ ଯୁ ଡାକ୍ତର ଖାନା ପାଖରୁ ଲମ୍ବା ବେଣୀ ପକେଇ ଫୁଲ ଖୋସି ରିକ୍ସାରେ ଗାର୍ଲସ୍କୁଲକୁ ଯାଏ—

 

ବିନୋଦିନୀ !

 

ହେଇଥିବ । କହିଲି ପରା ନାଁ ଜାଣିନି । ଖାଲି ତା ରୂପ ଓ ଫେସନକୁ ଜାଣିଚି ।

 

—ଲଭ୍ ତ କରିବୁ କିମିତି କରିବୁ, କ’ଣ ଉପାୟ ପାଞ୍ଚିଛୁ ?

 

ହଁ, ପାଞ୍ଚିଚି ଯେ । ଅଥବା ଗଡ଼ବଡ଼ ହୋଇଯିବ, ତୁ ଖାଲି ହଁ କରିଦେଲେ ହେଲା ।

 

ମୁଁ ହଁ କରି ପାରିଲିନି କି ନାହିଁ କରି ପାରିଲିନି ।

 

ଶିବୁ ତାର ଅଭିଯାନରେ ବାହାରିଲା । ମୁଁ ତାର ପିଛା କଲି । କମ୍ପାନୀର ଅନ୍ୟ ସାତ ଜଣଙ୍କୁ ଏକାଠିକରି ପୋଲିସ ଲାଇନ ଛକ ପାଖରେ ଜଗି ରହିଲୁ । ଶିବୁ ଆଉ ଟିକିଏ ଦୂରରେ ଅପେକ୍ଷା କରି ରହିଲା ।

 

ସେତେବେଳକୁ ସ୍କୁଲ ସମୟ ହୋଇ ଯାଇଥାଏ । ଦିନ ପ୍ରାୟ ଦଶଟା । ବିନୋଦିନୀ ରିକ୍ସାରେ ଆସିବା ବାଟରେ ଶିବୁ ଠିଆହୋଇ ପଡ଼ି ରିକ୍ସାକୁ ରଖ ବୋଲି ନିର୍ଦ୍ଦେଶ ଦେଲା । ରିକ୍ସା ରଖିବା ମାତ୍ରେ ନିସଙ୍କୋଚରେ ଚୁପ୍‍ ଚାପ ଯାଇ ବସି ପଡ଼ିଲା ବିନୋଦିନୀ ପାଖରେ ।

 

ଆମେ ଆଶଙ୍କା କରିଥିଲୁ ବିନୋଦିନୀ ପାଟି କରିବ, ନଚେତ୍ କାନ୍ଦି ଉଠିବ । ପୁଲିସ୍ ପୁଲିସ୍ ବୋଲି ହୁରି କରିବ । ଲୋକ ଜମା ହେବେ । ଶିବୁକୁ ପିଟା ପିଟି କରିବେ । ସେଥିପାଇଁ ଆମେ ପ୍ରସ୍ତୁତ ହୋଇ ଆସିଥିଲୁ । ଆମର କାମ ଥିଲା ଶିବୁକୁ ଉଦ୍ଧାର କରିବା । ନିର୍ଦ୍ଦୋଷ ବୋଲି ସାବ୍ୟସ୍ତ କରିବା । କିନ୍ତୁ କିଛି ଘଟିଲାନି । ମନେ ହେଲା ବିନୋଦିନୀ ଯିମିତି ଅପେକ୍ଷା କରି ରହିଥିଲା ଶିବୁକୁ, ଶିବୁ ଅପେକ୍ଷା କରିବାର ବହୁତ ଆଗରୁ ।

 

ରିକ୍ସା ଆମରି ଭିତରେ ଛକ ଡେଇଁ ଆଗକୁ ଚାଲିଲା । ଆମେ ଲକ୍ଷ୍ୟ କରିଚୁ ରିକ୍ସା ସ୍କୁଲ ଆଡ଼କୁ ଗଲାନି । ଗଲା ଅନ୍ୟ ଗୋଟାଏ ଆଡ଼େ ।

 

ଆମେ ସିମିତି ପିଛା କରି ଚାଲିଥାଉ । ଦେଖିଲୁ ବିନୋଦିନୀ ହେରିକା ଗୋଟିଏ ପ୍ରାଇଭେଟ ଘରଭିତରକୁ ପଶିଗଲେ । ସେ ଘର ବାରଣ୍ଡାରେ ଦୁଇଟି ପିଲା ଖେଳୁଥାନ୍ତି । ଘର ଭିତରେ ଜଣେ ମାଇପି ଲୋକର ପାଟି ଶୁଭୁଥାଏ । ଆମେ ବହୁ ସମୟ ଧରି ଅପେକ୍ଷା କଲୁ କେହି ଫେରିଲେ ନି । କିନ୍ତୁ ତା ଆରଦିନ ଶିବୁକୁ ଦେଖିଲୁ ହାଜତରେ । କିଡ୍‍ନାପିଙ୍ଗ୍‍ ଅଭିଯୋଗରେ ସେ ଅଭିଯୁକ୍ତ ।

 

ଚାରିମାସ ଧରି କେସ୍ ଚାଲିଲା । କିନ୍ତୁ ନିର୍ଦ୍ଦୋଷରେ ମୁକ୍ତ ହେଲା ଶିବୁ । ବିନୋଦିନୀ କୋର୍ଟରେ କହିଲା ସେ ତା ନିଜ ଇଚ୍ଛାରେ ଯାଇଥିଲା ଶିବୁ ସାଥିରେ । ଦୁହେଁ ପରସ୍ପରକୁ ଭଲ ପାଆନ୍ତି । କୌଣସି ଅଶୋଭନୀୟ କାଣ୍ଡ ସେମାନେ ଘଟେଇ ନାହାଁନ୍ତି ।

 

ଶିବୁ ପରମିଟ୍ ଦିଏ, ମୁଁ ବୁଲୁ ଘର ପାଇଁ ରେସନ ଆଣେ । ସପ୍ତାହକୁ ଥରେ ବା ଦି ଥର-। ଅତି କମରେ ଦଶଟି ଟଙ୍କା । ବୁଲୁ ଘର ସହିତ ମୋର ଯେତେବେଳେ ପ୍ରଥମ ପରିଚୟ ହୁଏ ମୋ ମୁହଁଟା ଚୋରା ଥିଲେ ମଧ୍ୟ ଥିଲି ନିହାତି ଅପରିଚ୍ଛନ୍ନ । ଷ୍ଟେସନର କୁଲିମାନେ ଯେଉଁ ରଂଗର ପେଣ୍ଟ ପିନ୍ଧନ୍ତି, ସେଇ ରଂଗର ଗୋଟିଏ ହାପ୍ ପେଣ୍ଟ, ଆଉ ଗୋଟାଏ ଖାକି ହାପ୍ ଶାର୍ଟ । ମୁଣ୍ଡରେ ଗୋଛାଏ ବାଳ । କହୁଣୀରେ ଏପରି ଗୋଟାଏ ଚର୍ମରୋଗ ହୋଇଥାଏ ଯାହାକୁ କୁଣ୍ଡାଇଲେ ପ୍ରଥମେ ଆନନ୍ଦ ଲାଗେ, ପରେ ପୋଡ଼େ ।

 

ସମ୍ଭବତଃ ମୋ ମୁହଁଟାରେ କିଛି ରୋଗ ହୋଇ ନଥିଲା । ଭିତରର ନିର୍ଦ୍ଦେଶକୁ ଜିଭ ଓ ଓଠ ଦୁଇଟି ବେଶ ନିଷ୍ଠାପର ଭାବରେ ପାଳନ କରୁଥିଲେ । ଝିଅ ପିଲାମାନେ ଚାହାନ୍ତି ସୁନ୍ଦର ମୁହଁ, କେତୋଟି ମିଠାକଥା । ବୁଲୁ ପ୍ରଥମେ ଦୁଇଟିର ପରିଚୟ ପାଇ ଏକାବେଳକେ ବିମୁଗ୍ଧ ଓ ଅଭିଭୂତ ହୋଇ ପଡ଼ିଥିଲା ।

 

ରେଶନ ଦେଇ ସାରିବା ପରେ ବୁଢ଼ୀମା କହନ୍ତି, ବାବା ହିସାବଟା ଦେଲୁନି ଯେ !

 

ମୁଁ ଭାରି ଅସୁବିଧାରେ ପଡ଼ିଯାଏ । ବାର ଟଙ୍କାର ରେଶନ ଆସିଲେ ମତେ ବୁଲୁ କହିଥାଏ, ଆଉ ତିନି ଟଙ୍କା ତୁମର, ବୁଢ଼ୀମା ହିସାବ ପଚାରିଲେ, ତିନି ଟଙ୍କା ମତେ ଦେଇ ଦେଇଚ ବୋଲି କହିବ ।

 

ପ୍ରକୃତରେ ବୁଲୁଠୁ ସାହସ ପାଇ ମୁଁ ବଜାରରୁ ଫେରିଲା ବେଳକୁ ସେ ତିନି ଟଙ୍କା ଖର୍ଚ୍ଚ କରି ଦେଇଥାଏ । ତେଣୁ ବୁଲୁର ଆଦେଶକୁ ବେଖାତିର କରି, ବୁଢ଼ୀ ହିସାବ ମାଗିବା କ୍ଷଣି ତିନି ଟଙ୍କା ଫେରାଇ ଦେବାକୁ ଇଚ୍ଛା ଥିଲେ ମଧ୍ୟ ଉପାୟ ନ ଥାଏ । ବୁଢ଼ୀ ମୁହଁକୁ ଚାହେଁ । ଇଆଡ଼େ ଉପର ମହଲାରୁ ଓହ୍ଲାଇ ଆସୁଥିବା ପ୍ରତୀକ୍ଷମାଣ ବୁଲୁ ମୁହଁକୁ ଚାହେଁ । ବୁଲୁ ନାନା ରକମର ମୁଖ ବିକୃତ କରି ଇୟା କୁହ ତା କୁହ ବୋଲି ସଂକେତ ଦିଏ । ମୁଁ କିଛି ବୁଝି ପାରେନା । ମୋର ନିଃସହାୟତା ଦେଖି ବୁଢ଼ୀ ସବୁ କଥା ଜାଣିପାରେ । ଆଚ୍ଛା କାଲି ଦେଇଦେବୁ କହି ମତେ ବିଦାୟ ଦିଏ ।

 

ମାତ୍ର ମାସେ ଦି ମାସ ଭିତରେ ବୁଲୁ ମୋ ସହିତ ନିଜକୁ ଅତି ଘନିଷ୍ଠ କରି ଦେଇଥିଲା । ମୋ ଦେହକୁ ସ୍ପର୍ଶ ନ କରି ମଧ୍ୟ ସେ ମନେ ମନେ ମୋର ସମଗ୍ର ଶରୀରକୁ ମାପି ଦେଇଥିଲା । ଛାତିର ଚଉଡ଼ା କେତେ, ଗୋଡ଼ରୁ ଅଣ୍ଟା ଯାଏ ଲମ୍ବା କେତେ, ଆଉ ଦର୍ଜିମାନେ ଯାହା ମାପନ୍ତି ସେ ସବୁ ମାପକୁ କଣ୍ଠସ୍ଥ କରି ନେଇଥିଲା । ସେ ଦିନ ବଡ଼ ଦାଣ୍ଡରେ ଲୁଗା ଦୋକାନରୁ କେତେକ ଦାମିକିଆ ପୁରୁଷ ବ୍ୟବହାରପୋଯୋଗୀ କନା କିଣୁଥିବା ବେଳେ, ମୁଁ ନିରବରେ ଠିଆ ହୋଇ ଦେଖୁଥିଲି । ପରେ ତାକୁ କୌତୂହଳରେ ଏ ସବୁ କାହା ପାଇଁ ବୋଲି ପଚାରି ଥିଲି । ସେ ତାର ଜଣେ ଆତ୍ମୀୟ ପାଇଁ ବୋଲି ଉତ୍ତର ଦେଇଥିଲା । ଖାଲିତ ଉତ୍ତର ଦେଇ ନଥିଲା, କହିଥିଲା, ବୟସରେ ମୋଠୁ ଟିକିଏ ଛୋଟ । ବର୍ଷେ ହେବ । ବୟସ ଆସି ଅଠର ଖଣ୍ଡେ ହେଲାଣି, ଯେତେ କହିଲେ ହାପ୍ ପେଣ୍ଟ ପିନ୍ଧା ଛାଡ଼ିଲାନି । ଘରେ ଧନ ସମ୍ପଦ ଭର୍ତ୍ତି । ଚାହିଁଲେ ଆକାଶରୁ ଚାନ୍ଦ ଅଣାଯାଇ ପାରନ୍ତା, କିନ୍ତୁ ତାର ନ ଚାହିଁବାଟା ଗୋଟାଏ ସମସ୍ୟା । ବଡ଼ ଘରର ପିଲା କଣ ହେବ, ଲୋକଙ୍କ ଆଖିରେ ସେ ଗୋଟାଏ ବୁଦ୍ଧୁ, ମ୍ଳେଚ୍ଛାଟାଏ । ତୁମେ ଯେମିତି ଆମର ରେଶନ ଆଣୁଛ, ସିଏ ବି ଘରର ଯାବତୀୟ ସଉଦା ପତ୍ର କରିବାକୁ ଭଲ ପାଏ । ସପ୍ତାହକୁ ତିନୋଟି ଟଙ୍କା ଲାଭ ହେଲେ ଯଥେଷ୍ଟ । ଭାବିଲି, ତାକୁ ଏଣିକି ଟିକେ ସଭ୍ୟ କରେଇ ନେବି । ଏଇ କନାରେ ଫୁଲ୍‍ ପେଣ୍ଟ, ଆଉ ଏଇ କନାରେ ସାର୍ଟ । ଦେଖିଲ ଦେଖିଲ ଏ କନାତକ । ତୁମ ଭଳି ତା ଦେହର ରଙ୍ଗ ଟିକେ ତୋଫା । ଲମ୍ବାଚଉଡ଼ା ମଧ୍ୟ ଠିକ୍ ତୁମଭଳି । ମାନିବନି ?

 

ସେ କନାଗୁଡ଼ାକ ଦେଖି ସ୍ୱଭାବତଃ ଈର୍ଷା ହେବା କଥା । କିନ୍ତୁ ମୋ ମନରେ ଘୃଣା ଜନ୍ମେ । ମାଇପିଏ ଅଳଙ୍କାର ପିନ୍ଧିଲା ଭଳି ପୁରୁଷ ପଚାଶ ଷାଠିଏ ଟଙ୍କାର ପୋଷାକ ମଡ଼େଇ ହେବାଟା ମସ୍ତବଡ଼ ଏକ ପାପ ବୋଲି ମୁଁ ମନେ କରେ । ବୁଲୁକୁ କହେ ତୁମ ଭାଇ ଯଦି ମୋଭଳି ମନନେଇ ଗଢ଼ି ଉଠି ଥଆନ୍ତି, ତୁମର ଏ ପୋଷାକ । ସଭ୍ୟତାକୁ କଦାପି ଗ୍ରହଣ କରିବେନି । ଆଚ୍ଛା ବୁଲୁ, ଏ ସବୁ ଫେରେଇ ଦେଲେ ଦୋକାନୀ କ’ଣ ନେବନି ?

 

ବୁଲୁ କହେ, ତୁମ ପାଇଁ ତ ନୁହେଁ, ଏତେ ବ୍ୟସ୍ତ କାହିଁକି ?

 

ବଙ୍ଗାଳୀମାନଙ୍କର ଭାଇ ଫୋଟା ଏକ ବଡ଼ ପର୍ବ । ଭଉଣୀମାନେ ଭାଇମାନଙ୍କୁ ନୂଆଲୁଗା ପିନ୍ଧେଇ ଦିଅନ୍ତି । ବରଣ କରି ନିଅନ୍ତି ଭାଇମାନଙ୍କୁ । ଫୁଲ ଚନ୍ଦନ ଦେଇ ବନ୍ଦା ପନା କରନ୍ତି ।

 

ସେଦିନ ଭାଇ ଫୋଟା । ବୁଲୁ କହେ ସେ ତାଙ୍କ ଦେଶକୁ ଯିବ । ଭାଇ ଫୋଟା ଦେଇ ଫେରିବ । ସକାଳ ପାହିଲା । ମୁଁ ଦେଖିଲି, ବୁଲୁ ଦେଶକୁ ଯାଇନି । ବୁଢ଼ୀ ଯାଇଛି । କ’ଣ ଗୋଟାଏ ଟେଲିଗ୍ରାମ ଆସିଲା, ସଙ୍ଗେ ସଙ୍ଗେ ରାତି ଗାଡ଼ିରେ ବୁଢ଼ୀର କଲିକତା ଯାତ୍ରା ।

 

ଦେଖିଲି ବୁଲୁ ଆଖିରେ ଧାର ଧାର ହୋଇ ଲୁହ । ଅତି ଗୁରୁତର ଆଘାତ ନ ହେଲେ, ଏଭଳି ଲୁହ ଆଖିରୁ ବାହାରେ ନା । ଦୁଃଖର ଭାରକୁ ଉଶ୍ୱାସ କରିବା ପାଇଁ, କି କେଉିଥି ପାଇଁ ଜାଣେନା ମତେ ଦେଖି ହଠାତ୍ କୁଣ୍ଢାଇ ପକାଇଲା ସେ । ମୁଁ ନିଶ୍ଚଳ ନିସ୍ତବ୍ଧ । ତା ହାତରେ ଲଟକି ରହିଥିବା ଟେଲିଗ୍ରାମଟି ପଢ଼ିଲି । ଛୋଟ ଭାଇର ମୃତ୍ୟୁ ସମ୍ବାଦ । ବୁଲୁର କୋହ ଧ୍ୱନି ମଧ୍ୟରୁ ମତେ ଯେପରି ଶୁଭୁଥିଲା, ହଁ ଆଜି ଭାଇ ଫୋଟା !

 

ବୁଲୁର ଏ କୋହଧ୍ୱନି ମଧ୍ୟରେ କ୍ରମଶଃ ମୋ ଯୌବନଟା ଶୈଶବ ପାଲଟି ଆସିଲା । ମନେ ମନେ ଜୁଆଇଁ ହେବି, ଆରତିକି ନେଇ ଶିବୁ ପାଖରେ ଭେଟେଇବି—ଏ ସବୁ ନାନା ଅଶୋଭନୀୟ ବିକୃତ ମନୋଭାବ ନେଇ ମୁଁ ଆସିଥିଲି ଏ ଘରକୁ ।

 

ଆଜିର ଏଇ କେତୋଟି ଧାର ଲୁହ, ମୋର ମନ ଭିତରର ସେଇ ପାପକୁ ଏକା ବେଳକେ ପୋଛି ପାଛି ନିଃଶେଷ କରି ପକେଇଲା । ମୁଁ ନିଜକୁ ହଜେଇ ଦେଲି ଆରତି ନାନୀର ସ୍ନେହ ମମତା ଭିତରେ ।

 

ଶିବୁକୁ ତା ଆର ଦିନ ସବୁକଥା କହିଥିଲି—ତାର ହୃଦୟ ତରଳି ଯାଇଥିଲା । ଭାଇ ଉଭଣୀଙ୍କ ମୃତ୍ୟୁ ସମ୍ବାଦ ମନରେ କି ବେଦନା ଦିଏ, ସେ ଜାଣେ । ତା ଜୀବନରେ ସେ ଦୁଇଭଉଣୀଙ୍କି ଗୋଟିକ ପରେ ଗୋଟିଏ ହରେଇଚି—ଶେଷରେ ବାପା ମାଙ୍କୁ ହରେଇ ସେ ହୋଇଚି ଜୀବନରେ ଅନାତ୍ମୀୟ, ଏକାକୀ ।

 

ଆରତୀ ନାନୀର ସମସ୍ତ ଦାୟୀତ୍ୱ ଶିବୁ ମୁଣ୍ଡରେ ଲଦି ଦେଇ ମୁଁ ପୁରୀରୁ ଚାଲି ଆସିଲି ମୋ କର୍ମ କ୍ଷେତ୍ରକୁ । ଆରତୀ ନାନୀ ୟା ଭିତରେ ହେଲ୍‍ଥ ଭିଜିଟର ଟ୍ରେନିଂ ପାସକରି ଚାକିରି କରିଛି ।

 

ଆରତୀ ନାନୀ ସହିତ ମୋର ଯେତେବେଳେ ଦେଖାହୁଏ, ପଚାରେ ଶିବୁ କଥା ।

 

ଶିବୁକୁ ସେ କିଭଳି ଭଲ ପାଇଥିଲା ଜାଣେନା, କିନ୍ତୁ ଶିବୁ କଥା ମନେପଡ଼ିଲେ ତା ଆଖିରୁ ଲୁହ ଖସି ଆସେ । ସେ ପାଖ ଗଛ ପତ୍ରକୁ ଜଳ ଜଳ କରି ଅନାଏଁ ।

 

ଏତିକିମାତ୍ର ଶୁଣିଚି ଯେ ଶିବୁକୁ ମୁଁ ଯେଉଁଦିନଠୁ ଆରତୀ ନାନୀର ଦାୟିତ୍ୱ ଦେଇ ଯାଇଥିଲି, ସେଇ ଦିନଠୁ ଶିବୁ ବେଡ଼ିଂ ପତ୍ର ବାନ୍ଧି ତାରି ଘରେ ଆସି ରହିଥିଲା । ଆରତୀ ନାନୀ ଓ ଶିବୁ ଅତି ଘନିଷ୍ଠ ହୋଇ ଉଠିଲେ—ସେ ଘନିଷ୍ଠତା କେତେ ଗଭୀର, ସେ କଥା ମଧ୍ୟ ମୁଁ ଜାଣିନି କି କାହାରିଠୁ କେବେ ଶୁଣିନି ।

 

କିନ୍ତୁ ଏ କଥା ଶୁଣିଛି ଯେ ଶିବୁ ଦିନେ ବାଡ଼ି ଆଡ଼ ପିଜୁଳି ଗଛରୁ ଲଥ କିନି ତଳେ ପଡ଼ିଯାଇ ବେହୋସ ହୋଇପଡ଼ିଥିଲା—ସଙ୍ଗେ ସଙ୍ଗେ ତାର ମୃତ୍ୟୁ ହୋଇ ଯାଇଥିଲା ।

 

ଏ ମୃତ୍ୟୁ ରହସ୍ୟ କଣ କେହି ଜାଣନ୍ତି ନାହିଁ ।

 

ଆରତୀ ନାନୀକୁ ଯେତେବେଳେ ଯିଏ ଶିବୁ କଥା ପଚାରେ ସେ ଖାଲି ଗଛ ପତ୍ରକୁ ଚାହେଁ—ସେଇଥିରୁ ରହସ୍ୟ ଭେଦ କରିବା ଲାଗି ମୁଁ ବହୁତ ଚେଷ୍ଟା—କିନ୍ତୁ ଚେଷ୍ଟା କରି କରି ଯେତେବେଳେ ମୁକ ପାଲଟି ଯାଏ, ସେ ମୋ ଗାଲରେ ସରୁଚୂମାଟିଏ ଦେଇ କହେ “ଶୋଇପଡ଼ ରାତି ବେଶୀ ହୋଇଗଲାଣି ।’’

 

ମୁଁ ଆରତୀ ନାନୀର କୋଡ଼ରେ ବିରାଡ଼ି ପିଲାଟି ଭଳି ଶୋଇ ପଡ଼େ—ମୋତେ ସେ ଜାକିନିଏ……

 

(ମୋ ବୟସ ଠାରୁ ଆରତୀ ନାନୀର ବୟସ ମାତ୍ର ବର୍ଷେ ଅଧିକ—ଆଗରୁ କହିରଖିଛି-।)

Image

 

ଫଳଂ ଫଳେ ଫଳାନି

 

ଜଗାପଣ୍ଡିତେ ମରିଗଲେଣି ।

 

ଛୋଟ ଗୋଟିଏ ବ୍ରାହ୍ମଣ ଶାସନ । ଶହେ ଖଣ୍ଡେ ଘର । ପୂର୍ବ ମୁଣ୍ଡରେ ବେଶ ଗୋଟିଏ ପ୍ରଶସ୍ତ ମଣ୍ଡପ । ପଶ୍ଚିମ ମୁଣ୍ଡରେ ବୁଢ଼ିଠାକୁରାଣୀ ମନ୍ଦିର ଜଗା ପଣ୍ଡିତଙ୍କ ଘର ଠିକ୍ ବୁଢ଼ିଠାକୁରାଣୀଙ୍କ ମନ୍ଦିର ପାଖରେ । ପୂର୍ବମୁଣ୍ଡରୁ ଜଗା ପଣ୍ଡିତଙ୍କ ଶ୍ଳୋକ ବୋଲା ଶୁଭିଲେ ସମସ୍ତେ ଜାଣନ୍ତି ରାତି ସାତ ବାଜିଲା, ପଶ୍ଚିମ ମୁଣ୍ଡରୁ ସେଇଭଳି ଧ୍ୱନି ଶୁଭିଲେ ଆମେ ଭାବୁ ସକାଳ ହେଲା-

 

ବଡ଼ ମଧୁର ସ୍ୱର । ବଡ଼ ପାଟି, ସ୍ୱର ଲମ୍ବିଯାଏ ଠିକ୍ ଉଚ୍ଚାଙ୍ଗ ସଂଗୀତ ଭଳି । ପଣ୍ଡିତଙ୍କ କାନରେ କୁଣ୍ଡଳ । କୁଆଡ଼େ ତାଙ୍କ ସ୍ୱରରେ ମୁଗ୍ଧ ହୋଇ ସୁରଂଗ ରାଜାସାହେବ ଏଇ କୁଣ୍ଡଳ ହଳକ ଉପହାର ଦେଇଥିଲେ ।

 

ଜଗା ପଣ୍ଡିତଙ୍କ ଗାଁ ବୋଲି ପାଲାବାଲାଏ ଏ ଗାଁକୁ ଆସିବାକୁ ଭାରି ଡରନ୍ତି । ଥରେ କୁଆଡ଼େ ଜଣେ ମହାପଣ୍ଡିତ ଗାୟକ–ରତ୍ନ ଉପାଧି ଧାରୀ ପାଲାବାଲା ସଦଳବଳ ଏ ଗାଁକୁ ଆସି ଥାଆନ୍ତି । ସେ ଦିନ ଜଗା ପଣ୍ଡିତେ ଝିଅ ଘରକୁ ଯିବେ ବୋଲି ଷ୍ଟେସନକୁ ଯାଇଥିଲେ । ଗାଡ଼ି ଫେଲ ହୋଇ ଫେରି ଆସିଲେ । ସେତେବେଳକୁ ରାତି ବାର । ମୃଦଙ୍ଗ, ଝାଞ୍ଜ ଧ୍ୱନୀରେ ଗାଁ ଗୋଟାକ କଂପି ଉଠୁ ଥାଏ । ମଝି ଦାଣ୍ଡରେ ପାଲା । ଜଗାପଣ୍ଡିତେ ଘରକୁ ନ ଯାଇ ବସି ପଡ଼ିଲେ ସେଇଠି । ଗାୟକ–ରତ୍ନଙ୍କ ଶ୍ଳୋକ ବୋଲା ଚାଲିଥାଏ ।

 

ଅର୍ଦ୍ଧ ଶିକ୍ଷିତ ଦଳେ ଲୋକ ମୁଣ୍ଡକୁ ହଲେଇ ଗାୟକରତ୍ନଙ୍କ ବ୍ୟାଖ୍ୟାନକୁ ଉପଭୋଗ କରୁ ଥାଆନ୍ତି । ଜଗା ପଣ୍ଡିତେ ପାଟି କରି ଉଠିଲେ ‘ଅଶୁଦ୍ଧ’ ‘ଅଶୁଦ୍ଧ’ । କୌଣସି ଗୋଟିଏ ପଦ ବିଶୁଦ୍ଧ ନୁହେଁ । ଶେଷରେ ସେ ପ୍ରମାଣ କରିଦେଲେ ଇଏ ଗାୟକ ରତ୍ନ ନୁହନ୍ତି ଗୋବର ଗଣେଶଟିଏ । ପାଲା ସେଇଠି ବନ୍ଦ ରହିଲା । ଯାହା ବହିନା ନେଇଥିଲେ ସେତିକି । ଗାୟକରତ୍ନ ଓ ତାଙ୍କର ଦଳରଲୋକେ ଗଣ୍ଠିଳି ବାନ୍ଧିଲେ ଘରକୁ ଯିବାକୁ ।

 

ପ୍ରକୃତରେ ଜଗା ପଣ୍ଡିତେ ଜଣେ ପଣ୍ଡିତ ନ ଥିଲେ ସେ ଥିଲେ ଜଣେ ପ୍ରଚଣ୍ଡ ପଣ୍ଡିତ । ଗାଅ ବୋଇଲେ ଗାଆନ୍ତି, କୁହ ବୋଇଲେ କୁହନ୍ତି । ବୁଝାଅ ବୋଇଲେ ବୁଝାଇ ଯାଆନ୍ତି ।

 

ଆଜି ଅଠର ବର୍ଷ ପରେ କଲ୍ୟାଣୀକି ଦେଖି ତାଙ୍କ କଥା ମନେ ପଡ଼ିଲା । ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଁ ଏହାକୁ ଦେଖିଥିଲି । କଳା ଗାଉନ ପିନ୍ଧି ମଂଚ ଉପରକୁ ଉଠିଥିଲା । ମଞ୍ଚଉପରୁ ଫେରିଲା ବେଳେ କରତାଳି ଧ୍ଵନୀରେ କଂପି ଉଠିଥିଲା ସଭା ମଣ୍ଡପ । କଲ୍ୟାଣୀ ଫେରୁଥିଲା ସ୍ୱର୍ଣ୍ଣ ପଦକ ଘେନି । ଏମ୍. ଏ. ସଂସ୍କୃତରେ ସେ ପାଇଥିଲା ପ୍ରଥମ ଶ୍ରେଣୀର ପ୍ରଥମ ସ୍ଥାନ ।

 

ଜଗା ପଣ୍ଡିତେ ମଲା ବେଳକୁ କଲ୍ୟାଣୀକୁ ହୋଇଥିଲା ଆଠ ନଅ ବର୍ଷ । ମା ଛେଉଣ୍ଡ ସେ । ପିଇସିନାନୀର ଲାଳନ ପାଳନରେ ସେ ବଢ଼ିଥିଲା ପିଲାଟି ଦିନରୁ । ଭାରି ଅସନା ଦେଖା ଯାଉଥିଲା ସେତେବେଳେ । ଦେହର ଚାରିଆଡ଼େ କୁଣ୍ଡିଆ କାଛୁ ।

 

ବାଳ ନୁଖୁରା । ଆମେ ଡାକୁଥିଲୁ ବାୟାଣୀ ବୋଲି । ବଡ଼ି ଭୋରରୁ ନନାଙ୍କ ତୁଣ୍ଡ ଶୁଣି ବାୟାଣୀ ଉଠି ପଡ଼େ । ନନାଙ୍କ ସାଥିରେ ପାଳି ଧରେ । ବାୟାଣୀ ଗୀତଟିଏ ଗା ବୋଇଲେ ସେ ଖନେଇ ଖନେଇ ଧକେଇ ଧେକେଇ ଗାଏ, ତାର ଦରୋଟି ଭାଷାରେ ବେଶ୍ ଭଲ ଶୁଭେ ଏଇଶ୍ଳୋକଟି ।

 

ନବ ପଲାଶ ପଲାଶ ବନଃସ୍ଫୁର

ସ୍ଫୁଟ ପରାଶ ପରାଗତଃ ପକଂଜଂ

ମୃଦୁ ଲତାନ୍ତ ଲତାନ୍ତ ମଲୋକୟଃ

ସ ସୂରଭି ସ୍ୱରଭି ସମନୌଭିରୟେଃ

 

ଏଇ ଅଠର ବର୍ଷ ଭିତରେ କଲ୍ୟାଣୀ କଥା ମୁଁ ସେପରି କେବେ ଭାବି ନ ଥିଲି । ଆମଗାଁର ପରଂପରା ଅନୁଯାୟୀ, ମୋର ଧାରଣାଥିଲେ, ସେ ହୁଏତ କନକ, କାଞ୍ଚନ, କୁମାରୀ ଭଳି ଚଉଦ, ପନ୍ଦର ବର୍ଷ ବୟସରେ ବାହାହୋଇ ସାରିଥିବ । ଏତେବେଳକୁ ତିନି ଚାରୋଟି ଛୁଆର ମା ହୋଇ ସାରିଥିବ ।

 

କିନ୍ତୁ କଲ୍ୟାଣୀର ଜୀବନଟା ଯେ ଏଭଳି ଅସ୍ୱାଭାବିକ ଭାବରେ ଏତେଦୂର ଅଗ୍ରସର ହୋଇ ଯାଇଛି ତା କଳ୍ପନା କରି ହୁଏନା ।

 

ସେଦିନ ଆମର ଏକ ଘରୋଇ ବୈଠକରେ ଅଧ୍ୟାପକ କୃଷ୍ଣମୋହନ ଯେ ଏହି କଲ୍ୟାଣୀ ସଂମ୍ବନ୍ଧରେ ଏତେକଥା କହିଥିଲା, ଆଜି ଜାଣି ପାରିଲି । ମୁଁ ତାକୁ ପଚାରିଥିଲି, ଆଚ୍ଛା ଆଜି କାଲି ଝିଅମାନେ ଏତେ ସଂଖ୍ୟାରେ ସଂସ୍କୃତ ପଢ଼ିବା ପାଇଁ ଆଗ୍ରହୀ କାହିଁକି ?

 

ସେ ମୋତେ କହିଥିଲା, ବେଶି ନମ୍ବର ମିଳେ ବୋଲି ।

 

ମୁଁ ତାଙ୍କ ସହିତ କିନ୍ତୁ ଏକମତ ହୋଇ ପାରି ନ ଥିଲି ।

 

ସେ ମତେ କଲ୍ୟାଣୀର ଉଦାହରଣ ଦେଇଥିଲା । ଖାଲିତ ଉଦାହରଣ ଦେଇ ନ ଥିଲା ବଡ଼ ଉଦାର ଭାବରେ ଭାବବିହ୍ୱଳ ହୋଇ ଅନେକ କଥା କହିଥିଲା ।

 

ଅଧ୍ୟାପକ କୃଷ୍ଣମୋହନ କୁଆଡ଼େ ଥିଲା କଲ୍ୟାଣୀର କଲେଜ ପଢ଼ା ସାଙ୍ଗ । କୃଷ୍ଣମୋହନ ଏଇ ଦି ବର୍ଷ ତଳେ ଇଂରେଜୀରେ ଏମ୍.ଏ ପାସ କରି ଅଧ୍ୟାପକ ହୋଇଛି । କଲ୍ୟାଣୀ ଦି ଚାରି ବର୍ଷ ପଛରେ ପଡ଼ିଯାଇଛି ।

 

ମୁଁ ଠିକ୍ ମାର୍କ କରିଥିଲି, କୃଷ୍ଣମୋହନ ଯେତେବେଳେ କଲ୍ୟାଣୀ କଥା କହୁଥିଲା ତା ଦେହର ଭିତରେ କିଭଳି ତରଙ୍ଗ ସୃଷ୍ଟି ହେଉଥିବ ଜାଣେନା, କିନ୍ତୁ ବାହାରେ ଭାରି ତରଙ୍ଗ ସୃଷ୍ଟି ହେଉଥିଲା—ସେ ତରଙ୍ଗ ନଦୀର ଛୋଟ ଛୋଟ ତରଙ୍ଗଭଳି ନୁହେଁ, ପୁରାପୁରୀ ସମୁଦ୍ରର ତରଙ୍ଗ । ସେ ହାତଦିଟାକୁ ପ୍ରସାରି ଦେଉଥିଲା, ଆଖିରୁ ଲୁହ ଗଡ଼ଉଥିଲା । ରୁମ ଟାଙ୍କୁରୀ ଉଠିଥିଲା—ସେ ଯେତେବେଳେ କହିଥିଲେ…. “ଦିନେ ବଡ଼ ଲୋକହସା ହେବାକୁ ପଡ଼ିଲା । ଧରାପଡ଼ିଗଲୁ… ଠିକ ଯେତିକିବେଳେ କଲ୍ୟାଣୀର ଅଧର ଦିଓଟି ମୋର ଅଧର ଭିତରେ ଲେଶି ହୋଇ ଆସିଥିଲା । ସେତେବେଳକୁ ରାତି ଦୁଇ—ଚାରିଆଡ଼ ଶୁନ୍‍ଶାନ୍‍ । ଖାଲି ଝାଉଁ ଗଛଗୁଡ଼ାକ ପବନ ସାଥିରେ କ’ଣ କେଜାଣି ଆଳାପ କରୁଥିଲେ । ହଠାତ୍ ଶିକାରୀହାତରେ ଲମ୍ବା ଟର୍ଚ୍ଚ ଲାଇଟର ଫୋକସ୍ ଶିକାର ଉପରେ ପଡ଼ିଲାଭଳି ଗୋଟାଏ ଲାଇଟର ଫୋକସ ପଡ଼ିଲା ଆମ ଉପରେ । ଚାଉଁକିନି ଚମକି ଉଠିଲୁ ଦିଜଣଯାକ । ଉପାୟ ନ ଥିଲା କୁଆଡ଼ିକି ଚାଲିଯିବା ପାଇଁ । ଆମେ ଭାବିଲୁ ପୁଲିସ ହାବୁଡ଼ରେ ପଡ଼ିଗଲୁ ବୋଲି, କିନ୍ତୁ ପରକ୍ଷଣରେ ଶୁଭିଲା କଳରବ । ଗୁଡ଼ାଏ ପିଲା ମାଡ଼ି ଆସିଲେ ଆମ ଆଡ଼ିକି ।

 

“ରାତିଟାଯାକ ବନ୍ଦୀ ହୋଇ ରହିଲୁ ଦିଜଣ ଗୋଟିଏ ଛାତ୍ର ମେସ୍ ଭିତରେ । ତା ଆରଦିନ ସକାଳ । ବଜାରୀ ପିଲାଗୁଡ଼ାକ….ମୋ ମୁହଁରେ ହାଣ୍ଡି କଳା ବୋଳି ଦେଲେ, କଲ୍ୟାଣୀ ମୁଣ୍ଡରେ ଦେଲେ ସିନ୍ଦୁର ଟୋପା—ପିନ୍ଧେଇ ଦେଲେ ଫୁଲର ମାଳା । ଆସିଲା ଡ୍ରମ ବାଜା । ବିବାହର ବରଯାତ୍ରୀ ପ୍ରସେସନ ବାହାରିଲା ଦାଣ୍ଡରେ ।

 

ମୋ ମୁହଁରେ ହାଣ୍ଡିକଳା ବୋଳା ହୋଇଥିଲା ବୋଲି ଲୋକେ ମତେ ଚିହ୍ନି ପାରୁ ନଥିଲେ—ଏପରିକି ସିନେମା ଘର ଆମ ପାନ ଦୋକାନୀ ଯିଏ ମୋର ଅତି ପରିଚିତ, ତାକୁ ପିଲାଏ ଯେତେ କହିଲେ ‘ମୁଁ’ ବୋଲି, ଆଦୌ ପରତେ ଗଲାନି ସେ । ଯାହାହେଉ ବୁଦ୍‍ଦୁ ବଜାରୀମାନଙ୍କ ହାଣ୍ଡିକଳା ବୁଦ୍ଧି ଯୋଗୁଁ ମୁଁ ଲୋକହସାରୁ ଉଦ୍ଧାର ପାଇଲି । କିନ୍ତୁ କଲ୍ୟାଣୀ ? ପ୍ରସେସନରେ ମୁଣ୍ଡ ପୋତି ପୋତି ଯିବାକୁ ପଡ଼ିଲା ତାକୁ । ମୁଣ୍ଡରେ ଓଢ଼ଣା ଟାଣିବାକୁ ମନା ।

 

ଇମିତି କେତେଥର କେତେ ଅପମାନ ସହିଚୁ ଆମେ ଦିଜଣ । କିନ୍ତୁ ଆମର ଘନିଷ୍ଠତା ଦିନେ କ୍ଷୁଣ୍ଣ ହୋଇନି । ତାର ଘନିଷ୍ଠତା ମତେ ଯଥେଷ୍ଟ ପ୍ରେରଣା ଦେଉଥିଲା—କବିତା ହେଉ, ଗଳ୍ପ ହେଉ ଯାହା କିଛି ଲେଖିବାପାଇଁ । ଶେଷରେ ଅପମାନଟା ଏଭଳି ଦେହଘସା ହୋଇଗଲା ଯେ ବଜୀରୀ ପିଲାଏ କୌଣସି ଚେଷ୍ଟା କଲେ ବି ଆମେ ଦିଜଣ ସହଜେ ତାକୁ ଭକ୍ଷଣ କରି ଜୀର୍ଣ୍ଣ କରିନେଉଚୁ ବୋଲି ଭାବି ନୀରବ ହୋଇପଡ଼ିଲେ ।

 

କଲ୍ୟାଣୀର ପିଉସୀନାନୀକୁ କଲ୍ୟାଣୀ ଡାକୁଥିଲା, ଖାଲି ନାନୀ, ମୁଁ ଡାକୁଥିଲି ମାଉସୀ-। ନାନୀ ପନ୍ଦର କୋଡ଼ିଏ ଘରେ ପାଣି ଦିଏ—ବୋଲହାକ କରେ—ଯାହା ରୋଜଗାର କରେ କଲ୍ୟାଣୀ ସେଇଥିରେ ପାଠ ପଢ଼େ । କିନ୍ତୁ ତା ବୋଲି ସେମାନଙ୍କ ଘରେ କୌଣସି ଅଭାବ ନଥାଏ-। ମଧ୍ୟବିତ୍ତ ପରିବାର ଭଳି ଘରଟି ବେଶ୍ ସୁସଜ୍ଜିତ । ସେ ଘରର ସାଜସଜ୍ଜା ଦେଖି ଅନେକ ଲୋକ ଅନେକ କଥା କହିଥାଆନ୍ତି । ଝିଅକୁ ଦେଖାଇ ପଇସା ରୋଜଗାର କରେ ବୋଲି ପିଉସିନାନୀ ନାଁରେ ସାହିପଡ଼ିଶା ଲୋକେ ଡିଣ୍ଡିମ ପିଟନ୍ତି । ନାନୀ କିନ୍ତୁ କାହାରିକୁ ଖାତିର କରନ୍ତି ନି ।

 

ମୁଁ ଅବାଧରେ ସେ ଘରକୁ ଯାଏ ଆସେ ।

 

ହଠାତ୍ ମୋର ଅବାଧ ଗତି ପ୍ରତିହତ ହେଲା—କକେଇଙ୍କ ଆଗମନରେ । ମୁଁ ବାହାରି ଆସୁଥାଏ କଲ୍ୟାଣୀ ଘର ଭିତରୁ ହଠାତ୍ ଦୁଆର ମୁହଁଠି ଦେଖିଲି କକେଇ । ତାଙ୍କର ନାକଫୁଲା, ଆଖିର ଚାହାଁଣୀକୁ ଦେଖି ମୁଁ ଆଗକୁ ଯିବି କି ପଛକୁ ଯିବି, କିଛି ଠିକ୍ କରି ପାରିଲିନି ।

 

କକେଇ କିଛି କଲେ ନାହିଁ ଯାହା ଦେଖେଇ ଦେଇ ଗଲେ, ସେତକଯାହା କରିଥାଆନ୍ତେ, ତାଠୁ ବଳି କଠୋର, ନିର୍ମମ । ପିଲାଦିନୁ ବାପଛେଉଣ୍ଡ ହେତୁ, କକେଇଙ୍କ ଦାନାପାଣିରେ ମୁଁ ଚଳି ଆସିଛି ଏଯାଏଁ ! ତେଣୁ ତାଙ୍କୁ ମୋର ଡର ଥାଏ ସବୁଠୁ ବେଶୀ ସେ ଯାହା କହିବେ ତାହାହିଁ ହେବ । ତାଙ୍କ କଥାକୁ ଅବମାନନା କରିବା ମୋ ପକ୍ଷରେ ଏକାବେଳକେ ଅସମ୍ଭବ-। ମୋର ଯେତେକ ସଂକଳ୍ପ, ପ୍ରତିଜ୍ଞା, ନୀତି କଥା, ଆଦର୍ଶ ସବୁ ଓଲଟ ପାଲଟ ହୋଇ ପଡ଼ିଲା, ଏହି କ୍ଷଣିକ ଭ୍ରୂକୁଟୀରେ ।

 

କିନ୍ତୁ ଶୁଣିଛି, ଘରେ ଖୁଡ଼ି, କକେଇକୁ କହନ୍ତି—କଣ ହେଲା, କଲ୍ୟାଣୀଟା କ’ଣ ମନ୍ଦ ପିଲା । ବ୍ରାହ୍ମଣ ଘର ଝିଅ—ଉଚ୍ଚଜାତିର । ପାଠ ପଢ଼ିଚି….କୃଷ୍ଣ ସୁଖରେ ରହିବ । ଘରକୁ ପାଠପଢ଼ୁଆ ଝିଅଟିଏ ଆଣିଲେ, ଘର ଚହଟିବ ।

 

କକେଇ ସମ୍ମତ ହେଲେ । କିନ୍ତୁ ତାଙ୍କର ସର୍ତ୍ତ ବି.ଏ ପାସ୍ ପରେ ପରେ କୃଷ୍ଣର ବିବାହ କରେଇ ଦେବାକୁ ପଡ଼ିବ ।

 

ଖୁଡ଼ି କହିଲେ, କରୁନ । ପୁରୀରେ ତ ବାହାଘର । ମହା ପ୍ରସାଦ ଦିହାଣ୍ଡି ଆଣିଲେ, ଭୋଜି ସରିଲା । ଖର୍ଚ୍ଚ ବା କ’ଣ ଅଛି ଯେ । କଲ୍ୟାଣୀକୁ ସେ ଘରୁ ଏ ଘରରୁ ଚଲେଇ ଚଲେଇ ନ ଆଣି ରିକ୍ସାରେ, ଶବାରୀରେ ନଇଲେ ମୋଟରରେ ନେଇ ଆସିଲେ ହେଲା ।

 

ମନେ ମନେ କଥାକୁ ପକ୍କା କରିନେଲେ କକେଇ ।

 

ମୁଁ ସବୁକଥା ଶୁଣି ତା ଆରଦିନ ଆସି କଲ୍ୟାଣୀକୁ କହିଥିଲି । କଲ୍ୟାଣୀ ସେ ଦିନ ଭାରି ଖୁସି ହୋଇ ଉଠିଥିଲା । ମତେ ନିଜ ହାତରେ ରାନ୍ଧି ବହୁତ ଖୁଆଇଥିଲା । ସିନେମା ଦେଖେଇ ନେଇଥିଲା ନିଜ ହାତରୁ ଖର୍ଚ୍ଚ କରି । କଥା ପ୍ରସଙ୍ଗରେ ସେ ମତେ କହିଥିଲା, ଆଜି ଆମ ଆଡ଼ୁ ଆମ ଦିହିଁଙ୍କର ନିର୍ବନ୍ଧ ଦିନ । ନାନୀ ମଧ୍ୟ ଏ ସମ୍ବାଦରେ ଖୁସି ହୋଇ ଉଠିଥିଲେ । ମୋ ଖୁଡ଼ିଙ୍କ ପାଖକୁ ଯାଇ ସେ ସେଦିନ ଗୋଟିଏ ଯାକ କଥାବାର୍ତ୍ତାରେ କଟେଇ ଥିଲେ । କଲ୍ୟାଣୀ ଆସିଲେ, କୋଉ ଘରେ ରହିବ, ତା ପାଇଁ କୋଉ ଖଟଟା ଦିଆଯିବ—ସବୁ ଘର ବୁଲେଇ ଦେଖିଇଥିଲେ ନାନୀଙ୍କି ।

 

ଆମ ବିବାହ ପ୍ରସଙ୍ଗ ପକ୍କା ହେଲା ଜାଣି ସେଇ ବଜାରୀ ପିଲାଦଳକ ବଡ଼ ଦୁଃଖିତ ଓ ଅନୁତପ୍ତ ହୋଇଥିଲେ । ସେମାନେ ମନେ ମନେ ଭାବିଥିଲେ, କଥାଟାକୁ ପ୍ରକଟ କରିବା ହେତୁ, ସେମାନେ ବଳପାଇଗଲେ । ଅନେକ କ୍ଷେତ୍ରରେ ଇପ୍ସିତ ବସ୍ତୁକୁ ପାଇବା ପାଇଁ ଅପମାନ ଲାଭ ବାଞ୍ଚ୍ଥନୀୟ ହୋଇ ପଡ଼େ । ତେଣୁ ଆମର ଅପମାନ ଯେ ପଥକୁ ପ୍ରଶସ୍ତ କରି ପାରିଚି ତାକୁ ହିସାବ କିତାବ କରି, ସେମାନେ ଅନୁତପ୍ତ ହୋଇ ପଡ଼ିବା ସ୍ୱାଭାବିକ ।

 

“ମୁଁ ବି.ଏ ପାସ କଲି, କଲ୍ୟାଣୀ ମଧ୍ୟ । ଦୁହେଁ ଏକା କ୍ଲାସରେ—ଅର୍ଥାତ୍ ସେକଣ୍ଡ କ୍ଲାସ (ଅନର୍ସ)ରେ । ମୋର ଇଂରେଜୀ ଅନର୍ସ, ତାର ସଂସ୍କୃତ ।”

 

“ଆଜି ପରୀକ୍ଷାଫଳ ବାହାରିଛି । କାଆଲିକି କକେଇ ବିବାହ ପ୍ରସଙ୍ଗ କଲ୍ୟାଣୀର ନାନୀ ପାଖରେ ପକେଇବା ପାଇଁ ଯିବା କଥା । ମୁଁ ତାଆରଦିନ ବଡ଼ି ଭୋରୁ କଲ୍ୟାଣୀକି ବଧେଇ ଜଣେଇବାଲାଗି ତାଙ୍କ ଘର ଭିତରକୁ ପଶି ଆସିବା ମାତ୍ରେ ଦେଖିଲି କଲ୍ୟାଣୀ ଦାଣ୍ଡ ଘର ଟେବୁଲ ଉପରେ ମୁଣ୍ଡ ରଖି କାନ୍ଦୁଛି । ଆଗରେ ପରୀକ୍ଷାଫଳ ପ୍ରକାଶ ପାଇଥିବା ଦୈନିକ ସମ୍ବାଦପତ୍ର । ଠିକ୍‍ ତାରି ଉପରେ ଖଣ୍ଡିଏ ଚିଠି ।”

 

ଏଇ କାନ୍ଦିବାର କାରଣ ଏଇ ଚିଠି ଭିତରେ ସଂଭବତଃ ଅଛି ଭାବି, ପଢ଼େ ତ…..

 

ଚିଠିଟି ଲେଖିଛନ୍ତି କଲ୍ୟାଣୀର ଶ୍ଵଶୁର ।

 

“ନୀଳାମ୍ବର” ବଞ୍ଚିବକି ନାଇଁ କହି ହେବନି । ସାଙ୍ଘାତିକ ରୋଗ ।’’

 

ନୀଳାମ୍ବର ? ଇଏ କିଏ ?

 

ଏଇ ସେଇ ନୀଳାମ୍ବର—ଯାହା ସହିତ ବାୟାଣୀର ବିବାହ ହୋଇଥିଲା, କଲ୍ୟାଣୀର ନୁହଁ ।

 

ନୀଳାମ୍ବର ଥିଲା “ଏକ ଛୋଟ ଟୋଲ ପଣ୍ଡିତ ।’’

 

ସେ ଦିନ କୃଷ୍ଣ ମୋହନ ଏତକ କହି ଦେଇ କାହିଁକି କେଜାଣି ବିବ୍ରତ ଭାବରେ ଉଠି ଚାଲିଯାଇଥିଲା । ଆମେ ଯେତେ ପଛରୁ ଡାକିଥିଲୁ ଆସି ନଥିଲା ସେ ।

 

ଏମ.ଏ. ପାଶ କରିଚି କଲ୍ୟାଣୀ—ସମାବର୍ତ୍ତନ ମଣ୍ଡପରୁ ଫେରୁଚି, କେତେଥର ଆଖିକି ମଳି ତାକୁ ଦେଖିଚି । ଏଇ ସେଇ ବୟାଣୀ ଟିକି ? ଠିକ ସେ ପାଖକୁ ଲାଗି ଆସିଲାମାତ୍ରେ ଆଉ ନିଜକୁ ରୋକି ପାରି ନ ଥିଲି ।

 

କିଲୋ ତୁ ବାୟାଣୀ ଟିକି ବୋଲି ପଚାରି ଦେଇଥିଲି । କଲ୍ୟାଣୀ ମୁଁହକୁ ବୁଲେଇ ମତେ ଚାହୁଁ ଚାହୁଁ “ଦିନା ଭାଇନା” ବୋଲି ପାଟି କରି ଉଠିଥିଲା ।

 

ସଭା ସରିବାପରେ ଦୁହେଁ ଆସିଥିଲୁ ତା ଘରକୁ । ବାଟରେ ପଚାରିଥିଲି, ଘରେ ତୁ ଏକା ନା ଆଉ କେହି । କିଛି କହି ନ ଥିଲା ସେ ।

 

ଦାଣ୍ଡ ପିଣ୍ଡାକୁ ଉଠୁ ଉଠୁ—ବୋଉ ବୋଉ ବୋଲି ପାଟି କରି ଉଠିଥିଲେ ତିନୋଟି ପିଲା ବର୍ଷେ ବର୍ଷେ ସାନବଡ଼ । ଦୁଇଟି ପୁଅ ଗୋଟିଏ ଝିଅ—ଫଳଂ ଫଳେ, ଫଳାନି ।

 

ନୀଳାମ୍ବରର ସ୍ତ୍ରୀ ବାୟାଣୀ—ଆଜି ଏମ.ଏ. ପରେ ସଂସ୍କୃତରେ ପ୍ରଥମ ଶ୍ରେଣୀରେ ପ୍ରଥମ । ଯାହାହେଉ ଜଗା ପଣ୍ଡିତଙ୍କ ନା ରଖିଚି ସେ । ପଣ୍ଡିତଙ୍କ ଝିଅ ପଣ୍ଡିତା ।

 

କିନ୍ତୁ ପର ମୁହୂର୍ତ୍ତରେ ଯାଇ ଯାହା ଦେଖିଲି ସେଥିରେ ମୋର ସମସ୍ତ ଆନନ୍ଦ ଯେପରି କିଏ ଝିଂକି ନେଇଗଲା ଭଳି ମନେ ହେଲା । ନୀଳାମ୍ବର ବସିଚି ଏକ ଆରାମ ଚୌକୀରେ । ବୃଦ୍ଧାକାୟ ହାତ ଗୋଡ଼ ଥରୁଚି । ପାରାଲିସସ୍ । ନୀଳାମ୍ବର ସହିତ ମୋର ବହୁ ଦିନର ପରିଚୟ । ସେ ସ୍କୁଲରେ ମୋ ସାଙ୍ଗରେ ପଢ଼ୁଥିଲା ।

 

କଲ୍ୟାଣୀ କହିଲା—ସଂପୂର୍ଣ୍ଣ ଭଲ ହୋଇଯାଇଥିଲେ—ପୁଣି ଏଇ ତିନିମାସ ହେଲା ବାହାରିଚି ଏ ରୋଗଟା ।

 

କଲ୍ୟାଣୀ ରୋଜଗାର କରି ପିଲାଙ୍କୁ ପାଠ ପଢ଼ାଏ, ପତିଙ୍କ ସେବା କରେ ।

 

କୃଷ୍ଣ ମୋହନ କେବେ କେବେ ଆସେକି ବୋଲି ପଚାରିଥିଲି କଲ୍ୟାଣୀ କି ।

 

କଲ୍ୟାଣୀ ଗୋଟାଏ ଦୀର୍ଘ ନିଃଶ୍ୱାସ ପକେଇ କହିଥିଲା, ହଁ ଆସନ୍ତି ! ଖାଲି ଆସନ୍ତି—ଯାଆନ୍ତି ।

 

କୃଷ୍ଣ ମୋହନ ପ୍ରକୃତରେ କଳା ପାଲଟି ଯାଇଚି । ମୁହଁରେ ଗୁଡ଼ାଏ ଦାଢ଼ୀ । ଅବିବାହିତ ସେ ଏଯାଏଁ ।

Image